Latest Odisha News

BREAKING NEWS

ବ୍ରହ୍ମପୁରରେ ଜବତ ହେଲା ବିପୁଳ ପରିମାଣର ନକଲି ଗୁଟ୍‌ଖା

ବ୍ରହ୍ମପୁର: ବାରମ୍ବାର ଚଢ଼ଉ ଏବଂ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ବ୍ରହ୍ମପୁର ସହରରୁ ଗୋଟିଏ ପରେ ଗୋଟିଏ ନକଲି ଗୁଟ୍‌ଖା କାରଖାନା ଠାବ ହେବାରେ ଲାଗିଛି । ମଙ୍ଗଳବାର ରାତିରେ ଏଭଳି ଏକ କାରଖାନା ଉପରେ ଚଢ଼ଉ କରାଯାଇଥିଲା ।

ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡା ଶ୍ରୀମା ନଗରରୁ ଗୁଟଖା କାରଖାନା ଠାବ ହୋଇଥିବା ବେଳେ ବୁଧବାର କାରଖାନା ଚଲାଉଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି ଯେ, ଶ୍ରୀମା ନଗର ୫ମ ଲାଇନରେ ଥିବା ଏକ ଘରେ ଅନେକ ଦିନ ହେବ ଏକ ନକଲି ଗୁଟଖା କାରଖାନା ଚାଲୁଥିବା ସୂଚନା ମିଳିଥିଲା। ପୋଲିସର ଚଢଉ ବେଳେ ସେହି ଘର ମାଲିକ ଶଙ୍କର ସାହୁ ଓ ତାଙ୍କ ସହଯୋଗୀ ଆଙ୍କୁଶପୁର ମାଳି ସାହିର କୈଳାଶ ସାହୁ ଗୁଟଖା ପ୍ରସ୍ତୁତି କରୁଥିଲେ।

ଶଙ୍କର ଗତ କିଛି ଦିନ ହେବ ଏକ ନିଦ୍ଧିଷ୍ଟ କମ୍ପାନୀର ନକଲି ଗୁଟଖା ପ୍ରସ୍ତୁତ କରୁଥିବା ପୁଲିସ ନିକଟରେ ସ୍ବୀକାର କରିଥିଲେ। ପୁଲିସ ଶଙ୍କରଙ୍କ ଘରୁ ବିପୁଳ ପରିମାଣର ମାୱା ମସଲା ଯୁକ୍ତ ଗୁଟଖା ପ୍ୟାକେଟ, ପ୍ୟାକିଂ ମେସିନ, ଓଜନ ମେସିନ, ଜରି, ଚୁଆ ସହ ଅନ୍ୟାନ୍ୟ କଞ୍ଚାମାଲ ଜବତ କରିଛି ।

ସେହିପରି କାରଖାନା ଚଳାଇବା ପାଇଁ ଲାଇସେନ୍ସ ଆବଶ୍ୟକ ତାହା ଅଭିଯୁକ୍ତମାନେ ଦେଖାଇପାରିନଥିଲେ। ସେହିକ୍ରମରେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା। ଏହି ଦୁଇ ଜଣ ନକଲି ଗୁଟଖା ପ୍ରସ୍ତୁତି କରିବା ପରେ ତାକୁ ବିକ୍ରି ପାଇଁ ବିଭିନ୍ନ ସ୍ଥାନକୁ ପଠାଉଥିଲେ ବୋଲି ଏସ୍‌ପି ସର୍ବଣା ବିବେକ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ଚଳିତମାସ ୭ ତାରିଖରେ ବଡବଜାର ଥାନା ପୁଲିସ ଆସିକାରୋଡ ଗୁରୁମୂର୍ତ୍ତି ପେଣ୍ଠ ଓ ସୁକଣ୍ଡା ଗ୍ରାମରେ ଚାଲିଥିବା ବେଆଇନ ଗୁଟଖା କାରଖାନା ଓ ଗୋଦାମ ଉପରେ ଚଢଉ କରି ୭୮୦ କିଗ୍ରାର ଓଜନର ନକଲି ଗୁଟଖା ସହ କଞ୍ଚାମାଲ ଓ ମେସିନ ଜବତ କରିଥିଲା। ଏହି କାରଖାନା ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ନାରାୟଣ ସାହୁ ଓ ତାଙ୍କ ମ୍ୟାନେଜର ଟୁକୁନା ସାହୁଙ୍କୁ ଗିରଫ କରିଥିଲା।

ଏହା ପୂର୍ବରୁ କାଳୁପାତ୍ର ସାହିର ନାରାୟଣ ସାହୁ ଓରଫ ନାରୁକୁ ଗିରଫ କରାଯାଇ ତାଙ୍କ କାରଖାନା ଓ ଗୋଦାମରୁ ବିପୁଳ ଗୁଟଖା ଜବତ ହୋଇଥିଲା।

ଅଭିଯୁକ୍ତମାନେ ଜେଲ୍‌ରୁ ଜାମିନ୍‌ରେ ଆସିବା ପରେ ପୁଣି ଥରେ ନକଲି କାରବାର ଆରମ୍ଭ କରିଦେଉଥିବାରୁ ସହରରେ ଏହି ବେଆଇନ କାରବାର ବନ୍ଦ ହେଉନଥିବା କୁହାଯାଉଛି।

Leave A Reply

Your email address will not be published.