Latest Odisha News

BREAKING NEWS

ପ୍ରେମ ପାଇଁ ମହାଭାରତ: ୧୦ ଅଟକ, ୨ ସେକ୍ସନ ପୋଲିସ ମୁତୟନ

ସମ୍ବଲପୁର: ପ୍ରେମ ପାଇଁ ମହାଭାରତ । ଯୁବକ-ଯୁବତୀଙ୍କ ପ୍ରେମ ସମ୍ପର୍କ ପାଇଁ ମୁହାଁମୁହିଁ ହେଲେ ଦୁଇ ପଡାବାସୀ । ପ୍ରଥମେ ଗାଳିଗୁଲଜ ଓ ପଥରମାଡ ପରେ ଗୋଷ୍ଠୀ ସଂଘର୍ଷର ବଦଳିଲା ଘଟଣା । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ନାକେଦମ ହେଲା ପୋଲିସ । ଘଟଣା ଘଟିଛି ସମ୍ବଲପୁର ସହର କ୍ଷେତରାଜପୁର ଥାନା ଅନ୍ତର୍ଗତ ତାଳଭାଟା ପଡାରେ ।

ମିଳିଥିବା ସୂଚନା ଅନୁସାରେ, ଜଣେ ଯୁବତୀ ଗତ ସୋମବାର ବିଳମ୍ବିତ ରାତିରେ ନିଜ ପ୍ରେମିକକୁ ଭେଟିବାକୁ ଯାଇଥିଲେ l ତେବେ ଉଭୟ ପ୍ରେମୀ ଯୁଗଳ କଥା ହେଉଥିବା ବେଳେ ଯୁବତୀଙ୍କ ଭାଇ ସେମାନଙ୍କୁ ଦେଖି ଦେଇଥିଲେ । ଏଥିରେ ରାଗି ଯାଇ ଯୁବତୀଙ୍କ ଭାଇ ଦୁହିଁଙ୍କୁ ମାଡ ମାରିବା ସହ ଗାଳି ଗୁଲଜ କରିଥିଲେ । ଏ ସମ୍ପର୍କରେ ଯୁବକ ଜଣକ ତାଙ୍କ ମାମୁଁଙ୍କୁ ଜଣାଇଥିଲେ । ଏହାପରେ ଯୁବକଙ୍କ ମାମୁଁ ଯୁବତୀଙ୍କ ପଡାକୁ ଆସି ଗାଳିଗୁଲଜ କରିଥିଲେ ।

ଏହାକୁ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ଉଭୟ ପଡାର ଯୁବକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ବିଳମ୍ବିତ ରାତିରେ ଘଟଣାଟି ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି ଚାର୍ଜ ମଧ୍ୟ କରିଥିଲା । ପଥରମାଡ଼ରେ ଉଭୟ ପକ୍ଷର ଏକାଧିକ ଲୋକ ଆହତ ହୋଇଥିବା ବେଳେ ଜଣେ ପୋଲିସ ମଧ୍ୟ ଆହତ ହୋଇଛନ୍ତି । ଏବେ ବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଘଟଣାସ୍ଥଳରେ ୨ ସେକ୍ସନ ପୋଲିସ ମୁତୟନ ହୋଇଛନ୍ତି । ଏହି ପଥରମାଡ ଘଟଣାରେ ଉଭୟ ପକ୍ଷର ୧୦ ଜଣ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି l

Leave A Reply

Your email address will not be published.