Latest Odisha News

BREAKING NEWS

ପରୀକ୍ଷା ଫଳ ଦେଖିବା ପୂର୍ବରୁ ନିଆଁରେ ପୋଡ଼ିଗଲେ ଦଶମ ଶ୍ରେଣୀ ଛାତ୍ରୀ

ବ୍ରହ୍ମପୁର: ଦିଗପହଣ୍ଡି ସହରରେ ଜଣେ ଦଶମ ଶ୍ରେଣୀ ଛାତ୍ର ନିଆଁରେ ପୋଡ଼ିଯାଇ ମୃତ୍ୟୁବରଣ କରିଛନ୍ତି । ବୁଧବାର ଦଶମ ଶ୍ରେଣୀ ପରୀକ୍ଷା ଫଳ ବାହାରିଥିବା ବେଳେ ସେ ନିଜ ମାର୍କ ଦେଖିବା ପୂର୍ବରୁ ଆଖି ବୁଜିଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ରାଣୀ ସାହିର କାଳିଆ ଜେନାଙ୍କ ଝିଅ କଳ୍ପନା ଜେନା ପଦ୍ମନାଭପୁରର ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀ ପଢ଼ୁଥିଲେ । ସେହି ସ୍କୁଲର ହଷ୍ଟେଲ୍‌ରେ ରହୁଥିଲେ । ଦଶମ ଶ୍ରେଣୀ ପରୀକ୍ଷା ଦେବା ପରେ ଘରକୁ ଆସିଯାଇଥିଲେ ।

ବୁଧବାର ଘରର କଳ୍ପନାଙ୍କ ରୁମ୍‌ରୁ ହଠାତ୍‌ ନିଆଁ ଓ ଧୂଆଁ ବାହାରୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ତୁରନ୍ତ ଏନେଇ ଦିଗପହଣ୍ଡି ଦମକଳ କେନ୍ଦ୍ରକୁ ସୂଚନା ଦିଆଯାଇଥିଲା । ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

କିନ୍ତୁ ଏତିକି ବେଳକୁ କଳ୍ପନାଙ୍କ ନିଶ୍ବାସ ବନ୍ଦ ହୋଇଯାଇଥିଲା । ରୁମ୍‌ ଭିତରେ ତାଙ୍କ ଦରପୋଡ଼ା ଶରୀର ପଡ଼ିଥିଲା । ଦିଗପହଣ୍ଡି ପୋଲିସ ପହଞ୍ଚି ଦରପୋଡ଼ା ଶରୀରକୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଆଣିଥିଲେ । ଡାକ୍ତର ଏଠାରେ କଳ୍ପନାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଅପରପକ୍ଷେ ବୁଧବାର କଳ୍ପନାଙ୍କ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସେ ୪୨୧ ମାର୍କ ରଖିବା ସହିତ ବି-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ କଳ୍ପନା ନିଆଁରେ ପୋଡ଼ିହୋଇ ଜୀବନ ହାରିବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ତାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ତଦନ୍ତ ପରେ ହିଁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.