Latest Odisha News

BREAKING NEWS

ଡଙ୍ଗରିଆକନ୍ଧଙ୍କ ପାଇଁ ଆବାସ ଯୋଜନା ପାଲଟିଛି ସାତ ସପନ

ରାୟଗଡ଼ା : ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଡଙ୍ଗରିଆକନ୍ଧ । ସରକାର ମାଳମାଳ ଯୋଜନା କରିଥିଲେ ମଧ୍ୟ ସେଥିରୁ ବଞ୍ଚିତ ହେଉଛନ୍ତି ଆଦିମ ଅଧିବାସୀ । ଆବାସ ଯୋଜନା ପାଲଟିଛି ତାଙ୍କ ପାଇଁ ସାତ ସପନ । ଆାମେ କହୁଛୁ ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆକନ୍ଧଙ୍କ କଥା । ନା ରହିବାକୁ ଅଛି ମୁଣ୍ଡଉପରେ କଂକ୍ରିଟର ଛାତ, ନା ଗାଁକୁ ଅଛି ସବୁଦିନିଆ ରାସ୍ତା । ଏଭଳି କି ଡଙ୍ଗରିଆକନ୍ଧ ପରିବାର କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ମଧ୍ୟ  ବଂଚିତ ହୋଇଥିବାର ସ୍ପଷ୍ଟ ଚିତ୍ର ଲୋକଲୋଚନକୁ ଆସିଛି ।

BjdElectrycity

ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ପ୍ରଦାନ ପାଇଁ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡି ନୟାନ୍ତ ହେବା ପରେ ମଧ୍ୟ ସେମାନଙ୍କୁ ମିଳୁନି ଆବାସ। ନିୟମଗିରି ପାହାଡର ୧୧୨ ଖଣ୍ଡ ଗାଁରେ ୨୫୦୦ ରୁ ଊର୍ଦ୍ଧ୍ୱ ଘର ରହିଛି । ତେବେ ବିଡମ୍ବନାର ବିଷୟ ହାତଗଣତି କିଛି ଜଣଙ୍କୁ ଛାଡି ଦେଲେ ଅନେକାଂଶ ଡଙ୍ଗରିଆକନ୍ଧ ଏହି ଆବାସ ଯୋଜନାରେ ସାମିଲ ହୋଇପାରି ନାହାଁନ୍ତି । ୨୦୦୨ ଓ ୨୦୦୩ ମସିହାରେ ଡଙ୍ଗରିଆକନ୍ଧ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆବାସ ଯୋଜନା ଆରମ୍ଭ କରାଯାଇଥିଲା । ସେତେବେଳେ ସେହି ଅଞ୍ଚଳର ଭୌଗଳିକ ସ୍ଥିତି ଦୃଷ୍ଟିରୁ କଂକ୍ରିଟ ଛାତ ବଦଳରେ ମାତ୍ର ୩୦ ହଜାର ଟଙ୍କାରେ ସମସ୍ତ ଡଙ୍ଗରିଆକନ୍ଧଙ୍କୁ ଆଜବେଷ୍ଟସ ଗୃହ ପ୍ରଦାନ କରାଯାଇଥିଲା ।

କିନ୍ତୁ ସେତେବେଳର ପାରିପାର୍ଶ୍ବିକ ସ୍ଥିତି ଏବଂ ବର୍ତ୍ତମାନର ସ୍ଥିତି ଭିତରେ ଯଦିଓ ପରିବର୍ତ୍ତନ ଘଟିଛି ତଥାପି ଏହି ନିୟମ ପ୍ରକାରେ ବର୍ତ୍ତମାନ ଡଙ୍ଗରିଆକନ୍ଧ ସମ୍ପ୍ରଦାୟ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ତେଣୁ ଏବେ ନିୟମଗିରିର ଡ଼ଙ୍ଗରିଆ ପୁରୁଣା ଭଙ୍ଗା ଆଜବେଷ୍ଟ ଘରକୁ ଅର୍ଥ ଅଭାବ ଯୋଗୁଁ ସଜାଡି ନ ପାରି ଛପର ଘରେ ରହିବାକୁ ବାଧ୍ୟ ହେଉଛନ୍ତି । କେବଳ ଡଙ୍ଗରିଆକନ୍ଧ ନୁହଁନ୍ତି ନିୟମଗିରିରେ ବସବାସ କରୁଥିବା କିଛି ପରିମାଣର କୁଟିଆକନ୍ଧ ମଧ୍ୟ ଏଥିରୁ ବାଦ୍‌ ପଡିଥିବା ଜଣାପଡିଛି । ଆବାସ ପ୍ରଦାନ ନେଇ ପ୍ରତିଦିନ ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସମୀକ୍ଷା ହେଉଥିବା ବେଳେ କିଭଳି ଡଙ୍ଗରିଆକନ୍ଧ ଆବାସ ଯୋଜନାରୁ ବାଦ୍‌ ପଡ଼ିଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏନେଇ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ସମସ୍ତ ଆଦିମ ଜନଜାତି ସମ୍ପ୍ରଦାୟ ଆବାସ ଯୋଜନାରେ ସାମିଲ ହେବା ନେଇ ପଦକ୍ଷେପ ଗ୍ରହଣ ହୋଇଛି । ଖୁବଶୀଘ୍ର ସେହି ପ୍ରତିବନ୍ଧକ ହଟିବ ଓ  ସମସ୍ୟା ଦୂର ହେବ ବୋଲି କହିଛନ୍ତି ମନ୍ତ୍ରୀ । ତେବେ କେବେ ଡଙ୍ଗରିଆକନ୍ଧ ଆବାସ ଯୋଜନାରେ ସାମିଲ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା  ।

 

Leave A Reply

Your email address will not be published.