Latest Odisha News

BREAKING NEWS

ଏତେ ଦେଶଦ୍ରୋହୀ ଆସିଲେ କୁଆଡ଼ୁ !

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… 

୨୦୧୪ ପରଠାରୁ ଆମ ଦେଶରେ ସବୁଠାରୁ ଦ୍ରୁତ ଗତିରେ ଯାହା ବଢ଼ିଛି, ତାହା ହେଉଛି ତଥାକଥିତ ଦେଶଦ୍ରୋହୀଙ୍କ ସଂଖ୍ୟା । ସର୍ବୋଚ୍ଚ ଧନୀକମାନଙ୍କ ସମ୍ପତ୍ତି , ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ଦରଦାମ୍ ଓ ପେଟ୍ରୋଲ୍‌,ଡ଼ିଜେଲ୍‌ର ମୂଲ୍ୟ ପରି ଗୁଣାତ୍ମକ ପ୍ରଗତିରେ ବଢ଼ି ଚାଲିଛି ଆମ ଦେଶରେ ଏହି ଦେଶଦ୍ରୋହୀଙ୍କ ସଂଖ୍ୟା । ଏକଥା କେଉଁ ରାଷ୍ଟୀୟ କି ଅନ୍ତରାଷ୍ଟ୍ରୀୟ ସର୍ଭେକ୍ଷଣ ସଂସ୍ଥା କହୁନାହିଁ । ଏକଥା ଖୋଦ୍ ଆମ ସରକାର, ସରକାରରେ ଥିବା ନେତା ମନ୍ତ୍ରୀ ଓ କେନ୍ଦ୍ରରେ କ୍ଷମତାସୀନ ଦଳର ନେତା ଓ ପ୍ରବକ୍ତା ମାନେ ଗତ କିଛି ବର୍ଷ ହେବ ବାରମ୍ବାର କହି ଆସୁଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଏହି ଛଅ ସାତ ବର୍ଷ ମଧ୍ୟରେ ହଠାତ୍ ଏତେ ଦେଶଦ୍ରୋହୀ ଆସିଲେ କୁଆଡ଼ୁ?

କେନ୍ଦ୍ରରେ ବିଜେପି ସରକାର ସ୍ଥାପନ ହେବା ପରଠାରୁ ଆମ ଦେଶରେ ହୋଇଥିବା ବଡ଼ ବଡ଼ ଦୃଷ୍ଟି ଆକର୍ଷଣକାରୀ ଆନ୍ଦୋଳନ ଗୁଡ଼ିକ ବିଷୟରେ ସରକାରରେ ଥିବା ନେତା ମନ୍ତ୍ରୀ ଓ ତାଙ୍କ ସମର୍ଥକ ମାନଙ୍କ ପ୍ରତିକ୍ରିୟାକୁ ଲକ୍ଷ କଲେ ଆମେ ଜାଣିପାରିବା ଯେ, ଭିନ୍ନ ଭିନ୍ନ ସରକାର ବିରୋଧୀ ଆନ୍ଦୋଳନରେ ଏହି ଦେଶଦ୍ରୋହୀମାନଙ୍କ ସଂଖ୍ୟା ବଢ଼ି ଚାଲିଛି । ନିକଟ ଅତୀତରେ ଯେତେବେଳେ ଜବାହାରଲାଲ୍ ନେହେରୁ ବିଶ୍ୱ ବିଦ୍ୟାଳୟରେ ଛାତ୍ରମାନେ ଆନ୍ଦୋଳନ କଲେ, ତାଙ୍କୁ କୁହାଗଲା ଦେଶଦ୍ରୋହୀ । ଏପରିକି ଆନ୍ଦୋଳନକାରୀଙ୍କୁ ସମର୍ଥନ କରୁଥିବା ବଲିଉଡ଼୍ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ସେତେବେଳେ ମୁକ୍ତିଲାଭ କରିଥିବା ‘ଛପାକ୍‌’ ସିନେମା ଯିଏ ଦେଖିଲା ତାଙ୍କୁ ବି ଦେଶଦ୍ରୋହୀ କୁହାଗଲା । ୨୦୧୯ରେ ନାଗରିକତା ସଂଶୋଧନ ଆଇନ୍ ଓ ପ୍ରସ୍ତାବିତ ଜାତୀୟ ନାଗରିକ ରେଜିଷ୍ଟର ବିରୁଦ୍ଧରେ ଯେଉଁ
ଦେଶବ୍ୟାପୀ ପ୍ରତିବାଦ ଚାଲିଲା, ସେଥିରେ ଭାଗ ନେଇଥିବା ଲୋକମାନଙ୍କୁ ବି ଦେଶଦ୍ରୋହୀ କୁହାଗଲା । ଜାମିଆମିଲିଆ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନରତ ଛାତ୍ର ମାନଙ୍କୁ ବି ଦେଶଦ୍ରୋହୀର ଆଖ୍ୟା ଦିଆଗଲା । ସଂପ୍ରତି ପ୍ରଣୟନ ହୋଇଥିବା ତିନୋଟି କୃଷି ଆଇନ୍ ବିରୁଦ୍ଧରେ ଦୀର୍ଘ ଦିନ ଧରି ଜାରି ରହିଥିବା ଆନ୍ଦୋଳନକୁ ବି ବିଛିନ୍ନତାବାଦୀ, ଖଲିସ୍ତାନୀ ଓ ଦେଶଦ୍ରୋହୀ ମାନଙ୍କର ଆନ୍ଦୋଳନ ବୋଲି କୁହାଯାଉଛି । ସରକାରରେ ଥିବା ନେତା ମନ୍ତ୍ରୀ ମାନେ ଖୋଦ୍ ଏକଥା କହୁଛନ୍ତି । ଏତଦ୍‌ବ୍ୟତୀତ ଦେଖାଯାଉଛି ଯେ, ଯେଉଁଠି ବି ଯିଏ ସରକାର ବିରୋଧୀ ମତ ପୋଷଣ କରୁଛି, ତାକୁ ଦେଶଦ୍ରୋହୀର ଆଖ୍ୟା ଦେଇ ଚୁପ୍ କରିଦେବାକୁ ଚେଷ୍ଟା କରାଯାଉଛି । ସେମାନେ ଛାତ୍ର ହୁଅନ୍ତୁ, ଚାଷୀ ହୁଅନ୍ତୁ କି ସାମାଜିକ କାର୍ଯ୍ୟକର୍ତା ହୁଅନ୍ତୁ । କେତେବେଳେ ତାଙ୍କୁ ଅର୍ବାନ୍ ନକ୍ସଲ କୁହାଯାଉଛି ତ କେତେବେଳେ
ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗ୍ ତ କେତେବେଳେ ଦେଶଦ୍ରୋହୀ । ପେଟ୍ରୋଲ୍ ଡିଜେଲ୍‌ର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧିକୁ ପ୍ରତିବାଦ କଲେ ବି ପ୍ରତିବାଦକାରୀଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଛି ।

ଏଠାରେ ପ୍ରଶ୍ନ ଉଠୁଛି, ଦେଶ କ’ଣ କେବଳ ସରକାର! ସରକାରଙ୍କୁ ପ୍ରତିବାଦ କରିବା ଅର୍ଥ ଦେଶର ଦ୍ରୋହ କରିବା? ଏହା ଆଦୌ ନୁହେଁ । ସରକାର, କ୍ଷମତାରେ ଥିବା ନେତା, ମନ୍ତ୍ରୀ ଓ ତାଙ୍କର ସମର୍ଥକ ମାନେ ଭିନ୍ନ ମତକୁ  ସହ୍ୟ କରିନପାରି ଓ ଭିନ୍ନ ମତକୁ ପ୍ରୋତ୍ସାହନ ନଦେବା ପାଇଁ ଅତ୍ୟନ୍ତ ଚତୁରତାର ସହିତ ଭିନ୍ନ ମତବାଦୀମାନଙ୍କୁ ଦେଶଦ୍ରୋହୀର ଆଖ୍ୟା ଦେଉଛନ୍ତି । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଏହା ହିଁ ସବୁଠାରୁ ବଡ଼ ବିପଦ । ଅସଲ କଥା ହେଉଛି, ଗଣତନ୍ତ୍ର ଉପରେ ଆସ୍ଥା ନଥିବା ଲୋକମାନେ ହିଁ ଭିନ୍ନ ମତବାଦୀମାନଙ୍କୁ ଦେଶଦ୍ରୋହୀର ଆଖ୍ୟା ଦିଅନ୍ତି ଓ ସେଇଠୁ ହିଁ ଏକଛତ୍ରବାଦର ଆରମ୍ଭ ହୁଏ । ଅତୀତରେ ଏହା ବାରମ୍ବାର
ହୋଇଥିବାର ଆମେ ଦେଖିଛେ । ଫ୍ରାନ୍‌ସର ଏକଛତ୍ରବାଦୀ ଶାସକ ଚତୁର୍ଦ୍ଦଶ ଲୁଇ କହୁଥିଲେ, ମୁଁ ହିଁ ରାଷ୍ଟ୍ର ଓ ରାଷ୍ଟ୍ର କହିଲେ କେବଳ ମୋତେ ହିଁ ବୁଝାଏ । ଏବେ ଆମ ଦେଶର ପରିସ୍ଥିତି ଠିକ୍ ସେଇ ଦିଗକୁ ଯାଉଥିବାର ଦେଖାଯାଉଛି । ଯିଏ ବି ମୋଦି ସରକାରଙ୍କ କୌଣସି ନୀତି ବା ନିଷ୍ପତିକୁ ବିରୋଧ କରୁଛି, ତା ଦେହରେ ଦେଶଦ୍ରୋହର ଟ୍ୟାଗ ଲଗେଇ ଦିଆଯାଉଛି । ସତେ ଯେମିତି ମୋଦି ହିଁ ଦେଶ ଓ ମୋଦିଙ୍କ ନୀତିକୁ ବିରୋଧ କରିବା ଅର୍ଥ ଦେଶଦ୍ରୋହ । ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି ଓ ରହିବା ଉଚିତ୍ । ଯଦି ପ୍ରତିବାଦକୁ ଦେଶଦ୍ରୋହର ନାମ ଦିଆଯିବ ତେବେ ବୁଝିବାକୁ ହେବ ଯେ, ଛଦ୍ମ ଭାବେ ଏକଛତ୍ରବାଦ ଆତ୍ମପ୍ରକାଶ କରିବାକୁ ଯାଉଛି । ତେଣୁ ଏବେ ଯେପରି ଭାବେ ଦେଶଦ୍ରୋହୀଙ୍କ ସଂଖ୍ୟା ବଢ଼ି ଚାଲୁଛି, ତାହାର ଅର୍ଥ ହେଉଛି, ଆମ ଦେଶ ଧିରେ ଧିରେ ସ୍ୱେଚ୍ଛାଚାରୀତା ଦିଗରେ ଗତି କରୁଛି । ଯେତେବେଳେ ବିରୋଧ ଓ ବିରୋଧୀଙ୍କୁ ଦେଶଦ୍ରୋହୀ କୁହାଯାଏ, ସେତେବେଳେ ବୁଝିବାକୁ ହେବ ଯେ, ଦେଶରୁ ଗଣତନ୍ତ୍ର ଅସ୍ତ ହୋଇ ଏକଛତ୍ରବାଦ ଉଦୟ ହେବାକୁ ଯାଉଛି । ଏକଥା କହିଥିଲେ  ବର୍ତ୍ତମାନ କ୍ଷମତାସୀନ ଦଳର ପୂର୍ବତନ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ବର୍ତମାନ ପରିସ୍ଥିତିରେ ବାଜପେୟୀଙ୍କ ଏହି କଥାରୁ ଆମେ କ’ଣ ବୁଝିବା?

ଜାମୁକାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ବେଳେ ସାଂସଦ ଫାରୁକ୍ ଅବଦୁଲାଙ୍କ ଏକ ମନ୍ତବ୍ୟକୁ ଦେଶଦ୍ରୋହ କହି ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଥିଲା । ଏବେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଖାରଜ କରିଦେଇ କହିଛନ୍ତି, ସରକାର ବିରୋଧୀ ବିଚାରଧାରା ଦେଶଦ୍ରୋହ ନୁହେଁ । ପ୍ରକୃତରେ ସରକାରଙ୍କୁ ବିରୋଧ କରିବା ଆଦୌ ଦେଶଦ୍ରୋହ ନୁହେଁ । ଦେଶକୁ ଭଲ ପାଉଥିବା ଲୋକ ସରକାରଙ୍କ ଦୋଷ ଦୁର୍ବଳତା ଓ ଜନବିରୋଧୀ ନୀତିକୁ ନିଶ୍ଚିତ ଭାବେ ପ୍ରଶ୍ନ ପଚାରିବା ଉଚିତ୍ । ଏହା ବାସ୍ତବ ଅର୍ଥରେ ଏକ ଦେଶପ୍ରେମୀ କାର୍ଯ୍ୟ । ଗଣତନ୍ତ୍ର ଓ ସମ୍ବିଧାନ ଆମକୁ ପ୍ରଶ୍ନ ପଚାରିବାର ଓ ଭିନ୍ନ ମତବାଦ ପୋଷଣ କରିବାର
ଅଧିକାର ଦେଇଛି । ରାଜତନ୍ତ୍ର ଓ ଏକଛତ୍ରବାଦରେ ବିଶ୍ୱାସ କରୁଥିବା ଲୋକମାନେ ଜନତାଙ୍କ ସ୍ୱରକୁ ଦବେଇ ଦେବାକୁ ଚାହାନ୍ତି ଓ ଜନତାଙ୍କ ସ୍ୱର ତଥା ପ୍ରତିବାଦକୁ ଦେଶଦ୍ରୋହର ଆଖ୍ୟା ଦିଅନ୍ତି । ଗାନ୍ଧୀ କହିଥିଲେ, ଯେଉଁ ଆଇନ୍ ମୋ ବିବେକ ବିରୁଦ୍ଧରେ ଯିବ, ମୁଁ ତାକୁ ନିଶ୍ଚୟ ପ୍ରତିବାଦ କରିବି । ତେଣୁ ବିରୋଧ ବା ପ୍ରତିବାଦ ହେଉଛି ଗଣତନ୍ତ୍ରର ଆତ୍ମା ସଦୃଶ । ବିଗତ କିଛି ଦିନ ହେବ ଏହି ପ୍ରତିବାଦର ଧାରାକୁ ବନ୍ଦ କରିବା ପାଇଁ ଅତ୍ୟନ୍ତ ଚତୁରତାର ସହିତ ପ୍ରତିବାଦ ସହିତ ଦେଶଦ୍ରୋହକୁ ଯୋଡ଼ି ସାଧାରଣ ଲୋକମାନଙ୍କୁ ଭୂଆଁ ବୁଲେଇବାକୁ ଚେଷ୍ଟା କରାଯାଉଛି । ଏ କାମ ଖୋଦ୍ ସରକାର କରୁଛନ୍ତି । ଏହା ନିଶ୍ଚିତ ଯେ, ଆଗାମୀ ଦିନରେ ସରକାର ବିରୋଧୀ ପ୍ରତିବାଦ ଆହୁରି ତୀବ୍ର ହେବ ଓ ସମତାଳରେ ସରକାରୀ ଷ୍ଟାମ୍ପଦିଆ ଦେଶଦ୍ରୋହୀଙ୍କ ସଂଖ୍ୟା ବି ବଢ଼ିବ । କ୍ଷମତାସୀନ ଦଳର ଅନ୍ଧ ସମର୍ଥକ ତଥା ଭକ୍ତ ମାନେ ଏପରି ପ୍ରଚାର ଖୁବ୍‌ ଜୋର୍‌ରେ କରୁଛନ୍ତି । କ୍ଷମତାସୀନ ଦଳର ଆଇ.ଟି. ସେଲ୍ ତାଙ୍କୁ ସମସ୍ତ ପ୍ରକାର ମିଥ୍ୟା ଓ ପ୍ରବଞ୍ଚନା ପୂର୍ଣ୍ଣ ତଥ୍ୟ ଯୋଗାଇ ଦେଇ ସରକାରୀ ବିରୋଧୀ ମତବାଦକୁ ନ୍ୟୁନ କରିବାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି । ଏହି ଧାରାରେ ସଂପ୍ରତି ଆମ ଦେଶରେ ଦେଶଦ୍ରୋହୀଙ୍କ ସଂଖ୍ୟା ଏପରି ଭାବେ ବଢ଼ିଲାଣି ଯେ, ଆପଣଙ୍କ ଚାରିକଡ଼ରେ ଥିବା ଲୋକମାନଙ୍କ ମଧ୍ୟରୁ କିଏ ଜଣେ ସାଂଘାତିକ ଦେଶଦ୍ରୋହୀ ଥାଇପାରେ । କାରଣ ଆଜି ଦେଶଦ୍ରୋହୀ ହେବାରେ ଦେଶ ସହିତ ଶତ୍ରୁତା କରିବା ଆବଶ୍ୟକ ନାହିଁ । ଆପଣ ଯଦି ନୀତିଗତ ଭାବେ ଧର୍ମ ନାଁ’ରେ ହିଂସାର ବିରୋଧୀ, ଆପଣ ଯଦି ଧର୍ମନିରପେକ୍ଷ ବା ସର୍ବଧର୍ମ ସମନ୍ୱୟର କଥା
କହୁଛନ୍ତି, ବା ଆପଣ ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତିକୁ ବିରୋଧ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଦେଶଦ୍ରୋହୀର ଟ୍ୟାଗ୍‌ଟିଏ ସଜା ହୋଇରହିଛି । ଆମ ଦେଶରେ ତ ପ୍ରତିବାଦ ବା ଆନ୍ଦୋଳନ ଏବେ ନୂଆ ହୋଇ ହେଉନାହିଁ । ଅନେକ ପୂର୍ବରୁ ଆନ୍ଦୋଳନ ଚାଲୁଛି । ଲୋକମାନେ ସରକାରଙ୍କ ନୀତିକୁ ପ୍ରତିବାଦ କରି ଆସୁଛନ୍ତି । ସେତେବେଳେ ତ ସେମାନଙ୍କୁ ଦେଶଦ୍ରୋହୀ କୁହାଯାଉନଥିଲା । ଏବେ କାହିଁକି କୁହାଯାଉଛି?

୨୦୧୩ରେ ଉପା ସରକାର ସମୟରେ ଆନ୍ନା ହଜାରେଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ବିରୋଧରେ ଏକ ବିରାଟ ଆନ୍ଦୋଳନ ଗଢ଼ି ଉଠିଥିଲା । ବାବା ରାମ୍‌ଦେବ୍‌ଙ୍କ ନେତୃତ୍ୱରେ ବି କ୍ଷମତାସୀନ ଉପା ସରକାର ବିରୋଧରେ ଦୃଢ଼ ଆନ୍ଦୋଳନ ହୋଇଥିଲା । ଏହି ସବୁ ଆନ୍ଦୋଳନର ପରିଣାମ ସ୍ୱରୁପ ଉପା ସରକାରର ପତନ ହେଲା । କିନ୍ତୁ ସେତେବେଳେ ତ ଆନ୍ଦୋଳନକୁ ବା ଆନ୍ଦୋଳନକାରୀଙ୍କୁ ଦେଶଦ୍ରୋହୀର ଆଖ୍ୟା ଦିଆଯାଇନଥିଲା । ଏବେ ସରକାର ବିରୋଧରେ ପ୍ରତିବାଦ କଲା ମାତ୍ରେ ତାହାକୁ ଦେଶଦ୍ରୋହ କୁହାଯାଉଛି କାହିଁକି? ଗୋଟିଏ ଗଣତନ୍ତ୍ର ଦେଶରେ ଭିନ୍ନ ମତକୁ ସମ୍ମାନ କରିବାକୁ ସରକାର ଭୟ କରୁଛନ୍ତି କାହିଁକି?

ପ୍ରକୃତରେ ଦେଶଦ୍ରୋହୀଙ୍କ ସଂଖ୍ୟା ବଢ଼ିନାହିଁ, ଦେଶର ସଂଜ୍ଞାକୁ ତ୍ରୁଟିପୂର୍ଣ୍ଣ ଭାବେ ପରିପ୍ରକାଶ କରାଯାଉଛି । ସରକାର ଦେଶ ନୁହେଁ । ଦେଶ ସରକାରଠାରୁ ବହୁତ ଉର୍ଦ୍ଧ୍ୱରେ ଓ ଗଭୀରରେ ଅଛି । ଦେଶକୁ ଓ ଦେଶର ଗଣତନ୍ତ୍ରକୁ ରକ୍ଷା କରିବାକୁ ହେଲେ, ପ୍ରତିବାଦର ସଂସ୍କୃତିକୁ ବଂଚେଇ ରଖିବାକୁ ହେବ । ଯେଉଁମାନେ
ପ୍ରତିବାଦକୁ ସହ୍ୟ କରିପାରିବାର ଯୋଗ୍ୟତା ରଖନ୍ତି ନାହିଁ, ସେମାନେ ହିଁ ଅସଲରେ ଗଣତନ୍ତ୍ରର ବିରୋଧୀ ଓ
ଦେଶର ଶତ୍ରୁ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର

Leave A Reply

Your email address will not be published.