Latest Odisha News

BREAKING NEWS

ଧନ୍ୟ ତୁ ଗୁଣ୍ଡୁଚିମୂଷା

ଗୁଣ୍ଡୁଚିମୂଷା-କ୍ଷୁଦ୍ର ପ୍ରାଣୀଟିଏ, ନିରିହବି । କିନ୍ତୁ ତା’ ନାଁଟି ଶୁଣିଲେ ବା ତାକୁ ଦେଖିଲେ, ସ୍ୱତଃଶ୍ରୀରାମଚନ୍ଦ୍ରଙ୍କର ସେତୁନିର୍ମାଣ ଦୃଶ୍ୟ ଭାସିଉଠେ । ମାତା ସୀତାଙ୍କ ସନ୍ଧାନ ପାଇବା ପରେ ଲଙ୍କାକୁ ଯିବା ପାଇଁସେତୁ ନିର୍ମାଣରେ ବାନରସେନା ପ୍ରାଣମୂର୍ଚ୍ଛା ଲାଗିପଡିଛନ୍ତି । ବଡବଡ ପଥରଖଣ୍ଡମାନ ବୋହିଆଣି ନଳନୀଳଙ୍କ ନିକଟରେ ପହଂଚାଇ ଦେଉଛନ୍ତି । ହନୁମାନଜୀ ସେଥିରେ ରାମନାମ ଲେଖି ସେତୁନିର୍ମାଣ କାର୍ଯ୍ୟରେ ବ୍ୟସ୍ତ । ପ୍ରଭୁ ଶ୍ରୀରାମଚନ୍ଦ୍ର ଏସବୁ ଦେଖୁଛନ୍ତି । ହଠାତ୍‌ ତାଙ୍କ ଦୃଷ୍ଟିରେ ପଡିଲା ଏଇ କ୍ଷୁଦ୍ର ପ୍ରାଣୀ ଗୁଣ୍ଡୁଚିମୂଷାଟି ସମୁଦ୍ର ପାଣିରେ ଡୁବମାରୁଛି, ଉଠି ଆସି ଶୁଖିଲା ବାଲିରେ ଗଡିଯାଉଛି ।

ତା’ ଦେହରେ ଯେତେ ବାଲି ଲାଗିଯାଉଛି, ସେତକ ଆଣି ସେତୁ ଉପରେ ଝାଡି ଦେଉଛି । ପୁଣି ଯାଇ ଡୁବମାରୁଛି, ଗଡୁଛି, ବାଲିଝାଡୁଛି; ଅନବରତ ଏହିପରି କରିଚାଲିଛି । କୌଣସି ଦିଗକୁ ଲକ୍ଷ୍ୟ ନାହିଁ । ଏ ଦୃଶ୍ୟ ଦେଖି ପ୍ରଭୁ ତରଳି ଗଲେ । ସ୍ନେହରେ ଡାକି ପଚାରିଲେ –“ବାବୁରେ! ମୁଁ ଅନେକ ବେଳୁଁ ଲକ୍ଷ୍ୟ କରୁଛି, ତୁ ଏମିତି କାହିଁକି କରୁଛୁ?” ଗୁଣ୍ଡୁଚିମୂଷା କହିଲା-“ପ୍ରଭୁ! ମୁଁ ତ ବାନରସେନା ପରି ବଡବଡ ପଥରଖଣ୍ଡ ବୋହି ପାରିବିନି । ମୋ ଦେହରେ ଯେତେ ବାଲି ଲାଗିଯାଉଛି, ସେତକ ଆଣି ବନ୍ଧରେ ଝାଡିଦେଲେ ସେଗୁଡିକ ତ ଦୁଇପଥର ସନ୍ଧିରେ ଲାଗିଯାଇ ସେଗୁଡିକୁ ବାନ୍ଧିରଖିବ! ଏତେ ବଡ ମହତ କାମରେ ମୁଁ ଆଉ କ’ଣ କରିପାରିବି ପ୍ରଭୁ!”

ପ୍ରଭୁ ଆନନ୍ଦରେ ଗଦ୍‌ଗଦ୍ ହୋଇଗଲେ । ସେ ତ ସବୁରି ଅନ୍ତର ଜାଣନ୍ତି । ଏତେ ଟିକେ ପ୍ରାଣୀ! ଏତେ ବଡସେତୁ ନିର୍ମାଣରେ ସେ ଯେତେଦୂର ପାରିବ, ସେତେ ସହଯୋଗ କରୁଛି । କେତେ ଶ୍ରଦ୍ଧା, କେତେ ପ୍ରେମ, କେତେ ସମର୍ପଣ ଭାବ ସତେ ତା’ ହୃଦୟରେ ! କି ନିଷ୍ଠାର ସହିତ ସେ ତା’ର ନିଷ୍କାମ କର୍ମରେ ନିମଗ୍ନ !!“ଧନ୍ୟ-ଧନ୍ୟ ତୁବାବୁ!” କହି ଶ୍ରଦ୍ଧାରେ ତାକୁ ଆଉଁଷି ଦେଲେ । ପ୍ରଭୁଙ୍କର ତିନୋଟି ଆଙ୍ଗୁଳିର ତିନୋଟି ଗାର ତା’ ପିଠି ଉପରେ ପଡିଗଲା । ସ୍ନେହ ଶ୍ରଦ୍ଧାର ସେଗାର ତିନୋଟି ଆଜି ପର୍ଯ୍ୟନ୍ତ ରହିଛି । କାହିଁ କେତେ ହଜାର ହଜାର ବର୍ଷ ବିତିଗଲାଣି କଳନା କରି ହେଉନାହିଁ, କିନ୍ତୁ ସେ ଗାର ସେହିପରି ଅବିକଳ ଆଜି ପର୍ଯ୍ୟନ୍ତ ରହିଛି ।

ଗତ ଶତାଦ୍ଧିର ଗୋଟିଏ ଘଟଣା ମନେ ପଡିଯାଉଛି । ସ୍ୱାଧୀନତା ସଂଗ୍ରାମ ଜୋର୍‌ସୋର୍‌ରେ ଚାଲୁଥାଏ । ମହାତ୍ମାଗାନ୍ଧୀଙ୍କ ଡାକରାରେ ହଜାର ହଜାର ନରନାରୀ ଅସହଯୋଗ ଆନ୍ଦୋଳନରେ ସ୍ୱତଃପ୍ରବୃତ ହୋଇ ଯୋଗଦାନ କରୁଥାଆନ୍ତି । ବିରାଟ ବିରାଟ ସଭାସମିତି ହେଉଥାଏ । ଏହି ସଭାମାନଙ୍କରେ ଧନୀଗରିବ ନିର୍ବିଶେଷରେସମସ୍ତେ ନିଜନିଜ ଶକ୍ତି ଅନୁସାରେ ସ୍ୱେଚ୍ଛାରେ ଚାନ୍ଦା ଦେଉଥାଆନ୍ତି । ଏହିପରି ଏକ ସଭାରେ କେତେ ବଡବଡ ଧନୀ, ଶେଠ୍ ‌ଚାନ୍ଦା ଦେଉଥାଆନ୍ତି । ବୟସ ଭାରରେ ନଇଁ ପଡିଥିବା ବୁଢୀମା’ଟିଏ ନଇଁନଇଁ ଆସି ମହାତ୍ମାଙ୍କ ପାଦତଳେ ଅଧଲାଟିଏ ଥୋଇଦେଲା । ସେତେବେଳେ ଟଙ୍କାଙ୍କ ଷୋଳଅଣା, ଅଣାକ ଚାରିପଇସା, ପଇସାକ ଦୁଇ ଅଧଲା ଥାଏ । ବୁଢୀମା’ଟିର ଦାନକୁ ମହାତ୍ମାଗାନ୍ଧୀ ଠିକ୍ ‌ଭାବେ ବୁଝି ପାରିଥିଲେ ପ୍ରଭୁ ଶ୍ରୀରାମଙ୍କ ପରି । ଅତ୍ୟନ୍ତ ଶ୍ରଦ୍ଧାସମ୍ମାନର ସହିତ ଅଧଲାଟିକୁ ଉଠାଇ ପାଖରେ ଥିବା ମହାଦେବ ଦେଶାଇଙ୍କୁ ଦେଇ କହିଲେ –“ଏଇ ଅଧଲାଟିକୁ ସ୍ୱତନ୍ତ୍ର ଭାବେ ଯତ୍ନ ସହକାରେ ରଖିବ । ଏହା ଶେଠ୍‌ମାନଙ୍କ ଲକ୍ଷଲକ୍ଷ ଟଙ୍କାଠାରୁ ଅଧିକମୂଲ୍ୟବାନ ।”

ଦୁଇଟି ଯାକ ଘଟଣାକୁ ଲକ୍ଷ୍ୟକଲେ ଦେଖାଯାଏ, ଏଠାରେ ପରିମାଣ ନୁହେଁ, ଶ୍ରଦ୍ଧା, ଭକ୍ତି, ପ୍ରେମ, ସମ୍ମାନ, ଆନ୍ତରିକତାର ଗୁରୁତ୍ୱ ରହିଛି । ମହତ କାର୍ଯ୍ୟରେ ଅଧଲାଟିଏ, ବାଲି ଗରଡାଟିଏ ବା ବାଲିକଣାଟିଏ ବି ବହୁ ମୂଲ୍ୟବାନ ହୋଇଥାଏ ।

ତେବେ, ଗୋଟିଏ କଥା ମନକୁ ଆସେ,- ସଦ୍‌ଭାବନାର ଚେର କେତେ ଗଭୀରକୁ ଲମ୍ବିଛି! ଏ ସୃଷ୍ଟିରେ କୀଟଠାରୁ ଆରମ୍ଭ କରି ବୃହତମ ପ୍ରାଣୀ ପର୍ଯ୍ୟନ୍ତ ସମସ୍ତେ ପଂଚମମହାଭୂତଙ୍କର ପ୍ରପଂଚିକରଣ ଦ୍ୱାରା ଗଠିତ ହୋଇଛନ୍ତି । ମାଟି, ପାଣି, ଅଗ୍ନି, ବାୟୁ ଓ ଆକାଶ ତ ବାହ୍ୟ ପଦାର୍ଥ । ଶ୍ରୀଗୀତା ଏହାକୁ ଅପରା ପ୍ରକୃତି କହିଛନ୍ତି । ପ୍ରତ୍ୟେକ ପ୍ରାଣୀ ସେମାନଙ୍କ ପ୍ରଜାତି ଅନୁସାରେ ସଂସାରରେ ବଂଚି ରହିବା ପାଇଁ ନିଜ ନିଜ ପ୍ରକୃତିଗତ ବ୍ୟବସ୍ଥା, ଅଭ୍ୟାସ, ଖାଦ୍ୟ ଇତ୍ୟାଦି ଦ୍ୱାରା ପରିଚାଳିତ ହେଉଛନ୍ତି । ଏହା ଜନ୍ମଜାତ ବାସହଜାତ ପ୍ରବୃତି । ଏହାଦ୍ୱାରା ଜନ୍ମ ପରେ ପରେ ଗାଈରବାଛୁରି ମା’ର ପହ୍ନାଖୋଜେ, ଅଣ୍ଡାରୁ ବାହାରି ପକ୍ଷୀ ଶାବକଟି କ୍ରମେ ଉଡିଶିଖେ, ମାଛ ଛୁଆଟି ଜଳରେ ପହଁରେ । କିନ୍ତୁ ମୃତ୍ୟୁ ତ ସମସ୍ତଙ୍କ ନିମନ୍ତେ ଧ୍ରୁବସତ୍ୟ । ମୃତ୍ୟୁ ଆସେ ସେତେବେଳେ, ଯେତେବେଳେ ଏଇ ଅପରାପ୍ରକୃତିରୁ ପରାପ୍ରକୃତିର ସତା, ଚେତନ ସତା ବା ଜୀବାତ୍ମାଶରୀରକୁ ତ୍ୟାଗକରେ ।

ତା’ହେଲେ, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଗୁଣ୍ଡୁଚିମୂଷା ପିଠି ଆଉଁଷା ଚିହ୍ନ ତ କେଉଁକାଳରୁ ଲୋପ ପାଇ ସାରିଥାଆନ୍ତା, ଆଜି ପର୍ଯ୍ୟନ୍ତ ରହିଛି କିପରି ?

ସାଧାରଣତଃ, ଆମେ ପ୍ରଥମେ ଯାହା ଚିନ୍ତାକରୁଁ, ପରେ ତାହାକୁ କାର୍ଯ୍ୟରେ ପରିଣତ କରୁଁ । ଏଇ ଚିନ୍ତାଟି ଭିତରେ ହୁଏ, ହୁଏତ ମନସ୍ତରରେ ବା ବୁଦ୍ଧିସ୍ତରରେ ବା ଆହୁରି ଗଭୀରରୁ । ଅହଂକାର ସବୁଠାରେ ଥାଏ, କାରଣ ଅହଂକାର ନ ରହିଲେ କାମ କରିହେବନି । ଗୁଣ୍ଡୁଚିମୂଷାର ଚିହ୍ନ ଏ ସ୍ତରଗୁଡିକରୁ ଆହୁରି ଗଭୀର, ସେଇଥି ପାଇଁ ତାହା ଆଜି ପର୍ଯ୍ୟନ୍ତ ରହିଛି । ପଂଚମହାଭୂତ, ମନ, ବୁଦ୍ଧି, ଚିତ, ଅହଂକାରକୁ ଅତିକ୍ରମ କରି ଗଲେ ଜୀବାତ୍ମା, ଚୈତ୍ୟସତା, ଦିବ୍ୟସତାଙ୍କ ଦର୍ଶନ ମିଳେ । ମନେ ହୁଏ, ଗୁଣ୍ଡୁଚିମୂଷାର ଶ୍ରଦ୍ଧା, ପ୍ରେମ, ଭକ୍ତି, ନିଷ୍ଠାତା’ର ଆତ୍ମାପର୍ଯ୍ୟନ୍ତ ଲମ୍ବି ଯାଇଛନ୍ତି । ତେଣୁ ଅପରାପ୍ରକୃତିର ଯେତେ ଯାହା ପରିବର୍ତନ ହେଲେ ମଧ୍ୟ ମୂଳଟି ଦିବ୍ୟସତା ସହ ଯୋଡି ହୋଇରହିଥିବାରୁ ତାହା ଆଜି ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି । ଆଧୁନିକ ବୈଜ୍ଞାନିକ ଭାଷାରେ କହିଲେ, ଗୁଣ୍ଡୁଚିମୂଷାର ପ୍ରେମଭକ୍ତି ତା’ର ଅସ୍ଥିମଜ୍ଜାଗତ କେବଳ ନୁହେଁ, ତା’ର ଜୀନ୍ ପର୍ଯ୍ୟନ୍ତ ଲମ୍ବି ଯାଇଛି ।

ଯୁକ୍ତି କରାଯାଇପାରେ, ଗୋଟିଏ ଗୁଣ୍ଡୁଚିମୂଷା ତ ଏହା କରି ପାରିଥିଲା! ସବୁ ଗୁଣ୍ଡୁଚିମୂଷାଙ୍କ ପିଠିରେ ଏ ଚିହ୍ନ ରହିଲା କିପରି ? ଉତରରେ କୁହାଯାଇପାରେ, ପ୍ରଭୁ ସର୍ବସମର୍ଥ । ସେ ତ ପ୍ରେମମୟ, ଦୀନବନ୍ଧୁ, କୃପାସିନ୍ଧୁ, କରୁଣାସାଗର । ଗୁଣ୍ଡୁଚିମୂଷା ପ୍ରତି ତାଙ୍କର ପ୍ରେମ ସମଗ୍ରଜାତି ପ୍ରତି ପ୍ରସରି ଯାଇଥିବ, ସଂଚରିତହୋଇ ଯାଇଥିବ । ତେଣୁ ସେ ଜାତି ଥିବା ପର୍ଯ୍ୟନ୍ତ ଏ ପବିତ୍ର ଚିହ୍ନ ରହିଥିବ । ଅଧିକନ୍ତୁ, ପ୍ରଭୁଙ୍କରସ୍ନେହ, ଶ୍ରଦ୍ଧା, ଆଦର, କୃପା, କରୁଣା ଏତେ ଗଭୀର ଥିଲା ଯେ ତାହା ଚିରଦିନ ନିମନ୍ତେ ରହିଯାଇଛି । ଧନ୍ୟ ପ୍ରଭୁ! ଧନ୍ୟ ତୁମକୃପା, ଭକ୍ତବତ୍ସଳତା! ଆଉ ଧନ୍ୟ ତୁ ଗୁଣ୍ଡୁଚିମୂଷା !

ଟିକେ ଅଟକି ଯାଇ ଭାବିବାକି! ଯଦି ଗୁଣ୍ଡୁଚିମୂଷା ପରିକ୍ଷୁଦ୍ର ପ୍ରାଣୀଟିଏ ପ୍ରଭୁଙ୍କର ଏପରି କୃପାଲାଭ କରିପାରେ, ତେବେ, ଏବେ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ ବୋଲି ଡିଣ୍ଡିମ ପିଟୁଥିବା ଆମେ ମଣିଷମାନେ ଗୁଣ୍ଡୁଚିମୂଷାର ପ୍ରେମଭକ୍ତି ଆମମାନଙ୍କ ଅନ୍ତରରେ ସ୍ଥାପନ କରିପାରିବା ନାହିଁ ? ମହତକାମରେ ଗୁଣ୍ଡୁଚିମୂଷା ପରି ବାଲିକଣାଟିଏ ବା ବୁଢୀମା’ଟି ପରି ଅଧଲାଟିଏ ଯୋଗଦାନ କରି ପାରିବା ନାହିଁ?

ସା :ତରାପୁର, ପୋ : ଲକ୍ଷ୍ମୀନଗର, ଜିଲ୍ଲା: ଯାଜପୁର
ମୋ :୯୯୩୭୫୯୩୪୯୩

Leave A Reply

Your email address will not be published.