Latest Odisha News

BREAKING NEWS

ରାତି ପାହିଲେ ସ୍ନାନଯାତ୍ରା, ମହାପ୍ରଭୁଙ୍କ ସେନାପଟା ଲାଗି କଲେ ସେବାୟତ

ପୁରୀ : ରାତି ପହିଲେ ସ୍ନାନଯାତ୍ରା । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ସେନାପଟା ଲାଗି କରିଛନ୍ତି ଦଇତାପତି ସେବକ । ନୀତି ନିର୍ଘଣ୍ଟ ଅନୁଯାୟୀ, ଆଜି ରାତି ଗୋଟାଏରୁ ପହଣ୍ଡି କରିବାକୁ ହୋଇଛି ନିଷ୍ପତ୍ତି । କଟକଣାକୁ ଦୃଷ୍ଟିରେ ରଖି ୩୫ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୧୫ଟି ସିସିଟିଭି ଜରିଆରେ ଆଇନ ଶୃଙ୍ଖଳା ସ୍ଥିତି ଅନୁଧ୍ୟାନ କରାଯିବ । ବଡଦାଣ୍ଡର ମାର୍କେଟ ଛକଠାରୁ ଆରମ୍ଭ କରି କାକୁଡିଖାଇ ଛକ, ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ବାଲି ସାହି, ହରଚଣ୍ଡୀ ସାହି, ଦୋଳମଣ୍ଡପ ସାହି, ଲବଣିଖିଆ ଛକ, ଖୁଣ୍ଟିଆ ସାହି, ଛପନ ଛକ, ଭୋଗଜାଗା ଓ ଲୋକନାଥ ରୋଡ଼ ଆଦି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ଆଜି ରାତି ୧୦ଟାରୁ ଆସନ୍ତା ୨୫ ତାରିଖ ରାତି ୨ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯିବ ।

ଭକ୍ତମାନେ ଚଳିତବର୍ଷ ସ୍ନାନନୀତି ଓ ହାତୀବେଶ ଦର୍ଶନ ସିଧାପ୍ରସାରଣ ମାଧ୍ୟମରେ ଦେଖିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ସେପଟେ ସ୍ନାନଯାତ୍ରା ପାଇଁ ଆଜି ସେବାୟତଙ୍କୁ ପାସ ବଣ୍ଟନ କରାଯାଇଛି । ଆରଟିପିସିଆର ନେଗେଟିଭ ରିପୋର୍ଟ ଓ ପାସ ପାଇଥିବା ସେବାୟତ ହିଁ ସ୍ନାନଯାତ୍ରାରେ ସାମିଲ ହେବେ । ରାତି ଗୋଟାଏରେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ କରାଯାଇ ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ନାନବେଦୀ ଉପରକୁ ବିଜେ କରାଯିବ । ପହଣ୍ଡି ପରେ ମଙ୍ଗଳ ଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇ ସକାଳେ ପ୍ରତ୍ୟକ୍ଷ ସ୍ନାନ ଅନୁଷ୍ଠିତ ହେବ ।

ସୁନା ଗୋସେଇଁଙ୍କ ଦ୍ବାରା ସୁନାକୂଅରୁ ସଂଗୃହିତ ସୁବାସିତ ଜଳକୁ ଆଜିଠାରୁ ଅଧିବାସ ଗୃହରେ ରଖାଯାଇଥିବା ବେଳେ, ଆସନ୍ତାକାଲି ଗରାବଡୁ ସେବକମାନେ ସଂଗୃହିତ ଜଳକୁ ସ୍ନାନ ବେଦୀକୁ ଆଣିବେ । ଏହାପରେ ପଞ୍ଚ ଉପଚାର ବିଧିରେ ମେକାପଙ୍କ ସହାୟତାରେ ମହାପ୍ରଭୁଙ୍କୁ ଜଳଲାଗି କରାଯିବ । ପରେ ମହାପ୍ରଭୁଙ୍କ ଛେରା ପହଁରା ନୀତି ଓ ହାତୀବେଶ କରାଯାଇ ଭୋଗ ଅନୁଷ୍ଠିତ ହେବ । ଏ ସମସ୍ତ ନୀତି କରିବା ନେଇ ଶ୍ରୀମନ୍ଦିର ମଧ୍ୟକୁ କେବଳ ସୀମିତ ସେବାୟତମାନେ ଯିବା ପାଇଁ ଅନୁମତି ଦିଆଯାଇଛି । ଆରଟିପିସିଆର ଟେଷ୍ଟ ହୋଇଥିବା ୯୦ ପ୍ରତିଶତ ସେବାୟତଙ୍କ ରିପୋର୍ଟ ନେଗେଟିଭ ଆସିଛି । ତେବେ ଅନୁମତି ଥିବା ସେବକଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

Leave A Reply

Your email address will not be published.