Latest Odisha News

BREAKING NEWS

ଗେହଲଟଙ୍କ ପ୍ରତିଆକ୍ରମଣ, ଫସିଯିବେ ପାଇଲଟ !

ଭୁବନେଶ୍ୱର: ଗେହଲଟଙ୍କ ବିରୋଧରେ ଲଗାତର ଲଢେଇ ଜାରି ରଖିଥିବା ସଚିନ ପାଇଲଟ ଏବେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ରାଜସ୍ଥାନ ଶିରୋହୀର ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଘନିଷ୍ଠ କୁହାଯାଉଥିବା ସନ୍ୟମ ଲୋଧା ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି।

ବିଜେପିର ଦୁର୍ନୀତି ବିରୋଧରେ ରାଜସ୍ଥାନ ବିଧାନସଭାରେ ବାରମ୍ବାର କହି ଆସୁଥିଲେ ମଧ୍ୟ ସେ ପାଇଲଟଙ୍କ ସହଯୋଗ ପାଇନାହାନ୍ତି ବୋଲି କହିଛନ୍ତି। ଗତ ପାଞ୍ଚ ବର୍ଷ ଧରି ପୂର୍ବ ବିଜେପି ସରକାରର ଦୁର୍ନୀତି ଓ ସରକାରଙ୍କ ନିଯୁକ୍ତି ପରୀକ୍ଷାରେ ପେପର ଲିକ ସମ୍ପର୍କରେ ବିଧାନସଭାରେ ବାରମ୍ବାର କଥା ଉଠାଇଥିଲେ ମଧ୍ୟ ପାଇଲଟ କିମ୍ବା ତାଙ୍କ ସହଯୋଗୀ ବିଧାୟକ ମାନେ କେହି ବି ଏହାକୁ ସପୋର୍ଟ କରି ନ ଥିଲେ।

ତେଣୁ ନିର୍ବାଚନ ବର୍ଷରେ ପାଇଲଟ କାହିଁକି ଏ ସବୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଉଛନ୍ତି ତାହା ରାଜସ୍ଥାନବାସୀ ଜାଣନ୍ତି ବୋଲି କହିଛନ୍ତି ଲୋଧା। ତେଣୁ ନିଜକୁ ଜଣେ ହାସ୍ୟାସ୍ପଦ ବ୍ୟକ୍ତିରେ ପରିଣତ ନ କରି ସମ୍ମାନର ସହ କାମ କରିବାକୁ କହିଛନ୍ତି।

ଏପରିକି ପାଇଲଟଙ୍କ ଜନସଙ୍ଘର୍ଷ ଯାତ୍ରାର କିଛି ପ୍ରଭାବ ନ ଥିବାବେଳେ ଲୋକେ ଏହାକୁ ଗୁରୁତ୍ୱ ଦେଇ ନ ଥିବା ସେ କହିଛନ୍ତି। ତେଣୁ ପାଇଲଟ ଯେକୌଣସି ପଦକ୍ଷେପ ନେବା କଥା ନିଅନ୍ତୁ ବୋଲି ଲୋଧା କହିଛନ୍ତି।

ପାଇଲଟଙ୍କୁ ବିରୋଧ କେବଳ ଏତିକିରେ ସୀମିତ ରହି ନାହିଁ। ପାଇଲଟଙ୍କ ବିରୋଧରେ ରାଜସ୍ଥାନର ବିଭିନ୍ନ ସ୍ଥାନରେ ହୋର୍ଡିଂ ଦେଖିବାକୁ ମିଳିଛି। ରାଜସ୍ଥାନରେ ସଂଜୀବନୀ କ୍ରେଡିଟ କୋ ଅପରେଟିଭ ସୋସାଇଟି ଘୋଟଲାରେ ପାଇଲଟ ଚୁପ କାହିଁକି ବୋଲି ହୋର୍ଡିଂରେ ପ୍ରଶ୍ନ କରାଯାଇଛି।

ହୋର୍ଡିଂରେ ପାଇଲଟଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଫଟୋ ମଧ୍ୟ ରହିଛି। ସଂଜୀବନୀ ଘୋଟଲାରେ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ମୁଖ୍ୟମନ୍ତ୍ରୀ ଗେହଲଟ ବାରମ୍ବାର ଅଭିଯୋଗ କରୁଛନ୍ତି।

ହୋର୍ଡିଂରେ କଂଗ୍ରେସର କିଛି ଜିଲ୍ଲା ସଭାପତିଙ୍କ ଫଟୋ ମଧ୍ୟ ଦିଆଯାଇଛି। ଯାହାକୁ ନେଇ ଏବେ ରାଜସ୍ଥାନ ରାଜନୀତି ସରଗରମ ହୋଇଛି। ଗେହଲଟ ସରକାରକୁ ଟାର୍ଗେଟ କରି ସଚିନ ପାଇଲଟ ପୂର୍ବରୁ ଦିନିକିଆ ଅନଶନ କରିଥିବା ବେଳେ ୫ ଦିନିଆ ପଦଯାତ୍ରା ବି କରିଛନ୍ତି।

ଏପରିକି ସରକାର ଦାବି ପୂରଣ ନେଇ ପଦକ୍ଷେପ ନ ନେଲେ ରାଜ୍ୟବ୍ୟାପୀ ବିକ୍ଷୋଭ କାର୍ଯ୍ୟକ୍ରମ ନେଇ ସେ ଚେତାବନୀ ଦେଇଛନ୍ତି। ତେଣୁ ଆଗକୁ ରାଜସ୍ଥାନ ନିର୍ବାଚନ ଥିବାବେଳେ ପାଇଲଟଙ୍କୁ ଚେକ ଦେବାକୁ ଗେହଲଟ ଗୋଷ୍ଠୀ ପ୍ରତି ଆକ୍ରମଣ ଆରମ୍ଭ କରିଥିବା କୁହାଯାଉଛି।

ସେପଟେ କର୍ଣ୍ଣାଟକରେ ମନ୍ତ୍ରୀମଣ୍ଡଳ ଗଠନ ପରେ ଦଳର ହାଇକମାଣ୍ଡ ଖୁବ ଶୀଘ୍ର ରାଜସ୍ଥାନ ସମସ୍ୟାର ସମାଧାନ କରିବେ ବୋଲି କୁହାଯାଉଛି।

Leave A Reply

Your email address will not be published.