Latest Odisha News

ବଂଶମରା ଡାହୁକ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)

ହରିପୁର ଗାଁରେ ହୁରି ପଡ଼ିଛି । ପୋଲିସବାଲା ଗାଁ ଭିତରକୁ ମାଡ଼ି ଆସୁଛନ୍ତି । ନାଲି ଟୋପି ପିନ୍ଧା ପୋଲିସ । ପୋଲିସକୁ ଦେଖିବା ତ ଦୂରର କଥା, ଖାଲି ନାଁ ପଡ଼ିଗଲେ ଲୋକଙ୍କ ପିଳେହି ପାଣି । ପୋଲିସବାଲା ଥାନା ଗାଡ଼ିରେ ଆସୁଛନ୍ତି, ଆଉ ଗାଁ ମୁଣ୍ଡରେ ପହଞ୍ଚି ସାରିଲେଣି ବୋଲି ଶୁଣିବା ପରେ ପ୍ରାୟ ଅନେଶତ ଭାଗ ଲୋକଙ୍କ ଘର ତାଟି କବାଟ କିଳା ହେଇଗଲାଣି । ଅଣ୍ଡିରା ଲୋକେ ଘର ପଛପଟ ଦେଇ ଯିଏ ଯୁଆଡ଼େ ଛତ୍ରଭଙ୍ଗ ଦେଇ ପଳେଇଗଲେଣି । ମାଈପିଲାଏ କବଟା ବନ୍ଦ କରି ଫାଙ୍କ ଦେଇ ଗଳିକି ଅନାଉଛନ୍ତି । ଗଣୁଛନ୍ତି, କେତେ ଜଣ ପୋଲିସବାଲା ଆସିଛନ୍ତି । ହାତରେ ଲାଠି ଅଛି ନା ପିତଳମୁଣ୍ଡି ବାଡ଼ି ନା ଅନ୍ୟକିଛି ଅସ୍ତ୍ରଶସ୍ତ୍ର । କାଁ ଭାଁ କେମିତି କିଛି ଘରର ଦୁଆରେ ବୁଢ଼ା ବୁଢ଼ୀ ଜଣେ ଦି ଜଣ ବସି ଏସବୁ ଦୃଶ୍ୟ ଦେଖୁଥାନ୍ତି । ପୋଲିସବାଲା ଆସନ୍ତୁ ବା ଆଉ କିଏ, ସେଥିରୁ ସେମାନଙ୍କ କିଛି ଯାଏଆସେ ନାହିଁ । ଦୁନିଆର ସମସ୍ତ ଘଟଣା ପ୍ରତି ସେମାନେ ସମ୍ପୂର୍ଣ୍ଣ ନିର୍ବିକାର । ତଥାପି ସେଦିନ ସେମାନେ ଚୁପି ଚୁପି କଥା ହେଉଥାନ୍ତି । ଏମିତି ଅସମୟରେ ଗାଁକୁ କାହିଁକି ଆସିଲା ପୋଲିସ? ଗାଁରେ କିଛି ଅଘଟଣ ଘଟିଛି କି? ନା ଗାଁର କେହି କୌଣସି ଅପରାଧରେ ଜଡ଼ିତ ହୋଇ ଏଠାରେ ଆସି ଲୁଚି ବସିଛି? ଏମିତି ହିଁ କିଛି ଭାବିଲା ବେଳକୁ ସେମାନେ ଦେଖିଲେ ଥାନା ବାବୁଙ୍କ ଗାଡ଼ିରେ ବସିଛନ୍ତି ଅନାଦି ମହାପାତ୍ର । ସତେ ଯେମିତି ସେ ହିଁ ଥାନାବାଲାଙ୍କୁ ବାଟ କଢ଼ାଇ ଆଣିଛନ୍ତି ଗାଁ ଭିତରକୁ, କୌଣସି ଏକ ଅଚିହ୍ନା ଘରକୁ ଚିହ୍ନେଇ ଦେବା ପାଇଁ ।

ଥାନା ଗାଡ଼ିଟା ସିଧା ଯାଇ ଲାଗିଲା ଅନନ୍ତ ମହାପାତ୍ରଙ୍କ ଘର ଆଗରେ । ଆଶ୍ଚର୍ଯ୍ୟର କଥା ହେଉଛି, ଅନନ୍ତଙ୍କ ଘରଟି ଅନାଦି ମହାପାତ୍ରଙ୍କ ପଡ଼ିଶା ଘର । ହଁ ନ ହୁଅନ୍ତା ବା କାହିଁକି? କାରଣ ଅନାଦି ମହାପାତ୍ର ଓ ଅନନ୍ତ ମହାପାତ୍ରଙ୍କ ଜେଜେବାପା ଜଣେ । କେବେଳ ସେ ଦୁହେଁ ଦୁଇ ଭିନ୍ନ ଭିନ୍ନ ବାପାର ପୁଅ । ମାନେ ଦାଦା-ବଡ଼ବାପା ପୁଅ ଦୁଇ ଭାଇ ସେମାନେ । ଉଭୟଙ୍କୁ ନାଁ ଦେଇଥିଲେ ଜେଜେବାପା ଆନନ୍ଦ ମହାପାତ୍ର । ଅନାଦି ସାନ ଆଉ ଅନନ୍ତ ବଡ଼ । ଉଭୟଙ୍କ ଭିତରେ ପ୍ରାୟ ପାଞ୍ଚବର୍ଷର ତାରତମ୍ୟ । ହେଲେ ଉଭୟଙ୍କ ଚରିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ।

କ’ଣ କୋଣେ ମାଣେ ଜମି ଯେ, ସେଥିରେ ନ ଖଟିଲେ ପେଟ ପୂରୁନି । ସେଥିପାଇଁ ତ ରାତିରୁ ରାତି ଯାଏଁ ଜମିରେ ଖଟୁଛନ୍ତି ଅନନ୍ତ । ତଥାପି ପରିବାର ପୋଷଣ କାଠିକର ପାଠ ହେଇଯାଇଛି । ଚାଟଶାଳୀରେ କ’ଣ ଦି ଅକ୍ଷର ପଢ଼ିଥିଲେ ବୋଲି ଏବେ କେବେ କେମିତି ଟିକିଏ ପୁରାଣ, ଭାଗବତ କିମ୍ବା ଆଉ କିଛି ବହିପତ୍ର ଓଲଟାଇବାରେ ସମର୍ଥ ହେଉଛନ୍ତି । ସେପଟେ କିନ୍ତୁ ଅନାଦି ମହାପାତ୍ର ନିଜ ପ୍ରତିପତ୍ତିସମ୍ପନ୍ନ ମାମୁଙ୍କ କୃପାରୁ ଷଷ୍ଠ ଶ୍ରେଣୀ ଯାଏଁ ପଢ଼ିବାର ସୁଯୋଗ ପାଇଛନ୍ତି ।ତେବେ ଯତ୍ରଗ୍ରାମେ ବୃକ୍ଷନାସ୍ତି ଏରୁଣ୍ଡିପୋ ଦ୍ରୁମାୟତେ ନ୍ୟାୟରେ ଗଛ ନଥିବା ଗାଁରେ ଗବଗଛ ମହାଦ୍ରୁମ ଭଳି, ହରିପୁର ଗାଁର ଜଣେ ବଡ଼ ମାମଲତକାର ପୋଲଟିଛନ୍ତି ଅନାଦି ମହାପାତ୍ର । ଧୀରେ ଧୀରେ ନିଜ ଯୋଗାଡ଼ିଆ ଦକ୍ଷତା ଯୋଗୁଁ ସିଏ ହେଇଛନ୍ତି ଜିଲ୍ଲା ଗ୍ରାମ୍ୟ ବ୍ୟାଙ୍କର ସମ୍ପାଦକ ।

ତାଙ୍କ ବ୍ୟାଙ୍କରେ ଦିନେ ବି ଋଣ ମାଗିନଥିବା ଗାଁ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ କୃଷି ଋଣ, ମାଛଚାଷ ପାଇଁ ଋଣ, ଜମିରେ ବଗିଚା କରିବା ପାଇଁ ଋଣ, ବଳଦ କିଣିବା ପାଇଁ ଋଣ, ଛେଳି ପୋଷିବା ପାଇଁ ଋଣ .. ଏମିତି କେତେ କଣ ଫନ୍ଦିଫିକର କରି ଲୋକଙ୍କୁ ଜୋର ଜବରଦସ୍ତି ଋଣ ଦେଇଛନ୍ତି ଅନାଦି । ସୁଧ ଓ ମୂଳ ସବୁ କିଛି ଯଦି ଫେରିଆସିଲା ତ ଦୂରର କଥା, କିନ୍ତୁ ଯଦି ନଫେରିଲା, ତା ପରେ ଅନାଦିଙ୍କ ସୈନ୍ୟବଳ (ପୋଲିସବାଲା) ସହିତ ଗାଁରେ ଆକ୍ରମଣର ଏକ ଋତୁ ଆରମ୍ଭ ହୁଏ । ତାଲିକା କରି ଥାନାବାଲାଙ୍କ ସହାୟତାରେ ଜଣ ଜଣଙ୍କ ଘରେ ଚଢ଼ାଉ କରନ୍ତି ଅନାଦି । କାହାର ଭଙ୍ଗା ସାଇକିଲଟିଏକୁ ଉଠାଇ ନିଆଯାଏ ତ, ଆଉ କାହାଘରୁ ଧାନ ଅଖାଏ, ଆଉ କାହାର ଘରୁ ଭଙ୍ଗା ଦଦରା ଡଙ୍କି, କଡ଼େଇ, ତସଲା ଓଗେର ଉଠାଇ ନିଆଯାଏ ।

ସେଦିନ ବି ସେହି ଉଦ୍ଦେଶ୍ୟରେ ଆସିଥିଲେ ଅନାଦି । ତେବେ ସେ କାହା ଘର କୋରକ କରିବେ, ସେ କଥା କାହାକୁ ଜଣା ନଥିଲା । ସେତିକିବେଳେ ବଣରୁ ଜାଳକାଠ ବିଡ଼ାଟିଏ ମୁଣ୍ଡାଇ ଆସି ଦୁଆର ମୁହଁରେ ପହଞ୍ଚିଲେ ଅନନ୍ତ । ବୈଶାଖ ମାସର ମୁଣ୍ଡଫଟା ଖରାରେ ଝାଳନାଳ ହୋଇଯାଇଥିଲେ ସେ । ଦାଣ୍ଡ ପିଣ୍ଡାଟା ଉପରେ ବସିପଡ଼ି ପାଣି ଟୋପାଏ ମାଗିଲା ବେଳକୁ ଦେବା ଲୋକ କେହି ନାହିଁ । ସ୍ତ୍ରୀ ଆରମ୍ଭରୁ ହିଁ ରୋଗିଣା । କୌଣସି କାମ କରିବା ପାଇଁ ସେତେ ଯେମିତି ତାଙ୍କର ଜୁ ନାହିଁ । ମୁଣ୍ଡରୁ ପଗଡ଼ିଟାକୁ ଖୋଲି ଦେଇ ସେଥିରେ ହିଁ ନିଜ ମୁହଁକୁ ପୋଛି ପକାଇଲେ ଅନନ୍ତ । ଘର ଭିତରକୁ ଯାଇ ମାଟି ଗୁଡ଼ହାଣ୍ଡିରେ ରଖାଯାଇଥିବା ପାଣିରୁ ଢାଳେ ଆଣି ଦି ଢୋକ ପିଇ ଦେବାକୁ ଚେଷ୍ଟା କଲା ବେଳକୁ ମଝି ପିଠି ଉପରେ ପଡ଼ିଲା ଗୋଟିଏ ଶକ୍ତ ଲାଠି ପାହାର । ସେହି ମାଡ଼ରେ ଅନନ୍ତଙ୍କ ପାଟି ଭିତରେ ଥିବା ପାଣି ଢୋକଟା ଆପେ ଆପେ ବାହାରକୁ ଆସିଗଲା । ହାତରୁ ଛିଟିକି ପଡ଼ିଲା ପାଣି ଢାଳଟା । କିଛି ସମୟ ପାଇଁ ସେ କିଛି ବୁଝି ପାରିଲେ ନାହିଁ । ତେବେ କିଛି ବୁଝିବା ଆଗରୁ ଆଉ ଗୋଟିଏ ପାହାର ପାଇଁ ଲାଠି ଉଞ୍ଚାଇଲା ପୋଲିସ କନଷ୍ଟେବଲ । ଏତିକି ବେଳକୁ ବିଜୁଳି ବେଗରେ ପଛକୁ ବୁଲିପଡ଼ି ଲାଠିଟାକୁ ଧରି ପକାଇଲେ ଅନନ୍ତ । ପୋଲିସ କିଛି ପ୍ରତିକ୍ରିୟା ଦେବା ପୂର୍ବରୁ କନଷ୍ଟେବଲ ହାତରୁ ଲାଠିଟାକୁ ଛଡ଼ାଇ ଆଣି ନିଜ ଜଙ୍ଘରେ ବାଡ଼େଇ ଦୁଇ ଖଣ୍ଡ କରିଦେଲେ ଅନନ୍ତ । ସଙ୍ଗେ ସଙ୍ଗେ ଦୌଡ଼ି ଆସିଲେ ଥାନାବାବୁ ଚମ୍ପତ୍ତିରାୟ । ଅନନ୍ତଙ୍କୁ ଧକ୍କାଟିଏ ପକାଇ କହିଲେ, “ବ୍ୟାଙ୍କରୁ ଋଣ ନେଲାବେଳେ ତ କେତେ କାକୁତି ମିନତି ହୋଇ ଟଙ୍କା ମାଗୁଛୁ, ଆଉ ଶୁଝିଲା ବେଳକୁ ଏତେ ନାଟକ କାହିଁକି? ଏଇ ସଙ୍ଗେ ସଙ୍ଗେ ଯଦି ସମୂଳସୁଧ ଋଣ ଟଙ୍କା ପଇଠ ନକରୁ, ତାହେଲେ ତୋ ଘର କୋରକ ହେବ । ଘରେ ଯାହା ଜିନିଷପତ୍ର ଅଛି ସବୁ ନିଲାମ ହେବ । ତତେ ଘରୁ ବାହାର କରି ଦିଆଯିବ ।”

ବାସ୍, ଏଇତକ କଥା ଶୁଣିବା ପରେ ଅନନ୍ତଙ୍କ ଉଗ୍ରରୂପ ଦେଖିଲା ଭଳି ଥିଲା । ରାଗରେ ନିଆଁଖଣ୍ଡ ହୋଇଯାଇଥିଲେ ସେ । ସିଧା ସିଧା କହିଲେ, “ଜମିରେ ଫସଲ ପାଇଁ ମୁଁ ବ୍ୟାଙ୍କରୁ ଋଣ ନେଇଛି । କିଛି ଅପରାଧ କରିନି । କେଉଁଠି ମଣିଷ ମାରିନି । ବର୍ଷାଶ୍ରିତ ଜମିରେ ଯଦି ଦି ବର୍ଷ ହେଲା ପାଣି ଟୋପେ ପଡ଼ିବନି, ଜମି କଣ ଆପେ ଫସଲ ଦେଇଦେବ? ନା ମୁଁ ଫସଲ ଉପୁଜେଇଦେବି? ସେଥିପାଇଁ ଋଣ ଶୁଝି ପାରିନି । ଏଥିରେ ଅପରାଧ କେଉଁଠି? ତା ଛଡ଼ା ମୁଁ ଘରଦ୍ୱାର ଛାଡ଼ି, ଗାଁ ଛାଡ଼ି କୁଆଡ଼େ ତ ପଳେଇଯାଇନି ଯେ, ସରକାରଙ୍କ ଦି ହଜାର ଟଙ୍କା ବୁଡ଼ିଯିବ, ଆଉ ମୋ ପାଇଁ ଦେଶ ଗରିବ ହେଇଯିବ । ଠିକ୍ ଅଛି, ମୋ ଉପରେ ଯଦି ଗ୍ରାମ୍ୟ ବ୍ୟାଙ୍କର ବିଶ୍ୱାସ ନାହିଁ, ତାହେଲେ ମୋ ଘର କୋରକ କରିପାରନ୍ତି ଆପଣ । ଘରେ ଯାହା ଅଛି ସବୁ କିଛି ନିଲାମ କରିପାରନ୍ତି । ହେଲେ ମତେ କହିବେ କି, ମୋର କେଉଁ ଅପରାଧ ପାଇଁ ମୋ ପିଠିରେ ଲାଠି ପାହାର ମାରିଲା ପୋଲିସ? ସେହି ଲାଠି ପାହାର ପ୍ରତିବଦଳରେ ମୁଁ ଯାହା ଦେବି, ତାକୁ ଗ୍ରହଣ କରିବ ତ ପୋଲିସ?” ଅନନ୍ତଙ୍କ ଏତକ କଥାରେ ଥାନାବାବୁ ଆହୁରି ଅଧିକ ଉତକ୍ଷିପ୍ତ ହୋଇଉଠିଲେ । ଅନନ୍ତଙ୍କୁ ଧକ୍କାଟିଏ ମାରି ଘର ଭିତରକୁ ଧସେଇ ପଶିଲେ ସେ । ତା ପଛକୁ ଆଉ ଚାରି ପାଞ୍ଚ ଜଣ କନଷ୍ଟେବଲ । ସବା ପଛରେ ଅନାଦି ମହାପାତ୍ର ।

ସେମାନଙ୍କ ଜୋତାର ଶବ୍ଦ ଶୁଣି ଉଠି ବସିଲେ ଅନନ୍ତଙ୍କ ରୋଗିଣା ସ୍ତ୍ରୀ ଓ ପାଞ୍ଚ ସାତ ବର୍ଷର ଦୁଇଟି ଛୁଆ । ପୋଲିସ ଡେଣା ଧରି ଘରୁ ପଦାକୁ ବାହାର କରିଦେଲା ସେମାନଙ୍କୁ । ପିଲା ଦୁଇଟି ଭେଁ କିନା କାନ୍ଦି ଉଠି ଦୌଡ଼ିଗଲେ ଅନନ୍ତଙ୍କ ପାଖକୁ । ବାପାକୁ ଜାବୁଡ଼ି ଧରିଲେ । ଏଣେ ନିର୍ବାକ୍ ହୋଇ ଏସବୁକୁ ଅନାଇ ରହିଥାନ୍ତି ଅନନ୍ତଙ୍କ ସ୍ତ୍ରୀ । ଘର ଭିତରୁ ଗୋଟିଏ ପରେ ଗୋଟିଏ ଜିନିଷକୁ ବାହାରକୁ ଫିଙ୍ଗୁଥିଲା ପୋଲିସ । ଏତିକି ବେଳେ ଘରେ ଥିବା ପୂର୍ବପୁରୁଷଙ୍କ ତାଳପତ୍ର ପୋଥିର ବିଡ଼ାଟିକୁ କାଖେଇ ଧରି ବାହାରକୁ ବାହାରି ଆସିଲେ ଅନାଦି ମହାପାତ୍ର । କାହାକୁ କିଛି କହିବା ଆଗରୁ ସେହି ପୋଥିଗୁଡ଼ିକୁ ନେଇ ପଡ଼ିଶାରେ ନିଜ ଘର ଭିତରକୁ ପଶି ଯାଉଥିଲେ ଅନାଦି । ହଠାତ୍ ପଛରୁ ଦୌଡ଼ିଯାଇ ସେ ପିନ୍ଧିଥିବା କାମିଜଟାକୁ ଟାଣି ଦାଣ୍ଡ ମଝିକୁ ନେଇଆସିଲେ ଅନନ୍ତ । କାମିଜଟାକୁ ପଛରୁ ଧରିଥିବା ଅବସ୍ଥାରେ ଏକ ବିକଟାଳ ହସ ହସିଲେ ଅନନ୍ତ । ସେତେବେଳକୁ ଗାଁ ଦାଣ୍ଡରେ ଲୋକଙ୍କ ଭିଡ଼ ଜମିସାରିଥାଏ । ଅନନ୍ତଙ୍କ ଅଟ୍ଟହାସ୍ୟ ଏତେ ତୀବ୍ର ଥିଲା ଯେ, ଘର ଭିତରୁ ବାହାରକୁ ଦୌଡ଼ି ଆସିଲେ ଥାନାବାବୁ ଓ ଅନ୍ୟ ପୋଲିସବାଲା । ସେତିକିବେଳେ ଉଚ୍ଚସ୍ୱରରେ ଘୋଷଣା କଲାଭଳି ଅନନ୍ତ କହିଲେ, “ଗାଁଲୋକେ, ଥାନାବାଲା .. ସମସ୍ତେ ଚିହ୍ନିରଖ ଏ ମହାତ୍ମାଙ୍କୁ । ଇଏ .. ମୋର ଭାଇ .. ମୋ ଦାଦାର ପୁଅ … ଛି ଛି ଛି .. ମତେ ୟାକୁ ଭାଇ ବୋଲି କହିବାକୁ ଲାଜ ଲାଗୁଛି । ଏ ଗାଁରେ ଏମିତି କୌଣସି ଲୋକ ନାହିଁ, ଯାହାକୁ ସେ ହଇରାଣ କରିନି । ବ୍ୟାଙ୍କଋଣର ଭୟ ଦେଖାଇ, କାଗଜପତ୍ରରେ ଜାଲ୍ ଦସ୍ତଖତ କରି, ଅନେକଙ୍କ ସମ୍ପତ୍ତି ହଡ଼ପ କରିଛି ଇଏ । ସମସ୍ତଙ୍କୁ ଭୁଆଁ ବୁଲେଇଲା ପରେ ଶେଷରେ ବାକିଥିଲି ମୁଁ । ଛି ଛି .. ଇଏ ମଣିଷ ନୁହେଁ, ଇଏ ବଂଶମରା ଡାହୁକ । ” ଏତକ କହି ଭୋ ଭୋ କାନ୍ଦି ଉଠିଲେ ଅନନ୍ତ । ..

ପୋଲିସବାଲା ଘର କୋରକ କରି ଚାଲିଗଲେ । ଏଣେ ଘରଦ୍ୱାର ହରାଇ ଗାଁ ମୁଣ୍ଡ ବରଗଛ ତଳେ କୁଡ଼ିଆଟିଏ କରି ପରିବାର ସହିତ ରହୁଥାନ୍ତି ଅନନ୍ତ । ଲୋକଙ୍କ ଜମିବାଡ଼ିରେ ମୂଲଲାଗିଲେ ପରିବାର ଚଳେ । ସେଦିନର ଘଟଣା ପରେ କିନ୍ତୁ ଗାଁ ଦାଣ୍ଡରେ ଆଉ କେହି କେବେ ଅନାଦିଙ୍କୁ ଦେଖିନି । ଧୀରେ ଧୀରେ ଆତ୍ମଗ୍ଳାନିରେ ଜଳି ଯାଉଥିଲେ ସେ । ବାରମ୍ବାର ତାଙ୍କ ଆଖି ଆଗରେ ନାଚି ଉଠୁଥିଲା ବଡ଼ଭାଇ ଅନନ୍ତଙ୍କ ସେ ଅଟ୍ଟହାସ୍ୟ । କାନରେ ଥରକୁ ଥର ପ୍ରତିଧ୍ୱନିତ ହେଉଥିଲା “ଚିହ୍ନି ରଖ .. ଇଏ ଭାଇ ନୁହେଁ, ଇଏ ବଂଶମରା ଡାହୁକ” । କ୍ରମଶଃ ମାନସିକ ଭାରସାମ୍ୟ ହରାଇ ବସିଲେ ସେ । ଧୀରେ ଧୀରେ ରୋଗ ଶେଯରେ ପଡ଼ିଲେ ଅନାଦି । ଜୀବନ ଛାଡ଼ିବାର ବେଳ ପାଖେଇ ଆସୁଥାଏ । ହଠାତ୍ ଉଠି ବସିଲେ ସେ । ନିଜ ପୁଅ ହାତରେ ଖବର ଦେଲେ ଅନନ୍ତଙ୍କ ପାଖକୁ । ଯେମିତି ହେଲେ ତାଙ୍କୁ ଡାକି ଆଣିବାକୁ କହିଲେ ପୁଅକୁ ।

ନିଜ ଜୀବନ ଜଞ୍ଜାଳରେ ବ୍ୟସ୍ତ ଥିବା ଅନନ୍ତ ଯେତେବେଳେ ଜାଣିବାକୁ ପାଇଲେ ଅନାଦି ଶଯ୍ୟାଶାୟୀ, ମରଣର ଦୁଆର ମୁହଁରେ .. ସେ ଆଉ ନିଜକୁ ରୋକିପାରିଲେନି । ତାଙ୍କ ଆଖି ଆଗରେ ନାଚି ଉଠିଲା ଅନାଦିଙ୍କ ଶୈଶବ । ପିଲାଦିନେ ଉଭୟେ ହସଖୁସିରେ କଟାଇଥିବା ମୁହୂର୍ତ୍ତ । ପୁତୁରା ସାଙ୍ଗରେ ଦୌଡ଼ିଗଲେ ଅନାଦିଙ୍କ ପାଖକୁ । ରୋଗ ଶେଯରେ ପଡ଼ି ନିଜ ପାଖରେ ବଡ଼ଭାଇକୁ ଦେଖିବା ପରେ ହଠାତ୍ ଉଜ୍ଜ୍ୱଳ ହୋଇଉଠିଲା ଅନାଦିଙ୍କ ଆଖି ଦୁଇଟି । ବଡ଼ କଷ୍ଟରେ ହାତ ଦୁଇଟିକୁ ଉଠାଇ ଯୋଡ଼ହସ୍ତରେ କ୍ଷମା ମାଗିବାକୁ ଚେଷ୍ଟା କରୁଥାନ୍ତି ସେ । ଏତିକିବେଳେ ପାଖରେ ବସି ପଡ଼ି ନିଜ କୋଳକୁ ଅନାଦିଙ୍କ ମୁଣ୍ଡଟିକୁ ଉଠାଇନେଲେ ଅନନ୍ତ । ଅତି କ୍ଷୀଣ ସ୍ୱରରେ ଅନାଦି କହୁଥାନ୍ତି, “ଭାଇ .. ମୋତେ କ୍ଷମା କରିଦେବ । ମୋ ଜୀବନରେ କରିଥିବା ସମସ୍ତ ଭୁଲ ପାଇଁ ମୁଁ ଅନୁତପ୍ତ । ମୁଁ ବଂଶମରା ଡାହୁକ ହୋଇ ବଞ୍ଚିବାକୁ ଚାହୁଁନଥିଲି ଭାଇ । ସେଥିପାଇଁ ସାନ ହେଲେ ବି ଆଗ ଚାଲିଯାଉଛି । ପାରିବ ଯଦି ମତେ କ୍ଷମା କରିଦେବ । ମୋ ପିଲାମାନେ ତୁମକୁ ଲାଗିଲେ ଭାଇ।”.. ତା ପରେ ସବୁ ନିସ୍ତବ୍ଧ । ମନେ ହେଉଥିଲା ସତେ ଯେମିତି ସେ କୋଠରୀ ଭିତରେ ନିରବତା ରାଜୁତି କରୁଛି । ଅନନ୍ତଙ୍କ ମୁହଁରେ କୌଣସି ଶବ୍ଦ ନଥିଲା । କେବଳ ନିରବଚ୍ଛିନ୍ନ ଭାବେ ବହି ଯାଉଥିଲା ତାଙ୍କ ଆଖିରୁ ଦୁଇଧାର ଲୁହ ।…

ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ  ଫୋନ୍- ୯୯୩୭୨୫୨୪୬୪

Comments are closed.