Latest Odisha News

BREAKING NEWS

ନବ ଦାସ ହତ୍ୟା: ୧୧୮ ଦିନ ପରେ ୫୪୩ ପୃଷ୍ଠାର ଚାର୍ଜସିଟ, କେବେ ଖୋଲିବ ହତ୍ୟା ରହସ୍ୟ ?

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ମାମଲାର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ନବ ଦାସଙ୍କ ମୃତ୍ୟୁର ୧୧୮ ଦିନ ପରେ ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।

ତଦନ୍ତକାରୀ ଡିଏସପି ଅଧିକାରୀ  ଦାଖଲ କରିଥିବା ୫୪୩ ପୃଷ୍ଠାର ଏହି ପ୍ରିଲିମିନାରୀ  ଚାର୍ଜସିଟରେ କଣ ଉଲ୍ଲେଖ ରହିଛି ତାହା ଯଦିଓ ସ୍ପଷ୍ଟ ହୋଇନାହିଁ, ତେବେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଅନୁମାନ କରାଯାଉଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଚାର୍ଜସିଟରେ ଉଲ୍ଲେଖ ଥିବା ସୂଚନା ମିଳିଛି । ହତ୍ୟାକାରୀ ବିରୋଧରେ ୩୦୨, ୩୦୭ ସ ୨୭(୧) ଆର୍ମସ ଆକ୍ଟ ଲାଗିଥିବା ଜଣାଯାଇଛି ।

ସୂଚନାଥାଉ ଥାଉ କି, ଗତ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ବ୍ରଜରାଜନଗର ଗାନ୍ଧି ଛକରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସର୍ବସମ୍ମୁଖରେ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ଆସନ୍ତା ୨୯ରେ ହତ୍ୟାକୁ ୪ ମାସ ପୂରିବ । ନବ ହତ୍ୟାକାଣ୍ଡ ମାମଲାରେ ଗୋପାଳ ଦାସଙ୍କ ଗିରଫ କରିଥିଲା । ତେବେ ଏକା ଗୋପାଳ ନବ ଦାସଙ୍କୁ ମାରିଥିଲା ନା ଏହା ପଛରେ ଆଉ କାହାର ହାତ ଥିଲା ? ଯଦି ଗୋପାଳ ମାରିଲା କାହିଁକି ମାରିଲା ? ଏମିତି ଅନେକ ପ୍ରଶ୍ନ ଉଠିଥିଲା ।    ତେବେ ଏ ସବୁ ପ୍ରଶ୍ନର ଉତ୍ତର ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ଦର୍ଶାଇବ କି ନାହିଁ ତାହା ଜଣା ପଡିନି ।   ଏମିତି କି ଏହି  ହତ୍ୟାର ପଛରେ ରାଜନୈତିକ, ବ୍ୟାବସାୟିକ ନା ବ୍ୟକ୍ତିଗତ ଶତ୍ରତା ରହିଛି ତାହାର ଉତ୍ତର ମଧ୍ୟ ଜନତା ଖୋଜୁଛନ୍ତି । କ୍ରାଇମବ୍ରାଞ୍ଚ ଏ ସମ୍ପର୍କରେ କ’ଣ ଉତ୍ତର ରଖିଛି ତାହା ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି ।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଏକାଧିକବାର ଗୋପାଳର ମାନସିକ ସ୍ଥିତିର ଯାଞ୍ଚ କରିଛି ।    ଗୋପାଳର ହାତଲେଖା ପାଇଖାନା ଟାଙ୍କିରୁ ଉଦ୍ଧାର କରିଛି । ସେଥିରୁ ମିଳିଥିବା ଟୁକୁଡା କାଗଜରୁ ପ୍ରମାଣ ଖୋଜି ବାହାର କରିବାକୁ ଚେଷ୍ଟା କରିଛି ।   ହେଲେ କ’ଣ ପାଇଛି ତାହା ଜାଣିବାକୁ ବାକି ରହିଛି ।

Leave A Reply

Your email address will not be published.