Latest Odisha News

BREAKING NEWS

‘ଭାରତ ଯୋଡ଼ୋ’ ପୂର୍ବରୁ କଂଗ୍ରେସକୁ ଯୋଡ଼, ଦଳ ଛାଡ଼ିବା ପରେ ରାହୁଲଙ୍କୁ ଟାର୍ଗେଟ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ୍ କଂଗ୍ରେସକୁ ବାଏ ବାଏ କହିଛନ୍ତି । ଦଳ ଛାଡ଼ିବା ସହ କଂଗ୍ରେସରୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଛନ୍ତି ଆଜାଦ୍ । କିନ୍ତୁ ଇସ୍ତଫା ପତ୍ରରେ ସେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି ।

ସୋନିଆ ଗାନ୍ଧୀଙ୍କୁ, ଗୁଲାମ ନବି ଆଜାଦ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି । ଯେଉଁଥିରେ ଆଜାଦ୍ ଲେଖିଛନ୍ତି, କଂଗ୍ରେସକୁ ଠିକ୍ ଦିଗରେ ଲଢ଼େଇ ଲଢ଼ିବା ଉଚିତ୍ । ଏମିତିରେ ଭାରତ ଯୋଡ଼ୋ ଯାତ୍ର ପୂର୍ବରୁ କଂଗ୍ରେସ ଦେଶରେ ପ୍ରଥମେ ନିଜକୁ ଯୋଡ଼ୁ ବୋଲି ଲେଖିଛନ୍ତି ଗୁଲାମ ନବି ଆଜାଦ ।

ଇସ୍ତଫାରେ କଂଗ୍ରେସ ଦଳ ସହ ବିତାଇଥିବା ୫ ଦଶକର କଥାକୁ ମନେ ପକାଇଛନ୍ତି ଗୁଲାମ ନବି । ଇନ୍ଦିରା ଗାନ୍ଧୀ, ସଞ୍ଜୟ ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କୁ ପ୍ରଶଂସା କରି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ଦୁର୍ଭାଗ୍ୟବଶତଃ ଦଳକୁ ଯେବେଠୁ ରାହୁଲ ଗାନ୍ଧୀ ଆସିଛନ୍ତି । ସେବେଠୁ ବିଶେଷକରି ୨୦୧୩ରେ ରାହୁଲ କଂଗ୍ରେସ ଉପାଧ୍ୟକ୍ଷ ହେବା ପରେ ଦଳରେ ମତ ବିନିମୟର ଯୁଗ ସରି ଯାଇଛି ।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ସମସ୍ତ ବରିଷ୍ଠ ଓ ଅନୁଭବୀ ନେତୃତ୍ୱଙ୍କୁ କୋଣଠେସା କରି ଦେଇଛି । ଆଦୌ ଅଭିଜ୍ଞତା ନଥିବା ଲୋକ କଂଗ୍ରେସର ସମସ୍ତ କାର୍ଯ୍ୟରେ ମୁଣ୍ଡ ପୂରାଉଛନ୍ତି । ଏହା ପରେ ଦଳ ଲଗାତାର ନିର୍ବାଚନରେ ହାରିଛି । ୨୦୧୪ରୁ ନେଇ ଆଜି ଯାଏ କଂଗ୍ରେସ ଦୁଇଟି ଲୋକସଭା ନିର୍ବାଚନ ହାରିଛି ।

ଗୁଲାମ ନବି କହିଛନ୍ତି, ୨୦୧୪ରୁ ୨୦୨୨ ମଧ୍ୟରେ ୪୯ଟି ବିଧାନସଭା ନିର୍ବାଚନ ହୋଇଛି । ସେଥିରୁ ୩୯ଟିରେ ପରାଜୟ ଭୋଗିଛି ଦଳ । ୪ଟି ରାଜ୍ୟରେ କଂଗ୍ରେସ ଜିତିଥିବା ବେଳେ ୬ଟି ରାଜ୍ୟରେ ସହଯୋଗୀ ଦଳ ସରକାର ଗଢ଼ିଛନ୍ତି । ଏବେ ମାତ୍ର ୨ଟି ରାଜ୍ୟରେ ରହିଛି କଂଗ୍ରେସ ସରକାର । ଆଉ ୨ଟି ରାଜ୍ୟରେ ଦଳ ସରକାରର ସହଯୋଗୀ ଅଛି ।

ଦଳର ସ୍ଥିତି ନେଇ ୨୩ ବରିଷ୍ଠ ନେତା ପରାମର୍ଶ ଦେଇଥିଲେ । କିନ୍ତୁ କେହି ଶୁଣିଲେ ନାହିଁ । କଂଗ୍ରେସ ଦୁର୍ବଳ ହେଉଥିବା କହିବା ପରେ ୨୩ ନେତାଙ୍କୁ ଗାଳି କରାଯାଇଥିଲା । ଅପମାନିତ କରି ବଦନାମ କରାଯାଇଥିଲା । ଏବେ କଂଗ୍ରେସ ଏଭଳି ସ୍ଥିତିରେ ଅଛି ଯେଉଁଠୁ ଆଉ ଫେରି ପାରିବ ନାହିଁ ବୋଲି କହିଛନ୍ତି ଗୁଲାମ ନବି ।

ଏଥିସହ ସେ ଆହୁରି କହିଛନ୍ତି, ଦଳର ଏବେର ପରିସ୍ଥିତି ଠାରୁ ଭଲ ଥିଲା ରିମୋଟ୍ କଣ୍ଟ୍ରୋଲ ମଡେଲ୍ । ଦୁଃଖର ସହ ଦଳ ଛାଡ଼ିଥିବା ଗୁଲାମ ନବି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.