Latest Odisha News

BREAKING NEWS

ଗିଲ ହେବେ କି ଭାରତୀୟ କ୍ରିକେଟର ରାଜକୁମାର

ଆଇପିଏଲ ମାଧ୍ୟମରେ ଅନେକ ଯୁବ ଖେଳାଳି ସମ୍ମୁଖକୁ ଆସି ପାରୁଛନ୍ତି । ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛନ୍ତି ଶୁଭମନ ଗିଲ । ଏପରିକି ତାଙ୍କୁ ଭାରତୀୟ କ୍ରିକେଟର ରାଜକୁମାର ମଧ୍ୟ କୁହାଯାଉଛି । କିଙ୍ଗ କୋହଲିଙ୍କ ପରେ ପ୍ରିନ୍ସ ଗିଲ ଏବେ ସମସ୍ତଙ୍କୁ ପ୍ରିୟ ହୋଇ ଉଠିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ସେ ପ୍ରଭାବୀ ପ୍ରଦର୍ଶନ କରି ଚାଲିଛନ୍ତି । ୨୩ ବର୍ଷରେ ଗିଲ ବିପକ୍ଷ ଦଳର ବୋଲରଙ୍କ ନିଦ ହଜେଇ ଦେଇଛନ୍ତି । ପ୍ରାୟ ଏକ ଦଶନ୍ଧି ତଳେ ସଚିନ ତେନ୍ଦୁଲକର କ୍ୟାରିୟରର ଅନ୍ତିମ ଟେଷ୍ଟ ଖେଳି ପ୍ୟାଭିଲିୟନକୁ ଫେରୁଥିଲେ ସେହି ସମୟରେ ବିରାଟ କୋହଲି ପଡିଆରେ ପ୍ରବେଶ କରି ପ୍ରଥମ ବଲରେ ଚୌକା ମାରିଥିଲେ ।

ଦର୍ଶକଙ୍କ ବିଶ୍ୱାସ ଏହି ଖେଳାଳି ନିଶ୍ଚିତ ଭାବେ ଭାରତୀୟ କ୍ରିକେଟର ଭବିଷ୍ୟତ ସାଜିବେ । ସେୟା ବି ହେଲା । କୋହଲି ଟିମ ଇଣ୍ଡିଆର କର୍ଣ୍ଣଧାର ସାଜିଥିଲେ । ଏଥର ଆଇପିଏଲରେ କିଙ୍ଗ କୋହଲି ଶତକ ମାରି ବାଙ୍ଗାଲୋରକୁ ପ୍ଲେ ଅଫ ନେବା ପାଇଁ ସମସ୍ତ ଉଦ୍ୟମ କରିଥିଲେ । ମାତ୍ର କୋହଲିଙ୍କ ଇନିଂସକୁ ଫିକା କରି ଗିଲ ବିସ୍ଫୋରକ ଇନିଂସ ଖେଳିଥିଲେ । ତାଙ୍କ ଶତକ ଯୋଗୁ ବାଙ୍ଗାଲୋର ବିଦା ହୋଇଥିଲା । ୧୫ ବର୍ଷ ବୟସରେ ଗିଲ ୧୬ ବର୍ଷରୁ କମ ମ୍ୟାଚରେ ୩୫୧ ରନର ଇନିଂସ ଖେଳିଥିଲେ । ଏହା ପରେ ପଂଜାବ ପକ୍ଷରୁ ବିଜୟ ମର୍ଚ୍ଚାଂଟ ଟ୍ରଫିରେ ଦ୍ୱିଶତକ ହାସଲ କରିଥିଲେ ।

୨୦୧୮ ବିଶ୍ୱକପ ପାଇଁ ତାଙ୍କୁ ୧୯ ବର୍ଷରୁ କମ ଭାରତୀୟ ଦଳର ଅଧିନାୟକ କରାଯାଇଥିଲା । ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଶତକୀୟ ଇନିଂସ ଖେଳି ପୁନର୍ବାର ତାଙ୍କ ଦକ୍ଷତା ପ୍ରତିପାଦିତ କରିଥିଲେ । ରାହୁଲ ଡ୍ରାଭିଡଙ୍କ ପ୍ରଶିକ୍ଷଣରେ ଭାରତ ଚାମ୍ପିୟନ ହୋଇଥିଲା ଓ ଗିଲ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ବିବେଚିତ ହୋଇଥିଲେ । ଏହା ମଧ୍ୟରେ ପଞ୍ଜାବ ପକ୍ଷରୁ ରଣଜୀ ଖେଳିବା ଆରମ୍ଭ କରି ଦେଇଥିଲେ ।

ଦିନିକିଆ କ୍ରିକେଟରେ ସବୁଠାରୁ କମ ବୟସରେ ଦ୍ୱିଶତକ ଏବଂ ଟି୨୦ରେ ଭାରତ ପକ୍ଷରୁ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର ମଧ୍ୟ କରି ସାରିଛନ୍ତି । କୋହଲିଙ୍କ ଆଦର୍ଶ ମନେ କରୁଥିବା ଗିଲ ଧିରେ ଧିରେ ତାଙ୍କ ମୁକୁଟ ହାସଲ କରିବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି । ଆଇପିଏଲ ୨୦୨୩ ତାଙ୍କ ପାଇଁ ନିଃସନ୍ଦେହ ସ୍ମରଣୀୟ ହୋଇ ରହିବ । ଗିଲଙ୍କ ସଫଳତା ଆଗାମୀ ଦିନରେ ନିଶ୍ଚିତ ଭାବେ ଭାରତୀୟ କ୍ରିକେଟକୁ ଆଉ ପାଦେ ଆଗେଇନେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.