BRICS Media kit: ବ୍ରିକ୍ସ ମିଡିଆ କିଟରେ କୋରାପୁଟ କଫି…ଅନ୍ତର୍ଜାତୀୟ ଅତିଥିଙ୍କୁ ‘ଇଣ୍ଡିଆ କାହାଣୀ’ କହୁଛି ବିହାର ଛତୁଆରୁ ଗୁଜରାଟୀ ହସ୍ତଶିଳ୍ପର ଉପହାର
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବସିବାକୁ ଯାଉଛି ୧୮ତମ BRICS ସମ୍ମିଳନୀ। ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀ ପାଇଁ ବିଶ୍ୱର ବିଭିନ୍ନ ଦେଶରୁ ସାମ୍ବାଦିକମାନେ ଦିଲ୍ଲୀରେ ପହଞ୍ଚୁଛନ୍ତି। ଏହାରି ଭିତରେ ଭାରତ ସରକାର ପକ୍ଷରୁ ସାମ୍ବାଦିକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା BRICS ମିଡିଆ କିଟ୍ ଏବେ ଚର୍ଚ୍ଚାରେ।
ଏହି ମିଡିଆ କିଟ୍ କେବଳ BRICS ସମ୍ମିଳନୀ ସମ୍ପର୍କିତ ସୂଚନା କିମ୍ବା ବ୍ରିଫିଂ ସାମଗ୍ରୀରେ ସୀମିତ ନାହିଁ। ଏଥିରେ ରହିଛି ଭାରତର ବିଭିନ୍ନ ରାଜ୍ୟର ପାରମ୍ପରିକ ଖାଦ୍ୟ, ସ୍ଥାନୀୟ ଉତ୍ପାଦ ଓ ହସ୍ତଶିଳ୍ପ। ଅର୍ଥାତ୍ କୂଟନୀତି ସହିତ ଭାରତର ସଂସ୍କୃତି ଓ ଆଞ୍ଚଳିକ ବିବିଧତାକୁ ମଧ୍ୟ ବିଶ୍ୱ ସାମ୍ନାରେ ରଖିବାକୁ ଚେଷ୍ଟା କରାଯାଇଛି।
ବିଦେଶ ମନ୍ତ୍ରଣାଳୟ (MEA)ର ନେତୃତ୍ୱରେ ଏହି ବିଶେଷ ମିଡିଆ କିଟ୍ ପ୍ରସ୍ତୁତ କରାଯାଇଛି। ଦେଶର ତିନିଟି ରାଜ୍ୟ ସରକାରଙ୍କ ସହଯୋଗରେ ବିଭିନ୍ନ ସାମଗ୍ରୀକୁ ଏଥିରେ ସାମିଲ କରାଯାଇଛି। ଯେଉଁଥିରେ ବିହାରର ପ୍ରତିନିଧିତ୍ୱ କରୁଛି ସତ୍ତୁ ବା ଛତୁଆ ଓ ମଖାନା। ସତ୍ତୁ ବିହାରର ପାରମ୍ପରିକ ଖାଦ୍ୟ ଓ ପାନୀୟ ପରମ୍ପରା ସହ ଗଭୀର ଭାବେ ଜଡ଼ିତ। ବିଶେଷକରି ସତ୍ତୁରୁ ପ୍ରସ୍ତୁତ ପାନୀୟ ବିହାରର ଖାଦ୍ୟ ସଂସ୍କୃତିର ଏକ ପରିଚିତ ଅଂଶ। ସେହିପରି ମଖାନା ମଧ୍ୟ ବିହାରର ଏକ ପ୍ରମୁଖ କୃଷି ଓ ଖାଦ୍ୟ ଉତ୍ପାଦ। BRICS ମିଡିଆ କିଟ୍ରେ ଏହାକୁ ସାମିଲ କରି ରାଜ୍ୟର ସ୍ଥାନୀୟ ଖାଦ୍ୟ ପରମ୍ପରାକୁ ବିଶ୍ୱସ୍ତରରେ ପରିଚିତ କରାଇବାର ଚେଷ୍ଟା ହୋଇଛି। ଏହି ମିଡିଆ କିଟ୍ରେ ଓଡ଼ିଶାର କୋରାପୁଟ କଫିକୁ ସାମିଲ କରାଯିବା ବିଶେଷ ଆକର୍ଷଣର କେନ୍ଦ୍ର ପାଲଟିଛି। କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଚାଷ ହେଉଥିବା କଫି ଏବେ ଓଡ଼ିଶାର ଏକ ଉଦୀୟମାନ କଫି କ୍ଷେତ୍ରର ପରିଚୟ ଦେଉଛି। BRICS ସମ୍ମିଳନୀକୁ ଆସୁଥିବା ଅନ୍ତର୍ଜାତୀୟ ସାମ୍ବାଦିକଙ୍କୁ କୋରାପୁଟ କଫିର ସ୍ୱାଦ ଚଖାଇ ଓଡ଼ିଶାର ଏହି ସ୍ଥାନୀୟ ଉତ୍ପାଦକୁ ବିଶ୍ୱ ମଞ୍ଚରେ ପରିଚିତ କରାଇବାର ସୁଯୋଗ ମିଳିଛି। ଗୁଜରାଟ ପକ୍ଷରୁ ମିଡିଆ କିଟ୍ରେ ସାମିଲ ହୋଇଛି ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ସାମଗ୍ରୀ। ଏଗୁଡ଼ିକ ମାଧ୍ୟମରେ ଗୁଜରାଟର ପୁରୁଣା କାରିଗରୀ ପରମ୍ପରା ଓ ସ୍ଥାନୀୟ କାରିଗରଙ୍କ କୌଶଳକୁ ଉପସ୍ଥାପନ କରାଯାଇଛି। ଖାଦ୍ୟ ସହ ହସ୍ତଶିଳ୍ପକୁ ମିଡିଆ କିଟ୍ରେ ସ୍ଥାନ ଦେଇ ଭାରତର ସାଂସ୍କୃତିକ ବିବିଧତାର ଆଉ ଏକ ଦିଗକୁ ଦେଖାଇବାକୁ ଉଦ୍ୟମ ହୋଇଛି।
ବିଦେଶ ମନ୍ତ୍ରଣାଳୟର OSD, PR ବାସୁଦେବ ରବି ANIକୁ କହିଛନ୍ତି ଯେ, ଏହା ଭାରତର ‘ଇଣ୍ଡିଆ ଷ୍ଟୋରୀ’କୁ ବିଶ୍ୱର ସାମ୍ବାଦିକଙ୍କ ସାମ୍ନାରେ ରଖିବାର ଏକ ସୁଯୋଗ। ତାଙ୍କ ଅନୁସାରେ, ଭାରତର ବିବିଧତାକୁ ଦେଖାଇବା ପାଇଁ ତିନିଟି ରାଜ୍ୟ ସରକାରଙ୍କ ସହ ମିଶି ପାରମ୍ପରିକ ଖାଦ୍ୟ ଓ ସ୍ଥାନୀୟ ସାମଗ୍ରୀକୁ ମିଡିଆ କିଟ୍ରେ ସାମିଲ କରାଯାଇଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ କେବଳ ସାମ୍ବାଦିକଙ୍କୁ ଉପହାର ଦେବା ନୁହେଁ, ବରଂ ଭାରତର ଖାଦ୍ୟ, କୃଷି, ସଂସ୍କୃତି ଓ ପାରମ୍ପରିକ କାରିଗରୀକୁ ଏକ ଛୋଟ ପ୍ୟାକେଜ୍ରେ ବିଶ୍ୱ ସାମ୍ନାରେ ଉପସ୍ଥାପନ କରିବା।
୧୮ତମ BRICS ସମ୍ମିଳନୀକୁ ନେଇ ଦିଲ୍ଲୀରେ ଯେଉଁଠି ଉଚ୍ଚସ୍ତରୀୟ କୂଟନୈତିକ ଆଲୋଚନା ଚାଲିବ, ସେହି ସମୟରେ ମିଡିଆ କିଟ୍ ମାଧ୍ୟମରେ ଭାରତ ନିଜର ଆଞ୍ଚଳିକ ପରିଚୟକୁ ମଧ୍ୟ ବିଶ୍ୱ ଆଗରେ ରଖୁଛି। ବିହାରର ସତ୍ତୁ ଓ ମଖାନା, ଓଡ଼ିଶାର କୋରାପୁଟ କଫି ଏବଂ ଗୁଜରାଟର ପାରମ୍ପରିକ ହସ୍ତଶିଳ୍ପ, ଏହି ସବୁ ସାମଗ୍ରୀ ମିଶି BRICS ମିଡିଆ କିଟ୍କୁ ଭାରତର ‘ବିବିଧତାରେ ଏକତା’ର ଏକ ଛୋଟ ପ୍ରତିଛବିରେ ପରିଣତ କରିଛି। ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ସାମ୍ବାଦିକମାନେ ଏହି ସାମଗ୍ରୀ ମାଧ୍ୟମରେ ଭାରତକୁ କେବଳ ଏକ କୂଟନୈତିକ ମଞ୍ଚ ଭାବେ ନୁହେଁ, ବରଂ ଭିନ୍ନ ଭିନ୍ନ ସ୍ୱାଦ, ସ୍ଥାନୀୟ ଉତ୍ପାଦ ଓ ଶତାବ୍ଦୀ ପୁରୁଣା କାରିଗରୀ ପରମ୍ପରାର ଦେଶ ଭାବେ ମଧ୍ୟ ଅନୁଭବ କରିପାରିବେ।

