Latest Odisha News

BREAKING NEWS

ସୁନା ଅଳଙ୍କାରରେ ହଲମାର୍କ ହେବ ବାଧ୍ୟତାମୂଳକ: ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ କଠୋର ଦଣ୍ଡବିଧାନ

ନୂଆଦିଲ୍ଲୀ: ଏଣିକି ଦେଶରେ ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କକୁ ବାଧ୍ୟତାମୂଳକ କରାଯିବ। ଆସନ୍ତା ୧୫ ଜାନୁଆରୀ ୨୦୨୧ ତାରିଖ ଠାରୁ ଏହି ନିୟମ ସମ୍ପୂର୍ଣ୍ଣ ଭାବେ ବାଧ୍ୟତାମୂଳକ ହେବ ।

ନିୟମ ଲାଗୁ କରିବା ନିମନ୍ତେ ଗୋଟିଏ ବର୍ଷର ସମୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ରାମବିଳାସ ପାସୱାନ ।

ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପାସୱାନ କହିଛନ୍ତି ଯେ, ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କିଂକୁ ବାଧ୍ୟତାମୂଳକ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ଫଳରେ ଅଳଙ୍କାରର ଶୁଦ୍ଧତା ବଜାୟ ରହିବା ସହିତ ଅଳଙ୍କାର କିଣିବା ସମୟରେ ଗ୍ରାହକମାନେ ଆଉ ଠକାମିରେ ପଡ଼ିବେ ନାହିଁ ।

ସୁନାର ଶୁଦ୍ଧତା ନେଇ ସେମାନେ ଭଲ ଭାବେ ସୂଚୀତ ହୋଇପାରିବେ । ବର୍ତମାନ କେବଳ ତିନୋଟି କ୍ୟାରେଟ ୧୪, ୧୮ ଓ ୨୨ରେ ସୁନା ଅଳଙ୍କାର ମିଳିବ ଓ ଏହାଦ୍ୱାରା ଦୁର୍ନୀତି ଦୂର ହେବ । ହଲମାର୍କିଂ ବାଧ୍ୟତାମୂଳକ ହେବା ପରେ ଏହାର ଉଲ୍ଲଙ୍ଘନ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଠାରୁ ଆରମ୍ଭ କରି ଠକାମି ହୋଇଥିବା ଗହଣାର ୫ ଗୁଣା ମୂଲ୍ୟ ପର୍ଯ୍ୟନ୍ତ ଜୋରିମାନା କିମ୍ବା ଜେଲ ଦଣ୍ଡ ବିଧାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହି ବାଧ୍ୟତାମୂଳକ ନିୟମ ପାଇଁ ୧ବର୍ଷର ସମୟ ଦିଆଯିବା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ପାସୱାନ କହିଚଗନ୍ତି ଯେ, ଏହି ଅବଧି ମଧ୍ୟରେ ଅଳଙ୍କାର ବ୍ୟବସାୟୀମାନେ ସେମାନଙ୍କ ପଞ୍ଜିକରଣ ପ୍ରକ୍ରିୟା ପୂରଣ କରିପାରିବେ । ଏହାଛଡ଼ା ଅଳଙ୍କାର ବ୍ୟବସାୟୀ ଓ ଖୁଚୁରା ବ୍ୟବସାୟୀମାନେ ସେମାନଙ୍କ ପୁରୁଣା ସାମଗ୍ରୀକୁ ବିକ୍ରି କରିବା ଲାଗି ସମୟ ପାଇବେ । ଏହି ସମୟ ମଧ୍ୟରେ ବିଭିନ୍ନ ଘରୋଇ ଉଦ୍ୟୋଗୀଙ୍କ ଦ୍ୱାରା ଅତିରିକ୍ତ ଧାତୁ ପରୀକ୍ଷଣ ଓ ହଲମାର୍କିଂ କେନ୍ଦ୍ର ପ୍ରତିଷ୍ଠା କରାଯାଇପାରିବ ।

ଏଗୁଡ଼ିକ ଚାହିଦା ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ । ତେବେ ଯେଉଁଠି ଏହି କେନ୍ଦ୍ର ନଥିବ ସେହି ଅଂଚଳକୁ ଅଧିକ ପ୍ରାଥମିକତା ଦିଆଯିବ ।

୩୧ ଡିସେମ୍ବର, ୨୦୧୯ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଦେଶର ୨୩୪ଟି ଜିଲ୍ଲାରେ ୮୯୨ଟି ଧାତୁ ପରୀକ୍ଷଣ ଏବଂ ହଲମାର୍କ କେନ୍ଦ୍ର ରହିଛି ଏବଂ ୨୮,୮୪୯ ଜଣ ଅଳଙ୍କାର ବ୍ୟବସାୟୀ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ)ରେ ପଞ୍ଜିକୃତ ହୋଇସାରିଛନ୍ତି ।

୨୦୧୮ ମସିହା ଜାନୁଆରୀ ୧୪ ଠାରୁ ବିଆଇଏସ (ହଲମାର୍କିଂ) ନିୟାମକ, ୨୦୧୮ ବିଜ୍ଞପ୍ତି ଜାରି ହୋଇଥିଲା । ଏପ୍ରିଲ ୨୦୦୦ ପରଠାରୁ ବିଆଇଏସ ପକ୍ଷରୁ ସୁନା ଅଳଙ୍କାରର ହଲ ମାର୍କିଂ ବ୍ୟବସ୍ଥା କରାଯାଇଛି । ବିଆଇଏସ ଆଇନ ୨୦୧୬ର ଧାରା ୧୪ ଏବଂ ଧାରା ୧୬ ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ଦ୍ୱାରା ସୁନା ଅଳଙ୍କାର ଓ କଳାକୃତିଗୁଡ଼ିକର ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି ।

ଫଳରେ କେବଳ ହଲମାର୍କଯୁକ୍ତ ସୁନା ଅଳଙ୍କାର ଓ କଳାକୃତି ବିକ୍ରି କରିବା ବିଆଇଏସରେ ପଞ୍ଜିକୃତ ହେବାକୁ ସମସ୍ତ ଅଳଙ୍କାର ବ୍ୟବସାୟୀଙ୍କ ପାଇଁ ବାଧ୍ୟତାମୂଳକ କରି ଦିଆଯାଇଛି ।

ଗ୍ରାହକଙ୍କ ଜାଣିବା ଲାଗି ଅଳଙ୍କାର ଉପରେ କ୍ୟାରେଟ ଉଲ୍ଲେଖ କରାଯିବ- ୨୨ କ୍ୟାରେଟ ଅଳଙ୍କାର ପାଇଁ ୨୨କେ ସହିତ ୯୧୬, ୧୮ କ୍ୟାରେଟ ପାଇଁ ୧୮କେ ସହିତ ୭୫୦ ଏବଂ ୧୪ କ୍ୟାରେଟ ଅଳଙ୍କାର ପାଇଁ ୧୪ କେ ସହିତ ୫୮୫ ରହିବ ।

ହଲମାର୍କ ଯୁକ୍ତ ସୁନା ଅଳଙ୍କାର ଉପରେ ୪ଟି ଚିହ୍ନ ରହିବ, ଯଥା- ବିଆଇଏସ ଚିହ୍ନ, କ୍ୟାରେଟରେ ଶୁଦ୍ଧତା ଓ ସ୍ୱଚ୍ଛତା, ପରୀକ୍ଷଣ କେନ୍ଦ୍ରର ପରିଚୟ ଚିହ୍ନ ଏବଂ ଅଳଙ୍କାର ବ୍ୟବସାୟୀଙ୍କ ଚିହ୍ନ ।

ସୁନା ଅଳଙ୍କାରରେ ହଲମାର୍କିଂକୁ ବାଧ୍ୟତାମୂଳକ କରିବା ଲାଗି ଗ୍ରାହକ ଓ ଅଳଙ୍କାର ବ୍ୟବସାୟୀଙ୍କ ପାଇଁ ଦେଶର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସୋସିଆଲ ମିଡିଆ ଓ ଅନ୍ୟ ମଂଚ ଜରିଆରେ ବିଆଇଏସ ଗ୍ରାହକଙ୍କ ପାଖରେ ପହଁଚିବା ଲାଗି ମଧ୍ୟ ଯୋଜନା କରୁଛି ।

Leave A Reply

Your email address will not be published.