ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ନାମ ବଦଳ ଚାଲ୍କୁ ଜବାବ ଦେଇ ଭାରତ ନେଇଛି ଏକ ବଡ଼ ପଦକ୍ଷେପ। ଅରୁଣାଚଳ ପ୍ରଦେଶର ୨୭ଟି ସ୍ଥାନ ଓ ସେଗୁଡ଼ିକର ଭୌଗୋଳିକ ବିଶେଷତାର ମାନକ ନାମକୁ ଭାରତର ଅଫିସିଆଲ ମ୍ୟାପରେ ସାମିଲ କରାଯାଇଛି। ଭାରତୀୟ ସର୍ଭେ ବିଭାଗ ପକ୍ଷରୁ ଏହି ସ୍ଥାନଗୁଡ଼ିକୁ ମାନଚିତ୍ରରେ ଔପଚାରିକ ଭାବେ ଚିହ୍ନଟ କରାଯାଇଛି।
ଭାରତୀୟ ସର୍ଭେ ବିଭାଗର ଅରୁଣାଚଳ ପ୍ରଦେଶ ମ୍ୟାପରେ ଏହି ୨୭ଟି ସ୍ଥାନକୁ ସାମିଲ କରିବାର ଉଦ୍ଦେଶ୍ୟ ହେଉଛି ସେଗୁଡ଼ିକର ସଠିକ୍ ପରିଚୟକୁ ସୁନିଶ୍ଚିତ କରିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ଏନେଇ ଅଧିକ ସଚେତନତା ସୃଷ୍ଟି କରିବା। ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନାମ ଚୀନ ପକ୍ଷରୁ ବାରମ୍ବାର ବଦଳାଯାଉଥିବା ବେଳେ ଭାରତ ଏହି ପଦକ୍ଷେପ ନେଇଛି।
ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳକୁ ନେଇ ଚୀନ ପକ୍ଷରୁ ନାମ ପରିବର୍ତ୍ତନ କରାଯାଉଥିବା ଘଟଣାକୁ ଭାରତ ପୂର୍ବରୁ ମଧ୍ୟ ଅନେକ ଥର ଖାରଜ କରିଆସିଛି। ଭାରତର ସ୍ପଷ୍ଟ ମତ ରଖିଛି, ଏଭଳି ନାମ ବଦଳ କରିବାର ଚେଷ୍ଟା ନିରର୍ଥକ ଓ ଅଯୋଥା। ଏପରି ପଦକ୍ଷେପ ଦ୍ୱାରା ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଂଶ ଥିଲା, ଅଛି ଓ ରହିବ, ଏହି ସତ୍ୟକୁ ବଦଳାଇ ହେବ ନାହିଁ ବୋଲି ଭାରତ କହିଆସିଛି।
ଏବେ ଭାରତୀୟ ମ୍ୟାପରେ ଏହି ସ୍ଥାନଗୁଡ଼ିକର ମାନକ ନାମକୁ ଔପଚାରିକ ଭାବେ ସାମିଲ କରାଯିବାକୁ ଚୀନର ଏଭଳି ପଦକ୍ଷେପ ବିରୋଧରେ ଭାରତର ଏକ ସ୍ପଷ୍ଟ ପ୍ରଶାସନିକ ଓ ଭୌଗୋଳିକ ପଦକ୍ଷେପ ଭାବେ ଦେଖାଯାଉଛି।
ଭାରତର ଅଫିସିଆଲ ମ୍ୟାପରେ ସାମିଲ ହୋଇଥିବା ୨୭ଟି ସ୍ଥାନ ମଧ୍ୟରେ ବାସ୍ତବ ନିୟନ୍ତ୍ରଣ ରେଖା (LAC) ନିକଟରେ ଥିବା ଲୋଙ୍ଗ ଜୁ ମଧ୍ୟ ରହିଛି। ୧୯୫୯ ମସିହାରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ପ୍ରାରମ୍ଭିକ ସଂଘର୍ଷ ସ୍ଥଳଗୁଡ଼ିକ ମଧ୍ୟରୁ ଲୋଙ୍ଗ ଜୁ ଅନ୍ୟତମ। ସେତେବେଳେ ଚୀନ ସେନା ଏହି ଅଞ୍ଚଳକୁ ପ୍ରବେଶ କରିଥିଲା। ଅପର ସୁବନସିରି ଜିଲ୍ଲାର ଲୋଙ୍ଗ ଜୁ ନିକଟରେ ଥିବା ମାଜା ଗାଁକୁ ମଧ୍ୟ ମ୍ୟାପରେ ଚିହ୍ନଟ କରାଯାଇଛି। ଏହା ସହ ବିସା ଗାଁ ଏବଂ ଡ୍ଜୋ ଲା, ରିଜା ଲା ଓ ପୁକୁର ଲା ଭଳି ଗୁରୁତ୍ୱପୂର୍ଣ୍ଣ ପାହାଡ଼ିଆ ଦର୍ରାକୁ ମଧ୍ୟ ଅଫିସିଆଲ ମ୍ୟାପରେ ସ୍ଥାନ ମିଳିଛି।
ଏହି ତାଲିକାରେ ଥାଗ୍ ଲା ମଧ୍ୟ ରହିଛି। ଏହା ଏକ ରଣନୀତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉଚ୍ଚ ପାହାଡ଼ିଆ ଦର୍ରା। ୧୯୬୨ ଭାରତ-ଚୀନ ଯୁଦ୍ଧର ପ୍ରାରମ୍ଭିକ ସଂଘର୍ଷଗୁଡ଼ିକ ମଧ୍ୟରୁ ଗୋଟିଏ ଏହି ଅଞ୍ଚଳରେ ହୋଇଥିଲା। ୨୭ଟି ସ୍ଥାନର ତାଲିକାରେ ଚାଙ୍ଗଲାଙ୍ଗ ଜିଲ୍ଲାର ଜୟରାମପୁରକୁ ମଧ୍ୟ ସାମିଲ କରାଯାଇଛି। ଜୟରାମପୁରକୁ ପୂର୍ବ ସୀମା ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ଲଜିଷ୍ଟିକ୍ସ କେନ୍ଦ୍ର ଭାବେ ଦେଖାଯାଏ। ପୂର୍ବ ଅରୁଣାଚଳ ପ୍ରଦେଶ ଏବଂ ମ୍ୟାନମାର ସୀମା ଅଞ୍ଚଳ ଦିଗରେ ସୁରକ୍ଷାବଳଙ୍କ ଯାତାୟାତରେ ଏହାର ଗୁରୁତ୍ୱ ରହିଛି। ଏହା ବ୍ୟତୀତ ପୂର୍ବ ଅରୁଣାଚଳ ପ୍ରଦେଶର ଶମ୍ଭୁ ସରୋବର, ବଡ଼ା କୁଣ୍ଡୁନ ଓ ଛୋଟା କୁଣ୍ଡୁନକୁ ମଧ୍ୟ ମ୍ୟାପରେ ସାମିଲ କରାଯାଇଛି।
ତାଲିକାରେ ଧନ ବାଡ଼ି, ପ୍ରୀତନଗର, ତେରିତନଗର, ସାଗର, ପଦ୍ମା, ଜ୍ୟୋତିନଗର ଓ ବୈଶାଖୀ ଗାଁ ମଧ୍ୟ ରହିଛି। ତାୱାଙ୍ଗ ରୋଡ୍ରେ ଥିବା ରାମନଗର ଜସୱନ୍ତଗଡ଼କୁ ମଧ୍ୟ ଅଫିସିଆଲ ମ୍ୟାପରେ ଚିହ୍ନଟ କରାଯାଇଛି। ଏଠାରେ ୧୯୬୨ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ସେନାର ଯବାନ ଜସୱନ୍ତ ସିଂହ ରାୱତଙ୍କ ସ୍ମାରକ ରହିଛି।
ଏହି ତାଲିକାରେ ୧୯୬୨ ଯୁଦ୍ଧର ନାୟକ ତ୍ରିଲୋକ ସିଂହ ଥାପାଙ୍କ ସ୍ମୃତିରେ ନିର୍ମିତ ଶେର-ଏ-ଥାପା ସ୍ମାରକ ମଧ୍ୟ ରହିଛି। ଏହା ସହ ଛୋଟା ରୋପୁକ, ବଡ଼ା ରୋପୁକ, ଶିବାଜୀ ନଗର, ସୁନପୁରା, କମଲାଙ୍ଗ ଅଭୟାରଣ୍ୟ ନିକଟର କମଲାଙ୍ଗ ନଗର ଏବଂ ବୁଦ୍ଧ ମନ୍ଦିରକୁ ମଧ୍ୟ ମ୍ୟାପରେ ସାମିଲ କରାଯାଇଛି।
ଅରୁଣାଚଳ ପ୍ରଦେଶର ଅଞ୍ଚଳଗୁଡ଼ିକୁ ନେଇ ଚୀନର ନାମ ପରିବର୍ତ୍ତନ ପ୍ରୟାସ ନୂଆ ନୁହେଁ। ଚୀନ ଅରୁଣାଚଳ ପ୍ରଦେଶକୁ ‘ଜାଙ୍ଗନାନ’ ବୋଲି ଦାବି କରିଥାଏ। ଚୀନର ନାଗରିକ ବ୍ୟାପାର ମନ୍ତ୍ରଣାଳୟ ୨୦୧୭ରେ ଜାଙ୍ଗନାନ ଅଞ୍ଚଳର ୬ଟି ସ୍ଥାନର ମାନକ ନାମ ଥିବା ପ୍ରଥମ ତାଲିକା ଜାରି କରିଥିଲା। ଏହା ପରେ ୨୦୨୧ରେ ଆଉ ୧୫ଟି ସ୍ଥାନର ନାମ ଥିବା ଦ୍ୱିତୀୟ ତାଲିକା ପ୍ରକାଶ କରାଯାଇଥିଲା। ୨୦୨୩ରେ ଚୀନ ପୁଣି ୧୧ଟି ସ୍ଥାନର ନୂଆ ନାମ ଘୋଷଣା କରିଥିଲା। ଅର୍ଥାତ୍ ଚୀନ ପକ୍ଷରୁ ଏପର୍ଯ୍ୟନ୍ତ ମୋଟ ୩୨ଟି ସ୍ଥାନକୁ ନୂଆ ବା ‘କାଳ୍ପନିକ’ ନାମ ଦିଆଯାଇଛି।
ଭାରତ ଏହି ନାମକରଣକୁ ବାରମ୍ବାର ଖାରଜ କରି କହିଛି ଯେ, ଏଭଳି ନାମ ବଦଳ କରିବାର ପ୍ରୟାସ ଦ୍ୱାରା ଭୌଗୋଳିକ ବାସ୍ତବତା ବଦଳିବ ନାହିଁ। ଏପରି ପଦକ୍ଷେପ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱାଭାବିକ କରିବାର ପ୍ରୟାସକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ଭାରତ ପକ୍ଷରୁ କୁହାଯାଇଛି।
ଏଭଳି ସ୍ଥିତିରେ ଅରୁଣାଚଳ ପ୍ରଦେଶର ୨୭ଟି ସ୍ଥାନର ମାନକ ନାମକୁ ଭାରତର ଅଫିସିଆଲ ମ୍ୟାପରେ ସାମିଲ କରିବା ଦ୍ୱାରା ଏହି ସ୍ଥାନଗୁଡ଼ିକର ଭାରତୀୟ ପରିଚୟକୁ ଆହୁରି ସ୍ପଷ୍ଟ ଓ ଔପଚାରିକ କରାଯାଇଛି।
