Latest Odisha News

BREAKING NEWS

ହଜିଗଲେ ଛାତ୍ରୀ!

ଗତ ମାଟ୍ରିକ୍ ପରୀକ୍ଷାରେ ଆଶାତୀତ ଭାବରେ ଛାତ୍ରଛାତ୍ରୀମାନେ ପରୀକ୍ଷା ନ ଦେବାରୁ ବିଭିନ୍ନ ପ୍ରକାରର ପ୍ରସଙ୍ଗ ଆଲୋଚନା ଭିତରକୁ ଆସିଥିଲା । ବିଦ୍ୟାଳୟର ମାନ୍ୟତା ରକ୍ଷା ପାଇଁ ଶିକ୍ଷକମାନେ ଉଚ୍ଚ ଛାତ୍ରଛାତ୍ରୀଙ୍କ ନାମ ଦେଇ ଆଡ୍‌ମିଟ୍ କାର୍ଡ୍ ମଧ୍ୟ ନେଇ ଯାଇଥିବାର ଚାଞ୍ଚଲ୍ୟକର ଅଭିଯୋଗ ସବୁ ଆସିଲା ।

ତେବେ ପରୀକ୍ଷାରେ ଅନୁପସ୍ଥିତ ରହିବାର ଆଉ ଗୋଟିଏ ବଡ଼ କାରଣ ଏବେ ସାମ୍ନାକୁ ଆସିଛି । ତାହା ହେଲା କିଛି ଛାତ୍ରୀ ପରୀକ୍ଷା ପୂର୍ବରୁ ବିବାହ କରିଯାଇଛନ୍ତି । ଦଶମ ଶ୍ରେଣୀ ବୋର୍ଡ୍ ପରୀକ୍ଷା ପୂର୍ବରୁ ବିବାହ କରିଯାଇଥିବା ଛାତ୍ରୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ଏଇଠି ଗୋଟିଏ ପ୍ରସଙ୍ଗରେ ଆଲୋଚନା ହେବା ଆବଶ୍ୟକ ଯେ ସରକାର ଝିଅଙ୍କ ବୟସ ଅଠର ଏବଂ ପୁଅଙ୍କ ବୟସ ଏକୋଇଶ ନ ପୁରିଲେ ବିବାହ କରିପାରିବେ ନାହିଁ ବୋଲି ଆଇନ୍ କରିଛନ୍ତି ।

ଝିଅମାନଙ୍କ କ୍ଷେତ୍ରରେ ଅଠର ବର୍ଷରୁ କମ୍ ହୋଇଥିଲେ ସେମାନଙ୍କୁ ଶିଶୁ ବୋଲି ଗ୍ରହଣ କରାଯିବ ଏବଂ ବାଲ୍ୟ ବିବାହ ନିରୋଧ ଆଇନ୍ ବଳରେ ଏଭଳି ବିବାହଗୁଡ଼ିକ ସହିତ ସଂପୃକ୍ତ ଥିବା ବ୍ୟକ୍ତିମାନେ ଦଣ୍ଡିତ ମଧ୍ୟ ହୋଇପାରିବେ । ତେବେ ମାଟ୍ରିକ୍ ପରୀକ୍ଷା ଦେବା ବେଳକୁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ଭିତରେ ଦଶ ଜଣ ଛାତ୍ରୀ ବିବାହ କରିସାରିଥିବା ଜଣାପଡିଲାଣି ।

ଏହି ସମସ୍ତ ଛାତ୍ରୀ ବିଦ୍ୟାଳୟର ନିୟମିତ ଛାତ୍ରୀ ଏବଂ କରୋନାଜନିତ ପ୍ରଭାବରେ ଦୀର୍ଘ ଦିନ ହେଲା ଘରେ ବସି ରହିବା ଯୋଗୁଁ ସେମାନଙ୍କ ଘରେ ଏକ ଅନିଶ୍ଚିତତା ସୃଷ୍ଟି ହୋଇଥିଲା । ଏହି ଅନିଶ୍ଚିତତାର ଫଳସ୍ୱରୂପ ପିତାମାତାମାନେ ସେମାନଙ୍କୁ ବିବାହ କରାଇ ଦେଇଛନ୍ତି । ଅଳ୍ପ ବୟସରେ ବିବାହର ଏଭଳି ସବୁ ଘଟଣାକୁ ନେଇ ପାଠପଢ଼ା ବନ୍ଦ ହେବା ଅତ୍ୟନ୍ତ ଉଦ୍‌ବେଗଜନକ ଘଟଣା । କିନ୍ତୁ ଏହା ଘଟିଛି ।
କରୋନା କାଳ ଭିତରେ ଶିକ୍ଷାକ୍ଷେତ୍ରଟି ଅନେକ ପ୍ରକାରର ବାଧାବିଘ୍ନର ସମ୍ମୁଖୀନ ହୋଇଛି ।

କରୋନାଜନିତ ଏକ ଅଚଳାବସ୍ଥାରେ ବିବାହ ଏକ ପ୍ରତିବନ୍ଧକ ଭାବରେ ଆଉ ଏକ ନୂଆ ଘଟଣା ଦୃଷ୍ଟିକୁ ଆସିଲା । ଭବିଷ୍ୟତରେ ହୁଏତ ଆହୁରି ଏମିତି ଅନେକ ଘଟଣା ଏବଂ କାରଣ ଦୃଷ୍ଟି ଆଢୁଆଳରେ ରହିଯାଉଥିବ । ଯେଉଁଥି ପାଇଁ ସରକାରଙ୍କର ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । କରୋନାର ସୁଦୂରପ୍ରସାରୀ ପ୍ରଭାବ ଯୋଗୁଁ ଏଭଳି ଘଟଣା ଘଟୁଛି ଏବଂ ଏହା ପାଇଁ କୌଣସି ପ୍ରତିକାର ବି ନାହିଁ ।

କାରଣ ଦୀର୍ଘ ଦିନ ବିଦ୍ୟାଳୟ ବନ୍ଦ ରହିଯିବା ପରେ ପିତାମାତାମାନେ ସେମାନଙ୍କର କନ୍ୟା ପାଇଁ ଉପଯୁକ୍ତ ବର ପାଇଯିବାରୁ ଆଉ କୌଣସି ଦିଗକୁ ଦୃଷ୍ଟି ନ ଦେଇ ବାହାଘର କରାଇ ଦେଉଛନ୍ତି । ବିବାହ ପରେ ଏହି ଝିଅମାନେ ସେମାନଙ୍କ ସ୍ୱାମୀମାନଙ୍କ ସହିତ ବାହାରକୁ ବି ଚାଲିଯାଇଛନ୍ତି । ତେଣୁ ପରୀକ୍ଷା ଦେବା ପାଇଁ ସେମାନେ ଆସିଲେ ନାହିଁ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଛି ଏବଂ ଏହି ଘଟଣା କାହାରି ନଜରକୁ ଆସିପାରିନାହିଁ । ଦଶ ଦଶଟି ବିବାହ ଘଟିଗଲା କିନ୍ତୁ କୌଣସି ଗୋଟିଏ ବି କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଲା ନାହିଁ । ବର୍ତ୍ତମାନ ବିବାହ ହୋଇସାରିଥିବାରୁ ସେମାନଙ୍କ ପିତାମାତା ତଥା ଅଭିଭାବକ ସେମାନଙ୍କ ବୟସକୁ ଅଠରରୁ ଅଧିକ ବୋଲି ହିଁ ଦର୍ଶାଇବେ । ଏଭଳି ବିବାହଗୁଡ଼ିକୁ ଆଇନ୍ ଦୃଷ୍ଟିରୁ ଅସିିଦ୍ଧ କରାଯିବା ପାଇଁ ଚେଷ୍ଟା କରାଗଲେ ମଧ୍ୟ ବେଶୀ କିଛି ସୁଫଳ ମିଳିବ ନାହିଁ; ବରଂ ଏଇ ଝିଅମାନଙ୍କୁ ଠାବ କରି ସେମାନଙ୍କୁ ମାତୃତ୍ୱ ସମ୍ପର୍କିତ କାଉନ୍‌ସେଲିଂ କରିବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.