ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏଡିସି ଭାବେ କାର୍ଯ୍ୟ କରିବା ସମୟରେ ଇଣ୍ଟରନେଟରେ ବେଶ ଲୋକପ୍ରିୟତା ହାସଲ କରିଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଭାରତୀୟ ସେନାରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି । ସୋସିଆଲ ମିଡିଆରେ ‘ନ୍ୟାସନାଲ କ୍ରସ୍’ ଭାବେ ପରିଚିତ ଏହି ଯୁବ ଅଫିସର ୧୨ ବର୍ଷର ଦୀର୍ଘ ସେବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି । ନିକଟରେ ସେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟି ଆନୁଷ୍ଠାନିକ ଭାବେ ବିଦାୟ ନେଇଥିଲେ । ଗତ ଅଗଷ୍ଟ ୨୧ ତାରିଖରେ ହୋଇଥିବା ଏହି ସାକ୍ଷାତକାରର ଫଟୋ ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ତଥା ଆଶୀର୍ବାଦ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।
ମେଜର ରିଷଭ ଜାମ୍ମୁ ଓ କଶ୍ମୀରର ଏକ ଡୋଗ୍ରା ରାଜପୁତ ପରିବାରରୁ ଆସିଛନ୍ତି, ଯେଉଁମାନଙ୍କର ସେନା ସହ ଏକ ପୁରୁଣା ସମ୍ପର୍କ ରହିଛି । ୨୦୧୩ ମସିହାରେ ସେ ଏନଡିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୨୦୧୭ ମସିହାରେ ସେ ଆନ୍ତର୍ଜାତିକ ସମ୍ପର୍କରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ଯୋଗ ଦେଇଥିଲେ । ସେନାବାହିନୀରେ ତାଙ୍କର କ୍ୟାରିୟର ବେଶ୍ ଗୌରବମୟ ଥିଲା । ୨୦୨୧ ମସିହାର ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ସେ କ୍ୟାପଟେନ ଭାବରେ ଜାଟ୍ ରେଜିମେଣ୍ଟର ନେତୃତ୍ୱ ନେଇ ଶ୍ରେଷ୍ଠ ମାର୍ଚ୍ଚିଂ କଣ୍ଟିଜେଣ୍ଟ୍ ଟ୍ରଫି ହାସଲ କରିଥିଲେ । ଏହା ବ୍ୟତୀତ ସେ ସେନାର ସ୍ୱତନ୍ତ୍ର ୪ ପାରା ସ୍ପେଶାଲ ଫୋର୍ସ ସହ ମଧ୍ୟ ସଫଳତାର ସହ କାର୍ଯ୍ୟ କରିଛନ୍ତି ଏବଂ ବହୁତ କମ୍ ସୈନିକ ପାଉଥିବା ସମ୍ମାନଜନକ ‘ବଳିଦାନ ବ୍ୟାଜ୍’ ଲାଭ କରିଛନ୍ତି ।
୨୦୨୩ ମାର୍ଚ୍ଚ ମାସରେ ତାଙ୍କୁ ରାଷ୍ଟ୍ରପତିଙ୍କ ଏଡିସି ଭାବେ ନିଯୁକ୍ତ କରାଯାଇଥିଲା । ଏହି ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଓ ପ୍ରୋଟୋକଲ ପରିଚାଳନାରେ ତାଙ୍କର ନିଷ୍ଠା ତାଙ୍କୁ ଦେଶବ୍ୟାପୀ ପରିଚିତ କରାଇଥିଲା । ସଫଳତାର ଶୀର୍ଷରେ ଥାଇ ଅଚାନକ ସେନା ଛାଡିବା ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଇନଷ୍ଟାଗ୍ରାମ ଲାଇଭ୍ରେ ଆସି ସେ ନିଜ ପ୍ରଶଂସକଙ୍କୁ ଏହାର ପ୍ରକୃତ କାରଣ ଜଣାଇଛନ୍ତି ।
ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଏବଂ ପାରିବାରିକ କାରଣରୁ ସେ ଏହି ପ୍ରି-ମ୍ୟାଚୁର୍ ରିଟାୟାରମେଣ୍ଟ ନେଇଥିବା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, “ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏମିତି କିଛି ସମୟ ଏବଂ ପରିସ୍ଥିତି ଆସେ, ଯାହା ସବୁକିଛି ବଦଳାଇ ଦିଏ”। ଅବସର ପରେ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ଚାଲିଥିବା ଗୁଜବକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ବର୍ତ୍ତମାନ ତାଙ୍କର କୌଣସି ବିବାହ ଯୋଜନା ନାହିଁ ଏବଂ ଆଗକୁ ସେ ଏକ ସାଧାରଣ ନାଗରିକ ଭାବେ ଦେଶର ଉନ୍ନତି ଓ ବିକାଶରେ ଅବଦାନ ଦେବେ ବୋଲି ଲିଙ୍କଡଇନ୍ ଓ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।

