Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଗମ୍ଭୀରଙ୍କ ସଙ୍କେତ: ପ୍ରମୁଖ ବ୍ୟାଟରଙ୍କୁ ମିଳିପାରେ ହ୍ୱାଇଟ୍-ବଲ କ୍ରିକେଟରୁ ବ୍ରେକ୍

ନୂଆଦିଲ୍ଲୀ:ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ବହୁ-ଫର୍ମାଟ୍ ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏକ ବଡ଼ ସଙ୍କେତ ଦେଇଛନ୍ତି । ଟେଷ୍ଟ୍ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ ଓ ପ୍ରସ୍ତୁତିକୁ ପ୍ରାଥମିକତା ଦେବା ପାଇଁ ଭାରତର କିଛି ଶୀର୍ଷ ବ୍ୟାଟରଙ୍କୁ ଦିନିକିଆ ସିରିଜ୍‌ରୁ ବିଶ୍ରାମ ଦିଆଯାଇପାରେ । ଖୁବ୍ କମ୍ ସମୟ ମଧ୍ୟରେ ୫୦ଓଭର କ୍ରିକେଟ୍‌ରୁ ୫ଦିନିଆ ଟେଷ୍ଟ୍ ମ୍ୟାଚ୍‌କୁ ଆସିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇପାରେ । ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ସମୋଟ ୧୨ଟି ମ୍ୟାଚ୍ ଖେଳିବ ।  ପଞ୍ଚମ ଦିନିକିଆ ମ୍ୟାଚ୍ ନଭେମ୍ବର ୧୬ରେ ଶେଷ ହେଉଥିବା ବେଳେ, ଏହାର ମାତ୍ର ୩ ଦିନ ପରେ ଅର୍ଥାତ୍ ନଭେମ୍ବର ୧୯ରୁ ୱେଲିଂଟନ୍‌ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ । ଟେଷ୍ଟ ମ୍ୟାଚ୍ ପୂର୍ବରୁ ମାତ୍ର ଦୁଇ ଦିନର ଅଭ୍ୟାସ ସମୟ ମିଳୁଥିବାରୁ ପ୍ରମୁଖ ଖେଳାଳିଙ୍କୁ କିଛି ଦିନିକିଆରୁ ବିଶ୍ରାମ ଦେବା ଆବଶ୍ୟକ ହୋଇପଡ଼ିଛି ।

ୱାର୍ଲଡ୍ ଟେଷ୍ଟ୍ ଚାମ୍ପିଅନ୍‌ସିପ ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନେଇ କପ୍ତାନ ଶୁଭମନ ଗିଲ୍, ଓପନର ଯଶସ୍ୱୀ  ଜୈସୱାଲ, ୱିକେଟକିପର କେଏଲ ରାହୁଲ, ଦ୍ରୁତ ବୋଲର ଜସପ୍ରୀତ ବୁମରାହ, ମହମ୍ମଦ ସିରାଜ, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ନୀତିଶ ରେଡ୍ଡୀଙ୍କ ପରି ଖେଳାଳିଙ୍କୁ କିଛି ଦିନିକିଆରୁ ବ୍ରେକ୍ ଦିଆଯାଇପାରେ । ଗମ୍ଭୀର କହିଛନ୍ତି ଯେ, ଟେଷ୍ଟ ମ୍ୟାଚ୍ ପ୍ରସ୍ତୁତି ପାଇଁ ବ୍ୟାଟରମାନଙ୍କୁ  ସୀମିତ ଓଭର କ୍ରିକେଟରୁ ବିଶ୍ରାମ ଦେବାକୁ ପଡ଼ିଥାଏ, କାରଣ ଟି୨୦ରୁ ଦିନିକିଆ ଫର୍ମାଟକୁ ଆସିବା ଯେତିକି ସହଜ, ଟେଷ୍ଟ୍ କ୍ରିକେଟ୍‌କୁ ବଦଳିବା ସେତିକି ସହଜ ନୁହେଁ । ଆଗାମୀ ଦିନରେ ସବୁ ଫର୍ମାଟ୍ ଖେଳୁଥିବା ଖେଳାଳିଙ୍କ ସଂଖ୍ୟା କମିଯିବ ଏବଂ ଖେଳାଳିଙ୍କୁ ରୋଟେଟ୍ କରିବା ନିହାତି ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ୨୦୨୭ ଓଡ଼ିଆଇ ବିଶ୍ୱକପ୍ ଯୋଜନାରେ ଜସପ୍ରୀତ ବୁମରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ୬ କିମ୍ବା ୭ ନମ୍ବରରେ ବ୍ୟାଟିଂ କରିବା ସହ ୧୦ ଓଭର ବୋଲିଂ କରିବାର କ୍ଷମତା ରଖୁଥିବା ଏହି ଦୁଇ ପ୍ରଭାବଶାଳୀ ଖେଳାଳି ଦଳର ସନ୍ତୁଳନ ରକ୍ଷା ପାଇଁ ଅପରିହାର‌୍ୟ୍ୟ ବୋଲି ଗମ୍ଭୀର କହିଛନ୍ତି ।

Leave A Reply

Your email address will not be published.