Latest Odisha News

BREAKING NEWS

ଗଜପତି ପାହାଡ଼ ଧସି ମୃତ୍ୟୁ ଘଟଣା ତିତିଲି ବାତ୍ୟା ଯୋଗୁଁ ନୁହେଁ – ମନ୍ତ୍ରୀ ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ତିତିଲି ବାତ୍ୟାରେ ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପାହାଡ଼ ଧସିବାରେ ଗଣମାଧ୍ୟମରେ ପ୍ରକାଶିତ ମୃତ୍ୟୁ ଘଟଣାକୁ ପୂର୍ବରୁ ଅସ୍ୱୀକାର କରିଥିଲେ ବରିଷ୍ଠ ନେତା ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର । ସେ ମଙ୍ଗଳବାର ଦିନ ଏସମ୍ପର୍କରେ ପୁଣି ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ପାହାଡ଼ ଧସି ଯେଉଁ ୧୬ ଜଣଙ୍କର ମୃତ୍ୟୁ ଘଟିଛି ତାହା ତିତିଲି ବାତ୍ୟା ଯୋଗୁଁ ନୁହେଁ ବରଂ ବଡ଼ଘର ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଏହି ପ୍ରାଣହାନୀ ଘଟିଛି ।

“ ତିତିଲି ବାତ୍ୟା ହେବାର ଦିନକ ପୂର୍ବରୁ ଜିଲ୍ଲା ପ୍ରଶାସନ ଉପକୂଳରୁ ୬୦ କିଲୋମିଟର ମଧ୍ୟରେ ରହୁଥିବା ଲୋକମାନଙ୍କୁ ନିରାପଦ ଯାଗାକୁ ସ୍ଥାନାନ୍ତରିତ କରାଯାଇଥିଲା । ଗଜପତି ଜିଲ୍ଲାରେ ୧୧ ତାରିଖ ଦିନ ପ୍ରବଳ ବର୍ଷା ଯୋଗୁଁ ମହେନ୍ଦ୍ରଗିରି ପାହାଡ଼ରେ ମାଟି ଅତଡ଼ା ଖସିଥିଲା । ତେଣୁ ଏଥିରୁ ସ୍ପଷ୍ଟ ଜଣାପଡୁଛି, ତିତିଲି ବାତ୍ୟା ଯୋଗୁଁ ନୁହେଁ ବରଂ ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଖସି ପ୍ରାଣହାନୀ ଘଟିଛି”ବୋଲି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ସେ ପୂର୍ବରୁ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, ସେତେବେଳେ ତାଙ୍କ ପାଖରେ ମୃତ୍ୟୁ ହୋଇଥିବା ସମ୍ପର୍କରେ କିଛି ତଥ୍ୟ ନଥିଲା ।

ତିତିଲି ବାତ୍ୟାର ୨ ଦିନ ପରେ ଅର୍ଥାତ୍ ୧୩ ତାରିଖ ଦିନ ଗଣମାଧ୍ୟମରେ ଏସମ୍ପର୍କରେ ଖବର ପ୍ରକାଶିତ ହେବାପରେ ମନ୍ତ୍ରୀ ସେତେବେଳେ କହିଥିଲେ, ଗଜପତିରେ ସେପରି କିଛି ଘଟଣା ଘଟିନାହିଁ । ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଏହି ଖବର ସମ୍ପର୍କରେ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଜିଲ୍ଲା ବିଜେଡ଼ି ସଭାପତି, ମୋର ସମସ୍ତ ଦଳୀୟ କର୍ମୀ, ବିଧାୟକ ତଥା ପୂର୍ବତନ ବିଧାୟକଙ୍କୁ ପଚାରିଥିଲି, କିନ୍ତୁ ସମସ୍ତେ ଏହାକୁ ସେତେବେଳେ ଅସ୍ୱୀକାର କରିଥିଲେ । ବାତ୍ୟାର ପ୍ରଭାବରେ ସେଠାରେ କିଛି ବାସଗୃହ ଭାଙ୍ଗିରୁଜି ଯାଇଥିବ ବା ଗଛ ଉପୁଡ଼ି ଯାଇଥିବ, ସ୍ୱାଭାବିକ ଭାବେ ବାତ୍ୟାରେ ଏପରି ହୋଇଥାଏ । ଚଳିତ ମାସରେ ଆମେରିକାରେ ହୋଇଥିବା ବାତ୍ୟାରେ ୧୭୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହିତ ଅନେକ ଘର ଭାଙ୍ଗିଯାଇଥିଲା । ପ୍ରକୃତିର ଏପରି ତାଣ୍ଡବ ଲୀଳାକୁ କିଏ ବା ରୋକି ପାରିବ?” ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ।

ତେବେ ଯାହାବି ହେଉ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ତିନୋଟି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଗସ୍ତ କରି ଏହି ପ୍ରାକୃତିକ ଦୁର୍ବିପାକରେ ପ୍ରାଣହାନୀ ଘଟିଥିବା ମୃତକଙ୍କ ପରିବାର ପ୍ରତି ସମବେଦନା ଗଣମାଧ୍ୟମ ଆଗରେ ପ୍ରକାଶ କରିବା ପରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପରେ ମୃତ୍ୟୁ ଖବରକୁ ସ୍ୱୀକାର କରିଥିଲେ ।

Leave A Reply

Your email address will not be published.