Latest Odisha News

BREAKING NEWS

ଚାଲ ଗାଁକୁ ଫେରିଯିବା

ବିଶ୍ୱାମିତ୍ର ..  ହଁ .. ସେ ପୁରାଣକାଳର ଋଷି ବିଶ୍ୱାମିତ୍ର ନାଇଁ, ଇଏ ସେ ଓସ୍ତପୁର ଗାଁର ବିଶ୍ୱାମିତ୍ର ମହାପାତ୍ର । ଗୋବିନ୍ଦ ମହାପାତ୍ରଙ୍କ ଏକମାତ୍ର ପୁଅ । ବର୍ଷେ ହେଲାଣି ବଡ଼ ହଇରାଣ ହେଉଛି । ରାତି ପାହିଲେ, ସ୍ତ୍ରୀ ବିନୀତା ସହିତ ତୁଣ୍ଡବଜା ହେଉଛି । ଛୋଟ ଛୋଟ କଥାରେ ଗଣ୍ଡଗୋଳ । ହଁ .. ନହୁଅନ୍ତା ବା କାହିଁକି? ବିନୀତାର ଦି ଖଣ୍ଡ ଶାଢ଼ିକୁ ସେ ଧୋଇ ଶୁଖାଇ ପିନ୍ଧୁଛି । ପଣତଟା ଚିରିଗଲାଣି ଦି ତିନି ଠାଁରେ । ତାକୁ ଘରେ ଛୁଞ୍ଚିସୂତାରେ ନିଜେ ସିଲେଇ ଦେଇ କାମ ଚଳେଇ ଦେଉଛି ବିନୀତା । ପିଲା ଦିଟାଙ୍କ ଅବସ୍ଥା ବି ସେଇଆ । ଶେଷଥର ପାଇଁ ନୂଆ ଜାମା କେବେ କିଣା ହେଇଥିଲା, ସେମାନଙ୍କ ମନେ ନାହିଁ । ପାଞ୍ଚ ବର୍ଷ ପୁଅର ପ୍ୟାଣ୍ଟରେ ତିନିଟା ତାଳି ପଡ଼ିଛି । ଝିଅ ଆଠ ବର୍ଷର ହେଲାଣି । ତିନି ବର୍ଷ ତଳେ କିଣା ହେଇଥିବା ଫ୍ରକଟା ତାକୁ ଆଉ ହଉନି । ଫ୍ରକର ତଳ ଘେରରେ କୁଞ୍ଚ ହୋଇ ଯେଉଁ ଟିକିଏ କପଡ଼ା ଭିତରେ ଥିଲା, ତାକୁ ବିନୀତା ଖୋଲି ଦେଇଛି । କେବଳ ଏଇଥି ପାଇଁ ଯେ, ଅନ୍ତତଃ ଆଉ ଦି ଇଞ୍ଚ ଲମ୍ବା ଲାଗିବ ସେ ଫ୍ରକ୍ । ସେଥିପାଇଁ କେବେ ଯଦି ପିଲାଙ୍କ ଲାଗି ଅନ୍ତତଃ ନୂଆ ଜାମା ଖଣ୍ଡେ କିଣିବାକୁ କହିଛି ବିନୀତା, ସଙ୍ଗେ ସଙ୍ଗେ ଘରେ ଆରମ୍ଭ ହେଉଛି କଳି । ବିଶ୍ୱାମିତ୍ର ନିଜ ଅକ୍ଷମତା ପ୍ରକାଶ କରି ରାଗି ଯାଉଛି । ନିଜେ ନିଜ ଭିତରେ ଜଳି ଯାଉଛି ।

ଗାଁ ଛାଡ଼ି ସାତ ବର୍ଷ ତଳେ ବେଙ୍ଗଳୁରୁ ଆସିଥିଲା ବିଶ୍ୱାମିତ୍ର । ଘରେ ଛାଡ଼ି ଆସିଥିଲା ବର୍ଷକର ଝିଅ, ସ୍ତ୍ରୀ ବିନୀତା ଆଉ ତା ବୁଢ଼ା ବାପା ମାଆଙ୍କୁ । ଓସ୍ତପୁର ଗାଁରେ କେନାଲ କଡ଼ରେ ଦି ଏକର ଜମି ଅଛି । ଘରେ ଭଲ ହଳେ ବଳଦ ହଳ କରିବା ପାଇଁ ଅଛନ୍ତି । ତା ସାଙ୍ଗକୁ ଚାରିଟା ଦେଶୀ ଗାଈ । ହେଲେ ବାପାଙ୍କ ସହିତ ଜମିରେ କାମ କରିବାକୁ କେବେ ବି ପସନ୍ଦ କରିନି ବିଶ୍ୱାମିତ୍ର । ବରଂ ଏକ ବୃଥା ଅଭିମାନରେ ବଞ୍ଚିଛି । କାରଣ ପନ୍ଦର ବର୍ଷ ତଳେ ଓସ୍ତପୁର ଗାଁରେ କେହି ବି ମାଟ୍ରିକ୍ ପାସ୍ କରିନଥିଲା । ସେତିକି ବେଳେ ଗାଁରୁ ପ୍ରଥମ ଛାତ୍ର ଭାବେ ମାଟ୍ରିକ୍ ପାସ୍ କରିବା ଗୌରବ ଅର୍ଜିଥିଲା ବିଶ୍ୱାମିତ୍ର । କିନ୍ତୁ, ପାରିବାରିକ ସମସ୍ୟା ଓ ଅଭାବ ଅନଟନ ପାଇଁ ସେ ଆଉ ଅଧିକ ପଢ଼ିବା ସୁଯୋଗ ପାଇଲାନି । ତେଣୁ ମନେ ମନେ ବାପାଙ୍କୁ ଏଥିପାଇଁ ଦାୟୀ କରୁଥିଲା । ମାଆ କହୁଥିଲା, ବିଶୁରେ, ଆମେ ଗରିବ ଲୋକ । ଛୋଟ ପଣତ । ପେଟ ଘୋଡ଼େଇଲେ ପିଠିକୁ ପାଉନି, ପିଠି ଘୋଡ଼େଇଲେ ପେଟକୁ ପାଉନି । ସେଥିପାଇଁ ତୁ ଟିକେ ଘରର ଏ ଅବସ୍ଥାକୁ ବୁଝିଲେ ହବନି । ବିଶ୍ୱାମିତ୍ର କେବଳ ବିରକ୍ତ ହେବା ଛଡ଼ା ଆଉ କିଛି କହୁନଥିଲା । ତା ସାଙ୍ଗକୁ ମାଟ୍ରିକ୍ ପାସ୍ କରିଥିବା ପିଲା, ବିଲରେ ଯାଇ କେମିତି କାମ କରିବ, ସେମିତି ଏକ ଅଭିମାନ ଆବୋରି ବସିଥିଲା ତାକୁ ।

ପୁଅର ଏମିତି ହାବଭାବ ଦେଖି, ବନ୍ଧୁ ବାନ୍ଧବଙ୍କ ପରାମର୍ଶ ନେଇ ବାପା ତାକୁ ବାହା କରାଇ ଦେଇଥିଲେ ମାତ୍ର କୋଡ଼ିଏ ବର୍ଷ ବୟସରେ । କାନ୍ଧରେ ପଡ଼ିଲେ ପୁଅ ଆପେ ବଜେଇ ଶିଖିବ । ସେଇ ଆଶାଥିଲା ବାପାଙ୍କର । ହେଲେ ଫଳ ହେଲା ଓଲଟା । ବୁଢ଼ା ବାପା ମାଆ ଉପରେ ପୁଅ ସାଙ୍ଗକୁ ବୋହୂ ବି ବୋଝ ହେଲା । ବାହାଘରର ବର୍ଷେ ଭିତରେ ଜନ୍ମ ହୋଇସାରିଥିଲା ବିଶ୍ୱାମିତ୍ରର ଝିଅ । ତା ପରେ ଯାଇ ଚେତା ପଶିଥିଲା ବିଶ୍ୱାମିତ୍ର ମୁଣ୍ଡରେ । ସେଥିପାଇଁ ବର୍ଷକର ଝିଅକୁ ଘରେ ଛାଡ଼ି ବେଙ୍ଗଳୁରୁ ଆସିଥିଲା ବିଶ୍ୱାମିତ୍ର । ମାଟ୍ରିକ୍ ପଢ଼ିଥିବାରୁ ତାକୁ ଯେମିତି ହେଲେ ଚାକିରିଟିଏ ମିଳିଯିବ, ସେଇ ଆଶା ଓ ବିଶ୍ୱାସ ଥିଲା ତା ଭିତରେ । ପାଖ ଗାଁର ଚାରି ଜଣ ଲୋକଙ୍କ ସହିତ ଆସିଥିଲା ସେ । ସେମାନେ ପଥର ଖାଦାନରେ ଦିନ ମଜୁରିଆ ଭାବେ କାମ କରନ୍ତି । ବିଶ୍ୱାମିତ୍ରକୁ ବା ସେମାନେ କେତେ ଦିନ ପାଖରେ ବସାଇ ଖାଇବାକୁ ଦେବେ? ତେଣୁ ତାକୁ ସେମାନେ କହିଲେ, ପଥର ଖାଦାନରେ କାମ କରିବା ପାଇଁ । ହେଲେ ବିଶ୍ୱାମିତ୍ର କିନ୍ତୁ ଚାହୁଁଥିଲା ଚାକିରି । ଶେଷରେ ବଡ଼ କଷ୍ଟରେ ଗୋଟିଏ ଲୁଗାକଳରେ ତାକୁ ମିଳିଲା ସୂତାମିସ୍ତ୍ରୀର କାମ । ମାସକୁ ଦରମାପାଞ୍ଚ ହଜାର । ଛୁଟି ଫୁଟି କିଛି ନାହିଁ । କାମ କଲେ ଦରମା, ନକଲେ ନାଇଁ । ଦେହ ପା ଖରାପ ହେଲେ ଦରମା ଗଲା । ସିଧା ଭାଷାରେ କହିବାକୁ ଗଲେ, ବିଶ୍ୱାମିତ୍ର ମହାପାତ୍ର ସୂତାକଳର ଦିନ ମଜୁରିଆ । ଅବଶ୍ୟ ଆରମ୍ଭରେ କାମ କରିବା ତା ପାଇଁ ଟିକିଏ ଅସୁବିଧା ହେଉଥିଲା । କିନ୍ତୁ ଧୀରେ ଧୀରେ କାମ ଶିଖି ଯାଇଥିଲା ବିଶ୍ୱାମିତ୍ର । ମନ ଲଗାଇ କାମ କରୁଥିଲା ସେ । କମ୍ପାନି ବି ତା କାମ ଦେଖି ତା ଦରମା ବଢ଼ାଇଲା । ଘରକୁ ନ ଯାଇ ଦି ବର୍ଷ କାମ କରିବା ପରେ ତା ଦରମା ପହଞ୍ଚିଥିଲା ମାସିକ ନଅ ହଜାର ଟଙ୍କାରେ ।

ମନେ ମନେ ସ୍ଥିର କଲା ବିଶ୍ୱାମିତ୍ର । ଏଥର ଯଦି ଦୀପାବଳିରେ କମ୍ପାନି ତା ଦରମା ବଢ଼ାଇ ଦଶ ହଜାର କରିଦେବ, ତାହେଲେ ସେ ଗାଁକୁ ଯାଇ ବିନୀତା ଓ ତା ଝିଅକୁ ନେଇ ବେଙ୍ଗଳୁରୁ ଚାଲି ଆସିବ । ସେଇଆ ହିଁ ହେଲା । ଦୀପାବଳିରେ ଗାଁକୁ ଯାଇ ପିଲାମାନଙ୍କୁ ନେଇ ଆସିଲା ସେ । ଆସିଲା ବେଳେ ବାପା ତାକୁ ଅନେକ କହିଲେ । ଆରେ ଘରେ ନିଜ ବିଲରେ କାମ କଲେ ତୋର ଖାଇବାକୁ କେହି ନାହିଁ । କାହିଁକି ପରଦେଶରେ ଯାଇ ଖଟିବୁରେ ବିଶୁ?

ବାପାଙ୍କ କଥା ଭଲ ଲାଗିନଥିଲା ବିଶୁକୁ । ବେଙ୍ଗଳୁରୁ ଆସିବା ପରେ ସହରତଳି ଅଞ୍ଚଳରେ ଗୋଟିଏ ଛୋଟିଆ ଏକ ବଖୁରିଆ ଖପର ଘରେ ରହିଲା ବିଶ୍ୱାମିତ୍ର । କାମ ଭଲ ଚାଲିବାରୁ ଦରମା ବି ବଢ଼ିଲା । ଏପଟେ ବିଶ୍ୱାମିତ୍ରର ସଂସାର ବି ବଢ଼ିଲା । ଝିଅକୁ ତିନି ବର୍ଷ ହେଇଛି, ଜନ୍ମନେଲା ତା ପୁଅ । ଦୁଃଖେ କଷ୍ଟେ ଚାଲିଥିଲା ତା ସଂସାର । ଗାଁକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲା ବିଶ୍ୱାମିତ୍ର । ସେପଟେ ବାପା ମାଆଙ୍କ ବଢୁଥିଲା ବୟସ, ଆଉ ଖସୁଥିଲା ବଳ । ବାପା ଆଉ ଆଗଭଳି ବିଲରେ କାମ କରିପାରୁନଥିଲେ । ମାଆ ଗାଈଗୋରୁଙ୍କ କଥା ବୁଝି ପାରୁନଥିଲା । ତଥାପି ଗାଁରେ ବୋଲି ଚଳି ଯାଉଥିଲେ ସେମାନେ । କେବେ କେମିତି ପୁଅକୁ ମନେ ପକାଇ ବାପା ଚିଠି ଲେଖୁଥିଲେ ବିଶ୍ୱାମିତ୍ର ପାଖକୁ । ଘରକୁ ଆସିବା ପାଇଁ କେତେକଣ ପ୍ରଲୋଭନ ଦେଖାଉଥିଲେ ତାକୁ । ହେଲେ କେବେ ବି କିଛି ଫରକ୍ ପଡୁନଥିଲା ବିଶ୍ୱାମିତ୍ରକୁ । କିନ୍ତୁ ଗତ ଗୋଟିଏ ବର୍ଷ ହେଲାଣି ଧୀରେ ଧୀରେ ଅଣନିଃଶ୍ୱାସୀ ହୋଇଯାଉଛି ବିଶ୍ୱାମିତ୍ର ।

ବର୍ଷେ ତଳେ ଯେତେବେଳେ ମହାମାରୀ ପାଇଁ ଚାରିଆଡ଼େ ବନ୍ଦ ହେଲା, ସେତେବେଳେ ସେ ଭାବିଲା, ହଁ, ଏଇ ପନ୍ଦର ଦିନ କି ମାସେ ପାଇଁ କାମ ବନ୍ଦ ହେବ । ଏଥିପାଇଁ ଗାଁକୁ ଯିବା କଣ ଦରକାର । ସେତେବେଳେ ତା ପାଖ ଗାଁର ଯେଉଁମାନଙ୍କ ସହିତ ସେ ଆସିଥିଲା, ସେମାନେ ବି ଗାଁକୁ ଫେରିଯାଇଥିଲେ । ଆଖ ପାଖ ବସ୍ତିରେ ଯେତେ ଯୁଆଡୁ ଆସିଥିବା ଗାଁଲୋକ, ଦାଦନ ଶ୍ରମିକ, ସମସ୍ତେ ଛୁଆ ପିଲାଙ୍କୁ ଧରି ବାହୁଡ଼ିଥିଲେ ଘରକୁ । ହେଲେ ସହର ଓ ଚାକିରିର ମୋହରେ ପଡ଼ିରହିଥିଲା ବିଶ୍ୱାମିତ୍ର । ସେ କେବେ ବି ଭାବି ନଥିଲା ଯେ, ଏ ବନ୍ଦ ଏମିତି ଏତେ ଦିନ ଯାଏଁ ଚାଲିବ । ସେ କାମ କରୁଥିବା ସୂତାକଳରେ ତାଲା ପଡ଼ିଲା । ବନ୍ଦ ହେବାର ପ୍ରଥମ ମାସରେ କମ୍ପାନି ମାଲିକ ଦୟାପରବଶ ହୋଇ ଅଧା ଦରମା ଦେଇଥିଲା । କିନ୍ତୁ ତା ପର ମାସଠୁ ଦରମା ବନ୍ଦ । ବସି ଖାଇଲେ ନଈବାଲି ସରେ। ପାଖରେ ଯାହା ଯେତିକି ସଞ୍ଚୟ ଥିଲା, ତାହା ଧୀରେ ଧୀରେ ସରିଗଲାଣି । ଶେଷ ଥର ପାଇଁ ଘରେ କେବେ ଡାଲି ରନ୍ଧା ହେଇଥିଲା, ସେ କଥା ବିଶ୍ୱାମିତ୍ର କି ତା ପିଲାମାନେ ମନେରଖିନାହାନ୍ତି । ପଖାଳ, ପିଆଜ, ଲୁଣ ଲଙ୍କାରେ ଚାଲିଛି ସଂସାର । ଏମିତି ଦୟନୀୟ ସ୍ଥିତିରେ ଦିନ କାଟିବାକୁ ହେବ, ସେକଥା କେବେ ଭାବିନଥିଲା ବିଶ୍ୱାମିତ୍ର ମହାପାତ୍ର । ତାର ଏଭଳି ଅବସ୍ଥାକୁ ନିତିଦିନ ବଢ଼ୁଥିବା ଦରଦାମ୍, ବୋଝ ଉପରେ ନଳିତା ବିଡ଼ା ସାଜିଛି । ଏଇଟା ତ ଆଉ ଗାଁ ନାଇଁ । ପଡ଼ିଶା ଘରୁ ଶାଗ ଦିଟା, ଲଙ୍କା ଦିଟା ମାଗି ଯାଚି କାମ ଚଳିଯିବ ବୋଲି । ଏଇ ସହରରେ କିଏ କାହାକୁ ପଚାରୁଛି? ପଡ଼ିଶା ଘରେ କିଏ ଅଛି, ତାକୁ ଜଣା ନାହିଁ । ଏଇଠି ତ ପାଣିରୁ ଲୁଣ ଯାଏଁ ସବୁ କିଣା ।

ଏକଦା ଗାଁରୁ ପ୍ରଥମ ଛାତ୍ର ଭାବେ ମାଟ୍ରିକ ପାସ୍ ହୋଇଥିବା ବିଶ୍ୱାମିତ୍ରର ପିଲା ଦିଟା ଏ ବର୍ଷ ସ୍କୁଲରେ ନାଁ ବି ଲଗେଇ ପାରିଲେ ନାହିଁ । ଘରେ ଯେତେବେଳେ ଖାଇବାକୁ ନାହିଁ, ପିଲାଙ୍କ ପାଠପଢ଼ା କଥା ପଚାରୁଛି କିଏ?

ପିଲାଙ୍କ ପାଠପଢ଼ା, ଖାଇବା, ଲୁଗାପଟା .. ଏ ସବୁ କଥା ଭାବି ଭାବି ବିଶ୍ୱାମିତ୍ର ଆଖିରେ ନିଦ ନାହିଁ । ତାକୁ ବଡ଼ ବିଚଳିତ ଲାଗୁଛି । ଏତିକି ବେଳେ ତା ଆଖିରେ ପଡ଼ିଲା, ଦୁଇ ଦିନ ତଳେ ଡାକବାଲା ଦେଇଯାଇଥିବା ପୋଷ୍ଟକାର୍ଡ ଖଣ୍ଡକ । ସେଇଟିକୁ ଉଠାଇ ପଢ଼ିଲା ବିଶ୍ୱାମିତ୍ର ।

କଲ୍ୟାଣୀୟ ବିଶୁ,

ଆମର ଆଶୀର୍ବାଦ ନେବୁ । ବୋହୂ ଓ ପିଲାମାନଙ୍କୁ ଆମ ଆଶୀର୍ବାଦ ଦେବୁ । ମାଆ ଗ୍ରାମଦେବୀ ଆଉ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ତମେ ସମସ୍ତେ ଭଲରେ ଥିବ । ବାପାରେ, ମୁଁ ତ ବୁଢ଼ା ହୋଇଗଲିଣି । ବିଲରେ ଆଉ କାମ କରିପାରୁନି । ତୋ ମାଆ ବି ଆଉ କାମଦାମ କରିପାରୁନି । ଏବର୍ଷ ଜମି ପଡ଼ିଆ ପଡ଼ିଛି । ବଳଦ ଦିଟାକୁ କୁଣ୍ଡା ପାଳ ଦେବାକୁ ବି ଘରେ କିଛି ନାହିଁ । ବାପାରେ, ତୁ ଗାଁକୁ ପଳେଇଆ । ଏବେ କଣ ସେ ବେମାରି ଚାରିଆଡ଼େ ମାଡ଼ିଯାଉଛି । ଗାଁରୁ ଆଉ ଗାଁ ଆଖପାଖରୁ ଯିଏ ଯୋଉଠେ ଥିଲେ, ସମସ୍ତେ ଘରକୁ ଫେରିଲେଣି । ମୋ ବାପାଟା ପରା, ତୁ ମଧ୍ୟ ଘରକୁ ପଳେଇଆ । ଏ ଦେହ ଥିଲେ ସର୍ବ ପାଇ .. ଜଳେ ଯେସନେ ଚନ୍ଦ୍ର ଛାଇ । ଘରେ ଏବେ ବି ତିନି ବର୍ଷର ଧାନ ଥୁଆ ହୋଇଛି । ବାଡ଼ିରେ କଣ ଦିଟା ଶାଗ, ଭେଣ୍ଡି କି ବାଇଗଣ କରିଦେଲେ, ଆମର ଖାଇବାକୁ ଘରେ ଲୋକ ନାହାନ୍ତିରେ । ପରଦେଶରେ ଆଉ କେତେ ଦିନ ଖଟିବୁରେ ବାପ ? ଏବେ ଅନ୍ତତଃ ତୁ ଆମ କଥା ରଖିବୁ, ସେଇ ବିଶ୍ୱାସ ଆମର ଅଛି । ଭଗବାନ ତୋତେ, ତୋ ପିଲାମାନଙ୍କୁ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ ।

ତୋ ଅପେକ୍ଷାରେ ରହୁଛି ।

ଇତି ।

ତୋର ଶୁଭାକାଂକ୍ଷୀ

ବାପା ମାଆ

ଚିଠିର ଶେଷଧାଡ଼ିକୁ ଆସିଲା ବେଳକୁ ବିଶ୍ୱାମିତ୍ରକୁ ଆଉ କିଛି ଦେଖାଯାଉନଥିଲା । ଅକ୍ଷର ସବୁ ଅସ୍ପଷ୍ଟ ହୋଇଯାଉଥିଲା ଧୀରେ ଧୀରେ । ତା ଦୁଇ ଆଖିରେ ଭରିଯାଇଥିଲା ଲୁହ ।

ଦୁଇ ଦିନ ପରେ ଓସ୍ତପୁର ଗାଁ ମୁଣ୍ଡ ପାହାଡ଼ ଉହାଡ଼ରେ ବେଳ ବୁଡ଼ି ଆସୁଥିଲା । ତଥାପି ଆସିନଥିଲା ସନ୍ଧ୍ୟା । ଏବେ ବି ପଶ୍ଚିମାକାଶଟା ନାଲିଆ ଦେଖାଯାଉଥିଲା । ଏତିକି ବେଳେ ଦୂରରୁ ଦୃଶ୍ୟମାନ ହେଉଥିଲେ ଚାରିଟି ଛାୟାଚିତ୍ର । ଜଣେ ଯୁବକର କାନ୍ଧ ଉପରେ ଛୋଟ ଛୁଆଟିଏ, କଡ଼ରେ ଜଣେ ଯୁବତୀ ଏବଂ ସାମ୍ନାରେ ଛୋଟିଆ ଝିଅଟିଏ । ସେମାନେ ଧୀରେ ଧୀରେ ନିକଟତର ହେଉଥିଲେ ଓସ୍ତପୁର ଗାଁର । ଏପଟେ ଦୁଆର ମୁହଁରେ ସଞ୍ଜବତି ଜଳାଇ ମୁଣ୍ଡିଆଟାଏ ମାରି ବିଶ୍ୱାମିତ୍ରର ମାଆ ମୁଣ୍ଡ ଉଠାଇଲା ବେଳକୁ ତାକୁ ଶୁଭିଲା .. ଜେଜେମା .. ଜେଜେମା। ….

ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ । ଫୋନ୍- ୯୯୩୭୨୫୨୪୬୪

 

Leave A Reply

Your email address will not be published.