Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଖୁବ୍ ଶିଘ୍ର ମହାପ୍ରସାଦର ନୂଆ ଦର ଧାର୍ଯ୍ୟ ହେବ

ପୁରୀ : ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଖୁବ୍ ଶୀଘ୍ର ମହାପ୍ରସାଦର ମୂଲ୍ୟ ନିର୍ଦ୍ଧାରଣ କରାଯିବ । ଏନେଇ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ସୁଆର ଓ ମହାସୁଆର ନିଯୋଗକୁ ନେଇ ମଙ୍ଗଳବାର ଦିନ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି ଯେ ଭକ୍ତମାନଙ୍କ ପାଇଁ ଖୁବ୍ ଶୀଘ୍ର ସୁଆର ଓ ମହାସୁଆର ପରସ୍ପର ଆଲୋଚନା କରି ମହାପ୍ରସାଦର ମୂଲ୍ୟ ନିର୍ଦ୍ଧାରଣ କରିବେ । ଆହୁରି ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ସୁଆର ଓ ମହାସୁଆର ନିଯୋଗକୁ ମନ୍ଦିର ପ୍ରଶାସନ ପକ୍ଷରୁ ଚାଉଳ, ଡାଲି, ପନିପରିବା, ମାଟି ବାସନ ଓ କାଠ ଜାତୀୟ ସମସ୍ତ ସାମଗ୍ରୀ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ସୁଆର ଓ ମହାସୁଆର ନିଯୋଗର ସଦସ୍ୟ ଅନନ୍ତ ତିଆଡି ଗଣମାଧ୍ୟମକୁ କହିଛନ୍ତି ମଜୁରୀ ଖର୍ଚ୍ଚ ମିଶାଯିବା ପରେ ନୂଆ ଦର ଧାର୍ଯ୍ୟ କରାଯିବ । ପ୍ରତ୍ୟେକ ଦିନ ଶ୍ରୀ ମନ୍ଦିରରେ ଥିବା ଗଙ୍ଗା ଯମୁନା କୂଅରୁ ଜଳ ବୋହି ରୋଷ ଘରକୁ ଅଣାଯିବା, ରୋଷ ଘରେ ବ୍ୟବହୃତ ହେଉଥିବା କାଠ ତଥା ମନ୍ଦିର ମଧ୍ୟରୁ ଆନନ୍ଦ ବଜାରକୁ ଯେଉଁ ବ୍ୟକ୍ତିମାନେ ମହାପ୍ରସାଦ ବୋହି ନିଅନ୍ତି ସେମାନଙ୍କ ମଜୁରୀ ହିସାବ ହେବା ପରେ ଯାଇ ନୂଆ ଦର ଧାର୍ଯ୍ୟ ହେବା କଥା ସେ କହିଛନ୍ତି ।

ମହାପାତ୍ର ଆନନ୍ଦ ବଜାରରେ ଏକ ଅଭିଯୋଗ ପ୍ରକୋଷ୍ଠ ଓ ହେଲପ୍ ଡେକ୍ସ ବ୍ୟବସ୍ଥା ନେଇ ନିଷ୍ପତ୍ତି ହେବ । ଏହି ହେଲପ୍ ଡେକ୍ସରେ ସୁଆର, ମହାସୁଆର ଓ ପ୍ରଶାସନ ପ୍ରତିନିଧି ମାନେ ରହିବେ । ଯେଉଁମାନେ କି ଭକ୍ତମାନଙ୍କୁ ମହାପ୍ରସାଦ ମିଳିବା ସମୟ ତଥା ଭକ୍ତମାନଙ୍କ ଅଭିଯୋଗକୁ ମଧ୍ୟ ତଦାରଖ କରିବେ ।

ଅନ୍ୟପକ୍ଷରେ ମନ୍ଦିର ମଧ୍ୟରେ ଅନଧିକୃତ ପ୍ରବେଶ ତଥା ଯେଉଁମାନେ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି କରୁଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସେ ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ମହାପାତ୍ର କହିଛନ୍ତି ଯେ କାର୍ତ୍ତିକ ବ୍ରତ ସମୟରେ ଆସିଥିବା ହବିଷ୍ୟିଆଳୀ ମାନଙ୍କୁ ମହାପ୍ରସାଦ ଯୋଗାଇ ଦେବାର ସୁ ବନ୍ଦୋବସ୍ତ ରହିବା ନେଇ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି ।

Leave A Reply

Your email address will not be published.