Latest Odisha News

BREAKING NEWS

ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ…

ଆପ୍ତବାଣୀ ଟିଏ…. “ ଈଶ୍ୱର ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ ହିଁ କରନ୍ତି ।”

ଏହା ଏକ ସର୍ବମାନ୍ୟ ସତ୍ୟ । ଏହାର ଅନେକ ଅନେକ ଉଦାହରଣ ଦେଖିବାକୁ ମିଳେ ଏ ସଂସାରରେ । ସେମିତି ଗୋଟିଏ ଉଦାହରଣ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ଆଇ ଆଇଟି ଇଞ୍ଜିନିୟର  ନାଗା ନରେଶ କାରୁତୁରା ।

ଶ୍ରୀ ନାଗା ନରେଶ କାରୁତୁରା ୨୦୧୩ ମସିହା ରେ ଆଇଆଇଟି ମାଡ୍ରାସରୁ ବି ଟେକ୍ କରି ଏବେ ଗୁଗୁଲ୍ କମ୍ପାନୀରେ ଯୋଗ ଦେଇଛନ୍ତି । ସେ ଆଉ ପାଞ୍ଚ ଜଣକ ପରି ସାଧାରଣ ନୁହଁନ୍ତି , ସେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ । ତାଙ୍କର ବାପା, ମା ‘ ଦୁହେଁ ନିରକ୍ଷର, ଖଟିଖିଆ । ଖାଲି ସେତିକି ନୁହେଁ, ସେ ଜଣେ ଭିନ୍ନକ୍ଷମ, ତାଙ୍କର ଶରୀରର ଜଙ୍ଘ ପାଖରୁ ତଳ ଅଂଶଟି କଟି ଯାଇଛି ଓ ସେ ଗୋଟିଏ ଚକ ଲଗା ଚେୟାରରେ ଚଲା ବୁଲା କରନ୍ତି । ତଥାପି ତାଙ୍କ ମନରେ ଦୁଃଖର ଚିହ୍ନ ବର୍ଣ୍ଣ ନାହିଁ। ସଦା ହସ ହସ ନରେଶ ଜଣେ ଦୃଢ଼ ଈଶ୍ଵର ବିଶ୍ଵାସୀ ମଣିଷ ଓ ସେ କୁହନ୍ତି …” ଈଶ୍ୱର ହିଁ ମୋ’ ପାଇଁ ସବୁ କିଛି ସ୍ଥିର କରି ରଖିଛନ୍ତି। ସେହି ଈଶ୍ୱର ଙ୍କ ଦେଖାଇ ଥିବା ରାସ୍ତାରେ ହିଁ ଚାଲି ଚାଲି ମୁଁ ଏତେ ବାଟ ଯାଏଁ ଆସିଛି। ମୁଁ ପ୍ରକୃତ ରେ ବହୁତ ଭାଗ୍ୟବାନ,ଈଶ୍ବର ଙ୍କ କରୁଣା ରହିଛି ମୋ’ ଉପରେ ।”

ତାଙ୍କର ନିଜ ଭାଷା ରେ ତାଙ୍କ ଜୀବନର କାହାଣୀ.. …..

ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀ କୂଳରେ ଛୋଟ ଗୋଟିଏ ଗାଆଁ ଟିପାରୁ। ସେହି ଗାଆଁରେ ମୋ ଛୋଟ ବେଳର ସାତ ବର୍ଷ କଟିଛି। ବାପା ଜଣେ ଟ୍ରକ୍ ଡ୍ରାଇଭର୍ ଓ ମାଆ ଜଣେ ସାଧାରଣ ଗୃହିଣୀ। ଦୁଇ ଜଣ ଯାକ ନିରକ୍ଷର। କିନ୍ତୁ ମୋତେ ଓ ମୋ ଭଉଣୀ ଶିରୀଶାକୁ ପିଲା ଦିନରୁ ପାଠ ପଢ଼ା ପାଇଁ ସବୁ ବେଳେ ପ୍ରେରଣା ଦେଉ ଥିଲେ ସେ ଦୁହେଁ। ମୁଁ ବେଳେ ବେଳେ ଆଶ୍ଚର୍ଯ୍ୟ ହୁଏ ଯେ ଆଦୌ ଅକ୍ଷର ଶିଖି ନ ଥିବା ମୋ ବାପା ମୁଁ ପ୍ରଥମ ଏବଂ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ବେଳେ ବହି ଭିତରର ପ୍ରଶ୍ନ ସବୁ କେମିତି ପଚାରି ତାର ଉତ୍ତର ମୋ ପାଖରୁ ଆଦାୟ କରୁଥିଲେ! ମୁଁ ବହୁତ ଦୁଷ୍ଟ ଥିଲି ଓ ସବୁବେଳେ ସାଙ୍ଗ ମାନଙ୍କ ସାଙ୍ଗରେ ମିଶି ଖେଳ କୁଦ ଓ ଧାଁ ଧପଡ କରୁଥିଲି । ସ୍କୁଲରେ ଆମ କ୍ଲାସରେ କିନ୍ତୁ ମୁଁ ଭଲ ପଢ଼ୁଥିଲି ଓ ସମସ୍ତଙ୍କଠାରୁ ଆଗୁଆ ପାଠ ସାରି ଦେଇ ଶିକ୍ଷକଙ୍କ ପ୍ରିୟଭାଜନ ହୋଇ ପାରିଥିଲି।

୧୯୯୩ ମସିହାର ଜାନୁୟାରୀ ମାସ ୧୧ ତାରିଖ ଥିଲା ମୋ’ର ଦୁର୍ଭାଗ୍ୟର ଦିନ! ସେଦିନ ମା’ ମୋତେ ଓ ମୋ ଭଉଣୀକୁ ନେଇ ମାମୁଁ ଘରକୁ ଯାଇଥିଲା। ମକର ସଂକ୍ରାନ୍ତି ପାଇଁ ଆଈକୁ ସାଙ୍ଗରେ ନେଇ ଆମ ଗାଆଁକୁ ଫେରିବାର ଥିଲା। କିନ୍ତୁ ଆଈ କୌଣସି କାରଣ ପାଇଁ ଆସି ପାରିଲା ନାହିଁ। ଆମ ଦୁହିଁକୁ ନେଇ ମା’ ଆମ ଗାଆଁ କୁ ଫେରୁଥିଲା , ସେଦିନ ଦୁର୍ଭାଗ୍ୟକୁ କୌଣସି ବସ୍ ଚାଲୁ ନ ଥିଲା। ସଂଯୋଗକୁ ବାପାଙ୍କର ଜଣେ ସାଙ୍ଗ ସେହି ରାସ୍ତାରେ ଛୋଟ ମାଲବୁହା ଗାଡି ନେଇ ଆସୁଥିଲେ। ଆମେ ତାଙ୍କ ଗାଡିରେ ଉଠି ଗଲୁ। ସେଥିରେ ଲୁହା ରବିବାର ଲଦା ହୋଇଥିଲା ଏବଂ ଆଗରୁ ବହୁତ ଭିଡ଼ ଥିଲା। ମା’ ମୋ’ତେ ତା’ ସହିତ ଡ୍ରାଇଭର୍ ପାଖ ସିଟରେ ଥିବା ଲରିର ଦ୍ୱାର ନିକଟରେ ବସେଇ ଥିଲା। ମୁଁ ସବୁ ବେଳେ ଟିକିଏ ଚଞ୍ଚଳ ପ୍ରକୃତିର। ଲରିର ଦ୍ୱାରରେ ଥିବା ଛିଟିକିଣି ରେ ହାତ ଦେଇ ଖେଳୁ ଥିଲି। ହଠାତ୍ ଲରିର ଦୁଆର ଖୋଲି ଗଲା ଓ ମୁଁ ବାହାରକୁ ଛିଟିକି ପଡ଼ିଲି। ଗାଡିର ଲୁହା ଛଡ଼ରେ ବାଜି ମୋ ଗୋଡ଼ରେ ଟିକିଏ ଖଣ୍ଡିଆ ହୋଇ ଯିବା ବ୍ୟତୀତ ବେଶୀ କିଛି ଆଘାତ ଲାଗି ନ ଥିଲା।

ସେହି ଜାଗାରେ ଗୋଟିଏ ବଡ଼ ଘରୋଇ ହସ୍ପିଟାଲ ଥିଲା କିନ୍ତୁ ପୋଲିସ୍ କେସ୍ କହି ସେମାନେ ମୋତେ ଚିକିତ୍ସା କରିବା ପାଇଁ ମନା କରିଦେଲେ। ଯୋଗକୁ ସେହି ବାଟ ଦେଇ ଜଣେ ପୋଲିସ୍ କନଷ୍ଟେବଳ ଯାଉଥିଲେ। ସେ ଦୟା ପରବଶ ହୋଇ ମୋତେ ସାଙ୍ଗରେ ନେଇ ଗୋଟିଏ ସରକାରୀ ହସ୍ପିଟାଲରେ ଭର୍ତ୍ତି କରି ଦେଲେ। ସେଠାରେ ଡାକ୍ତରମାନେ ପରୀକ୍ଷା କରି ଦେଖିଲେ ଯେ ମୋ’ର ପେଟରେ କ୍ଷୁଦ୍ରାନ୍ତ୍ରର ଭିତରେ ନାଡି ମୋଡି ହୋଇ ଯାଇଛି। ସେଥିପାଇଁ ଅସ୍ତ୍ରୋପଚାର କରାହେଲା। ଗୋଡ଼ର ଘା’ ରେ ଔଷଧ ଲଗାଇ ମାମୁଲି ପଟି ବାନ୍ଧି ଦିଆ ହେଲା। ମୁଁ ସେଠାରେ ସାତ ଦିନ ରହିଲି। ଡାକ୍ତରଖାନାରୁ ଡିସଚାର୍ଜ୍ ନେବା ଦିନ ଦେଖା ଗଲା ଯେ ମୋ ଗୋଡ଼ର ଘା’ ବିଷାକ୍ତ ହୋଇ ବଢ଼ି ବଢ଼ି ଆଣ୍ଠୁ ପର୍ଯ୍ୟନ୍ତ ମାଡି ଗଲାଣି। “ ସିଭିଅର୍ ସେପଟିସିମିଆ “କହି ଡାକ୍ତରମାନେ ମୋତେ ସେଠାରୁ ବଡ଼ ଡାକ୍ତର ଖାନାକୁ ପଠାଇ ଦେଲେ।


ବଡ ଡାକ୍ତରଖାନାରେ ଡାକ୍ତରମାନେ ମୋର ଗୋଡ଼କୁ ପରୀକ୍ଷା କରି ଦେଖିଲେ ଯେ ଘା’ ବିଷାକ୍ତ (ଗ୍ୟାଙ୍ଗ୍ରୀନ୍) ହୋଇ ଜଂଘ ପର୍ଯ୍ୟନ୍ତ ମାଡି ଆସିଲାଣି। ସେମାନେ ବାପାଙ୍କୁ ଏତେ ଡେରି କରି ସେଠାକୁ ନେଇଥିବାରୁ ବହୁତ ଗାଳି ଦେଲେ। କିନ୍ତୁ ମୋ ଅଶିକ୍ଷିତ ବାପା କଣ ବା’ କରି ପାରିଥାନ୍ତେ ଯେ! ପୂର୍ବ ଡାକ୍ତରଖାନାର ଡାକ୍ତରମାନଙ୍କ ଉପରେ ଭରସା କରିବା ଛଡ଼ା ଆଉ କ’ଣ ଟା ଚାରା ଥିଲା ତାଙ୍କ ପାଖରେ !

ମୋ’ ଗୋଡର ଘା’ ବହୁତ ବଢ଼ି ଯାଇଥିଲା ଓ ଡାକ୍ତରମାନଙ୍କ ପାଖରେ ମୋତେ ବଞ୍ଚାଇ ରଖିବା ପାଇଁ ଗୋଡ଼ ଦୁଇଟିକୁ ଜଙ୍ଘ ପାଖରୁ କାଟି ଦେବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା। ଅସ୍ତ୍ରୋପଚାର ପରେ ମୁଁ ଯେତେବେଳ ଚେତା ଫେରି ପାଇଲି ମୋ ଦେହରେ ମୋର ଗୋଡ଼ ଦୁଇଟି ନଥିବାର ଜାଣି ମୁଁ ଦୁଃଖରେ ଭାଙ୍ଗିପଡିଲି।ସେଦିନ ମୋର ମନେ ଅଛି ମୁଁ ଭୋ… ଭୋ..ରଡି ଛାଡି ମୋ ମାଆଙ୍କୁ ପଚାରି ଥିଲି,”ମାଆ, ମୋ ଗୋଡ଼ ଦୁଇଟି କୁଆଡେ ଗଲା ?” ମାଆ ମୋ ପ୍ରଶ୍ନ ଶୁଣି କିଛି ଉତ୍ତର ଦେଇ ପାରି ନଥିଲା କେବଳ ମୁହଁରେ ଲୁଗା ଚାପି କାନ୍ଦି ଥିଲା। ସେଇ ମେଡିକାଲରେ ତିନି ମାସ ପର୍ଯ୍ୟନ୍ତ ମୋ’ର ଚିକିତ୍ସା ହେବା ପରେ ମୁଁ ଘରକୁ ଫେରିଲି।

ଯେଉଁ ଦିନ ମୁଁ ଘରକୁ ଫେରିଥିଲି ଆମ ଘରକୁ ବହୁତ ଲୋକ ଆସିଥିଲେ। ବିନା ଗୋଡ଼ର ପିଲା ଟି କେମିତି ଦେଖା ଯାଉଛି ସେଇୟା ଦେଖିବାକୁ ସେମାନଙ୍କ ମନରେ ଆଗ୍ରହ ଥିଲା। ସେମାନଙ୍କ ଭିତରେ ମୋର ସାଙ୍ଗମାନେ ବି ଥିଲେ। ଗୋଡ଼ ଦୁଇଟି ହରାଇବା ପରେ ମୋ ଜୀବନ ରେ ସେମିତି କିଛି ବିଶେଷ ପରିବର୍ତ୍ତନ ଆସି ନ ଥିଲା। ବରଂ ଘରେ ସମସ୍ତେ ମୋତେ ପୂର୍ବାପେକ୍ଷା ଅଧିକ ଆଦର ଯତ୍ନ କରୁଥିଲେ।ବହୁତ ଫଳମୂଳ, ବିସ୍କୁଟ ଆଉ ଚକୋଲେଟ୍ ମିଳୁଥିଲା ମୋତେ। ମୋର ଦୟନୀୟ ଅବସ୍ଥା ପାଇଁ ମୁଁ ଆଉ ଦୁଃଖ ରେ ଭାଙ୍ଗି ପଡୁ ନଥିଲି। ମୋ’ ସାଙ୍ଗ ମାନେ ମୋତେ ବହୁତ ଭଲ ପାଉଥିଲେ, ସେମାନେ ସବୁ ବେଳେ ଚେଷ୍ଟା କରୁଥିଲେ ମୋତେ କେମିତି ସେମାନଙ୍କ ସହ ଖେଳାଇବେ। ସେଥିପାଇଁ ମୋତେ ସେମାନେ କାନ୍ଧରେ ବୋହି ନେଇ ଯାଉଥିଲେ। ମୋ’ତେ ଲାଗୁଥିଲା ଏହା ଈଶ୍ଵରଙ୍କର ଆଶୀର୍ବାଦ ! ନହେଲେ ଏତେ ସାନ ସାନ ମୋର ସାଙ୍ଗମାନେ ମୋତେ ଗୋଟିଏ ଜାଗା ରୁ ଆଉ ଗୋଟିଏ ଜାଗାକୁ ବୋହି ନେବା ସମ୍ଭବ ନ ଥିଲା। ଏ ସବୁ ଯେମିତି ଭଗଵାନ ଙ୍କ ମୋ ପାଇଁ ଏକ ସୁପରିକଳ୍ପିତ ଯୋଜନା ର ଅଂଶ ବିଶେଷ ଥିଲା !

ଦୁର୍ଘଟଣାରେ ମୋର ଗୋଡ଼ ଦୁଇଟି କଟିଯିବା ପରେ ଆମେ ଆମ ଗାଆଁ ଛାଡ଼ି ନିକଟବର୍ତ୍ତୀ ସହର “ ଟେଣୁକୁ ” କୁ ଚାଲି ଆସିଲୁ। ମୁଁ ସେଠାକାର ମିଶନାରି ସ୍କୁଲରେ ନାଁ ଲେଖାଇ ପାଠ ପଢିଲି। ଗାଆଁରେ ଥିଲେ ଅତି ବେଶୀରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିଲା ପରେ ପାଠପଢ଼ାରେ ଡୋରି ବାନ୍ଧି ମୁଁ ଚାଷ ବାସ ବା ସେମିତି କିଛି କାମରେ ଲାଗି ଥାଆନ୍ତି। କିନ୍ତୁ ସହରକୁ ଆସି ବାପା ଆମ ସ୍କୁଲ୍ କୁ ଲାଗି ଘର ଟିଏ ତିଆରି କଲେ । ମୁଁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଘରେ ରହି ସ୍କୁଲ୍ କୁ ଯିବା ଆସିବା କରି ପାରିଲି। ମୋ ଭଉଣୀକୁ ବାପା ମୋ’ରି ଶ୍ରେଣୀରେ ହିଁ ନାଆଁ ଲେଖାଇ ଦେଲେ। ସେ ମୋଠାରୁ ଦୁଇ ବର୍ଷ ବଡ଼ ଥିଲା, ଗାଆଁରେ ଦୁଇ କ୍ଲାସ୍ ଉପରେ ବି ପଢ଼ୁଥିଲା କିନ୍ତୁ କେବଳ ମୋ’ର ଯତ୍ନ ନେବା ପାଇଁ ଏଠି ତାକୁ ମୋ ସାଙ୍ଗରେ ପଢିବା ପାଇଁ ପଡିଲା। କେତେ ବର୍ଷ ପର୍ଯ୍ୟନ୍ତ ମୋ’ ଭଉଣୀ ମୋତେ କାଖରେ ଧରି ସ୍କୁଲ୍ କୁ ନେଉଥିଲା ଓ ସ୍କୁଲରେ ଏଠାରୁ ସେଠାକୁ ନେବା ସହିତ ମୋର ସବୁ କାମ ସେ ହିଁ କରୁଥିଲା। ତାପରେ ପରେ ମୋ ପାଇଁ ତିନି ଚକିଆ ସାଇକେଲଟି ଆସିଲା ପରେ ମୋ ଭଉଣୀ ସାଇକେଲଟିକୁ ଠେଲି ଠେଲି ମୋତେ ସ୍କୁଲରେ ବୁଲା ବୁଲି କରାଉ ଥିଲା । କେବେ ହେଲେ କୌଣସି କଥା ରେ ଆପତ୍ତି ନ ଥିଲା ତା’ର। ମୁଁ ଟିକିଏ ବଡ଼ ହୋଇଗଲା ପରେ ସେ କାମ ଟି ମୋର ସାଙ୍ଗ ମାନେ କଲେ। ମୋ’ ସାଙ୍ଗ ମାନେ କହୁଥିଲେ ମୁଁ କାଳେ ଭାଗ୍ୟବାନ ବୋଲି ଏମିତି ଭଉଣୀ ଟିଏ ପାଇଛି!

ତେଣୁ ମୁଁ ଭାବେ ଈଶ୍ବର କରୁଣାମୟ । ସେ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ ହିଁ କରନ୍ତି ! ସ୍କୁଲରେ ଶାରିରୀକ ଅକ୍ଷମତା ପାଇଁ ମୋତେ କେହି ଦୟା ଦୃଷ୍ଟିରେ ଦେଖୁ ନ ଥିଲେ ବରଂ ମୁଁ ଭଲ ପଢ଼ା ଶୁଣା କରୁଥିବାରୁ ମୋ ସାଥିରେ ପ୍ରତିଯୋଗିତା କରୁଥିଲେ। ମୁଁ ବି ସବୁବେଳେ ଖୁସି ରହୁଥିଲି ଏମିତି ସାଙ୍ଗମାନଙ୍କୁ ପାଇ। ସ୍କୁଲରେ ମୋର ପ୍ରେରଣାର ସ୍ରୋତ ଥିଲେ ଦୁଇ ଜଣ। ଜଣେ ଥିଲେ ମୋର ଗଣିତ ଶିକ୍ଷକ ପ୍ରମୋଦ ଲାଲ୍ ସାର୍ ଓ ଆଉ ଜଣେ ହେଲେ ମୋର ଉପର ଶ୍ରେଣୀ ରେ ପଢୁଥିବା ଚୌଧୁରୀ ନାମକ ଜଣେ ବହୁତ ମେଧାବୀ ଛାତ୍ର। ପ୍ରମୋଦ ସାର୍ ମୋତେ ସ୍ଥାନୀୟ ପ୍ରତିଯୋଗିତା ମାନଙ୍କ ରେ ଭାଗ ନେବା ପାଇଁ ପ୍ରେରଣା ଦେଉଥିଲେ। ଚୌଧୁରୀ ଆଇଆଇଟି – ଜେଇଇ ପରୀକ୍ଷାର ପ୍ରସ୍ତୁତି ପାଇଁ ଗୌତମ ” ଜୁନିଅର୍ କଲେଜ୍” ରେ ପଢୁଥିଲା । ମୋର ବି ସେହି କଲେଜରେ ପଢିବା ପାଇଁ ବହୁତ ଇଚ୍ଛା ଥିଲା। କିନ୍ତୁ ସେ କଲେଜରେ ବର୍ଷକୁ ଖର୍ଚ୍ଚ ଥିଲା ପଚାଶ ହଜାର ଟଙ୍କା! ଆମ ପାଖରେ ସେତେ ଟଙ୍କା ଦେଇ ପଢିବା ସମ୍ଭବ ନ ଥିଲା। ମୁଁ ଦଶମ ବୋର୍ଡ ପରୀକ୍ଷାରେ ୬୦୦ ରୁ ୫୪୨ ନମ୍ବର ରଖି ସ୍କୁଲରେ ଟପ୍ କଲି । ସେଥି ପାଇଁ ଗୌତମ କଲେଜ୍ ମୋର ସ୍କୁଲ୍ ଫିସ୍ ଛାଡ଼ କରି ଦେଇଥିଲେ। ସେଥି ପାଇଁ ଅବଶ୍ୟ ପ୍ରମୋଦ ସାର୍ ବହୁତ୍ ସାହଯ୍ୟ କରିଥିଲେ।

 

ଏପର୍ଯ୍ୟନ୍ତ ମୁଁ ଘର ପାଖରେ ରହି ପଢ଼ୁଥିଲି ଓ ମୋର ଘର ଲୋକେ ମୋର ସବୁ କଥା ଦେଖା ଶୁଣା କରୁଥିଲେ। କିନ୍ତୁ ଗୌତମ କଲେଜ୍ ରେ ବୋର୍ଡିଂ ରେ ରହିବାକୁ ପଡ଼ିଲା ଆଉ ସେଠାରେ ପ୍ରଥମ ଥର ପାଇଁ ବାହାର ଦୁନିଆଁ ର ସଂସ୍ପର୍ଶ ରେ ଆସିଲି। ଜୀବନ କ’ଣ ବୋଲି ଜାଣିଲି । ସେଠାକାର ଜୀବନ ଶୈଳୀ ସହିତ ନିଜକୁ ଖାପ ଖୁଆଇବା ପାଇଁ ମୋତେ ବର୍ଷେ ଲାଗିଗଲା।

ମୁଁ ଅନେକ ସମୟରେ ନିଜକୁ ବହୁତ ଭାଗ୍ୟବାନ ମନେ କରେ। ଅନେକ ସମୟରେ ସମ୍ପୂର୍ଣ୍ଣ ଅଜ୍ଞାତ ବ୍ୟକ୍ତି ମାନଙ୍କ ପାଖରୁ ଅଯାଚିତ ଭାବରେ ସାହାଯ୍ୟ ଆସି ମୋ ଉପରେ ଅଜାଡ଼ି ହୋଇ ପଡ଼ିଛି। ଏହା ଐଶ୍ୱରୀୟ କରୁଣା ନୁହେଁ ତ’ ଆଉ କ’ଣ ??

ଦ୍ଵିତୀୟ ଶ୍ରେଣୀରେ ପଢିବା ବେଳେ ମୁଁ ଜୟପୁରର କୃତ୍ରିମ ପାଦ ବ୍ୟବହାର କରୁଥିଲି। କିନ୍ତୁ ମୋର ଗୋଡ଼ର ଜଙ୍ଘ ପାଖରେ ଟିକିଏ ବି ଅଂଶ ବାକି ନଥିବାରୁ ସେହି ପାଦ ସବୁ ମୋ ଦେହ ସାଙ୍ଗରେ ବାନ୍ଧି ରଖିବା ରେ ଅସୁବିଧା ହେଉଥିଲା। ସେଥିରେ ମୁଁ ବହୁତ ଧୀରେ ଧୀରେ ଚାଲି ପାରୁଥିଲି ଓ କଷ୍ଟ ବି ହେଉଥିଲା। ତା ଛଡ଼ା ମୋ ତିନି ଚକିଆ ସାଇକେଲରେ ମୁଁ ଶୀଘ୍ର ଚଲା ବୁଲା କରି ପାରୁଥିଲି। ତେଣୁ ଦୁଇ ବର୍ଷ ପରେ ଜୟପୁର ପାଦ ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବନ୍ଦ୍ କରି ଦେଲି। କିନ୍ତୁ ସେଠାକାର ଡାକ୍ତରମାନଙ୍କର ଅକୁଣ୍ଠ ସହଯୋଗ ମୋର ଚିର ଦିନ ମନେ ରହିବ । ସେମାନେ କେବଳ କୃତ୍ରିମ ଗୋଡ଼ ଯୋଡ଼ି ଦେଇ ସେମାନଙ୍କର କର୍ତ୍ତବ୍ୟ ସମାପ୍ତ ହୋଇଗଲା ବୋଲି ଭାବନ୍ତି ନାହିଁ। ସେମାନେ ସବୁ ପ୍ରକାରର ସାହାଯ୍ୟ ସହଯୋଗ କରନ୍ତି। ମୋତେ ଯେତେବେଳେ ପଚାରିଲେ କେଉଁ ପ୍ରକାର ର ସହାୟତା ହେଲେ ମୁଁ ଖୁସି ହେବି, ମୁଁ ସେତେବେଳେ ଆଇଆଇଟି ପାଇଲେ ସେଥିପାଇଁ ସେମାନଙ୍କ ଆର୍ଥିକ ସାହାଯ୍ୟ କାମରେ ଲାଗିବା କଥା କହିଥିଲି। ସତକୁ ସତ ସେମାନେ ମୋର ଆଇଆଇଟି ପାଇଁ ଆର୍ଥିକ ସହାୟତା ର ବ୍ୟବସ୍ଥା କରି ଦେଇ ଥିଲେ। ମୋ ବାପାଙ୍କ ମୁଣ୍ଡରୁ ମୋ ପଢ଼ାଖର୍ଚ୍ଚର ଚିନ୍ତା ଦୂର ହୋଇ ଯାଇଥିବାରୁ ସେହି ପଇସା ସେ ମୋ ଭଉଣୀର ନର୍ସିଂ କୋର୍ସ ପାଇଁ ବ୍ୟବହାର କରି ପାରିଲେ।

ଆଇ ଆଇ ଟି – ଜେଇଇ ପରୀକ୍ଷା ରେ ମୋର ସ୍କୋର୍ (୯୯୨) ଏତେ ଭଲ ନ ଥିଲା । କିନ୍ତୁ ଶାରିରୀକ ଅକ୍ଷମ ଶ୍ରେଣୀରେ ସର୍ବ ଭାରତୀୟ ସ୍ତରରେ ମୋର ପୋଜିସନ୍ ଥିଲା ୪। ସେଥିପାଇଁ ଆଇ ଆଇ ଟି, ମାଡ୍ରାସରେ କମ୍ପ୍ୟୁଟର ସାଇନସରେ ଆଡ଼ମିଶନ ମିଳି ଗଲା । ଏଠାରେ ମଧ୍ୟ ଭିନ୍ନ ଭିନ୍ନ ରୂପରେ ଈଶ୍ବର ଙ୍କର ଆଶୀର୍ବାଦ ମିଳିଥିଲା ମୋତେ।

ଆଇ ଆଇ ଟିର ପ୍ରଥମ ବର୍ଷର ସେସନ୍ ସରିବା ପରେ ଖରା ଛୁଟିରେ ମୁଁ ଘରକୁ ଯାଇଥାଏ। ଆଇଆଇଟି ରୁ ଚିଠି ଟିଏ ଆସି ପହଞ୍ଚିଲା ଘରେ। ମୋ’ ପାଇଁ ଦୁଇଟି ଭଲ କଥା ଲେଖା ଥିଲା ସେଥିରେ। ଏକ ରେ ମୋର ସୁବିଧା ପାଇଁ ଆମ ବିଭାଗ ର ପ୍ରବେଶ ପଥରେ ଗୋଟିଏ ଲିଫ୍ଟର ବ୍ୟବସ୍ଥା କରା ଯାଇଥିଲା। ଆଉ ଦ୍ଵିତୀୟ ଆଶ୍ଚର୍ଯ୍ୟଟି ଥିଲା ଆମ ବିଭାଗୀୟ ମୁଖ୍ୟ ପ୍ରଫେସର ଇଦିଚଣ୍ଡୀ ଓ ଛାତ୍ର ସଂସଦର ସଭାପତି ଦୁହେଁ ମିଶି ମୋ ପାଇଁ ଟ୫୫୦୦୦ଙ୍କା ମୂଲ୍ୟର ବ୍ୟାଟେରୀ ଚାଳିତ ଚକ ଲଗା ଚେୟାର ଟିଏ କିଣିବାର ଯୋଗାଡ କରି ଦେଇଥିଲେ। ତା’ ପରେ ମୁଁ ଯିବା ଆସିବା ପାଇଁ ସମ୍ପୂର୍ଣ୍ଣ ସ୍ଵାଧୀନ ହୋଇ ଗଲି ଓ ଜୀବନ ବହୁତ ସ୍ୱଚ୍ଛନ୍ଦ ହୋଇଗଲା। ମୁଁ ଆଜୀବନ ଋଣୀ ହୋଇ ରହିବି ସେମାନଙ୍କ ପାଖରେ।

ସେମିତି ଆଉ ଗୋଟିଏ କଥା। ଆଇଆଇଟିର ଦ୍ଵିତୀୟ ବର୍ଷର ଛାତ୍ର ଥିବା ବେଳେ ଥରେ ମୁଁ କେତେଜଣ ସହପାଠୀଙ୍କ ସହିତ ଗୋଟିଏ କନଫରେନ୍ସରେ ଯୋଗ ଦେବା ପାଇଁ ଯାଉଥିଲି। ରାସ୍ତାରେ ମିଷ୍ଟର ସୁନ୍ଦର୍ ନାମକ ଜଣେ ଦୟାଳୁ ବ୍ୟକ୍ତିଙ୍କ ସହିତ ଅଚାନକ ଭେଟ ହେଲା, ଈଶ୍ବର ଙ୍କ ଦୟା ରୁ ସେ ଭଦ୍ରବ୍ୟକ୍ତି ମୋ’ ଉପରେ ସଦୟ ହୋଇ ମୋ’ର ଆଇଆଇଟି ପଢାର ସମସ୍ତ ଖର୍ଚ୍ଚ ଉଠାଇବା ପାଇଁ ସେ ନିଜ ପକ୍ଷ ରୁ ପ୍ରସ୍ତାବ ଦେଲେ। ତା’ ପରଠାରୁ ମୋର ସମସ୍ତ ଆର୍ଥିକ କଷ୍ଟ ଦୂର ହୋଇଗଲା ।

୨୦୦୮ ମସିହା ଜୁଲାଇ ମାସର ୨୮ ତାରିଖ ! ମୋ’ ଜୀବନର ଆଉ ଗୋଟିଏ ସ୍ମରଣୀୟ ଦିବସ । ସେହି ଦିନ ହିଁ ମୁଁ ପ୍ରଫେସର୍ ପାଣ୍ଡୁରଙ୍ଗନଙ୍କ ଦ୍ୱାରା ମନୋନୀତ ହୋଇ ବୋଷ୍ଟନ୍ ସହରକୁ ଇଣ୍ଟର୍ଣ୍ଣସିପ ପାଇଁ ଯାଇଥିଲି। ଏଥିପାଇଁ ମୁଁ ପ୍ରଫେସର୍ ପାଣ୍ଡୁରଙ୍ଗନ୍ ଙ୍କ ପାଖ ରେ ଚିରଋଣୀ ରହିବି। ଆଇ ଆଇଟି କରିବା ପରେ ମୁଁ ପିଏଚଡି କରିବା ପାଇଁ ଚାହୁଁ ନଥିଲି। ସେଥିରେ ଅନେକ ସମୟ ଲାଗି ଯାଇଥାନ୍ତା। ମୁଁ ମୋ ବାପା ମାଆଙ୍କୁ ଏଥର ଟିକିଏ ବିଶ୍ରାମ ଦେବାକୁ ଚାହୁଁଥିଲି। ଇଣ୍ଟର୍ଣ୍ଣସିପ ପରେ ମୁଁ “ ମୋର୍ଗାନ ଷ୍ଟାନଲି” କମ୍ପାନୀରୁ ପ୍ରଥମେ ଡାକରା ପାଇଥିଲି। ତାହା ଅନେକଙ୍କ ପାଇଁ ଗୋଟିଏ ସ୍ୱପ୍ନରୁ କମ୍ ନୁହେଁ। କିନ୍ତୁ ମୁଁ କେବଳ କମ୍ପ୍ୟୁଟର ଉପରେ ଅଧିକ କାମ କରିବା ପାଇଁ ଚାହୁଁଥିଲି। ଆଲଗୋରିଦିମ୍ ଓ ଗେମିଂ ଉପରେ ଅଧିକରୁ ଅଧିକ କାମ କରିବା ପାଇଁ ଚାହୁଁ ଥିଲି। ସେଥିପାଇଁ “ଗୁଗୁଲ୍ “ମୋ ପାଇଁ ଅଧିକ ଉପଯୁକ୍ତ ଥିଲା ଓ ମୁଁ ଗୁଗୁଲକୁ ହିଁ ବାଛିଲି।

ଆଜି ମୁଁ ପ୍ରତିପାଦିତ କରି ପାରିଛି ଯେ ଜଣେ ଭିନ୍ନକ୍ଷମ ହେଲେ ମଧ୍ୟ ଅନ୍ୟ ସାଧାରଣ ସକ୍ଷମ ମଣିଷଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ । କେବଳ ଈଶ୍ୱରଙ୍କ ଆଶୀର୍ବାଦରୁ ମୁଁ ଆଜି ଏଭଳି ଏକ ସ୍ଥାନରେ ପହଞ୍ଚି ପାରିଛି। ଈଶ୍ବର ସର୍ବ ଶକ୍ତିମାନ୍, ସେ ସର୍ବ ଜ୍ଞାତା, ସେ ପରମ କରୁଣାମୟ , ସେ ଯାହା ବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ହିଁ କରନ୍ତି !!

ଶାରଳା ଭବନ ପୋତାପୋଖରୀ
ନୂଆବଜାର କଟକ

Leave A Reply

Your email address will not be published.