(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)
ଭାରତୀୟ ସ୍ଥଳସେନାରେ ଦୀର୍ଘଦିନ କାମ କରିବା ପରେ ଆସନ୍ତାକାଲି ସେବାନିବୃତ୍ତ ହେବେ କର୍ଣ୍ଣେଲ ମନ୍ମଥ ମହାନ୍ତି । ନିଜ ବୈଠକଖାନାରେ ବସିଥିବା ବେଳେ ହିଁ ହଠାତ୍ ଅନ୍ୟମନସ୍କ ହୋଇଗଲେ ସେ । ଆଖି ଆଗରେ ନାଚି ଉଠିଲା ପିଲାଦିନରୁ ଆଜି ପର୍ଯ୍ୟନ୍ତ ଘଟିଯାଇଥିବା ଗୋଟି ଗୋଟି ସମସ୍ତ ଘଟଣା । ବସିବା ସ୍ଥାନରୁ ଉଠି ପଡ଼ିଲେ କର୍ଣ୍ଣେଲ ମହାନ୍ତି । କୋଠରୀ ଭିତରେ ଚାରିଆଡ଼କୁ ନଜର ବୁଲାଇ ଆଣିଲେ। କାନ୍ଥରେ ଲାଗିଥିଲା ବିଭିନ୍ନ ସମୟର ଅନେକ ଫଟୋ । କାଶ୍ମୀର ଘାଟିରେ ଅନୁପ୍ରବେଶକାରୀ ଆତଙ୍କବାଦୀମାନଙ୍କ ସହ ଲଢ଼େଇରେ ନେତୃତ୍ୱ ନେଇ ସେ ଯେଉଁ ସଫଳତା ପାଇଥିଲେ, ସେଥିପାଇଁ ତାଙ୍କୁ ଦିଆଯାଇଥିଲା ଅଶୋକ ଚକ୍ର । ନିଜେ ରାଷ୍ଟ୍ରପତି ତାଙ୍କୁ ପିନ୍ଧାଇ ଦେଇଥିଲେ ଏହି ପଦକ । କର୍ଣ୍ଣେଲ ମହାନ୍ତିଙ୍କ ବୀରତ୍ୱର କାହାଣୀ ତାଙ୍କ ସହକର୍ମୀ ଓ ଯୁବପିଢ଼ି ପାଇଁ ଗୋଟିଏ ପ୍ରେରଣା । ସେହି ଫଟୋଟି ଭିତରେ କିଛି ସମୟ ପାଇଁ ହଜି ଯାଇଥିଲେ କର୍ଣ୍ଣେଲ ମହାନ୍ତି । ସେହି ଫଟୋର ଠିକ୍ ପାଖରେ କାନ୍ଥରେ ଝୁଲୁଥିଲା ତାଙ୍କ ୟୁନିଫର୍ମ । ଯାହାର ଛାତିରେ ଲାଖିଥିଲା ମନ୍ମଥଙ୍କ ଜୀବନତମାମ ବୀରତ୍ୱ ପ୍ରଦର୍ଶନର ପ୍ରତୀକ ପଦକ ସବୁ । ତାରି ଉପରେ ହାତ ବୁଲାଇ ଆଣିଲେ କର୍ଣ୍ଣେଲ ମହାନ୍ତି । ଭାବୁଥିଲେ, ଆଉ ମାତ୍ର କେଇଘଣ୍ଟା ପରେ ରାତି ପାହିଯିବ । ତା ପରେ ତାଙ୍କ ସୈନିକ ଜୀବନରେ ପଡ଼ିବ ଯବନିକା । କେବଳ କିଛି ରାଷ୍ଟ୍ରୀୟ ଉତ୍ସବକୁ ଛାଡ଼ିଦେଲେ ସେ ଆଉ କେବେ ଏହି ୟୁନିଫର୍ମ ପିନ୍ଧିପାରିବେ ନାହିଁ ।
ଜଣେ ସାଧାରଣ ନାଗରିକ ଭାବେ ଅବଶିଷ୍ଟ ଜୀବନ କଟାଇବାକୁ ପଡ଼ିବ । ପିଲାମାନେ ବଡ଼ହେଲେଣି । ସେମାନେ ପାଠପଢ଼ି ଯିଏ ଯାହା ରାସ୍ତାରେ । ଏବେ କର୍ଣ୍ଣେଲ ମହାନ୍ତିଙ୍କୁ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀର ଜୀବନ ଜୀଇଁବାକୁ ହେବ । ତାହେଲେ ସେ ଆଗକୁ କଣ କରିବେ? ଅବସର ନେବା ପରେ ପରବର୍ତ୍ତୀ ପଦକ୍ଷେପ କଣ ହେବ? ଏମିତି ଅନେକ ପ୍ରଶ୍ନ ଆସୁଥିଲା ତାଙ୍କ ମନରେ । ଗତ ଦୁଇ ବର୍ଷ ହେଲା ରାଜସ୍ଥାନର ଜୟସାଲମେରକୁ ହୋଇଥିଲା ତାଙ୍କ ବଦଳି । ଏଇଟା ଥିଲା କର୍ଣ୍ଣେଲ ମହାନ୍ତିଙ୍କ ଶେଷ ପୋଷ୍ଟିଂ । ଏହାପରେ ଯିବେ ତ କୁଆଡ଼େ ଯିବେ, କିଛି ସ୍ଥିର କରିପାରୁନାହାନ୍ତି ସେ । ହଁ .. ଚାହିଁଲେ ସେ ଦିଲ୍ଲୀ କିମ୍ବା ମୁମ୍ବାଇରେ ରହିପାରନ୍ତି । କିନ୍ତୁ କେଜାଣି କାହିଁକି ବାରମ୍ବାର ତାଙ୍କୁ ନିଜ ଗାଁ କଥା ମନେପଡୁଥିଲା । ହଁ .. କର୍ଣ୍ଣେଲ ମନ୍ମଥ ମହାନ୍ତିଙ୍କ ଗାଁ ଜୟଗୋବିନ୍ଦପୁର । ଯେଉଁଠି କଟିଥିଲା ତାଙ୍କ ପିଲାଦିନ, ଆଉ ଆଦ୍ୟ ଯୌବନ । ଆଉ ଏ ଗାଁର ସେ ପ୍ରଥମ ସରକାରୀ ଚାକିରିଆ .. ତା ପୁଣି ଜଣେ ସେନା ଅଧିକାରୀ । ଏକୋଇଶ ବର୍ଷ ବୟସରେ ଚାକିରି ଆରମ୍ଭ କରିବା ପରଠୁ ହୁଏତ ବର୍ଷରେ ଥରେ ଯଦି ସେ ଗାଁକୁ ଯାଇଛନ୍ତି, ତାହା ବଡ଼କଥା । ତେବେ ଏବେ ଅବସର ନେବାକୁ ଗଲାବେଳେ ଗାଁକୁ ଯିବାକୁ କାହିଁକି ତାଙ୍କୁ ଏତେ ଇଚ୍ଛା ହେଉଛି? ଏତିକି ବେଳେ କାନ୍ଥରେ ଲାଗିଥିବା ଆଉ ଗୋଟିଏ ଫଟୋ ଉପରେ ନଜର ପଡ଼ିଲା କର୍ଣ୍ଣେଲ ମହାନ୍ତିଙ୍କର । ଗୋଟିଏ ପୁରୁଣା କଳାଧଳା ଫଟୋ । ତଥାପି ତାକୁ ବନ୍ଧେଇ କରି ସାଇତି ରଖିଛନ୍ତି ସେ । ସେହି ଫଟୋଟାକୁ ଦେଖିବା ପରେ ହଠାତ୍ ତାଜା ହୋଇଉଠିଲା ସ୍ମୃତିସବୁ ।
ଫଟୋ ଭିତରୁ ଚରିତ୍ରମାନେ ଜୀବନ୍ତ ହୋଇଉଠିଲେ । ସତେ ଯେମିତି ସେଇ ଫଟୋରେ ଥିବା ରମଣ, ମୋହନ, ଅନୀଳ, ଆକାଶ, ବିଶ୍ୱଜିତ୍, ଅରୁଣ, ସୁନୀତା, ଶୁଭଲକ୍ଷ୍ମୀ, ସନ୍ତୋଷୀ, ସସ୍ମିତା ସମସ୍ତେ ଏକାସ୍ୱରରେ କହୁଥିଲେ, “ମନୁଆ, ଆଉ କେତେ ଯୁଦ୍ଧ ଲଢ଼ିବୁରେ .. ପଳେଇ ଆ .. ଗାଁକୁ ପଳେଇ ଆ” । ସେ ଫଟୋଟି ଥିଲା ମନ୍ମଥଙ୍କ ପଞ୍ଚମ ଶ୍ରେଣୀର ଗ୍ରୁପ୍ ଫଟୋ।
ଭାବନା ରାଜ୍ୟରେ ନିଜ ପିଲାଦିନକୁ ପଳେଇଯାଇଥିବା କର୍ଣ୍ଣେଲ ମହାନ୍ତି ସେ ଫଟୋଟିକୁ ଆହୁରି ନିରେଖି ଦେଖିଲେ । ସାଙ୍ଗମାନଙ୍କ ସହିତ ସେଥିରେ ଥିଲେ ହେଡ୍ ସାର୍, ଭଗବାନ ସାର୍ ଆଉ ଚୌଧୁରୀ ସାର୍। ସାରମାନଙ୍କ ଫଟୋ ଦେଖିଲା ପରେ ଆଖିଆଗରେ ନାଚିଉଠିଲା ପଞ୍ଚମ ଶ୍ରେଣୀର ଗୋଟି ଗୋଟି କାହାଣୀ । ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ, ମାନେ ସ୍କୁଲର ସବୁଠୁ ବଡ଼ପିଲା । ତେଣୁ ସମସ୍ତଙ୍କ ଆଶାଥାଏ ଯେ, ପଞ୍ଚମ ଶ୍ରେଣୀ ପିଲାଏ ସ୍କୁଲରେ ବଦମାସି କରିବେ ନାହିଁ । ଅତଏବ ଆଶାନୁରୂପକ ବଦମାସି ଏବଂ ମନ୍ମଥ ଭିତରେ ଦୂରତା ଥିଲା ଢେର ଅଧିକ। ସିଧାଭାଷାରେ କହିଲେ ଉଭୟେ ଥିଲେ ଦୁଇଟି ସମାନ୍ତରାଳ ସରଳରେଖା । ମନ୍ମଥ ଥିଲେ ସ୍କୁଲର ସବୁଠୁ ଭଲ ପିଲା । ଶ୍ରେଣୀରେ ସବୁବେଳେ ପ୍ରଥମ ହୁଅନ୍ତି ସେ । ତୃତୀୟ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷାରେ ସଫଳ ହେବା ପରେ, ପଞ୍ଚମ ଶ୍ରେଣୀରେ ବି ରାଜ୍ୟ ମେଧାବୃତ୍ତି ପରୀକ୍ଷା ପାଇଁ ମନୋନୀତ ହୋଇଥିଲେ ମନ୍ମଥ। ତେଣୁ ସାଙ୍ଗସାଥୀମାନଙ୍କ ମେଳରେ ମନ୍ମଥଙ୍କ ବଡ଼ କାଟତି ଥିଲା । ସବୁ ଶିକ୍ଷକଙ୍କ ପ୍ରିୟ ଛାତ୍ର ଥିଲେ ମନ୍ମଥ । ବର୍ଷ ତମାମ ବୃତ୍ତି ପରୀକ୍ଷା ପାଇଁ ଚାଲିଥିଲା ପ୍ରସ୍ତୁତି ।
ଶିକ୍ଷକମାନେ ମନ୍ମଥ ଓ ଅନ୍ୟ ଦୁଇ ପିଲାଙ୍କ ଉପରେ ବିଶେଷ ଗୁରୁତ୍ୱ ଦେଉଥାନ୍ତି । ସେଥିପାଇଁ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ବାହାରେ ଶିକ୍ଷକମାନେ ସ୍ୱତନ୍ତ୍ର ଭାବେ ଏଇ ତିନି ଜଣ ପିଲାଙ୍କୁ ପଢ଼ାନ୍ତି । କାରଣ ଯଦି ସ୍କୁଲରୁ କୌଣସି ପିଲା ମେଧାବୃତ୍ତି ପରୀକ୍ଷାରେ ସଫଳ ହୁଏ, ତାହେଲେ ତାକୁ ସମ୍ପୃକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସଫଳତା ବୋଲି ବିଚାର କରାଯାଉଥିଲା । ସ୍କୁଲକୁ ମିଳୁଥିଲା ଏକ ବିଶେଷ ଗୌରବ।
ତେବେ ମନ୍ମଥ ଯଦିଓ ମନଦେଇ ପଢୁଥିଲେ, କିନ୍ତୁ ଗତ କିଛି ଦିନ ହେଲା ମନ ଟିକିଏ ଚୁଲୁବୁଲିଆ ହୋଇଯାଇଥିଲା । କାରଣ ସ୍କୁଲରୁ ଘରକୁ ଫେରିଲା ପରେ ଗାଁରେ ଥିବା ଅରିନ୍ଦମ୍ ମହାପାତ୍ର ପାଲଟି ଯାଇଥିଲା ତାଙ୍କ ସାଥୀ । ଅରିନ୍ଦମ୍ ନିଜେ ମନ୍ମଥଙ୍କ ଚାରି ବର୍ଷ ସିନିୟର । ସିଏ ନବମ ଶ୍ରେଣୀରେ । ହାଇସ୍କୁଲର ଛାତ୍ର । ତେଣୁ ଅରିନ୍ଦମ୍ ଯାହା କହୁଥିଲା, ତାକୁ ଅକ୍ଷରେ ଅକ୍ଷରେ ମାନି ଚଳୁଥିଲେ ମନ୍ମଥ । ବୃତ୍ତି ପରୀକ୍ଷାର ସମୟ ଘୋଷଣା ହୋଇସାରିଥିଲା । ସେତେବେଳେ ଗାଁରେ କେଉଁ ବାପା ମାଆ ପିଲାମାନଙ୍କୁ ନେଇ ପରୀକ୍ଷାକେନ୍ଦ୍ରକୁ ଯାଉଥିଲେ ଯେ, ମନ୍ମଥର ବାପା ମାଆ ଯାଇଥାନ୍ତେ ? ସ୍କୁଲର ଶିକ୍ଷକମାନେ ହିଁ ସ୍ୱେଚ୍ଛାକୃତ ଭାବେ ପିଲାମାନଙ୍କୁ ନେଇ ପାଖ ସହରରେ ଥିବା ପରୀକ୍ଷାକେନ୍ଦ୍ରକୁ ଯାଆନ୍ତି । ସେଠାରେ ପିଲାଙ୍କୁ ପହଞ୍ଚାଇବା, ସେମାନଙ୍କୁ ଖାଇବା ପିଇବା ଦେବା ଏବଂ ପରୀକ୍ଷା ସରିବା ପରେ ଘରକୁ ଆଣି ଛାଡ଼ିବା ଦାୟିତ୍ୱ ଥିଲା ଶିକ୍ଷକଙ୍କ ଉପରେ । ମନ୍ମଥଙ୍କୁ କିନ୍ତୁ ଏ କଥା ଜଣା ନଥିଲା । ତେଣୁ ମନ୍ମଥଙ୍କ ଯୋଜନା ଥିଲା କିଛି ଭିନ୍ନ । କାରଣ ଅରିନ୍ଦମ୍ ଏଥିପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ମନ୍ମଥଙ୍କୁ ନେଇ ସେ ଯିବ ପରୀକ୍ଷା କେନ୍ଦ୍ର । ପରୀକ୍ଷା ଦେବା ପାଇଁ ଛତ୍ରପୁର ଯିବାକୁ ପଡ଼ିବ । ଅରିନ୍ଦମର ଯୋଜନା ମୁତାବକ ମନ୍ମଥ ଘରୁ ନେଇଥିବା କୋଡ଼ିଏ ଟଙ୍କା ଅରିନ୍ଦମ୍ ହାତରେ ଦୁଇଦିନ ଆଗରୁ ହିଁ ଦେଇସାରିଥିଲେ । ତେବେ ପରୀକ୍ଷା ଦିନ ସକାଳୁ ମନ୍ମଥଙ୍କ ସବୁ ଯୋଜନା ପଣ୍ଡ । କାରଣ ପିଉସା ଆସି ସାଇକଲ ପଛରେ ବସାଇ ମନ୍ମଥଙ୍କୁ ନେଇ ଛାଡ଼ି ଦେଇଥିଲେ ଚୌଧୁରୀ ସାରଙ୍କ ଘରେ । ସ୍କୁଲର ଯୋଜନା ମୁତାବକ ଚୌଧୁରୀ ସାର୍ ମନ୍ମଥ ସମେତ ପିଲା ତିନି ଜଣଙ୍କୁ ଧରି ପହଞ୍ଚିଲେ ପରୀକ୍ଷା କେନ୍ଦ୍ରରେ ।
ଏଣେ ଛଟପଟ ହେଉଥିବା ଅରିନ୍ଦମ୍ ଗାଁରୁ ଆଉ ଗୋଟିଏ ପିଲାକୁ ସାଙ୍ଗ କରି ପହଞ୍ଚିଥିଲା ପରୀକ୍ଷାକେନ୍ଦ୍ରରେ । ପରୀକ୍ଷା ସରୁ ସରୁ ବାହାରୁ ମନ୍ମଥଙ୍କୁ ଧରି ଭାଗୋଲବାଡ଼ି ଜଗନ୍ନାଥ ଅରିନ୍ଦମ୍ । ତିନି ହେଁ ମିଶି ସିଧା ଚାଲିଲେ ଜୟଶ୍ରୀ ଟକିଜ୍ । ଫିଲ୍ମ ଦେଖିବା ପାଇଁ । ତିନି ଘଣ୍ଟା ଫିଲ୍ମ ହଲରେ ବସି ଫିଲ୍ମର ମଜା ନେଉଥିଲେ ତିନିହେଁ । ଏଣେ ଚୌଧୁରୀ ସାରଙ୍କ ଅବସ୍ଥା କହିଲେ ନସରେ । ପରୀକ୍ଷା ହଲରୁ ଦୁଇ ଜଣ ପିଲା ବାହାରିଲେ, ମନ୍ମଥ ଗଲା କୁଆଡ଼େ? ତନ୍ନ ତନ୍ନ କରି ପୂରା ପରୀକ୍ଷା କେନ୍ଦ୍ରକୁ ଖୋଜି ପକାଇଲେ ସାର୍ । ତା ପରେ, ଆଖ ପାଖର ସବୁ ଦୋକାନ, ବଜାର, ଜଳଖିଆ ହୋଟେଲ, ଭାତ ହୋଟେଲ ସବୁ କିଛି ଖୋଜି ସାରିଲେଣି ସେ । ଏତେ ବ୍ୟସ୍ତ ବ୍ୟଗ୍ର ହୋଇଯାଇଥିଲେଯେ ସେ, ନା ନିଜେ କିଛି ଖାଇଥିଲେ, ନା ଅନ୍ୟ ଦୁଇ ପିଲାଙ୍କୁ କିଛି ଖାଇବାକୁ ଦେଇଥିଲେ । ପାଗଳଙ୍କ ପରି ପରୀକ୍ଷା କେନ୍ଦ୍ର ପରିସରରେ ଚିତ୍କାର କରି ମନ୍ମଥ .. ମନ୍ମଥ .. ବୋଲି ଡାକ ପକାଉଥିଲେ ସେ । ପୁରା ସହରର ଗଳି କନ୍ଦି ସବୁ କିଛି ଖୋଜି ସାରିବା ପରେ ଶେଷରେ ନିରାଶ ହୋଇ ଦୁଇ ପିଲାଙ୍କୁ ଧରି ଫେରିଲେ ଚୌଧୁରୀ ସାର୍ ।
ଏପଟେ କିନ୍ତୁ, ଫିଲ୍ମ ଦେଖି ସାରିବା ପରେ ଦୁଇ ଦୁଇ ଟଙ୍କାର ଜଳଖିଆ ଠୁଙ୍କି ଦେଇ ଅରିନ୍ଦମ୍ ନେତୃତ୍ୱରେ ଗାଁକୁ ଫେରିବାର ଚାଲିଥିଲା ଯୋଜନା । ହେଲେ ସନ୍ଧ୍ୟା ହୋଇ ଅନ୍ଧାରିଆ ହୋଇଯାଇଥିବାରୁ କୌଣସି ଗାଡ଼ିମୋଟର କିଛି ମିଳୁନଥିଲା । ଶେଷରେ ଗୋଟିଏ ମାଲବାହୀ ଟ୍ରକରେ ଆସି ତିନିହେଁ ପହଞ୍ଚିଲେ ଗାଁରେ । ତେବେ ଟ୍ରକ୍ ବାଲା ଅଧିକ ଦୁଇ ଟଙ୍କା ନେଇଯାଇଥିବାରୁ ଅରିନ୍ଦମର ରାଗ ପଞ୍ଚମରେ । ସେ ମନ୍ମଥ ଓ ଅନ୍ୟ ପିଲାଟିକୁ ପ୍ରବର୍ତ୍ତାଇଥିଲା, “ଏ ଟ୍ରକ୍ ପୁଣିଥରେ ଏହି ବାଟଦେଇ ଫେରିବ । ସେ ଦୁଇଟଙ୍କା ଅଧିକ ନେଇଯାଇଛି । ତେଣୁ ତାକୁ ପଥର ଫିଙ୍ଗିବା, ଆଉ ତା କାଚ ଭାଙ୍ଗିଦେବା । ” ସେତେବେଳକୁ ପ୍ରାୟତଃ ଅନ୍ଧାର ହୋଇସାରିଥାଏ । ଜାତୀୟ ରାଜପଥ ଉପରେ ତିନିହେଁ ହାତରେ ଦୁଇ ଦୁଇଟି ପଥର ଧରି ଠିଆ ହୋଇଥାନ୍ତି ପ୍ରତିବାଦ କରିବା ଓ ପ୍ରତିଶୋଧ ନେବା ଭଙ୍ଗୀରେ । ଏତିକି ବେଳେ ଦୂରରୁ ଗୋଟିଏ ସାଇକେଲରେ କେହି ଜଣେ ଆସୁଥିବାର ଦେଖିଲେ ସେମାନେ । କାରଣ ପଛରୁ ଆସୁଥିବା ଟ୍ରକ୍ ଆଲୁଅରେ ସାଇକେଲଆରୋହୀ କେବଳ ମନେ ହେଉଥିଲେ ଏକ ଛାୟାଚିତ୍ର ଭଳି । ଏଇ ତିନି ପିଲାଙ୍କ ପାଖରେ ହଠାତ୍ ସାଇକେଲଟି ଅଟକି ଗଲା । ସାଇକେଲରୁ ଓହ୍ଲାଇ ପଡ଼ି ବ୍ୟକ୍ତି ଜଣକ ପଚାରିଲେ, “ବାପା .. ମନ୍ମଥ କିରେ ..?” .. ଅନ୍ଧାର ଭିତରେ କଣ୍ଠସ୍ୱରରୁ ସମସ୍ତେ ଜାଣିପାରିଲେ ଯେ, ସେ ଚୌଧୁରୀ ସାର୍ । ମନ୍ମଥଙ୍କ ମୁହଁ ବନ୍ଦ । କୌଣସି ଶବ୍ଦ ନାହିଁ । ଭୟରେ ଶୁଖିଲା ପତ୍ର ଭଳି ଥରୁଥାନ୍ତି ସେ । ହାତରୁ ଖସି ଯାଇଥିଲା ପଥର ଦୁଇଟି । ତେଣେ ଚୌଧୁରୀ ସାରଙ୍କ କଥାରୁ ଲାଗୁଥିଲା ସତେ ଯେମିତି ସେ ଆଶ୍ୱସ୍ତିର ଏକ ଦୀର୍ଘଶ୍ୱାସ ନେଉଛନ୍ତି । ଯେମିତି ତାଙ୍କ ସମସ୍ତ କ୍ଳାନ୍ତି ମେଣ୍ଟିଯାଇଛି । ଆଉ କିଛି ନକହି ପୁଣି ସାଇକେଲ ଚଢ଼ି ଅନ୍ଧାରର ବୁକୁଚିରି ଆଗକୁ ଚାଲିଗଲେ ସାର୍ । ଫଟୋ ସାମ୍ନାରେ ଠିଆ ହୋଇ ଏତେ କଥା ଭାବିଦେଲା ପରେ କେଜାଣି କାହିଁକି ଏକ ଅପରାଧ ବୋଧ ଆବୋରି ବସିଥିଲା କର୍ଣ୍ଣେଲ ମନ୍ମଥ ମହାନ୍ତିଙ୍କୁ । ପିଲାଦିନର ସେହି ଭୁଲ ପାଇଁ ସେ କେବେ ବି ଚୌଧୁରୀ ସାରଙ୍କୁ କ୍ଷମା ମାଗିପାରିନାହାନ୍ତି । ହୁଏତ ସେହି ଗୋଟିଏ ଭୁଲ୍ ସବୁଦିନ ପାଇଁ ସୁଧାରି ଦେଇଥିଲା ମନ୍ମଥଙ୍କୁ । ନହେଲେ ସେ କି ସବୁଠୁ ଶୃଙ୍ଖଳିତ ସେନା ଅଧିକାରୀ ହୋଇପାରିଥାନ୍ତେ?
ସାରା ରାତି ନିଦ ନଥିଲା କର୍ଣ୍ଣେଲ ମହାନ୍ତିଙ୍କ ଆଖିରେ । ପୁରୁଣା ଆଲବମର ଚିତ୍ର ଭଳି ଆଖି ଆଗରେ ନାଚି ଉଠୁଥିଲା ଅନେକ ଛୋଟବଡ଼ ଘଟଣା । ରାତି ପାହିଲା ପରେ ପ୍ରସ୍ତୁତ ହୋଇ ବଟାଲିୟନ ହେଡକ୍ୱାର୍ଟରରେ ପହଞ୍ଚି ସାରିଥିଲେ କର୍ଣ୍ଣେଲ ମହାନ୍ତି । ତାଙ୍କୁ ଦିଆଗଲା ବିଦାୟ ସମ୍ବର୍ଦ୍ଧନା । କର୍ଣ୍ଣେଲ ମହାନ୍ତିଙ୍କ ସମ୍ମାନରେ ସ୍ୱତନ୍ତ୍ର ଭୋଜିର ଆୟୋଜନ କରାଯାଇଥିଲା । ନିଜ ସହକର୍ମୀ ଏବଂ ସହଯୋଗୀମାନଙ୍କ ସହିତ ଶେଷଥର ପାଇଁ ଦେଖାକରି ସେଠାରୁ ହିଁ ସିଧାସଳଖ ଏୟାରପୋର୍ଟରେ ପହଞ୍ଚିଥିଲେ କର୍ଣ୍ଣେଲ ମହାନ୍ତି ।
ଜୟସାଲମେରରୁ ଦିଲ୍ଲୀ ଏବଂ ସେଠାରୁ ଆଉ ଗୋଟିଏ ଫ୍ଲାଇଟରେ ଭୁବନେଶ୍ୱର । ଏୟାରପୋର୍ଟରୁ ବାହାରକୁ ବାହାରି ଗାଡ଼ି ଭଡ଼ା କରି ଗାଁକୁ ଯିବାକୁ ହେବ । ଏଥିପାଇଁ ତରତର ହୋଇ ଟ୍ୟାକ୍ସି ଷ୍ଟାଣ୍ଡ ଆଡ଼କୁ ବାହାରିଲା ବେଳକୁ ସାମ୍ନାରେ ନିଜ ନିଜ ସମ୍ପର୍କୀୟଙ୍କୁ ଅପେକ୍ଷା କରି ରହିଥିବା ପରିବାର ପରିଜନମାନଙ୍କ ଭିତରୁ ହଠାତ୍ କେହି ଜଣେ ଡାକିଲେ, ଆରେ ବାବା ମନ୍ମଥ କିରେ? .. ତତକ୍ଷଣାତ୍ ଅଟକିଗଲା ମନ୍ମଥଙ୍କ ପାଦ । ଗୋଟିଏ ମୁହୂର୍ତ୍ତରେ ସେ ଫେରିଗଲେ ପଞ୍ଚମ ଶ୍ରେଣୀର ସେହି ଅନ୍ଧାରରାତିକୁ । ପଛକୁ ଫେରି ଦେଖିଲେ, ଠିଆ ହୋଇଛନ୍ତି ଜଣେ ବୃଦ୍ଧ .. ବୟସ ଅଶୀ ପାର ହେବ। ସମ୍ପୂର୍ଣ୍ଣ ପାଚିଲା ଚୁଟି ଆଉ ଦାଢ଼ି । ଶୀର୍ଣ୍ଣ ଶରୀର । କିନ୍ତୁ ଆଖି ଦୁଇଟା ଖୁବ୍ ଉଜ୍ଜ୍ୱଳ । ଚୌଧୁରୀ ସାରଙ୍କୁ ଠିକ୍ ଚିହ୍ନି ପାରିଥିଲେ କର୍ଣ୍ଣେଲ ମନ୍ମଥ । ଦୌଡ଼ିଯାଇ ପାଦତଳେ ମୁଣ୍ଡିଆ ମାରିଲେ ସେ । ମନ୍ମଥଙ୍କ ଆଖି ଲୁହରେ ସାରଙ୍କ ପାଦ ଓଦା ହୋଇସାରିଥିଲା । ତଳୁ ଉଠାଇ ଆଣିଲେ ସାର୍ । ମନ୍ମଥଙ୍କୁ କୁଣ୍ଢାଇ ଧରିଲେ । ଭୋ ଭୋ ହୋଇ କାନ୍ଦି ଉଠିଲେ ମନ୍ମଥ । ଶତ୍ରୁ ସୈନ୍ୟ ଆଗରେ ବୀରଦର୍ପରେ ଠିଆ ହେଉଥିବା କର୍ଣ୍ଣେଲ ମନ୍ମଥ ସେତେବେଳେ ମନେ ହେଉଥିଲେ ଜଣେ ଅବୋଧ ଶିଶୁଭଳି । ସାରଙ୍କୁ କୁଣ୍ଢାଇ ଧରି କହିଲେ, “ସେଦିନ ଆପଣଙ୍କୁ ଯେତିକି ହଇରାଣ କରିଥିଲି, ସେଥିପାଇଁ କେବେ କ୍ଷମା ମାଗିପାରିନଥିଲି ସାର୍ । ପିଲାଦିନରୁ ଆଜିଯାଏଁ ସେହି ଅପରାଧ ବୋଧ ମତେ ଅବଚେତନରେ ଆବୋରି ବସିଥିଲା । ଆଜି ଆପଣ ମୋର ସେ ଅପରାଧକୁ ସବୁ ଦିନ ପାଇଁ ଧୋଇଦେଲେ। ମୋ ଉପରୁ ସେ ଭାରଟିକୁ ଓହ୍ଲାଇଦେଲେ ସାର୍ ।” .. କର୍ଣ୍ଣେଲ ମନ୍ମଥଙ୍କ କଥା ଶୁଣି କେବଳ ହସି ଦେଇଥିଲେ ଚୌଧୁରୀ ସାର୍ ।
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ । ଫୋନ୍- ୯୯୩୭୨୫୨୪୬୪
Comments are closed.