Latest Odisha News

BREAKING NEWS

ଦିଲ୍ଲୀପଙ୍କୁ ନେଇ ଆଶାରେ ଗଞ୍ଜାମ ହକି

ବ୍ରହ୍ମପୁର:ହକି ଇଣ୍ଡିଆର ସଭାପତି ଭାବେ ଓଡ଼ିଆ ପୁଅ ଦିଲ୍ଲୀପ ତିର୍କି ବିଜୟୀ ହେବା ପରେ ସାରା ରାଜ୍ୟରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ଓଡ଼ିଶାରେ ହକିର ବିକାଶକୁ ନେଇ ଅନେକ ଆଶା ସୃଷ୍ଟି ହୋଇଛି। ଏସବୁ ଭିତରେ ଏକଦା ହକିର ଏନ୍ତୁଡ଼ିଶାଳ ଥିବା ଗଞ୍ଜାମ ଜିଲାର ଛତ୍ରପୁରରେ ହକି ଖେଳାଳିମାନେ ମଧ୍ୟ ଦିଲ୍ଲୀପଙ୍କୁ ନେଇ ନାନା ଆଶା ବାନ୍ଧିଛନ୍ତି। ଛତ୍ରପୁରର ପୂର୍ବ ଗୌରବ ଫେରାଇ ଆଣିବାରେ ଦିଲ୍ଲୀପ ନିଶ୍ଚିତ ସହାୟକ ହେବେ ବୋଲି ସେମାନେ ପ୍ରକାଶ କରିଛନ୍ତି।

 


ଗୋଟିଏ ସମୟ ଥିଲା ରାଜ୍ୟ ହକିରେ ଗଞ୍ଜାମ ଜିଲା ବିଶେଷକରି ଛତ୍ରପୁରର ଗୁରୁତ୍ୱ ରହିଥିଲା। ବରିଷ୍ଠ ଖେଳାଳି ସୀମାଦ୍ରୀ ବେହେରା ୧୯୭୫ ମସିହାରେ ଓଡ଼ିଶା ଦଳର ଅଧିନାୟକ ହେବାର ଗୌରବ ହାସଲ କରିଥିଲେ। କେବଳ ସୀମାଦ୍ରୀ ନୁହଁନ୍ତି, ଆହୁରି ଅନେକ ଖେଳାଳି ଜାତୀୟ ଏବଂ ରାଜ୍ୟ ଦଳରେ ସାମିଲ ହୋଇଛନ୍ତି। ହକି ପ୍ରତିଭା ଦେଖାଇ ସୁନାମ ଅର୍ଜନ କରିଛନ୍ତି। ହେଲେ ଗତ କିଛି ବର୍ଷ ହେଲା ଛତ୍ରପୁରରେ ହକିର ଏକ ପ୍ରକାର ପତନ ଘଟିବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍ଥିତି ଜାହିର କରିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ପଡ଼ିଆ ସାଙ୍ଗକୁ ଭିତ୍ତିଭୂମିର ଅଭାବ ଏବଂ ପ୍ରୋତ୍ସାହନ ବିନା ହକି ଆଉ ଉନ୍ନତି କରିପାରୁ ନାହିଁ। ବର୍ତ୍ତମାନ ଦିଲ୍ଲୀପ ହକି ଇଣ୍ଡିଆର ସଭାପତି ହେବା ପରେ ଏଥିରେ ଉନ୍ନତି ଘଟିବ ବୋଲି ଖେଳାଳିମାନେ ଆଶା ରଖିଛନ୍ତି। ଛତ୍ରପୁରର ଶତ୍ରୁଘ୍ନ ନାୟକ ୧୯୮୧ ମସିହାରେ ଜାତୀୟ ଜୁନିୟର ଏବଂ ୧୯୮୨ ମସିହାରେ ସିନିୟର ଦଳରେ ସୁଯୋଗ ପାଇଥିଲେ। ତାଙ୍କ କହିବାନୁଯାୟୀ, ଛତ୍ରପୁରରେ ହକିର ବିକାଶ ହୋଇପାରିବ। ଏଠାରେ ଭଲ ଭଲ ଖେଳାଳି ଅଛନ୍ତି। ତାଲିମ୍‍ପ୍ରାପ୍ତ ପ୍ରଶିକ୍ଷକ ମଧ୍ୟ ରହିଛନ୍ତି। କିନ୍ତୁ ଭିତ୍ତିଭୂମିର ବିକାଶ ଆବଶ୍ୟକ। ଗତ କିଛି ଦିନ ପୂର୍ବେ ଭୁବନେଶ୍ୱର ଠାରେ ଆନ୍ତଃଜିଲା ହକି ପ୍ରତିଯୋଗିତା ଅବସରରେ ଦିଲ୍ଲୀପଙ୍କ ସହ ଗଞ୍ଜାମ ଜିଲା ହକି ସଂଘର କର୍ମକର୍ତାମାନେ ସାକ୍ଷାତ କରିଥିଲେ। ହକିର ବିକାଶ ନେଇ ଅନେକ ବିଷୟରେ ଆଲୋଚନା କରାଯାଇଛି। ଏବେ ସେ ସଭାପତି ହେବା ପରେ ଯୋଜନାକୁ କାର୍ଯ୍ୟକାରୀ କରିବାର ସମୟ ଆସିଛି। ତାଙ୍କ ମାର୍ଗଦର୍ଶନରେ ଛତ୍ରପୁର ପୂର୍ବ ଗୌରବ ଫେରି ପାଇବ ବୋଲି ହକି ସଂଘର ଯୁଗ୍ମ ସଂପାଦକ ଶତ୍ରୁଘ୍ନ ପ୍ରକାଶ କରିଛନ୍ତି। ଜାତୀୟ ହକି ଏକାଡେମିର ପ୍ରଶିକ୍ଷଣ ଗ୍ରହଣ କରିଥିବା ଖେଳାଳି ଦୀପ୍ତିଶ ପଟ୍ଟନାୟକଙ୍କ କହିବାନୁଯାୟୀ, ଛତ୍ରପୁରରେ ୧୦ କୋଟି ଟଙ୍କାର ବ୍ୟୟରେ ଏକ ଆଷ୍ଟ୍ରୋଟର୍ପ ନିର୍ମାଣ ଚାଲିଛି। ଏହାର ନିର୍ମାଣ ଶେଷ ହେବା ପରେ ଖେଳାଳିମାନେ ଆର୍ନ୍ତଜାତୀୟ ସ୍ତରର ଭୂତିଭୂମି ପାଇପାରିବେ। ଦିଲ୍ଲୀପଙ୍କ ଅଭିଜ୍ଞତା ଏଦିଗରେ ବେଶ୍‍ ସହାୟକ ହେବ ବୋଲି ସେ କହିଛନ୍ତି। ଦିଲ୍ଲୀପଙ୍କ ସହ ପାନପୋଷରେ ଏକାଠି ତାଲିମ୍‍ ନେଇଥିବା ଅଫତାବ୍‍ ହୁସେନ କହିଛନ୍ତି ଯେ, ଛତ୍ରପୁର ଏକଦା ହକିର ଏନ୍ତୁଡ଼ିଶାଳ ଥିଲା। ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦିଲ୍ଲୀପଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ସେ ନିଶ୍ଚୟ ଏଦିଗରେ ଗୁରୁତ୍ୱ ଦେବେ ବୋଲି ଅଫତାବ୍‍ ଆଶାବାଦୀ ଅଛନ୍ତି। ଦିଲ୍ଲୀପ ସଭାପତି ହେବା ପରେ ଫୋନ୍‍ରେ ଶୁଭେଚ୍ଛା ଜଣାଇଥିଲି। ସେ ବହୁତ ଖୁସି ହୋଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.