Latest Odisha News

ଓଡ଼ିଶୀ ନୃତ୍ୟ ମହାକୁମ୍ଭରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦ୍‍ଘାଟିତ

ଭୁବନେଶ୍ୱର : ତିନିଦିନ ଧରି ହେବାକୁ ଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦ୍‍ଘାଟନ ହୋଇଥିଲା । ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଫୁଲ୍ଲ କର ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନାରୁ । ବୃନ୍ଦଗାନରେ ସେମାନେ ପ୍ରସ୍ତୁତ କରିଥିଲେ ଶିବ ବନ୍ଦନା ଓଁ ନମଃ ଶିବାୟ । ଏହି ସମବେତ ସଙ୍ଗୀତକୁ ନିର୍ଦ୍ଦେଶନା ଦେଇଥିଲେ ନିଜେ ପ୍ରଫୁଲ୍ଲ କର ।

ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ପଣ୍ଡିଚେରୀରୁ ଆସିଥିବା ଓଡ଼ିଶୀ ନୃତ୍ୟ ଶିଳ୍ପୀ ସଙ୍ଗିତା ଦାସଙ୍କ ଏକକ ଓଡ଼ିଶୀ । ତାଙ୍କର ପ୍ରଥମ ଅର୍ଘ୍ୟ ଥିଲା ଅଭିନୟ ଶିବ ଆରାଧନା ଓ ଲକ୍ଷ୍ମୀ ସ୍ତୁତି ପରେ ପରେ ରାଧାକୃଷ୍ଣଙ୍କ ଉପରେ ଆଧାରିତ ଅଭିନୟ କି ଶୁଣିବି ଆଜ ନୂଆ କରି ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଓ ନୃତ୍ୟ ସଂରଚନା କରିଥିଲେ ନିଜେ ଗୁରୁ ସଙ୍ଗୀତା ଦାସ ।

ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ଲିମା ଭଳ ଓ ଅରୂପା ଗାୟତ୍ରୀଙ୍କ ଦ୍ୱାରା ପ୍ରଥମେ ଅଭିନୟ କି ନାଦରେ ପରେ ପରେ ଶକ୍ତି ବହୁ ରୂପ । ଶେଷ କାର୍ଯ୍ୟକ୍ରମ ଥିଲା ଦଳଗତ ନୃତ୍ୟରୁ, ପାର୍ବତୀ ଦତ୍ତ ଓ ସାଥୀଙ୍କ ଦ୍ୱାରା ପ୍ରଥମେ ମଙ୍ଗଳା ଚରଣ ଶିବ ବନ୍ଦନା ପରେ ପରେ ସେମାନଙ୍କ ପ୍ରସ୍ତୁତିରେ ଥିଲା ପ୍ରତିବିମ୍ବ । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଅଭିନୟ ପୁଣି ଥରେ ଆସ ଏବଂ ଶେଷରେ ସଂସ୍କୃତ ମନ୍ତ୍ର ଓମ ମଣି ପଦ୍ମେ ହମ ପରିବେଶିତ ହୋଇଥିଲା ଯାହାର ନୃତ୍ୟ, ସଙ୍ଗୀତ ଓ ତାଳ ସଂଯୋଜନା କରିଥିଲେ ନିଜେ ଗୁରୁ ପାର୍ବତୀ ଦତ୍ତ ।

ଉଦ୍‍ଘାଟନୀ ସଂଧ୍ୟାର ଏହି ମନୋରମ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥିଲେ । ଆଜି ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଓଡ଼ିଶା ପର୍ଯ‎୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର; ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି; ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ଼. ସଙ୍ଗୀତା
ଗୋସାଇଁ ।

କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ମୃତ୍ତ୍ୟଞ୍ଜୟ ରଥ ଏବଂ ସଂହତି ପାଣି । ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ, ସହନିର୍ଦ୍ଦେଶକ, ପର୍ଯ୍ୟଟନ ଅଧିକାରୀ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ

Leave A Reply

Your email address will not be published.