Latest Odisha News

କର୍ମଫଳ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ବୁଢ଼ୀ ମାଆଟା ସେଦିନ ଦୁଆର ମୁହଁରେ ଠିଆ ହୋଇ ଭୋ ଭୋ କାନ୍ଦୁଥିଲା। ନିଜ ପଣତରେ ନିଜ ଆଖିରୁ ବହି ଯାଉଥିବା ଲୁହକୁ ପୋଛୁଥିଲା। କିନ୍ତୁ କାହାକୁ କିଛି କହୁନଥିଲା ସେ। କେବଳ ମଝିରେ ମଝିରେ ତଳେ ବସୁଧା ଉପରେ ଧର୍ମ ଦେବତାକୁ ସାକ୍ଷୀ କରୁଥିଲା ସେହି ମାଆଟି। ପୁଅ ବୋହୂ ନାତି ନାତୁଣୀର ଘରେ, ତାକୁ ପଚାରିବାକୁ କେହି ନାହିଁ। ସିନ୍ଦୂରା ଫାଟିବା ଆଗରୁ ବିଲକୁ ଯାଇଥିଲା କାମ କରିବାକୁ ସେ। ଦିନ ଆସି ଦୁଇଟା ବାଜିଲାଣି। ତା ପାଇଁ ଖାଇବା ତ ଦୂରର କଥା, ପଖାଳ ତୋରାଣି ମୁନ୍ଦାଏ ବି କେହି ନେଲା ନାହିଁ। ଓଲଟା ହାଁ ଭୋକେ ହାଁ ଶୋଷେ ଘରେ ଆସି ପହଞ୍ଚିଲା ବେଳକୁ ବୋହୂର ଜିଙ୍ଘାସ ଶୁଣିବାକୁ ପଡୁଛି। ବୋହୂ ଚିତ୍କାର କରି କହୁଛି, ହଇଲୋ ବୁଢ଼ୀ ତତେ ମରଣ ହଉନି। ବୁଲି ବୁଲି ଖାଇବାକୁ ଏଇଠିକି ପଳେଇ ଆସୁଛୁ। ଏଇଠେ କଣ ତୋ ବୋପା ଖାଇବାକୁ ଥୋଇଛି। ଯୁଆଡ଼େ ଯାଉଛୁ ଯାଆ .. ମୁଁ ତତେ ଖାଇବାକୁ ଦେଇପାରିବିନି। ବୋହୂର ଏହି କଥା ଶୁଣିଲା ବେଳକୁ ସତେ ଯେମିତି ବୁଢ଼ୀ ମାଆଟିର ଛାତି ଭିତରଟା କଣ ହୋଇଯାଉଛି। ପାଖରେ ପୁଅ ବସିଛି। ଅଥଚ କିଛି କହୁନି। ସେ କେବଳ ନୀରବଦ୍ରଷ୍ଟା। ବୋହୂ ବସ୍ କହିଲେ ବସୁଛି, ଉଠ୍ କହିଲେ ଉଠୁଛି। ତେଣୁ ପୁଅ ବୋଲି ଯାହାକୁ ପାଠଶାଠ ପଢ଼ାଇ ବଡ଼ କରି ଚାକିରି ବାକିରି କରାଇଲା, ସେ ଯଦି ନୀରବ, ତାହେଲେ ବୋହୂକୁ ଦୋଷ ଦେଇ ଲାଭ କଣ? ବାରଣ୍ଡା ଉପରୁ ଓହ୍ଲେଇ ଯାଉ ଯାଉ ନିଜ କାନ୍ଦକୁ ଆଉ ରୋକି ପାରୁନି ଏ ବୁଢ଼ୀ ମାଆ। କିନ୍ତୁ ଘର କଥା କାହା ଆଗରେ କହିବ? କେମିତି କହିବ? ଯଦି କହିବ, ତାହେଲେ ସମସ୍ତେ କଣ କହିବେ? ସେହି ଲୋକଲଜ୍ଜା ଭୟରେ ନିଜ କୋହ ଓ ଦୁଃଖକୁ ନିଜ ଭିତରେ ଚାପି ରଖିବା ବ୍ୟତୀତ ତା ପାଖରେ ଆଉ କୌଣସି ଉପାୟ ନାହିଁ।

ବୁଢ଼ୀ ବୟସରେ ଅଣ୍ଟାରେ ଆଉ ବଳ ନାହିଁ। ସିଧା ହୋଇ ଠିଆ ହୋଇପାରୁନି ସେ। ତଳେ ଭୂଇଁରେ ବସି ବସି ସେ ଜମିରୁ ଘାସ ବାଛୁଛି। ଦରକାର ପଡ଼ିଲେ ଖେଳୁଆ କୋଡ଼ିଟାଏ ଧରି ବାଇଗଣ ବିଲଟାକୁ କୋଡ଼ି ପକାଉଛି ସେ। ଥରେ ବସିଲେ ଉଠିବାକୁ ବଳ ନାହିଁ। ତଥାପି ପୁଅ ବୋହୂର କ୍ଷେତ। ମାଆ ଲକ୍ଷ୍ମୀସାଆନ୍ତାଣୀ ଏ ଭୂଇଁ। ଏଇଠି ଖଟି ଖଟି ସେ ତା ପିଲାଙ୍କୁ ବଡ଼ କରିଛି। ପୁଅ ଯେତେବେଳେ ମାତ୍ର ସାତ ଆଠ ବର୍ଷର ଥିଲା, ସେତେବେଳେ ତା ସ୍ୱାମୀ ଚାଲିଯାଇଥିଲେ ଆରପାରିକୁ। ସେହି ଯୁବା ବୟସରେ ଦିଅର ଦେଢ଼ଶୂରଙ୍କ ଘରେ କେମିତି ଚଳିଛି ସେ ନିଜେ ଜାଣିଛି। ସ୍ୱାମୀର ଭାଗକୁ ମିଳିଥିବା ଜମି ଖଣ୍ଡେରେ ଖଟି ଖଟି ନିଜକୁ ତିଳ ତିଳ କରି ଜାଳି ଦେଇଛି ସେ। ସେହି ଜମିରୁ ଯାହା ଆଦାୟ ହୋଇଛି ସେଥିରେ ସେ ଘର ଚଳାଇଛି। ଝିଅକୁ ତେର ଚଉଦ ବର୍ଷ ବୟସରେ ବିଭା ଦେଇ ପରଘରକୁ ବିଦା କରିଛି। ଆଉ ପୁଅକୁ ପାଠ ପଢ଼ାଇ ମଣିଷ କରିଛି। ଖାଲି ସ୍କୁଲ କି କଲେଜ ନୁହେଁ, ପୁଅକୁ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ାଇ ଲୋକଚିହ୍ନା କରିଛି ସେ। ଯଦି କେବେ ଅସୁବିଧା ପଢ଼ିଛି ବା ଭଲମନ୍ଦରେ ତା ଭାଇମାନେ ତା ପାଖରେ ଠିଆ ହୋଇଛନ୍ତି। ପୁଅର ଉଚ୍ଚଶିକ୍ଷା ପାଇଁ ମାମୁଁମାନେ ସହାୟତା ଦେଇଛନ୍ତି। ହେଲେ ଯେତେବେଳେ ପୁଅ ଚାକିରି କରିଛି, ସେତେବେଳେ ଭୁଲି ଯାଇଛି ମାଆକୁ। ଚାକିରି ପାଇବାର ବର୍ଷେ ବି ହୋଇନି, ପାଖ ଗାଁର ସାହୁକାର ତାକୁ ପ୍ରଲୋଭିତ କରି ନିଜର ଜ୍ୱାଇଁ କରିନେଇଛି। ବିଧବା ମାଆର ନିରନ୍ତର ପରିଶ୍ରମରେ ମଣିଷ ହୋଇଥିବା ଦିବାକର ପରିଡ଼ା ଏବେ ପ୍ରାଶାସନିକ ସେବା ଅଧିକାରୀ। ସରକାରୀ ଗାଡ଼ି, ବଙ୍ଗଳା, ଡ୍ରାଇଭର, ପିଅନ, ଚପରାସି, ରୋଷେୟା ଏମିତି କେତେ କଣ ସୁବିଧା। କିନ୍ତୁ ସେହି ସବୁ ଚାକଚକ୍ୟତା ଭିତରେ ସେ ଭୁଲି ଯାଇଛି ମାଆକୁ। ଯଦି କେବେ କେମିତି ସେ ନିଜ ପରିବାର ସହିତ ଗାଁକୁ ଆସୁଛି, ସେତେବେଳେ ସବୁଠୁ ଅଧିକ ଦୁର୍ବିସହ ହୋଇପଡୁଛି ଜୀବନ, ସେହି ବୁଢ଼ୀ ମାଆଟା ପାଇଁ। ସାହୁକାରଙ୍କ ଅର୍ଦ୍ଧଶିକ୍ଷିତା ଝିଅ ଯେତେବେଳେ ବୋହୂ ହୋଇଛି, ସେ ଆଉ ଇନ୍ଦ୍ର ଚନ୍ଦ୍ର କିଛି ମାନୁନି। ଓଲଟା ଦିବାକର ପରିଡ଼ା ଉପରେ ନିଜର ଆଧିପତ୍ୟ ଦେଖାଉଛି। ତା ସହିତ ସେହି କିଛି ଦିନର ରହଣୀ ବେଳେ ବୁଢ଼ୀ ମାଆକୁ ପଚାରିବା ତ ଦୂରର କଥା, ଓଲଟା ଗାଳି ଗୁଲଜ କରି ସବୁବେଳେ ନାନା ପ୍ରକାର ଭର୍ତ୍ସନା କରୁଛି।

ତେଣୁ ଯେବେ ବି କେବେ ପୁଅ ବୋହୂ ଗାଁକୁ ଆସୁଛନ୍ତି, ସେତେବେଳେ ଲୋକ ଦେଖାଣିଆକୁ ଯଦିଓ ବୁଢ଼ୀ ନିଜକୁ ସବୁଠୁ ଖୁସି ବୋଲି ଦେଖାଇ ହେଉଛି, କିନ୍ତୁ ଆରମ୍ଭ ହୋଇଯାଉଛି ତା ଜୀବନର ସବୁଠୁ କଷ୍ଟଦାୟକ ଦିନ ସବୁ। ହେଲେ ମାଆର ହୃଦୟ, କେବେ ବି ନିଜ ପିଲାର ଅମଙ୍ଗଳ ପାଞ୍ଚି ପାରୁନି ସେ। ଓଲଟା, ଭୂଇଁରେ କାନି ପାରିଦେଇ ସେ ଠାକୁରଙ୍କୁ ଜୁହାର ହେଉଛି, ତା ପିଲାମାନଙ୍କୁ ଘଣ୍ଟ ଘୋଡ଼ାଇ ରଖିବା ପାଇଁ ପ୍ରାର୍ଥନା କରୁଛି। ହେଲେ ସେଦିନର ସେହି ଦ୍ୱିପ୍ରହରଟାରେ ଭୋକ ଶୋଷରେ ଆସିଥିବା ବୁଢ଼ୀକୁ, ଯେତେବେଳେ ଖାଇବା ତ ଦୂରର କଥା, ପିଇବାକୁ ତୋରାଣି ମୁନ୍ଦାଏ ବି ଦେଲାନି ବୋହୂ, ସେ ଆଉ ସେ କଷ୍ଟ ସହିପାରିଲା ନାହିଁ। କାନ୍ଦି କାନ୍ଦି ଘରୁ ବାହାରି ଗଲାବେଳେ ଦାଣ୍ଡ ଦୁଆରେ ଝଡ଼ରେ ଗଛ ପଡ଼ିଲା ଭଳି ଟଳି ପଡ଼ିଲା ସେ। ପୁଅ ବୋହୂ କେହି ଆସିଲେନି ଦେଖିବା ପାଇଁ ଦୁଆରକୁ। ରାସ୍ତାରେ ଯାଉଥିବା ଲୋକମାନେ ପାଖକୁ ଦୌଡ଼ିଆସି ଦେଖିଲା ବେଳକୁ, ଆଉ ଜୀବନ ନଥିଲା ସେ ଜନମଦୁଃଖିନୀ ବୁଢ଼ୀ ମାଆର ଦେହରେ। ତା ଜୀବନ ନାଟିକା ବନ୍ଦ ହୋଇସାରିଥିଲା। ଅଡୋଶୀ ପଡ଼ୋଶୀ ଆସି ଯେତେବେଳେ କବାଟ ବାଡ଼େଇଲେ, ସେତେବେଳେ ଅଫିସର ପୁଅ ବାହାରକୁ ଆସିଲା। ମାଆର ମୃଦଦେହ ଦେଖିଲା ପରେ ବି, ତା ଭିତରେ କୌଣସି ପ୍ରତିକ୍ରିୟା ନଥିଲା। ଏତିକି ବେଳେ ବୋହୂ କହିଲା, ଯାହା ହେଉ ନିସ୍ତାର ମିଳିଗଲା। ବୁଢ଼ୀ ଗଲା, ଭଲ ହେଲା। ବୁଢ଼ୀ ମରିବାରେ କାହାରି ମନରେ ତିଳେ ହେଲେ ଦୁଃଖ ନଥିଲା। କିନ୍ତୁ ଟିକିଏ ଦୂରରେ ଠିଆ ହୋଇ ନାତି ନାତୁଣୀ ଦି ଜଣ ରାହା ଧରି କାନ୍ଦୁଥିଲେ। ଦିବାକର ପରିଡ଼ାର ପୁଅ କେବଳ ତା ବୁଢ଼ୀ ଜେଜେମା ଆଡ଼କୁ ଅନାଇ ରହିଥିଲା। ଆଉ ତା ଆଖିରୁ ବହି ଚାଲିଥିଲା ଧାର ଧାର ଲୁହ।

ବୁଢ଼ୀ ମରିବାର ଅନେକ ବର୍ଷ ବିତିଗଲାଣି। ଏହାରି ଭିତରେ ଦିବାକର ପରିଡ଼ା ବୁଢ଼ା ହୋଇ ଚାକିରିରୁ ଅବସର ବି ନେଇ ସାରିଲାଣି। ଆଉ ସମୟର ଚକ ଭଳି, ତା ପୁଅ ଏବେ ସର୍ବଭାରତୀୟ ଅର୍ଥନୈତିକ ସେବାର ଅଧିକାରୀ। ଭଲ ନାଁ କରିଛି। ହେଲେ ସେ ଓଡ଼ିଶାରେ ନୁହେଁ, ଦେଶର ବିଭିନ୍ନ ବଡ଼ ବଡ଼ ମହାନଗରୀରେ କାମ କରୁଛି। ନିଜ ଛୁଆ ପିଲାଙ୍କୁ ନେଇ କେବେ ଦିଲ୍ଲୀ ତ ପୁଣି କେବେ ହାଇଦ୍ରାବାଦରେ ରହୁଛି ସେ। ଏଣେ ଅବସର ପରେ ପ୍ରାୟତଃ ଏକୁଟିଆ ହୋଇଯାଇଛି ଦିବାକର ପରିଡ଼ା। ନିଜେ ଚାକିରିରେ ଥିଲା ବେଳେ ଗାଁର ନିଜ ସାଙ୍ଗସାଥୀ, ଇଷ୍ଟମିତ୍ର କାହା ସହିତ ଭଲ ସମ୍ପର୍କ ରଖିନଥିଲା। ତେଣୁ ଅବସର ପରେ ଏବେ ତା ସହିତ କେହି ନିଜ ଆଡୁ ସମ୍ପର୍କ ରଖିବାକୁ ଚାହୁଁନାହାନ୍ତି। ସେଥିପାଇଁ ଦିବାକରର ଅଧିକାଂଶ ସମୟ କଟୁଛି ସେହି ଜମିରେ, ଯେଉଁଠି ତା ମାଆ ଖଟି ଖଟି ଜୀବନ କାଟି ଦେଇଥିଲା। ମାଆ ଭଳି ସକାଳୁ ବାରଘଣ୍ଟ ଯାଏଁ ଖଟି ଖଟି ଆସିଲା ବେଳେ ଖାଇବାକୁ ମୁଠାଏ ଦେବାକୁ କେହି ନାହିଁ। ପୁଅ ତ ରାଜ୍ୟ ବାହାରେ। ବୋହୂ ରହୁଛି ପୁଅ ସାଙ୍ଗରେ। ବେଳେ ବେଳେ ଦିବାକର ଓ ତା ସ୍ତ୍ରୀ ଭାବୁଛନ୍ତି, ଟିକିଏ ପୁଅ ପାଖକୁ ଯାଇ ରହିଲେ କେମିତି ହୁଅନ୍ତା? କିନ୍ତୁ ପୁଣି ଥରେ ଭାବୁଛନ୍ତି, ଯଦି ପୁଅ ନ ପଚାରେ, ସେତେବେଳେ କଣ ହେବ? ଏ ସବୁ ଦ୍ୱନ୍ଦ୍ୱ ଭିତରେ ଶେଷରେ ଦିନେ ଦୁହେଁ ବିଚାର କଲେ, ପୁଅ ପାଖକୁ ଯାଇ ଦିଲ୍ଲୀରେ କିଛି ଦିନ ରହି ଆସିବେ।

ପୁଅକୁ ଫୋନ୍ ଫାନ୍ କିଛି ନକରି ସିଧା ବାହାରି ପଡ଼ିଲେ ଦୁଇ ଜଣ। ଦିବାକର ପରିଡ଼ା ଓ ତା ସ୍ତ୍ରୀ ଦିଲ୍ଲୀରେ ଯାଇ ଯେତେବେଳେ ପୁଅର ଘରେ ପହଞ୍ଚିଲେ, ଉଭୟଙ୍କ ପାଦ ତଳୁ ମାଟି ଖସିପଡ଼ଲା। ଘର ଭିତରୁ ଆସି ବୋହୂ କବାଟଟି ଖୋଲି ଦେଇ ମୁହଁ ମୋଡ଼ି ଭିତରକୁ ଚାଲିଗଲା। ସାମ୍ନା କୋଠରୀରେ ବସିଥିବା ପୁଅ, ଏମାନଙ୍କୁ ଦେଖି ଉଠି ଭିତରକୁ ପଳେଇଗଲା। ଘରେ କାମ କରୁଥିବା ଚାକର ଟୋକା ଆସି ବୁଢ଼ା ବୁଢ଼ୀଙ୍କ ବ୍ୟାଗପତ୍ର ଉଠାଇ ନେଇ, ସେମାନଙ୍କୁ ଘରର ଚାକର ରହୁଥିବା ସର୍ଭେଣ୍ଟ କ୍ୱାର୍ଟର୍ସକୁ ନେଇଗଲା। ଦିବାକର ଓ ତା ସ୍ତ୍ରୀ ଭାବିଥିଲେ, ବ୍ୟସ୍ତ ରହୁଥିବା ପୁଅ ବୋହୂ ଅନ୍ତତଃ ରାତିରେ ଖାଇବା ଘଡ଼ିକ ସେମାନଙ୍କୁ ପାଖକୁ ଡାକିବେ ଏବଂ ଭଲ ମନ୍ଦ ପଚାରିବେ। ସେମିତି କିଛି ହେଲାନି। ରାତିରେ ଖାଇବା ସମୟ ହେବା ପରେ ସେହି ଚାକର ଟୋକା ଦୁଇଟି ପ୍ଲେଟରେ କିଛି ଖାଦ୍ୟ ନେଇ ଆସି ଦିବାକର ଓ ତା ସ୍ତ୍ରୀ ସାମ୍ନାରେ ରଖିଦେଇ ଚାଲିଗଲା। ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁ ରହିଥିଲେ। କାହାରି ମୁହଁରୁ କିଛି କଥା ବାହାରୁନଥିଲା। ମୁଣ୍ଡକାନ ଆଉଁସି ଯାହା କିଛି ମିଳିଥିଲା, ତାକୁ ଖାଇଦେଲେ ଉଭୟେ। ହେଲେ ରାତି ସାରା ନିଦ ନଥିଲା ଦିବାକର ଆଖିରେ। ସେ କେବଳ ଭାବୁଥିଲା, ପୁଅକୁ ପାଠଶାଠ ପଢ଼ାଇ ସର୍ବଭାରତୀୟ ସ୍ତରରେ ଚାକିରି କରାଇବାର କଣ ଏଇଆ ଫଳ? ଆମେ ଦୁହେଁ ଏତେ ଦୂରରୁ ଆସିଲୁ, ଅଥଚ ପୁଅ ପଚାରିଲାନି, ଆମେ କେମିତି ଅଛୁ? ସବୁଠୁ ବିଡ଼ମ୍ବନା ହେଉଛି, ପୁଅ ସିନା ବ୍ୟସ୍ତ ଅଛି, ହେଲେ ବୋହୂଟା ବି ନିଜ ହାତରେ ରାନ୍ଧି ଆମକୁ ଖାଇବାକୁ ମୁଠାଏ ଦେଲାନି। ଏଇଠି କଣ ଏମିତି ଅବସ୍ଥାରେ ରହିହେବ? ଏମିତି ଅନେକ କଥା ଭାବୁଥିଲା ବେଳେ ତା ଅଜାଣତରେ ତା ଆଖିରୁ ବହୁଥିଲା ଲୁହ। ସକାଳୁ ସକାଳୁ ଉଠି ପୁଅ ଅଫିସ୍ ଯିବା ଆଗରୁ ଗାଁକୁ ଫେରିବାକୁ ଚାହୁଁଥିଲା ଦିବାକର। ତେଣୁ ସ୍ତ୍ରୀକୁ ଉଠାଇ ସଅଳ ପ୍ରସ୍ତୁତ ହୋଇଗଲା ସେ। ପୁଅ ବୋହୂ ଉଠିଲା ବେଳକୁ ଦୁହେଁ ଯାଇ ଠିଆ ହୋଇଛନ୍ତି ସେମାନଙ୍କ ସାମ୍ନାରେ। ଏ ଦୁହିଁଙ୍କୁ ଦେଖି ପୁଅ ପଚାରିଲା, କୁଆଡ଼େ ବାହାରିଲ ତମେ? କେହି କିଛି ଉତ୍ତର ଦେଲେନି। ପୁଅ କହିଲା, ଗୋଟିଏ ଦିନରେ ମନ ଭରିଗଲା? ଆଉ ପୁଅ ବୋହୂ ପାଖରେ ରହିବାକୁ ଇଚ୍ଛା ନାହିଁ? ଭାବିଲ ଦେଖି, ତମେ ଯେତେବେଳେ ଏମିତି କରୁଥିଲ, ସେତେବେଳେ ଜେଜେମାକୁ କେମିତି ଲାଗୁଥିବ? ମୋର ସବୁ ମନେ ଅଛି। ମନେ ଅଛି, ସେଦିନ ଦ୍ୱିପ୍ରହରଟାର ଖରାରେ ଓଲଟି ପଡ଼ି କେମିତି ସେ ଆରପାରିକୁ ଚାଲିଗଲା। ମୋର ସବୁ ମନେ ଅଛି। ତମେ ତ ତାକୁ ପାଣି ଟୋପାଏ ବି ଦେଇନଥିଲ। ହେଲେ ଆମେ ତ ସେମିତି କିଛି କରିନୁ। ତମେ ଯିବାକୁ କାହିଁକି ବାହାରିଛ? କିଛି ସମୟ ପାଇଁ ସେଠାରେ ରାଜୁତି କରୁଥିଲା ନୀରବତା। ଦିବାକର ଓ ତା ସ୍ତ୍ରୀ ପଥର ପାଲଟି ଯାଇଥିଲେ ସେଇଠି। ପୁଅକୁ କିଛି ଜବାବ ଦେବାକୁ ସେମାନଙ୍କ ପାଖରେ ଶବ୍ଦ ନଥିଲା। ଚୁପଚାପ୍ ଦୁହେଁ ସେଠାରୁ ବାହାରି ଆସିଲା ବେଳେ, ଦିବାକର ନିଜ ସ୍ତ୍ରୀ ଆଡ଼କୁ ଅନାଇ କହିଲା, କର୍ମଫଳ .. ହଁ .. ଏଇଟା ଆମର କର୍ମଫଳ .. ଏଥିରୁ ଆଉ ନିସ୍ତାର ନାହିଁ। କର୍ମଫଳ, ଆଜି ନହେଲେ କାଲି, ନିଶ୍ଚିତ ରୂପେ ଭୋଗିବାକୁ ହିଁ ପଡ଼ିବ।

ମିଡିଆ ଷ୍ଟଡିଜ

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

Comments are closed.