Latest Odisha News

BREAKING NEWS

ଅଭିଯୋଗ ନଶୁଣିବାରୁ ପୌର ପରିଷଦ କାର୍ଯ୍ୟାଳୟରେ ଆବର୍ଜ୍ଜନା ଗଦା କଲେ ସ୍ଥାନୀୟ ଲୋକ

ଯାଜପୁର: ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟରେ କୁଢ କୁଢ ଅଳିଆ ଆବର୍ଜ୍ଜନା । କାଲିଯାଏଁ ସଫାସୁତୁରା ଥିବା ଏହି ସରକାରୀ କାର୍ଯ୍ୟାଳୟରେ ଆଜି ହଠାତ ଏ ଅଳିଆ କେଉଁଠୁ ଆସିଲା ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ପୌରପରିଷଦ କାର୍ଯ୍ୟାଳୟରେ ଏହି କୁଡ଼ କୁଡ଼ ଆଳିଆ ଜମା କରିଛନ୍ତି ସ୍ଥାନୀୟ ଲୋକ ।

ଘଟଣାଟି ଏମିତି ଯେ, ଦୀପାବଳୀ ଅବସରରେ ଯାଜପୁର ବ୍ୟାସନଗର ଷ୍ଟାଡିୟମରେ ଖୋଲିଥିଲା ବାଣ ବିକ୍ରୟ କେନ୍ଦ୍ର । ଛୋଟବଡ ପ୍ରାୟ ୫୨ ଟି ବାଣ ଦୋକାନ ଖୋଲିଥିଲା ଷ୍ଟାଡିୟମରେ । ଲକ୍ଷାଧିକ ଲୋକ ବାଣକ୍ରୟ କରିଥିଲେ । ପୌରସଂସ୍ଥା ଦ୍ବାରା ଦୋକାନୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ରାଜସ୍ବ ମଧ୍ୟ ଆଦାୟ ହୋଇଥିଲା ।

ତେବେ ବାଣ ଦୋକାନର କୁଢ କୁଢ ଅଳିଆ ଆବର୍ଜ୍ଜନା ଖେଳ ଷ୍ଟାଡିୟମ ପରିସରରେ ଜମି ରହିଥିଲେ ମଧ୍ୟ ଏହାପ୍ରତି ପୌରପରିଷଦ ଧ୍ୟାନ ଦେଇ ନଥିଲା । ଫଳରେ ଷ୍ଟାଡିୟମକୁ ମର୍ଣ୍ଣିଂ ୱାକ ଓ ଖେଳିବା ପାଇଁ ଆସୁଥିବା ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଥିଲେ ।

ଲୋକମାନେ ପୌର ପ୍ରଶାସନକୁ ବାରମ୍ବାର ଏଠାରୁ ଅଳିଆ ସଫା କରିବା ନିମନ୍ତେ ନିବେଦନ କରିଥିଲେ । ତେବେ ମଧ୍ୟ ପୌରପରିଷଦ ସେମାନଙ୍କ କଥାକୁ ଗୋଟିଏ କାନରେ ପୁରାଇ ଆଉ ଗୋଟିଏ କାନରେ ବାହାର କରି ଦେଉଥିଲା ।

ଦୀର୍ଘ ୪ ଦିନର ଲଗାଦର ଅଭିଯୋଗ ପରେ ଏହାର କୌଣସି ସୁଫଳ ନମିଳିବାରୁ ଶେଷରେ ବୁଧବାର ଦିନ ସ୍ଥାନୀୟ ଲୋକେ ଆବର୍ଜନାକୁ ନିଜେ ସଫା କରି ନିଜ ଗାଡି ମାନଙ୍କରେ ବୋହି ଆଣି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଢାଳି ଦେଇ ଯାଇଛନ୍ତି ।

କିଛିଦିନ ତଳେ ପଟ୍ଟାମୁଣ୍ଡାଇର ବ୍ଲକ୍ ଅଫିସରେ ଷଣ୍ଢ ପୁରାଇବା ଭଳି ବ୍ୟାସନଗରରେ ପୌର ପରିଷଦର କାର୍ଯ୍ୟାଳୟରେ ଆବର୍ଜନା ଗଦା କରିଛନ୍ତି ଲୋକେ ।

ତେବେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଏପରି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଭୁଲ ମଧ୍ୟ ସ୍ବୀକାର କରିଛନ୍ତି । ପୂଜା ପାଇଁ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଏପରି ବିଳମ୍ବ ଘଟିଥିଲା । ଏଥିପାଇଁ ସେ ସ୍ବାସ୍ଥ୍ୟ ଓ ପରିମଳ ବିଭାଗ ଅଧିକାରୀଙ୍କୁ ଅବଗତ କରିବା ସହ ଏହାର ପୁନରାବୃତ୍ତି ହେବନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.