Latest Odisha News

ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ କର୍ମଚାରୀ ବାସଗୃହର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ କର୍ମଚାରୀ ବାସଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ନୂତନ ବାସଗୃହ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଓଡିଶା ନିର୍ମାଣ ନିଗମ ମାଧ୍ୟମରେ ନିର୍ମାଣ କରାଯିବ। ଉକ୍ତ ପ୍ରକଳ୍ପରେ ତଳ ମହଲାକୁ ମିଶାଇ ମୋଟ ପାଞ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରାଯିବ।

ଆଜିର ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଲେ ଯେ ପ୍ରତିଷ୍ଠାନରେ ନୂତନ ଭାବେ ଆଉ ୫ଟି ନୂତନ ପାଠ୍ୟ ଖସଡ଼ା ଅନ୍ତର୍ଭୁକ୍ତ ହେବାକୁ ଯାଉଛି। ଏହାଦ୍ୱାରା ଅଧିକ ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ପାଠପଢା ପାଇଁ ଅଧିକ ଅଧ୍ୟାପକ ଓ କର୍ମଚାରୀଙ୍କ ଆବଶ୍ୟକତା ରହିବ। ଏହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ସୁଦୃଢ କରିବାର ଆବଶ୍ୟକତା ରହିଥିବା ସେ କହିଥିଲେ। ଏହି ନୂତନ କର୍ମଚାରୀ ବାସଗୃହ ବିକାଶମୂଳକ ପଦକ୍ଷେପ ମଧ୍ୟରୁ ପ୍ରମୁଖ ବୋଲି ମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ବିଜ୍ଞାନ ଓ କାରିଗରୀ ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍‌, ଗଣିତ ଓ ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ପ୍ରଫେସର ଯଶବନ୍ତ ଜେନା, କୁଳସଚିବ ପ୍ରଫେସର ତ୍ରୈଲୋକ୍ୟ ପାଣିଗ୍ରାହୀ, ବିଜ୍ଞାନ ଓ ବୈଷୟିକ ବିଭାଗ ଅତିରିକ୍ତ ଶାସନ ସଚିବ ଶିବାନୀ ମହାନ୍ତି, ବିଦ୍ୟୁତପ୍ରଭା ରାଉତ, ପୂଜା ମିଶ୍ର, ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ନିର୍ଦ୍ଦେଶିକା ଶ୍ରୀମତୀ ଉର୍ମିପ୍ରଭା ମହାରଣା, ପ୍ରତିଷ୍ଠାନର ସୁନୀତା ଚକ୍ରବର୍ତ୍ତୀ, ଶିକ୍ଷକ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Comments are closed.