Latest Odisha News

BREAKING NEWS

BRICS Gala Dinner: ଜିନପିଙ୍ଗ-ପୁଟିନଙ୍କ ସହିତ…ବିଶ୍ୱନେତା ଖାଇବେ ଭାରତୀୟ ସ୍ୱାଦ! BRICS ଗାଲା ଡିନର ପଛରେ ରହିଛି ବଡ଼ କୂଟନୈତିକ କାହାଣୀ

ନୂଆଦିଲ୍ଲୀ: ବିଶ୍ୱନେତାଙ୍କ ଥାଳିରେ ପରଷା ଯିବ ଭାରତୀୟ ସ୍ୱାଦ!

BRICS ଡିନରରେ ଦେଶୀ ଦମ୍!

ଜାଣନ୍ତୁ ଏଥର ମୋଦିଙ୍କ ଡିନରରେ କ’ଣ ରହିବ ଆଇଟମ୍?

ରାତିପାହିଲେ ବସିବ ବ୍ରିକ୍ସ ସମ୍ମିଳନୀ । ଦିନସାରା ଚାଲିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଶ୍ୱ ରାଜନୀତି ଉପରେ ହେବ ଆଲୋଚନା। କିନ୍ତୁ ଏହାରି ଭିତରେ ଏମିତି ଏକ ମୁହୂର୍ତ୍ତ ଆସିବ, ଯେଉଁଠି କୂଟନୀତି ସହ ଥାଳିରେ ପରଷାଯିବ ଭାରତର ସ୍ୱାଦ। ଏହା ହେଉଛି BRICS ଗାଲା ଡିନର। ଏହା କେବଳ ଏକ ରାତ୍ରିଭୋଜନ ନୁହେଁ, ବରଂ ବିଶ୍ୱନେତାଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା, ସାଂସ୍କୃତିକ ଆଦାନପ୍ରଦାନ ଓ ସମ୍ପର୍କ ମଜବୁତ କରିବାର ଏକ ବଡ଼ ମଞ୍ଚ।

ତେବେ BRICS ଗାଲା ଡିନରର ପରମ୍ପରା ୨୦୦୯ରୁ ଆରମ୍ଭ ହୋଇଥିଲା। ରୁଷିଆର ୟେକାଟେରିନବର୍ଗରେ ହୋଇଥିବା ପ୍ରଥମ BRIC ସମ୍ମିଳନୀରେ ମେଜବାନ ଦେଶ ପକ୍ଷରୁ ନେତାମାନଙ୍କ ପାଇଁ ଆୟୋଜନ କରାଯାଇଥିଲା ଔପଚାରିକ ରାତ୍ରିଭୋଜନ। ପରେ ଏହା ଶିଖର ସମ୍ମିଳନୀର ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା ପାଲଟିଗଲା। ୨୦୧୧ରେ ଦକ୍ଷିଣ ଆଫ୍ରିକା ଯୋଗ ଦେବା ପରେ BRIC ହେଲା BRICS। ପରବର୍ତ୍ତୀ ସମୟରେ ନୂଆ ଦେଶ ସାମିଲ ହେବା ସହ ସଂଗଠନର ପରିସର ଆହୁରି ବଢ଼ିଛି। BRICS ଗାଲା ଡିନରର ଆୟୋଜନ ସାଧାରଣତଃ ସେହି ଦେଶ ପକ୍ଷରୁ କରାଯାଏ, ଯେଉଁ ଦେଶ ସେହି ବର୍ଷ ସଂଗଠନର ଅଧ୍ୟକ୍ଷତା କରୁଥାଏ। ଚଳିତ ବର୍ଷ ଭାରତ BRICSର ଅଧ୍ୟକ୍ଷତା କରୁଥିବାରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱନେତାମାନଙ୍କ ପାଇଁ ଏହି ଡିନରର ଆୟୋଜନ କରିବେ। ସମ୍ମିଳନୀର ପ୍ରଥମ ଦିନର କାର୍ଯ୍ୟକ୍ରମ ଶେଷ ହେବା ପରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଏହି ବିଶେଷ ରାତ୍ରିଭୋଜନ ଆୟୋଜିତ ହେବ।

ସେପ୍ଟେମ୍ବର ୧୨ ଓ ୧୩ରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ହେଉଛି ୧୮ତମ BRICS ଶିଖର ସମ୍ମିଳନୀ। ଏହାରି ମାଧ୍ୟମରେ ଭାରତ ନିଜର ଖାଦ୍ୟ, କଳା, ସଙ୍ଗୀତ ଓ ଆତିଥ୍ୟ ପରମ୍ପରାକୁ ବିଶ୍ୱନେତାଙ୍କ ସାମ୍ନାରେ ପ୍ରଦର୍ଶନ କରିବ।

ତେଣୁ BRICS ମେନ୍ୟୁରେ ରହିବ ଭାରତୀୟ ସ୍ୱାଦର ବଡ଼ ଝଲକ। ବାଜରା, ଜୱାର ବା ଜଅ ଓ ରାଗି ବା ମାଣ୍ଡିଆ ଭଳି ‘ଶ୍ରୀ ଅନ୍ନ’ରୁ ପ୍ରସ୍ତୁତ ରାଗି ଦୋସା, ବାଜରା ଉପମା ଓ ମିଲେଟ୍ ପୋଙ୍ଗଲ ଭଳି ଖାଦ୍ୟ ଜଳଖିଆରେ ରହିବ। ଏହା ସହ ସତେଜ ଋତୁକାଳୀନ ଫଳ, ନଡ଼ିଆ ପାଣି ଓ ଛାସ ମଧ୍ୟ ପରଷାଯିବ। ଲଞ୍ଚ ଓ ଡିନରରେ ରାଜସ୍ଥାନୀ, ଗୁଜରାଟୀ ଓ ଦକ୍ଷିଣ ଭାରତୀୟ ଥାଳି ସହ କାଶ୍ମୀରୀ ପୁଲାଓ, ହାଇଦ୍ରାବାଦୀ ଭେଜ୍ ଓ ନନ୍‌ଭେଜ୍ ବିରିୟାନୀ, ସାଉଥ୍ ଇଣ୍ଡିଆନ୍ ଷ୍ଟ୍ୟୁ, ଅବଧୀ କବାବ ଓ ବିଭିନ୍ନ ତନ୍ଦୁରୀ ବ୍ୟଞ୍ଜନ ରହିବ। ଭେଜ୍ ଓ ନନ୍‌ଭେଜ୍ ପାଇଁ ଅଲଗା ବ୍ୟବସ୍ଥା ରହିବ।

ତେବେ ଏତେ ବଡ଼ ସମ୍ମିଳନୀରେ ମେନ୍ୟୁ ତିଆରି କରିବା ସହଜ ନୁହେଁ। PMO, ବିଦେଶ ମନ୍ତ୍ରଣାଳୟ ଓ ସ୍ୱତନ୍ତ୍ର ପ୍ରୋଟୋକଲ କମିଟି ମିଳିତ ଭାବେ ଏହାର ରୂପରେଖା ପ୍ରସ୍ତୁତ କରୁଛନ୍ତି। କେଉଁ ନେତା କ’ଣ ଖାଆନ୍ତି, କାହାର କେଉଁ ଖାଦ୍ୟରେ ଆଲର୍ଜି ଅଛି, ଧାର୍ମିକ ଓ ମେଡିକାଲ ଡାଏଟ୍ କ’ଣ, ସବୁକିଛିର ତଥ୍ୟ ନେଇ ପ୍ରସ୍ତୁତ କରାଯାଏ ଏହି ଡିନରର ସ୍ବତନ୍ତ୍ର ମେନ୍ୟୁ । ଆବଶ୍ୟକ ହେଲେ ନିର୍ଦ୍ଦିଷ୍ଟ ନେତାଙ୍କ ପାଇଁ ଅଲଗା ଡାଏଟ୍ ଓ ଶେଫ୍‌ର ବ୍ୟବସ୍ଥା ମଧ୍ୟ ହେବ।

ଦେଶର ବିଭିନ୍ନ ପ୍ରାନ୍ତର ଅଭିଜ୍ଞ ଶେଫ୍‌ମାନେ ଏହି ଖାଦ୍ୟ ପ୍ରସ୍ତୁତିରେ ସାମିଲ ହେଉଛନ୍ତି। ଭାରତର BRICS ଥିମ୍, ‘Building for Resilience, Innovation, Cooperation and Sustainability’ ଅର୍ଥାତ୍ “ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟୀ ବିକାଶ ପାଇଁ ନିର୍ମାଣ” ସହ ମାନବକେନ୍ଦ୍ରିକ ଚିନ୍ତାଧାରାକୁ ମଧ୍ୟ ମେନ୍ୟୁରେ ଗୁରୁତ୍ୱ ଦିଆଯାଇଛି।

ଏହାଛଡ଼ା ବୈଠକ ପରେ ଭାରତ ମଣ୍ଡପମ୍‌ରେ ସନ୍ଧ୍ୟା ୭ଟାରେ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ଆତିଥ୍ୟରେ ଏକ ବିଶେଷ ଡିନର ମଧ୍ୟ ହେବ। ଏଥିରେ BRICS ଦେଶର ବିଦେଶ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହେବେ।

Leave A Reply

Your email address will not be published.