Latest Odisha News

BREAKING NEWS

ସରକାରଙ୍କ ଅପାରଗତା ପାଇଁ ବନ୍ୟା ହେଲା :ବିଜେପି

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ଜନିତ କ୍ଷୟକ୍ଷତି ପ୍ରସଙ୍ଗରେ ରାଜ୍ୟ ବିଜେପି ପକ୍ଷରୁ ପ୍ରେସମିଟ୍ କରାଯାଇଛି । ବନ୍ୟାଞ୍ଚଳ ପରିଦର୍ଶନ କରି ଏକ ଚାର୍ଜସିଟ ପ୍ରସ୍ତୁତ କରିଛି ଦଳ । ରାଜ୍ୟରେ ହୋଇଥିବା ବନ୍ୟା ପାଇଁ ରାଜ୍ୟ ସରକାରଙ୍କୁ ସମ୍ପୁର୍ଣ୍ଣ ଦାୟୀ କରିଛି ବିଜେପି  ।

ସରକାରଙ୍କ ଅପାରଗତା ପାଇଁ ଏହି ବନ୍ୟା ହେଲା । ଏହା ଏକ ମନୁଷ୍ୟକୃତ ବନ୍ୟା । ସରକାରଙ୍କ ତତ୍ପରତା ଦେଖିବାକୁ ମିଳିନଥିଲା । ଲୋକ ପ୍ରସ୍ତୁତ ନଥିଲେ। କି ସରକାର ବି ପ୍ରସ୍ତୁତ ନଥିଲେ ।  ଫସଲହାନୀ ହେବା ସହ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ରାଜ୍ୟ ସରକାଙ୍କ ବନ୍ୟା ପରିଚାଳନାରେ ବିଫଳତା ଯୋଗୁଁ କ୍ଷତି ସହିଲେ ଓଡିଶା ବାସୀ । ମହାନଦୀ ରେ ଆସିଥିବା ବନ୍ୟା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛି ବିଜେପି । ସରକାର ଚାହିଁଥିଲେ ବନ୍ୟାକୁ ରୋକିପାରିଥାନ୍ତେ । ହୀରାକୁଦ ବନ୍ଧ ଜଳ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି । ରାଜ୍ୟରେ ହୋଇଥିବା କ୍ଷତି ପାଇଁ ରାଜ୍ୟ ସରକାର  ଓଡିଶା ବାସୀଙ୍କ ଆଗରେ ହାତ ଯୋଡ଼ି ଭୁଲ ମାଗନ୍ତୁ ବୋଲି ବିଜେପି ଦାବି କରିଛି   ।

ବନ୍ୟାସ୍ଥିତି ଅନୁଧ୍ୟାନ ପରେ ବିଜେପି ଏକ ଚାର୍ଜସିଟ ପ୍ରସ୍ତୁତ କରି ନିମ୍ନଲିଖିତ ଅଭିଯୋଗ ଆଣିଛି –

– ମହାନଦୀ ବେସିନରେ ଛତିଶଗଡ଼ ୬ଟି ଗଜ୍ ଷ୍ଟେସନ କରିଛି । ଓଡିଶା ଅଧିକାରୀ ମାନେ ଏହି ଗଜ୍ ଷ୍ଟେସନ ଗୁଡ଼ିକ ଉପରେ ନଜର ରଖିବା କଥା ଓ ପରିଚାଳନାର ପ୍ଲାନିଂ କରିବାର ଥିଲା । କିନ୍ତୁ ରାଜ୍ୟ ସରକାର କଲେ ନାହିଁ ।

– ଛତିଶଗଡ଼ ଓ ଓଡିଶା ସରକାର ପକ୍ଷରୁ ହୀରାକୁଦ ବନ୍ଧ ଜଳ ପରିଚାଳନା ଓ ନିଷ୍କାସନ ସମ୍ପର୍କରେ ଇଆଇସି ସ୍ତରୀୟ ଅଧିକାରୀଙ୍କ ବୈଠକ ହେବା କଥା ।  କିନ୍ତୁ ୩ରୁ ୪ ବର୍ଷ ହେଲା ଏହି ବୈଠକ ହେଉନାହିଁ ।

– ପ୍ରତି ୧୦ ବର୍ଷରେ ଥରେ ରୁଲ୍ କର୍ଭ ସଂଶୋଧନ ହେବା କଥା । କିନ୍ତୁ ୩୮ ବର୍ଷ ଭିତରେ ଥରେ ବି ସଂଶୋଧନ କରାଯାଇନାହିଁ । ଏମିତିକି ଚଳିତ ରୁଳ୍ କର୍ଭକୁ ମଧ୍ୟ ପାଳନ କରାଯାଉନାହିଁ ।

– ନଦୀର ଜଳ ଧାରଣ କ୍ଷମତା ଓ ନଦୀ ବନ୍ଧ ସୁରକ୍ଷାକୁ ନେଇ ୪ ବର୍ଷ ହେଲା କୌଣସି ସମୀକ୍ଷା ବୈଠକ କରାଯାଇନାହିଁ ।

– ୨୦୦୮ରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ପାଳନ କରାଯାଉନାହିଁ ।

– ପୂର୍ବରୁ ସରକାର ୭ଟି ବ୍ୟାରେଜ କରିବେ ବୋଲି ଘୋଷଣା କରିଥିଲେ ସରକାର । କିନ୍ତୁ ଏବେ ଯାଏଁ ଗୋଟିଏ ବି ହୋଇନାହିଁ ।

– ରିଲିଫ କୋଡ଼ ଅନୁଯାୟୀ ବନ୍ୟା ବିପନ୍ନଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ସରକାରଙ୍କ ଦାୟୀତ୍ୱ । ୪ଦିନ ପର୍ଯ୍ୟନ୍ତ ପ୍ରଶାସନ ଓ ରିଲିଫ ଲୋକଙ୍କ ପାଖରେ ପହଞ୍ଚିଲେ ନାହିଁ ।

– କୌଣସି ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଚୁଡା, ଚାଉଳ, ଚିନି ଆଦି ରଖିବା ଦରକାର । ହେଲେ କେଉଁଠି କିଛି ନଥିଲା ।

– ବନ୍ୟା ଜନିତ ଘର ଭଙ୍ଗା ଓ ଫସଲ କ୍ଷତିର ଆକଳନ କରିବାରେ ବିଫଳ ହୋଇଛନ୍ତି ସରକାର ।

– କୃଷି ମନ୍ତ୍ରୀ କହିଲେ ୭ଦିନରେ ରିପୋର୍ଟ ଆସିବ । ମୁଖ୍ୟମନ୍ତ୍ରୀ କହିଲେ ୧୫ ଦିନରେ କ୍ଷତିପୂରଣ ପ୍ରଦାନ କରାଯିବ । କିନ୍ତୁ ୨ ସପ୍ତାହ ପରେ ବି କ୍ଷୟକ୍ଷତିର ଆକଳନ କରିବାକୁ ପହଞ୍ଚିପାରିନାହିଁ ସରକାରୀ ଟିମ । ଏହିଭଳି ଅଭିଯୋଗ ଆଣିବା ସହ ରାଜ୍ୟରେ ହୋଇଥିବା ବନ୍ୟା ପାଇଁ ରାଜ୍ୟ ସରକାରଙ୍କୁ ସମ୍ପୁର୍ଣ୍ଣ ଦାୟୀ କରିଛି ବିଜେପି

ଏହି ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ବିଜେପି ସଭାପତି ସମାର ମହାନ୍ତି , ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ବିଜେପି ପୂର୍ବତନ ସଭାପତି ମନମୋହନ ସାମଲ ,ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ , ବିଜେପି ନେତା ସୁରଥ ବିଶ୍ୱାଳ ଓ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ  ।

Leave A Reply

Your email address will not be published.