Latest Odisha News

BREAKING NEWS

ଜ୍ଞାନବ୍ୟାପୀ ମସଜିଦ ମାମଲା: ହାଇକୋର୍ଟଙ୍କ ରାୟ ପରେ ଆରମ୍ଭ ହେଲା ASI ସର୍ଭେ

ନୂଆଦିଲ୍ଲୀ: ଆଜି ସକାଳ ୭ଟା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’ ଟିମ୍‌ ବିଜ୍ଞାନଭିତ୍ତିକ ସର୍ଭେ ଆରମ୍ଭ କରିଛି। ୪୧ ସଦସ୍ୟ ଥିବା ଏଏସଆଇ ଟିମ୍ ଦ୍ୱାରା ସର୍ଭେ କରାଯାଉଛି । ଅନ୍ୟପଟେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମୁସଲିମ୍ ପକ୍ଷଙ୍କ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ ।

ଜୁଲାଇ ୨୧ରେ ବାରାଣାସୀ ଜିଲ୍ଲା ଜଜ୍ ଜ୍ଞାନବ୍ୟାପୀର ଏଏସଆଇ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ ବିରୋଧ କରି ମୁସଲିମ ପକ୍ଷ ପ୍ରଥମେ ସୁପ୍ରିମକୋର୍ଟରେ ଏବଂ ପରେ ହାଇକୋର୍ଟରେ ଏଏସଆଇ ସର୍ଭେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ମୁସଲିମ ପକ୍ଷ ଆବେଦନ କରିଥିଲା ଯେ, ଏହି ସର୍ଭେ ଢାଞ୍ଚା ଜ୍ଞାନବ୍ୟାପୀ ଉପରେ କ୍ଷତି ପହଞ୍ଚାଇବ। ତେଣୁ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ସର୍ଭେ ଦାୟିତ୍ୱ ଏଏସଆଇକୁ ଦିଆନଯାଉ।

ଏହା ପରେ ଏଏସଆଇ ପକ୍ଷରୁ ଏକ ଆଫିଡେଭିଟ ଦାଖଲ କରାଯାଇ କୁହାଯାଇଥିଲା । ସର୍ଭେରୁ ମସଜିଦକୁ କୌଣସି କ୍ଷତି ପହଞ୍ଚିବ ନାହିଁ ବୋଲି ଶୁଣାଣି ସମୟରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଏକ ପ୍ରମାଣପତ୍ର ଦେଇଥିଲା। ଗତକାଲି ଏହାର ଶୁଣାଣି କରି ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟଙ୍କ ନିଷ୍ପତ୍ତି ପରେ ଜ୍ଞାନବ୍ୟାପୀ କ୍ୟାମ୍ପସରେ ଏଏସଆଇ ସର୍ଭେ ଆରମ୍ଭ ହୋଇଛି।

ସୁଚନା ଅନୁଯାୟୀ, ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଜ୍ଞାନବାପି ମସଜିଦ ଅବସ୍ଥିତ ଥିବାବେଳେ ଏହାକୁ ନେଇ ବିବାଦ ଦେଖାଯାଇଥିଲା । ମସଜିଦ ପରିସରରେ ପୂଜାର୍ଚ୍ଚନା କରିବା ଲାଗି ଅନୁମତି ଦେବା ସକାଶେ ଏକ ନିମ୍ନକୋର୍ଟରେ କିଛି ମହିଳା ଆବେଦନ କରିବା ପରେ ଏହି ବିବାଦ ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଥିଲା । ଗତବର୍ଷ ମସଜିଦ ପରିସରରେ ଏକ ଭିଡିଓ ସର୍ଭେ ଲାଗି କୋର୍ଟ ଆଦେଶ ଦେଇଥିଲେ । ସର୍ଭେ ବେଳେ ମସଜିଦ ପରିସରରେ ଏକ ଶିବଲିଙ୍ଗ ପରି ଏକ ଜିନିଷ ଥିବା କୁହାଯାଇଥିଲା । ଗତ ସେପ୍ଟେମ୍ବର ୨୦୨୨ରେ ପୂଜାର୍ଚ୍ଚନା କରିବା ଲାଗି ଅନୁମତି ନଦେବାକୁ ମସଜିଦ କମିଟିର ଏକ ପିଟିସନକୁ ଖାରଜ କରିଥିଲେ ବାରାଣସୀ ଜିଲ୍ଲା କୋର୍ଟ ।

Leave A Reply

Your email address will not be published.