Latest Odisha News

ଆମ ସାହିତ୍ୟରେ ଭଲକୁ ଭଲ କହିବାପାଇଁ ଲୋକ ନାହାନ୍ତି : ହରପ୍ରସାଦ ଦାସ

ହରପ୍ରସାଦ ଦାସ ଓଡ଼ିଆ କବିତା ଓ ଗଦ୍ୟରଚନାରେ ଜଣେ ଧାରାପ୍ରବର୍ତ୍ତକ । ଅବଶ୍ୟ ଅନେକ ସମୟରେ ଅନେକ କାରଣରୁ ସେ ବିବାଦୀୟ; ତେବେ ତରୁଣ କବିଙ୍କ ପାଇଁ ସେ ଯାହା କରିଛନ୍ତି ଅନ୍ୟ କୌଣସି ପ୍ରବୀଣ ଓଡ଼ିଆ କବି ସେତିକି କରିନାହାନ୍ତି, ଏହା ନିଃସଂଦେହ । ତାଂକ ସହ ସରୋଜ ବଳଙ୍କ ଏକ ବିରଳ ଆଳାପ:

“ଆମ ସାହିତ୍ୟରେ ଭଲକୁ ଭଲ କହିବାପାଇଁ ଲୋକ ନାହାନ୍ତି”
– ହରପ୍ରସାଦ ଦାସ

ସାର୍‍ ନମସ୍କାର । ଆପଣ ତରୁଣ କବିଙ୍କ ଗୁରୁ । ଆପଣ ଯୋଉବର୍ଷ ଟ୍ରାନ୍‍ସଫର୍‍ ହେଇ ରାଂଚି ପଳେଇଲେ, ସେ ବର୍ଷ କୋଉଗୋଟେ ଫଙ୍କ୍‍ସନରେ ଗାଳ୍ପିକ ଅଜୟ ସ୍ୱାଇଁ ଗୋଟେ ଦୁଇଧାଡ଼ିଆ କବିତା ଗାଇଥିଲେ-
ସବୁ ଚେଲାଙ୍କୁ ଧରେଇ ଦେଇ ତାଲା
ଦେଲ ନାହିଁ କୁଂଚି
ଗୁରୁ ହେ, ତମେ ପଳେଇଗଲ ରାଂଚି ।
ଆପଣ କ’ଣ ସତରେ ତରୁଣ କବିଙ୍କ ଗୁରୁ ଭାବେ ନିଜକୁ ଘୋଷିତ କରିବାକୁ ଚାହିଁଥିଲେ ଓ ଚାହିଁବେ?

ହେଃ ମୁଁ ଗୁରୁ ଫୁରୁ କିଛି ନୁହେଁ, କବିତାରେ ସୃଜନଶୀଳତାର ପାଗଳାମି ଦେଖିବା ପାଇଁ ଯାତ୍ରା ଆରମ୍ଭର ବହୁ ଆଗରୁ ଟିକଟ୍ କାଟି ବସିଥିବା ଜଣେ ଯାତ୍ରା ଖୋର୍ ଦର୍ଶକ ମାତ୍ର! ପ୍ରିୟ ଅଜୟ ମୋତେ ଏଭଳି ଅବସ୍ଥାରେ ଅନେକ ଥର ଦେଖିଚନ୍ତି, ଭାବବିନିମୟ ବେଳେ ଆହୁରି ଅନେକ କିଛି ଦେଖିଥାଇ ପାରନ୍ତି । ୧୯୯୧ରୁ ୧୯୯୬ – ଏ ପାଂଚବର୍ଷ ମୁଁ ଭୁବନେଶ୍ୱରରେ ଥିବା ବେଳେ କେମିତି କେଜାଣି ପ୍ରାୟ ସମଗ୍ର ଓଡ଼ିଆ ନୂଆପିଢ଼ି ସହିତ ମୋର ଯୋଡ ବସିଯାଇଥିଲା । ସେମାନେ ମୋତେ ଖୋଜୁଥିଲେ, ମୁଁ ସେମାନଙ୍କୁ ଖୋଜୁଥିଲି । ସ୍ଥାନ ବା ସମୟ ବା ସୁଯୋଗ ଅନ୍ତରାୟ ହୋଇନଥିଲା । ଆମେ ପ୍ରାୟ ପ୍ରତି ସପ୍ତାହରେ ଭେଟୁଥିଲୁ ଛୁଟିଦିନମାନଙ୍କରେ । ସେଇଠି କିଛି ଲେଖାପଢ଼ା ହେଉଥିଲା, କିନ୍ତୁ ଅଧିକ ପାଟିତୁଣ୍ଡ ହେଉଥିଲା । କିନ୍ତୁ ଆମେ ସମସ୍ତେ ଅନୁଭବ କରୁଥିଲୁ ଯେ କବିତାକୁ ନେଇ କିଛିଗୋଟେ ଘଟୁଚି ଆମ ଭିତରେ । ସେ ଘଟିବାଟା ପ୍ରକୃତରେ ଥିଲା କବିତାର ବିପୁଳ ସମ୍ଭାବନା ସହିତ ଆମର ସାକ୍ଷାତ ଥରକୁଥର ନୂଆ ରୂପରେ । ପ୍ରକୃତରେ ଏ ସହଜ ଆତ୍ମୀୟତାର ପୃଷ୍ଟ ଭୂମି ଥିଲା ‘ପ୍ରତିବେଶୀ’ ତ୍ରୈମାସିକ ସାହିତ୍ୟ ପତ୍ରିକାର ସଂପାଦନା । ୧୯୮୮-୯୦ରେ ମୁଁ କଲିକତାରେ ଥିବାବେଳେ ପ୍ରବାସୀ ଓଡ଼ିଆଙ୍କ ଅନୁଷ୍ଠାନ ମୋତେ ଏ ଦାୟିତ୍ୱ ଦେଇଥିଲା ଓ ମୁଁ ୟାକୁ ଚିନ୍ତା, ଚେତନା ଓ ନବୀନତାର ଗୋଟେ ଦସ୍ତାବିଜ୍ ଭଳି ଗଢ଼ିବାକୁ ଚାହିଁଥିଲି । ସେତିକିବେଳେ ଛାପିଥିଲି ଅନେକ ନୂଆ କବିଙ୍କ କବିତା । ସତର ଅଠର ବର୍ଷର ତରୁଣ କବିମାନେ କେବଳ ପ୍ରତିଯୋଗିତାରେ ସ୍ଥାନପାଇନଥିଲେ, ସେମାନଙ୍କ କବିତାର ଆଲୋଚନା ଭିତରକୁ ପଶିଆସିଥିଲେ ସମକାଳୀନ କବିତାର ବ୍ୟାପକ ପରିଦୃଶ୍ୟ ଓ କିଛି କିଛି ଆଲୋଚନାତ୍ମକ ନିଷ୍କର୍ଷ । ନୂଆ କବି ଜଣେ ଓଡ଼ିଆ ସମକାଳୀନ ମଂଚରେ ନିଜକୁ ପାଇବା କିଛି କମ୍ କଥା ନଥିଲା ସେତେବେଳେ । ସେମାନେ ଆଜି ପ୍ରତିଷ୍ଠିତ ହୋଇଚନ୍ତି । ସେମାନେ ମୋତେ ସହ୍ୟ କରିବା, ସ୍ନେହ କରିବା ଓ ସମ୍ମାନ କରିବା ମୋତେ ନିଶ୍ଚିନ୍ତ କରିଥିଲା । ମୁଁ ଆହୁରି ଦୃଢ଼ତାର ସହିତ ମାଡ଼ି ଯାଇଥିଲି । କଲିକତାରୁ ଭୁବନେଶ୍ୱର ଆସିବା ପରେ ‘ପ୍ରତିବେଶୀ’ର ଯୁବକବି ମାନେ ଆସି ପହଂଚିଲେ। ତାଙ୍କ ଭିତରୁ ଅଧିକାଂଶଙ୍କୁ ମୁଁ କେବେ ଦେଖିନଥିଲି । କଥା ଜମିଗଲା ପରେ ଟିକେ ଟିକେ ଟିପ୍ପଣି, ଟିପ୍ପଣିରୁ ଯୁକ୍ତିତର୍କ, ଯୁକ୍ତିତର୍କରୁ ରାଗରୋଷ ଯାଏଁ କଥା ଗଲା, କିନ୍ତୁ କବିତାକୁ ଆମେ କେହି ଛାଡିଲୁ ନାହିଁ । ଏ କବିସଙ୍ଗରେ ମୋର ଭୂମିକା ଥିଲା ଜଣେ ସହକବିର, ଗୁରୁ ଫୁରୁ ନୁହେଁ । ସେ ଆସ୍ପର୍ଦ୍ଧା ମୋର କେବେ ନଥିଲା କି ନାହିଁ । ମୁଁ ଯେତେବେଳେ ବଦଳି ହୋଇ ରାଂଚି ଗଲି, ସେତେବେଳେ ଏତେ ତରୁଣ କବି ଠୁଳ ହୋଇଥିଲେ, ଭୁବନେଶ୍ୱର ଏୟାରପୋର୍ଟରେ ଏତେ କବିଙ୍କ ଆଖି ଓଦା ହୋଇଥିଲା, ମୁଁ ଏତେ ବ୍ୟଥା କାତର ଝରସର ହୋଇଯାଇଥିଲି ସେତେବେଳେ, ଆଜି ଭାବି ହେଉନାହିଁ । ସେଇଥିଲା ସେ ସମୟ, କବିତ୍ୱକୁ କୁଣ୍ଢେଇ ଧରି ପରସ୍ପରକୁ ପାଇବାର ।

‘ନବପର୍ବ’ର ଆଇଡିଆ କେବେ, କେମିତି ଓ କାହିଁକି ଆସିଥିଲା? ଏହାଦ୍ୱାରା ସତରେ କିଛି ତରୁଣକବି ଉଧେଇଲେ କି? କେଉଁମାନେ ଉଧେଇଲେ ବୋଲି ଭାବୁଛନ୍ତି? ଓ କେଉଁମାନେ ହଜିଗଲେ?

ନୂଆକବିଙ୍କ ସହିତ ନିୟମିତ ଆଲୋଚନା ବେଳେ ମୋର ହୃଦବୋଧ ହୋଇଥିଲା ଯେ ଅତି ପ୍ରତିଭାଶାଳୀ ହୋଇମଧ୍ୟ କେତେକ ତରୁଣ କାବ୍ୟ ପରଂପରା ସହିତ ପରିଚିତ ନୁହଁନ୍ତି, ଫଳରେ ସେମାନଙ୍କ କାବ୍ୟଭାଷା ଓଡ଼ିଆ ଭାଷାର ବୈଚିତ୍ର୍ୟକୁ କବିତାରେ ବ୍ୟବହାର କରିପାରୁନାହିଁ ବା ସେ ଭାଷାର ସଂପ୍ରେଷଣକ୍ଷମତାକୁ ବୁଝିପାରୁନାହିଁ । ଭାଷାଦୃଷ୍ଟିରୁ, ଓଡ଼ିଆ କବିତାର ଆଧୁନିକତା ଏହି ଅର୍ଥରେ କେବଳ ମୁକ୍ତ ଛନ୍ଦର ଖିଆଲି ପ୍ରୟୋଗରେ ସୀମିତ ହୋଇ ରହିଯାଉଚି । କାବ୍ୟଭାଷା କାବ୍ୟ ସଂସ୍କାରର କଥା । କାବ୍ୟସଂସ୍କାର ନଥିଲେ କବିତା, ଭାଷାର ଅନ୍ତର୍ଧ୍ୱନିକୁ ଧରିପାରିବ ନାହିଁ । ଭାଷାର ଅନ୍ତର୍ଧ୍ୱନି ନରହିଲେ, ଭାଷା କେବଳ ତାତ୍କାଳିକ ଅଭିବ୍ୟକ୍ତି । ତାତ୍କାଳିକ ଅଭିବ୍ୟକ୍ତି ଅର୍ଥ ପ୍ରକଟିତ କରିପାରେ, କିନ୍ତୁ ତାହା ଭାଷାର ସଂସ୍କାରଗତ ଗଭୀରତା ଓ ବିସ୍ତାରକୁ ସ୍ପର୍ଶ କରିପାରେନାହିଁ । କାବ୍ୟଭାଷା କେବଳ ବାହ୍ୟ ସୌନ୍ଦର୍ଯ୍ୟ ଓ ଚଟୁଳ ରାଗମୟତାକୁ ବ୍ୟକ୍ତ କରେନାହିଁ, ଶବ୍ଦମାନଙ୍କ ଅନ୍ତର୍ନିହିତ ସୌନ୍ଦର୍ଯ୍ୟ, ସଂଗତି, ପ୍ରୟୋଗ ଓ ନବୀକରଣ କ୍ଷମତାକୁ ଦେଖାଏ । ଏ ସବୁ ଭାବିଚିନ୍ତି କରାଯାଏ ନାହିଁ, ଏସବୁ ହୁଏ ସ୍ୱାଭାବିକ ଭାବରେ, ଯଦି କବିର ପରିଚୟ ତାର ଭାଷାର କାବ୍ୟ ପରଂପରା ସହିତ ଥାଏ । ଏ କଥା ମଧ୍ୟ ଜଣାପଡ଼ିଲା ଯେ ବହୁ ଧୀମାନ୍ କବି ପ୍ରାଚୀନ ବା ମଧ୍ୟଯୁଗୀୟ ଓଡ଼ିଆ କବିତାରେ ଆଧୁନିକତାର ସନ୍ଧାନ ନପାଇ ସିଧାସଳଖ ବୋଲଚାଲ୍ ବା ଖବରକାଗଜୀ ଚଳନ୍ତି ଭାଷାକୁ କବିତାର ଭାଷା ଭାବରେ ଗ୍ରହଣ କରି ନେଇଚନ୍ତି, ସେମାନଙ୍କୁ କହିବାର ଅଛି– ଯେକୌଣସି କାଳର କବିତାରେ ଆଧୁନିକତାର ସଂକେତ କିଭଳି ରହିଥାଏ । ୟାଛଡା ଆଉ ଗୋଟିଏ ଦୁଃଖଦ ଅନୁଭୂତି ଥିଲା ସାହିତ୍ୟ- ସମାଲୋଚନାର ଧାରାକୁ ନେଇ । ଓଡ଼ିଆ କାବ୍ୟକବିତାର ଆଲୋଚନାରେ ବିଶେଷଣବହୁଳ ଅତିକଥନ ସେତେବେଳେ ଏଭଳି ଗତାନୁଗତିକତାର ବଦ୍ଧ ପଲ୍ୱଳ ସୃଷ୍ଟି କରିଥିଲା ଯେ ଯେକୌଣସି ନିର୍ବ୍ଦିଷ୍ଟ ଭାଷାରେ ଯେକୌଣସି ନିର୍ବ୍ଦିଷ୍ଟ କବିତାକୁ ଅଲୋଚିତ କରାଯାଇପାରୁଥିଲା । ଆକାଡେମିକ୍ ସମାଲୋଚନାର ପରାକାଷ୍ଠା ଥିଲା ପ୍ରାଚୀନ ରଚନାର କାଳନିର୍ଣ୍ଣୟରେ, ଆକ୍ଷରିକ ବ୍ୟାଖ୍ୟାରେ, ତୁଳନାରେ ବା ଖୁବ୍ ବେଶିରେ ଚିତ୍ରକଳ୍ପ ଓ ପ୍ରତୀକ ଆଦି ଚର୍ଚ୍ଚା କରିବାରେ । କବିତାର ଚିତ୍ରଗୁଣର ଅଧ୍ୟୟନ ପାଇଁ ଇଂଲଣ୍ଡରେ ବିକଶିତ ନୂଆ ସମାଲୋଚନା (ନିଉ କ୍ରିଟିସିଜିମ୍‍) ବା ଇଲିୟଟୀୟ ମଡେଲର ଦୃଷ୍ଟାନ୍ତ, ଯାହାକୁ ‘ନୂତନ କବିତା’ ର ମୁଖବନ୍ଧ ସହିତ ଯତୀନ୍ଦ୍ରମୋହନ ମହାନ୍ତି ଓ ବୃହତ୍ତର ଅର୍ଥରେ ‘ପ୍ରଜ୍ଞା’ ଗୋଷ୍ଠୀର ପ୍ରଖର ଆଲୋଚକମାନେ ନଜରକୁ ଆଣିଥିଲେ, ତାର ପ୍ରାସଙ୍ଗିକତା ଓ ତାର୍କିକତାକୁ ନେଇ କୌଣସି ଆଲୋଚନା ହୋଇନଥିଲା । ଓଡ଼ିଆ ଚିତ୍ରନିର୍ମାଣର କଳାକୁ ଯୌକ୍ତିକତାରେ ବାନ୍ଧି ନୂଆ ସମାଲୋଚନାର ଅନୁରୂପ ବନାଇଥିବାରେ ଥିଲା ବାହାଦୂରୀ । କବିତା ପଢ଼ିବାର ଆନନ୍ଦ କୁଆଡେ ଗଲା? କୁଆଡେ ଗଲା ସ୍ମରଣୀୟ କବିତାକୁ ଗୁଣୁଗୁଣୁ କରି ବୋଲିବାର ସହଜତା? ଏହି ସବୁ ମନରେ ରଖି ମୁଁ ସମ୍ବାଦପତ୍ର ‘ସମ୍ବାଦ’ରେ ଧାରାବାହିକ ଲେଖିବା ଆରମ୍ଭ କରିଥିଲି । ‘ଆଧୁନିକତାର ପରଂପରା’ ଓ ଠିକ୍ ତାର ପରେପରେ ‘ଆଧୁନିକତାର ସମକାଳ’ । ‘ଆଧୁନିକତାର ସମକାଳ’ରେ ମୁଁ ଜଣାଇଥିଲି ପାଶ୍ଚାତ୍ୟ ସାହିତ୍ୟରେ (ବଦଲେୟାରଙ୍କଠାରୁ ମାକ୍ୱେର୍ଜ୍) ଆଧୁନିକତାର ସ୍ୱରୂପ ମୁଁ ଜଣେ ପାଠକ ଭାବରେ କିଭଳି ଚିହ୍ନେ । ଏ ଦୁଇଟିଯାକ ବହିର ଧାରାବାହିକ ପାଠ ଲେଖା ଚାଲିଥିଲାବେଳେ ନୂଆ କବିଙ୍କ ସହିତ ମୋର ସଂପର୍କ ଆହୁରି ନିବିଡ଼ ହୋଇ ଚାଲିଥିଲା । ସେମାନେ ବଡ଼ ଆଗ୍ରହରେ ସମ୍ବାଦରେ ପ୍ରକାଶିତ ରଚନାଗୁଡ଼ିକୁ ପଢ଼ୁଥିଲେ । କେବଳ ସେମାନେ ନୁହନ୍ତି ଏ ବହି ଦୁଇଟି ସେତେବେଳେ କ୍ୟାଂପସରେ ନିଷିଦ୍ଧ ପୁସ୍ତକ ଭଳି ପଢ଼ା ଯାଉଥିଲେ । ଓଡ଼ିଆ ଅଧ୍ୟାପକମାନେ ଏ ଦୁଇ ବହିକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିନ୍ଦା କରୁଥିଲେ, କିନ୍ତୁ ବହି ଦୁଇଖଣ୍ଡ ପ୍ରସାରିତ ହୋଇ ଚାଲିଥିଲେ । ଏଭଳି ଏକ ବାତାବରଣ ସୃଷ୍ଟି ହୋଇଥିଲା, ଯେଉଁଠି ମିତ୍ର ଓ ଶତ୍ରୁ ଉଭୟଙ୍କ ଆଖିଥିଲା ମୋ ଉପରେ । ସେମାନେ ବାରମ୍ବାର ମୋତେ ଚାଲେଂଜ୍ କରୁଥିଲେ ଓଡ଼ିଆ ନୂଆକବିଙ୍କ ପ୍ରାସଙ୍ଗିକତା ପ୍ରମାଣ କରିବା ପାଇଁ । ଏଣେ ନୂଆ କବିମାନେ ନିଜକୁ ପ୍ରତିଷ୍ଠିତ ମଂଚ ବାହାରେ ଆବିଷ୍କାର କରି କ୍ରୋଧରେ ଥିଲେ ବା ମ୍ରିୟମାଣ ହୋଇ ଆସୁଥିଲେ । ଦରକାର ଥିଲା ଏଭଳି ଗୋଟିଏ ମଂଚ ଯେଉଁଥିରେ ସେମାନେ ସଦର୍ପେ ଠିଆ ହୋଇପାରିବେ, ତାଙ୍କର ବିଶେଷ ଗୁଣ ସାହିତ୍ୟ କ୍ଷେତ୍ରରେ ଆଲୋଚିତ ହେବ, ନୂଆକବିତା ସମ୍ମାନ ପାଇବ । ଅମୃତାୟନ ସେ ସୁଯୋଗ ଦେଲା ଓ ‘ନବପର୍ବ’ ବୋଧହୁଏ ୧୯୯୫ରେ ଆରମ୍ଭ ହୋଇଗଲା । କୋଡିଏ ବର୍ଷ ଧରି ଏ ବିଶେଷ ସ୍ତମ୍ଭ ଚାଲିଚି । ‘ନବପର୍ବ’ ଦ୍ୱାରା ପରିଚିତ ହେଉଥିବା କବିମାନେ ଆଉ ପଛକୁ ଚାହିଁନାହାନ୍ତି । ସେମାନେ ସମସ୍ତେ ବର୍ତ୍ତମାନ ସମକାଳୀନ ଓଡିଆ କବିତାର ଆଗ ଧାଡିର କବି । ସମସ୍ତେ ଉଧେଇଲେ । ସମସ୍ତେ ନିଜ ନିଜର ରାସ୍ତାରେ ଯାତ୍ର ଜାରି ରଖିଚନ୍ତି । ବେଳେ ବେଳେ କ୍ଷୋଭ ହୁଏ ଏଭଳି କେତେ ଜଣଙ୍କ ପାଇଁ ଯେଉଁମାନେ କାହିଁକି କେଜାଣି ରୁନ୍ଧି ହୋଇ ରହିଗଲେ, ବାଟ ପାଇଲେ ନାହିଁ ବା ଲେଉଟି ଆସିଲେ । ସେମାନଙ୍କ କଥା ଅବଶ୍ୟ କହିବି । ପ୍ରଥମେ ଗଜାନନ ମିଶ୍ର । ଗଜାନନଙ୍କ କବିତା ଗୋଟେ ସମୟରେ ପ୍ରତି ସଂଖ୍ୟାରେ ରହୁଥିଲା, ସେ ପଠାଉଥିଲେ ଥାକଥାକ କବିତା । ମୋ ଘରେ ଯୋଉଠି ପାରେ ସେଇଠି ଉଡୁଥିଲା ତାଙ୍କ ହାତ ଲେଖା କବିତା । ତାଙ୍କ କବିତାରେ ସବୁବେଳେ ଥଲା କିଛି ନୂଆ । ଟିଟିଲାଗଡରୁ ଧାରାସ୍ରାବୀ କବିତା ପଠାଇ ସେ ମତେ ସବୁ ସମୟରେ ଚକିତ କରିଥିଲେ । ହଠାତ୍ ସେ ଚୁପ ହୋଇଗଲେ । ଓକିଲାତିରେ ମନ ଦେଲେ ପୁଣି ଭାଷା ଆନ୍ଦୋଳନର ଏକକ ସ୍ୱର ଭାବରେ ଉଭା ହେଲେ । ଏବେ ଭାଷା ଆନ୍ଦୋଳନର ଅନେକ ପୁରୋଧା, କିନ୍ତୁ ମୋ ଦୃଷ୍ଟିରେ କବି ଗଜାନନ ଥିଲେ ପ୍ରଥମ ସାହାସୀ ପ୍ରବକ୍ତା ଭାଷା ମଞ୍ଚର । ହୁଏତ ଜାତି ଜଣେ ନେତା ପାଇଲା, କିନ୍ତୁ କବିତା (ଓଡିଆ ସାହିତ୍ୟ) ତାଙ୍କୁ ହରାଇଲା ଭଳି ଲାଗୁଚି (ଶୁଣୁଚ ଗଜାନନ?) । ଆଉ ଜଣେ ପ୍ରତିଭାଶାଳୀ କବି ଶିଶିର ନାୟକ, ୟାଙ୍କର ଭଲ କବିତା ବହୁଦିନରୁ ପଢି ନାହିଁ (ଶିଶିର କ’ଣ ହେଉଛି ତମର?) । ଆଉଜଣେ କବି ଯାହାଙ୍କ କବିତାରେ ମୂଳରୁ ମୁଁ ଗୋଟେ ଅତି ପରିଚ୍ଛନ୍ନ ଇଡିଅମ ଦେଇଥିଲି, ମନମୋହନ ଦାଶ (ବହୁଦିନ ହେଲା କୌଣସି କବିତା ପଢିନି କାହିଁକି ମନମୋହନ?) । ୟା ବାଦେ ଅଛନ୍ତି ଏବେ ବି କବିତା ଲେଖିଚାଲିଥିବା ଅନ୍ତତଃ ଦଶଜଣ ଏଭଳି କବି ଯେଉଁମାନେ ତିଷ୍ଠି ରହିଛନ୍ତି, ଭଲ କବିଙ୍କ ସୁମାରିରେ ଆସନ୍ତି, ଯେଉଁ ମାନେ ତାଙ୍କର ସାମର୍ଥ୍ୟର ତଳସ୍ତରରେ ବେଶ୍ ସନ୍ତୁଷ୍ଟ ଅଛନ୍ତି, ସେମାନେ ଏତେ ସନ୍ତୁଷ୍ଟ କେମିତି? କବିତା ସବୁ ବେଳେ ନୂଆ ଅସନ୍ତୋଷ ସୃଷ୍ଟି ନକଲେ ମାନବୀୟ ଆବିଷ୍କ୍ରିୟା ଆଗକୁ ବଢିବ କେମିତି? ସନ୍ତୁଷ୍ଟ କବି ଏ ବ୍ରହ୍ମାଣ୍ଡରେ ଜଣେ, ସେ ଈଶ୍ୱର! ମାନବ-କବି ସୃଜନର ଅସନ୍ତୋଷରୁ ହିଁ ତାର ସାର୍ଥକତା ପାଇବ । ବ୍ରହ୍ମାଣ୍ଡ ରଚନା କରି ଈଶ୍ୱର ଚୁପ । ଏ ଚୁପ୍ପି ଯଦି ଅସନ୍ତୋଷ ହୁଏ, ହେଉ । କବିତା ରଚନା କରି ମାନବ-କବି ଈଶ୍ୱର ହୋଇପାରିବ କି? କବି ତାର କବିତାରେ ମୁଗ୍ଧ ହୋଇଗଲେ ଓ ସନ୍ତୁଷ୍ଟ ହୋଇ ବସିଗଲେ ଈଶ୍ୱରଙ୍କ ସୃଜନକଳାର ତଳେ ତଳେ ଚାଲିଥିବା ମାନବପ୍ରକୃତିର କଳା ଦ୍ରୋହାଚାର ହେବ ନାହିଁ କି? ପ୍ରଶ୍ନ ଉଧେଇବା ବା ହଜିଯିବାରେ ନାହିଁ, ପ୍ରଶ୍ନ ଅଛି କବିର ସୃଜନ-ଅଧ୍ୟାତ୍ମରେ । ମୋର ଧାରଣା ଯେ ସୃଜନ-ଅଧ୍ୟାତ୍ମବିହୀନ ସ୍ୱଗୁଣମୁଗ୍ଧ ସନ୍ତୁଷ୍ଟ କବିମାନେ ହଜିଯିବେ, ତିଷ୍ଠି ରହିବେ ନିଜ ରଚନାକୁ ନେଇ ଚିର ଅସନ୍ତୁଷ୍ଟ, ଚିରସନ୍ଦିଗ୍ଧ, କାତର ସେହି ମହା ପ୍ରାଣୀମାନେ, ଯାହାଙ୍କ ପାଇଁ କବିତାର ବେଦନା ବୋଧ ହିଁ ସବୁଠୁ ବଡ ସନ୍ତୋଷ ଜୀବନର ।

ଚର୍ଚ୍ଚାହୁଏ, ହରପ୍ରସାଦ ଦାସଙ୍କ କଲମର ଦୁଇପଟେ ଧାର । ଗୋଟିଏ ପଟେ ଉଚ୍ଛ୍ୱସିତ ପ୍ରଶଂସା କରି ତରୁଣକବିକୁ ଢେର୍‍ ଉଚ୍ଚତାକୁ ନେଇ ଯାଆନ୍ତି ଓ ଅନ୍ୟ ପଟେ ସଂପୃକ୍ତ କବିର ଖତର୍‍ନାକ୍‍ ଦୁର୍ବଳତା ଦେଖାଇ ତାକୁ ତଳକୁ ଖସେଇ ପକାନ୍ତି! ଶୀର୍ଷରେ ପହଂଚିବା ଭଳି ଯୋଗ୍ୟତା ରଖିଥିବା କବି କ’ଣ କେବେ ଏତେ ତଳକୁ ଖସିଆସି ପାରେ? ଏଭଳି କରିବା ପଛରେ ଆପଣଙ୍କର ନିରପେକ୍ଷ ଦୃଷ୍ଟିକୋଣ କାମ କରେ, ନା କବିଟି ଆଗକୁ ବଢ଼ିଯିବାର ପ୍ରଚ୍ଛନ୍ନ ଈର୍ଷା?

ନା ସରୋଜ ନା, ସେମିତି ଆଦୌ ନୁହେଁ । ମୁଁ ଜାଣିଶୁଣି କାହାକୁ ଗଢି ନାହିଁ କି ଭାଙ୍ଗି ନାହିଁ । ମୁଁ ମୋର ସାଧ୍ୟ ମତେ କବିତାର ଭଲମନ୍ଦ ବାଛିଚି ଏଇଥିପାଇଁ ଯେ ଆମ ସାହିତ୍ୟରେ ଭଲକୁ ଭଲ କହିବାପାଇଁ ଲୋକ ନାହାନ୍ତି, ଖରାପକୁ ଖରାପ କହିବା ଲୋକତ ଆଦୌ ନାହାନ୍ତି! ଅସମ୍ପୃକ୍ତ, ଆତ୍ମତୃପ୍ତ, ଅସହିଷ୍ଣୁ ଓ ଈର୍ଷାତୁର ଲୋକଙ୍କ ସଂସାରରେ କେହି ଜଣେ ତ ଈଶ୍ୱରଙ୍କୁ ସାକ୍ଷୀ ରଖି ଭଲ ବା ମନ୍ଦ ଦି’ପଦ କହୁ! ସେଥିପାଇଁ କହୁଚି । ସେଇଥିପାଇଁ ଶତ୍ରୁ ଅର୍ଜିଚି ଅନେକ । କିଏ ଭୟ କରିଚି ତ କିଏ କୁସôା କରିଚି, କିଏ ପଦେର ଉତ୍ତର ଦଶପଦରେ ଦେଇଚି । କିନ୍ତୁ ମୁଁ ମୋର ସ୍ଥାନରେ ଅଟଳ । ଯେଉଁମାନେ ମୋର ତୀକ୍ଷ୍ଣ ବାକ୍ୟ ସହି ନପାରି ଉତ୍ୟକ୍ତ ହୋଇ ଉଠିଚନ୍ତି, ସେମାନେ ପରେ ବୁଝିଚନ୍ତି ଓ ଫେରିଚନ୍ତି । ଯେଉଁମାନେ ଏ ଯାଏଁ ବୁଝିନାହାନ୍ତି, ସେମାନେ କେବେଦିନେ ବୁଝିବେ ନିଶ୍ଚୟ । ମୋ ନିଜ ରଚନା ପାଇଁ ମୁଁ କେବେ ପ୍ରଶଂସା ଚାହିଁନାହିଁ । ସମସ୍ତେ ଜାଣନ୍ତି ମୋର ପୁସ୍ତକ ଉନ୍ମୋଚନ ହୁଏ ନାହିଁ, ମୋ ବହି କେହି ରିଭୁ୍ୟ କରନ୍ତି ନାହିଁ, କାରଣ ମୁଁ କାହାକୁ କହେ ନାହିଁ । ଅଥଚ ଅସଂଖ୍ୟ ବହିର ମୁଖବନ୍ଧ ମୁଁ ବିନା ସଂକୋଚରେ ଲେଖେ । ତେଣୁ କେହି ଜଣେ ଭଲ ଲେଖିଚି ଅଥଚ ମୁଁ ତାକୁ ଜାଣିଶୁଣି ତଳକୁ ଟାଣି ଆଣିଚି, ଏମିତି ନୁହେଁ । ଭଲ କବିତା ପାଇଲେ ମୁଁ ଉଚ୍ଛ୍ୱସିତ ହୁଏ । ତମେ ନିଜେ ଜାଣିଚ, ତମ କବିତା ବହି ପଢ଼ି ମୁଁ କଣ କରିଥିଲି ।

ଥରେ ଏକ ପୂଜା ପତ୍ରିକାରେ ଆପଣ ଓଡ଼ିଆ କବିତାକୁ ନେଇ ଏକ ମେନିଫେଷ୍ଟୋ ବନେଇଥିଲେ । କବିତାରେ ଏସା ରହିବ, ତେସା ରହିବନି… ଇତ୍ୟାଦି । କବିତା କ’ଣ ସତରେ ଏଭଳି ଫ୍ରେମରେ ବନ୍ଧାହେବା ଜିନିଷ?

ସେ ଆଲୋଚନାଟି ତମେ ଯଦି ମନଦେଇ ପଢିବ, ଏଭଳି ଭାବିପାରିବ ନାହିଁ । ଯେହେତୁ ମୁଁ ସବୁବେଳେ ମୋ ଭାଷାର ସାହିତ୍ୟକୁ ବିଶ୍ୱସ୍ତରରେ ଥୋଇ ଚିନ୍ତା କରେ, ମୁଁ ଭାବିଲି ପାଶ୍ଚତ୍ୟ କବିମାନଙ୍କର ଗୋଷ୍ଠୀ ଯେପରି ମେନିଫେଷ୍ଟୋ ବାହାର କରନ୍ତି, ସେମିତି ଆମେ ନକରିବା କାହିଁକି? ମେନିଫେଷ୍ଟୋର ଅର୍ଥ ୟା ନୁହଁ ଯେ କବିତା ଏଇମିତି ଲେଖା ହେବ ଅନ୍ୟଥା ତାହା କବିତା ନୁହେଁ । ମେନିଫେଷ୍ଟାର ଅର୍ଥ ଏତିକି ଯେ ଆମେ ଦଳେ କବିଏ ମୌଳିକ ଦୃଷ୍ଟିକୋଣରୁ ସହଗାମୀ, ସତୀର୍ଥ ବା ସହମତ । କବିତା ଫ୍ରେମରେ ବନ୍ଧାହେବାର ଜିନିଷ ନୁହେଁ, କିନ୍ତୁ କବିକର୍ମର ସାମାଜିକ ସଂଗତି ସ୍ଥାପନା ପାଇଁ କବିମାନଙ୍କ ମଧ୍ୟରେ ସହମତି ଜରୁରୀ । ବିଶ୍ୱର ସବୁ ଭାଷାରେ ‘ଗୋଷ୍ଠୀ ସହମତି’ର ଆଧାରରେ କବିତାର ପରିଦୃଶ୍ୟ ବଦଳିଚି, ଆମର ବି ବଦଳି ପାରେ । ବଦଳିଲେ ବି କ୍ଷତି ନାହିଁ । ତମେ ନିଶ୍ଚୟ ଜାଣ ଯେ କବିତାରେ ପ୍ରଚଳିତ ସବୁ ‘ବାଦ’ ଏହିଭଳି ଗୋଷ୍ଠୀ  ସହମତି ଆଧାରରେ ବିକଶିତ ହୋଇଥିଲେ । ‘ବାଦ’ ଗୁଡିକ ଦ୍ୱାରା କବି କର୍ମର ବା କବିତାର କି ଉତ୍କର୍ଷ  ସାଧିତ ହେଲା, ଏବେ ପଛକୁ ଚାହିଁ ବୁଝିହେଉଛି । ଯଦି ‘ଇମେଜିଷ୍ଟ୍‍’, ‘ସିମ୍ବଲିଷ୍ଟ’, ‘ଡାଡା’, ‘ବିଟ୍’ ଗୋଷ୍ଠୀ ମାନେ ଯୌଥ ବିଚାରଧାରା ସୃଷ୍ଟି କରିନଥାନ୍ତେ, ତେବେ ତାର ପ୍ରତିରୋଧରେ ଯେ ପୁନର୍ବିନ୍ୟାସବାଦୀ କବିତା ଲେଖା ହେଲା, ତାହା ହୋଇନଥାନ୍ତା । ଅନ୍ୟଭାବରେ କହିଲେ ଏଭଳି ସହମତିସବୁ ତାଙ୍କର ନିଜ ପ୍ରତିରୋଧ ନିର୍ମାଣ କରନ୍ତି । କବିମାନେ ନୂଆ ରାସ୍ତା ଖୋଜନ୍ତି । ଆମର ଯେଉଁ ‘ମେନିଫେଷ୍ଟୋ’ କଥା କହୁଚି, ସେଇଟା ବସ୍ତୁତଃ କ୍ଷୁଦ୍ର ହେଲେବି ଓଡିଆ କବିତାର ପ୍ରଥମ ମେନିଫେଷ୍ଟୋ । ‘ସବୁଜ’ଓ ‘ପ୍ରଗତିବାଦୀ’ କବିମାନେ ଗୋଟିଏ ଗୋଟିଏ ବିଚାର ଧାରା ବା ଆଇଡିଓଲୋଜି ତଳେ ଏକତ୍ରିତ ହୋଇଥିଲେ, କିନ୍ତୁ ମେନିଫେଷ୍ଟୋ ତିଆରି କରିନଥିଲେ ଆମର ମେନିଫେଷ୍ଟୋଟିକୁ ପଢ । ଯଦି ଅସହମତି ଥାଏ, ତେବେ ବ୍ୟକ୍ତକର । ନୂଆ କବିତାରେ ମନ୍ଥନ ହେଉ । ନିସ୍ତରଙ୍ଗରେ ନୂଆ ଆଉ କ’ଣ? ‘ନୂଆ’ ବି ଗତାନୁଗତିକ ହେଲାଣି । ନୂଆ ପାଇଁ ‘ଗତାନୁଗତିକ’ ରୁ ଗୋଟିଏ ପ୍ରସ୍ଥାନ ବିନ୍ଦୁ ଦରକାର । ହୁଏତ ଆମର ମେନିଫେଷ୍ଟୋର ସୁଦୂରପ୍ରସାରୀ ପରିଣତି କେବେ ଦିନେ ମିଳିବ।

ଆପଣ ଅନେକଥର ଆମକୁ କହିଛନ୍ତି ଯେ ପ୍ରଶ୍ନ ପଚାରିବା ଶିଖ । ତାହା ହିଁ ଉତ୍ତର- ଆଧୁନିକତାର ଲକ୍ଷଣ । କିନ୍ତୁ କେଉଁଭଳି ପ୍ରଶ୍ନ ଆପଣ ଆଶା କରନ୍ତି? ଯେଉଁ ପ୍ରଶ୍ନ ପଛରେ ପ୍ରଶ୍ନକର୍ତ୍ତାର ଅଜ୍ଞତା ଥିବ ନା ଯେଉଁ ପ୍ରଶ୍ନ ଉତ୍ତରଦାତାର ବିଜ୍ଞତା ପରୀକ୍ଷା କରିବା ପାଇଁ ପଚରା ଯାଇଥିବ? ନା ଏମିତି ପ୍ରଶ୍ନ ଯାର ଉତ୍ତର ବି ଏକ ପ୍ରଶ୍ନ? କବି ପାଇଁ ପ୍ରଶ୍ନ ପଚାରିବା କ’ଣ ଜରୁରୀ? ନୀରବ ଅନୁଧ୍ୟାନ ଯଥେଷ୍ଟ ନୁହେଁ?

ନା, ପ୍ରଶ୍ନ ପଚାରିବାରେ ଅଜ୍ଞତା, ବିଜ୍ଞତା ବା ଆବଶ୍ୟକତାର ପ୍ରଶ୍ନ ନାହିଁ । ପ୍ରଶ୍ନ ପଚାରିବା ପାଇଁ କୌତୂହଳ ଥିବା ଦରକାର, ଏକପ୍ରକାର ନିରୀହତା ବି ଦରକାର । ସବଜାନତାମାନଙ୍କର ସମାଜରେ କବିର ପ୍ରଶ୍ନ ଯୁଗାନ୍ତକାରୀ ହୋଇପାରେ । ପ୍ରଶ୍ନରେ କାତରତା ଥାଇପାରେ, ଚାଲେଞ୍ଜ ଥାଇପାରେ । ସ୍ଥିତାବସ୍ଥାକୁ କେବଳ ପ୍ରଶ୍ନ ହିଁ ବଦଳାଇ ପାରେ । ଯାହା ଯେମିତି ଅଛି, ତାକୁ ସେମିତି ଛାଡିଦେବାର ଅର୍ଥ ସାଲିସ୍ କରିନେବାର ଅର୍ଥ ହାରିଯିବା । ହାରିବା ଭଳି ଦିଶୁଥିଲେ ବି କବି କେବେ ହାରେନାହିଁ । ସେ ତାର କବିତାର ପାଉଁଶରୁ ଅମୃତ ଉଡାଣ ପାଇଁ ଯେକୌଣସି ମୁହୂର୍ତ୍ତରେ ବାହାରିପାରେ । କବି ହିଁ ଏକମାତ୍ର ଦ୍ରଷ୍ଟା ଏ ସଂସାର ଲୀଳାର! ହଁ ମୌନ ଅନୁଧ୍ୟାନ, ମନନ, ଚିନ୍ତନ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସଂସାରରେ ଲୋକେ ଭାଷା ଅଭାବରୁ ମୌନ । ସଂସାରରେ ମୌନୀ କବିଟିଏ କୋଉ କାମର ? ସାକ୍ଷୀ ପୁରୁଷ ମୌନ ହେଲେ ସଭ୍ୟତାର ବିଚାରାଳୟରେ ମାନବତା ହାରିଯିବ । ଏ ସାକ୍ଷୀ ପୁରୁଷ ପୁଣି ଏମିତି ଯେ ଇଏ କେବଳ ପ୍ରଶ୍ନ କରିବ ନାହିଁ ବା ପ୍ରତିବାଦ କରିବ ନାହିଁ, ଅଭିଯୁକ୍ତ ମାନବିକତା ତରଫରୁ ଯୁକ୍ତି ବି କରିବ । ଆମ ସମୟ ନିରୁପଦ୍ରୁତ ନୁହେଁ, ତେଣୁ ନିଷ୍ପକ୍ଷ ନିରବତା ଚଳିବ ନାହିଁ ।

ଆପଣ ଦୀର୍ଘଦିନ ଧରି ତରୁଣ କବିଙ୍କ ସହ ସଂପର୍କ ରକ୍ଷା କରିଆସୁଛନ୍ତି । ତରୁଣ କବିଙ୍କ କବିତାରେ ସମୟର ପ୍ରତିଫଳନ ପାଆନ୍ତି କି? ଜୀବନର ନିଚ୍ଛକ ପ୍ରତିବିମ୍ବ ସେମାନଙ୍କର କବିତାରେ ଦିଶେ କି? ନା ଫମ୍ପା ଶବ୍ଦଖେଳ?

ତରୁଣ କବିଙ୍କ କବିତାରେ ବ୍ୟକ୍ତି ଜୀବନର ପ୍ରେମ, ଘୃଣା, କଷଣ, ସ୍ୱପ୍ନ ଓ ହତାଶା ତ ଥାଏ ନିଶ୍ଚୟ । କିନ୍ତୁ ତାହା କ’ଣ ସମୟକୁ ପ୍ରତିଫଳିତ କରିବା ପାଇଁ ଯଥେଷ୍ଟ? ସମୟର ପ୍ରତିଫଳନ ପାଇଁ ଲୋଡା ଏକ ସାମୂହିକ ଦୃଷ୍ଟି । ପୀଡାର ଗ.ସା.ଗୁ ବା ଲ.ସା.ଗୁ ଉଭୟ ବ୍ୟକ୍ତି ଜୀବନର ଊଦ୍ଧ୍ୱର୍କୁ ନଗଲେ ମିଳିବେ ନାହିଁ । ଗୁଣିତକ ଓ ଗୁଣନୀୟକ ଉଭୟେ ସମୂହରୁ ବ୍ୟକ୍ତି ଓ ବ୍ୟକ୍ତିରୁ ସମୂହ ଏଇଭଳି ନିଷ୍ପାଦିତ ହୁଅନ୍ତି । କହିବାରେ ଦ୍ୱିଧା ନାହିଁ ବହୁତ ତରୁଣ କବି ସୌଖୀନ କବି । କବିତା ଯେ ପୃଥିବୀର ଭାଷା ହୋଇପାରେ ଏ ଇଲମ୍ ବହୁ କବିଙ୍କ ପାଖରେ ନାହିଁ । ୟାର ଅର୍ଥ ନୁହେଁ ଯେ ବ୍ୟକ୍ତି ଜୀବନର ଅନୁଭବକୁ ପୁଂଜିକରି କବି କବିତା ଲେଖିବ ନାହିଁ । ୟାର ଅର୍ଥ ଏଇଆ ଯେ ବ୍ୟକ୍ତିର ଅନୁଭବ ସମୂହକୁ ଅଭିବ୍ୟକ୍ତି ଦେବାର ସାମର୍ଥ୍ୟ ରଖିବ । ଗୋଟିଏ ପ୍ରେମ କବିତା କେବଳ କବି ଓ ତାର ପ୍ରେୟସୀର କବିତା ନୁହେଁ, ତାହା ସବୁ ସମ୍ଭାବ୍ୟ ପାଠକଙ୍କ ପ୍ରେମ ଅନୁଚ୍ଚାରିତ ଭାବ । କବି ନିଜଠାରୁ ବାହାରକୁ ପ୍ରସାରିତ ହେବା ମାତ୍ରେ ସମୟର ପ୍ରତିଫଳନ ଆସିଯିବ ଆପେ ଆପେ । ଜୀବନ ସହିତ ଜଡିତ ହେବାର ଭାବ ଆସିଗଲେ ସମୟର ଟିକ୍ ଟିକ୍ ଶୁଭିବ ନିଶ୍ଚୟ । ଦ୍ୱାରରେ ଅଜ୍ଞାତ ଧରାନିବାସୀର କରାଘାତ ଶୁଭିବ ନିଶ୍ଚୟ!

ଆପଣ ସ୍ୱୀକାର କରିବେ କି ସତୁରୀ ଦଶକର ଦୁର୍ବୋଧ୍ୟ, ରହସ୍ୟାଚ୍ଛନ୍ନ, ବେପରୁଆ କବିତାଗୁଡ଼ିକ ତୁଳନାରେ ଏବର ଯୁବକବିମାନଙ୍କ ଲେଖା ବେଶ୍‍ ବୋଧଗମ୍ୟ, ସରଳ ଓ ବାସ୍ତବବାଦୀ?

ବୋଧଗମ୍ୟ, ସରଳ ଓ ବାସ୍ତବବାଦୀ ହେବା କଣ କବିତାର ଭଲ ହେବାର ପ୍ରମାଣ? ଜୀବନ ଯେଉଁଠି ବୋଧଗମ୍ୟ ନୁହେଁ, ସରଳ ନୁହେଁ, ଯେତେବେଳେ ବାସ୍ତବତା ଠିକ୍ କ’ଣ ଜାଣିବା ବି ସମ୍ଭବ ନୁହେଁ, ସେତେବେଳେ କବିତାକୁ ଏସବୁ ଗୁଣ ଆସିବ କୋଉଠୁ? ଯଦି ଆସେ ସିଏ ଏକପ୍ରକାର ଛଳନା ନୁହେଁ କି ? ଯେଉଁ ଦୁର୍ବୋଧ୍ୟ, ରହସ୍ୟାଚ୍ଛନ୍ନ ଓ ବେପରୁଆ କବିତାର କଥା ତମେ କହିଚ, ତାହା ସବୁସମୟରେ ଥିଲା ଓ ରହିବ । କବିତାକୁ ଏକ ଭାଷା ଭାବରେ ବ୍ୟବହାର କରି ସ୍ଲୋଗାନ ଲେଖିହେବ, ବ୍ୟାଖ୍ୟାନ ବା ବକ୍ରୃତା କରିହେବ, କିନ୍ତୁ କବିତାର ଭାଷାରେ କବିତା କରିହେବ ନାହିଁ । ସୁନ୍ଦର କାବ୍ୟିକ ଭାଷା କାବ୍ୟ ଭାଷା ନୁହେଁ । ରସାତ୍ମକ ବାକ୍ୟରେ କାବ୍ୟ ହୁଏ, ଏପରିଏକ ମାନ୍ୟତା ସେହି ସମୟରେ ପ୍ରଚଳିତ ଥିଲା ଯେତେବେଳେ କବିତା ବା କାବ୍ୟ କେବଳ ବର୍ଣ୍ଣନାତ୍ମକ ବା ବ୍ୟାଖ୍ୟାତ୍ମକ ଥିଲା । କିନ୍ତୁ ବର୍ଣ୍ଣନାତ୍ମକ ରଚନା ବା ବ୍ୟାଖ୍ୟାତ୍ମକ ରଚନା, ସେ ଯେତେ ସୁନ୍ଦର ହେଉ ପଛେ, କାବ୍ୟଗୁଣର ଶ୍ରେଷ୍ଠ  ବା ଏକମାତ୍ର ପରିଚୟ ନୁହେଁ ବୋଲି ସିଦ୍ଧ ହୋଇଗଲା ଯେତେବେଳେ କବିତାର ଅର୍ଥ ଶବ୍ଦ ବାହାରକୁ ଚାଲିଗଲା । ଶବ୍ଦ ବାହାରକୁ ଅର୍ଥ ଯାଏ ଧ୍ୱନି ହୋଇ, ପଢୁଥିବା ବା ଶୁଣୁଥିବା ଲୋକର ଅନ୍ତଃକରଣରେ ତାହା ଆକାରହୀନ ହୋଇ ପହଁଚେ । ଶବ୍ଦ ଯଦି ନିର୍ବ୍ଦିଷ୍ଟ ଅର୍ଥରେ ପ୍ରୟୋଗ ହେବ, ବାକ୍ୟ ରଚନାର ଉବେ୍ଦଶ୍ୟ ରହିବ ସିଧାସଳଖ ଅର୍ଥ ସଂପ୍ରେଷଣ, ତେବେ ଧ୍ୱନି ଉଠିବ କେଉଁଠୁ? କବିତାର ଧ୍ୱନି ଅର୍ଥର ଧ୍ୱନି ନୁହେଁ, ତାହା ଅର୍ଥୋତ୍ତର । ‘ଅର୍ଥୋତ୍ତରତା’ ବୋଧଗମ୍ୟ, ସଳଖ, ବାସ୍ତବବାଦୀ ରଚନାରୁ ମିଳେ ନାହିଁ, ମିଳେ କବିତାର ରହସ୍ୟମୟତାରୁ, ବେପରୁଆ ଅନ୍ୱେଷଣରୁ । ଯାହା ଜଣକୁ ଦୁର୍ବୋଧ୍ୟ ମନେହୁଏ, ତାହା ଆଉ ଜଣକୁ ଉଚ୍ଚକିତ ବା ଉଚ୍ଚାଟିତ କରିପାରେ । ‘ବୋଧ’ ଏକ ଜଟିଳ ମନସ୍ତାତ୍ତ୍ୱିକ ପ୍ରକି୍ରୟା । କଥାଟିଏ ସମସ୍ତେ ବୁଝିବେ ସିଧାସଳଖ ଏଇଆ ଯଦି ଉଦ୍ଦେଶ୍ୟ, ତେବେ କବିତା କାହିଁକି? କବିତା ଶବ୍ଦମାନଙ୍କ ମଧ୍ୟରେଥିବା ଚଳନ ଶକ୍ତି(କାଇନେଟିକ୍ ଏନର୍ଜି)କୁ ଆବିଷ୍କାର କରେ, ଶବ୍ଦ ଓ ଭାବ ମଧ୍ୟରେଥିବା ଦୂରତ୍ୱକୁ ଶିଳ୍ପରେ ବଦାଳାଏ, ନୂଆ ଭାଷା ସୃଷ୍ଟି କରେ ଓ ଗତାନୁଗତିକ ଅର୍ଥପ୍ରକରଣକୁ ଚାଲେଂଜ୍ କରେ । ଖୁବ କମ୍ ନୂଆ କବିତାରୁ ମୁଁ ଏସବୁ ପାଏ । ବୋଧଗମ୍ୟ, ସରଳ ଓ ବାସ୍ତବବାଦୀ କବିତାରେ ମୋର ଆଗ୍ରହ ନାହିଁ ।

ନୂଆପିଢ଼ିର କେଉଁ କବିମାନଙ୍କ ଭିତରେ ଆପଣ ବିଚାରଗତ ବିବିଧତା ଲକ୍ଷ୍ୟ କରନ୍ତି? କ’ଣ କ’ଣ ସେ ବିବିଧତା? କିଏ କିଏ ସେ କବି? ସେଭଳି ବିବିଧତା ଓଡ଼ିଆ କବିତାରେ ଆଗରୁ ଥିଲା କି?

‘ବିଚାରଗତ ବିବିଧତା’ ଗୋଟେ ସମସ୍ୟାସଙ୍କୁଳ କଥା । ୟାକୁ ସରଳ କରି ବୋଧେ କାବ୍ୟବସ୍ତୁ ଓ କାବ୍ୟଦୃଷ୍ଟିର ବିବିଧତା କୁହାଯିବ । କୌଣସି ଶ୍ରେଷ୍ଠତା ବା ତୁଳନା ଆରୋପଣ ନକରି କହିବି ଯେ ଅଖିଳ ନାୟକ, ଭାରତ ମାଝୀ, ପବିତ୍ର ମୋହନ ଦାଶ, ସରୋଜ ବଳ, କେଦାର ମିଶ୍ର, ଶକ୍ତି ମହାନ୍ତି, ଦୁର୍ଗା ପ୍ରସାଦ ପଣ୍ଡା, ସେ ଦିଗରୁ ମୋର ଦୃଷ୍ଟି ଆକର୍ଷଣ କରନ୍ତି । ଗୋଟିଏ ବିଚାର ଧାରା ଅର୍ଥାତ୍ ଦଳିତ ଓ ନାରୀ ବିମର୍ଶକୁ ନେଇ ବହୁ ଚମତ୍କାର କବିତା ଲେଖୁଛନ୍ତି କେତେକ ଶକ୍ତିଶାଳୀ କବି, କିନ୍ତୁ ସ୍ଥତି ଏବେ ଷ୍ଟେରିଓଟାଇପ୍ ଆଡକୁ ଗତି କଲାଣି । ଆଗ ସମୟ ସହିତ ଯଦି ତୁଳନା କରିବ, ତେବେ କହିବାକୁ ପଡିବଯେ ଆଗେ ପ୍ରତି କବିର ଗୋଟେ ସଂସାର ଥିଲା ଯାହାର ବିବିଧତା ହିଁ ଥିଲା କାବ୍ୟ ବସ୍ତୁ । ‘ସମାଜ ସଚେତନତା’, ‘ନାରୀବାଦ’ ବା ‘ଦଳିତ ବିମର୍ଶ’ ଭଳି ସଚେତ ବିଚାରକୁ ନେଇ କବିତା ଲେଖା ଯାଉନଥିଲା । ଅଳ୍ପ କେତେକ ବହୁ ଅଳଙ୍କୃତ ମୂର୍ଦ୍ଧନ୍ୟଙ୍କୁ ଛାଡିଦେଲେ, ଅନ୍ୟମାନଙ୍କ ପାଇଁ କବିତାର ବସ୍ତୁ ଥିଲା ପରିବର୍ତ୍ତନଶୀଳ, ଚଞ୍ଚଳ ଓ ବିବିଧ ।

କବି କ’ଣ ସାମାଜିକ ହେବା ଜରୁରୀ? ଇଚ୍ଛାକୃତ ଭାବେ ବା ପୂର୍ବାଗ୍ରହ ରଖି ସମାଜର ଦୁଃଖୀ ଓ ଦଳିତଙ୍କୁ ନେଇ ଲେଖା ଯାଉଥିବା କବିତା (ଯାହା ଅନେକତ୍ର ସ୍ଲୋଗାନ୍‍ ବା ଭାଷଣର ପାଖାପାଖି) କ’ଣ ଉଚ୍ଚକୋଟୀର କବିତା ହେବାକୁ ବାଧ୍ୟ? ଯୁବକବିମାନେ ପ୍ରାକୃତିକ ଚଲାରାସ୍ତା ଛାଡ଼ି ହଠାତ୍‍ ଏଭଳି ଏକ ପ୍ରାୟୋଜିତ ସୁଡ଼ଙ୍ଗରେ ପଶିବାର ରହସ୍ୟ କ’ଣ?

ପ୍ରାୟୋଜିତ ସୁଡଙ୍ଗ ସୁରକ୍ଷିତ । ସୁଡଙ୍ଗ ବାହାରକୁ ଆସିଲାମାତ୍ରେ ଫୁଲମାଳ ଓ କରତାଳି । କାବ୍ୟବସ୍ତୁ ପାଇଁ ଦୈନିକ ଖବରକାଗଜ ଯଥେଷ୍ଟ । ଭାଷା ବୈଭବ ଅଦରକାରୀ। ସମସ୍ତେ ବୁଝିବା ଗ୍ୟାରେଣ୍ଟେଡ୍ । ମଞ୍ଚରୁ କଣ୍ଠ ଥରେଇ ପଢିବା ପାଇଁ ଉପଯୁକ୍ତ । ଲେଖିବା ସହଜ । ସେଇଠି ଜଣେ ଭୁକ୍ତଭୋଗୀ ପାଇଁ ସାମାଜିକ ବୈଷମ୍ୟର ତ୍ରାସ ଜୀବନ୍ତ ସତ୍ୟ ଜୀବନର । ତା ପାଇଁ ସୁଡଙ୍ଗ ପ୍ରାୟୋଜିତ ନୁହେଁ । ସେଇ ସୁଡଙ୍ଗ ହିଁ ତାର ବାଟ, ଯଦି ସେ ସେଇ ବାଟରେ ଯିବାକୁ ଚାହେଁ। ଅଖିଳ ନାୟକଙ୍କ କବିତାର ଶାଣିତ ବ୍ୟଞ୍ଜନା ଆସେ ପ୍ରତ୍ୟକ୍ଷ ଅନୁଭବରୁ ବା ଦଳିତର ପରିମଣ୍ଡଳ ସହିତ ପ୍ରତ୍ୟକ୍ଷ ସମ୍ପର୍କରୁ । ସେହିପରି ପୀତାମ୍ବର ତରାଇଙ୍କ କବିତାର ରୋଷ ଓ ଅଗ୍ନି ଆସନ୍ତି ଅନୁଭୂତିରୁ ବା ଏକ ତୀବ୍ର ଅବଦମନର ଜାତୀୟ ସ୍ମୃତିରୁ । ଇଏ ସଚ୍ଚା, ଠୋସ୍, ରକ୍ତିମ ଓ ଜ୍ୱଳନ୍ତ । ନାମଦେଓ ଧସାଲଙ୍କ ସହିତ ଆଳାପରେ ସେ ଥରେ କହିଥିଲେ; ଦଳିତର ଅନୁଭୂତି ତା ନିଜର, ଦଳିତ ନହୋଇ ଦଳିତଙ୍କ ପାଇଁ କବିତାରେ ସମ୍ବେଦନା ପ୍ରକାଶ କରିବାର ଧୃଷ୍ଟତା କରନା ଅ-ଦଳିତ, ଜଳିଯିବ! ଦଳିତ ସଂସ୍କୃତିର ଇତିହାସକାର ବାସୁଦେବ ସୁନାନୀ ଠିକ୍ ଏଇ କଥା କହିଥିଲେ ମତେ । ନାରୀ ବିମର୍ଶ ଟିକିଏ ଭିନ୍ନ, ଏଥିରେ ପ୍ରତି ନାରୀର ଗୋଟିଏ ୟୁନିକ୍ କାହାଣୀ ରହିପାରେ । କିନ୍ତୁ ନାରୀ ବା ଦଳିତ ମଧ୍ୟ ଜଣେ ଜଣେ ନାଗରିକ, ଭୋକ୍ତା, ଅନୁଭବୀ ବୃହତ୍ତର ଅର୍ଥରେ । ସେଠିବି କାବ୍ୟ ବସ୍ତୁ ଭରପୂର, ତେଣୁ ସେ ତାର ଜାତି-ପରିଚିତି ବା ଲିଙ୍ଗ-ପରିଚିତି ଦ୍ୱାରା ଆବଦ୍ଧ ହୋଇ ରହିବ କାହିଁକି? ପୂର୍ବାଗ୍ରହଗ୍ରସ୍ତ କବିତା ଉଚ୍ଚକୋଟୀର ହୋଇପାରେ କି ନା କହିବା ମୁସ୍କିଲ୍ । ପୂର୍ବାଗ୍ରହ ଯଦି ଗ୍ରସ୍ତ ମଣିଷର ହୋଇଥାଏ, ତେବେ ତାହା ସମ୍ଭବ । ଅନ୍ୟଥା ସମ୍ବେଦନାର କବିତା ସବୁବେଳେ ଦୁର୍ବଳ । କବିର ସାମାଜିକତା ଆଉ ଏକ ପ୍ରସଙ୍ଗ । ସମାଜ ଭିତରେ ରହି ମଧ୍ୟ କବି ପ୍ରତି ମୁହୂର୍ତ୍ତରେ ସମାଜକୁ ଅସ୍ୱୀକାର କରିପାରେ । ସମାଜ ବାହାରକୁ ଚାଲିଗଲେ କବିକୁ ଅଭିବ୍ୟକ୍ତି ପ୍ରକାଶ କରିବାର ମାଧ୍ୟମ ମିଳେନାହିଁ । ତେଣୁ କବି ଗୋଟିଏ ଇମ୍ପେ୍ଲାସିଭ୍ ଡିଭାଇସ୍ ହୋଇ ସମାଜରେ ଲାଖିରହିବା ଉଭୟ କବି ଓ କବିତା ପାଇଁ ଶ୍ରେୟସ୍କର । ଅମାନବୀୟ ବ୍ୟବସ୍ଥାର ଅନ୍ତସ୍ଥଳରେ କବିର ଆତ୍ମଗୋପନ ବ୍ୟବସ୍ଥାକୁ ଅସ୍ତବ୍ୟସ୍ତ କରି ପକାଏ । କେବେଳ ଇପ୍ଲୋଜନ୍ ବା ଅନ୍ତଃବିସ୍ଫୋରଣ ନୁହେଁ, କବିତା ସବ୍ଭର୍ସନ ବା ଅନ୍ତର୍ଘାତ ହୋଇପାରେ ଅତ୍ୟାଚାରୀ ବ୍ୟବସ୍ଥାରେ । ପାସ୍ତର୍ନାକ୍ଙ୍କ କବିତା କା ଆଡେନିସ୍ଙ୍କ କବିତା ଏହି ଶ୍ରେଣୀର ହୋଇପାରେ । ସାମାଜିକ ହେବା ତେଣୁ କବି ପାଇଁ ଆତ୍ମରକ୍ଷାର ଶ୍ରେଷ୍ଠ ଉପାୟ । କବି ସମାଜକୁ ବଦଳାଇ ପାରିବନାହିଁ, କବି ସମାଜର କ୍ଷତ ଉପରେ ଆଙ୍ଗୁଠି ରଖି ସମାଜକୁ ବ୍ୟଥା ଉପସମ ପାଇଁ ବାଧ୍ୟ କରିପାରିବ। କବି ତାର ନିଜ ବେପରୁୱା ଢଙ୍ଗରେ ଗୋଟେ ମାତାଲ୍ ବିବେକୀ ଭଳି ଚିତ୍କାର କରିପାରିବ, ପ୍ରଳାପ କରିପାରିବ, ଅବିଶ୍ୱସନୀୟ ସତ୍ୟ କହିପାରିବ ।

କୌଣସି ଆବେଗ ଯେତେବେଳେ ଆମର ଚେତନାକୁ କାମୁଡେ଼ ଓ ସେ ଚେତନା ପ୍ରକାଶିତ ହେବା ପାଇଁ ସଠିକ୍‍ ଶବ୍ଦ ସାଉଁଟିନିଏ, ସେତେବେଳେ ତାହା କବିତା ହୁଏ ବୋଲି ଆମେ ଜାଣୁ । ଆବେଗ ସିଦ୍ଧ ନହେଲା ଯାଏଁ କବିତା ପାଲଟେ ନାହିଁ । କିନ୍ତୁ ଆମ ସମୟର ଅଧିକାଂଶ ଯୁବକବି କଂଚା ଆବେଗ (ବା ଉତ୍ତେଜନା ବା ସାମୟିକ ଉତ୍କଣ୍ଠା ବା କ୍ରୋଧ ଓ ଆନନ୍ଦ)କୁ ଶବ୍ଦରେ ଆଙ୍କିପକେଇ କବିତା କରି ଥୋଇ ଦେଉଛନ୍ତି କି? ନା ମୁଁ ଭୁଲ୍‍ କହୁଛି?

ଆବେଗ ଚେତନାକୁ କାମୁଡିବା କଥାଟା ମୁଁ ଅନୁମାନ କରିପାରୁନାହିଁ । ମୋ ଦୃଷ୍ଟିରେ କବିର ଚେତନା ଏକ ତୀବ୍ର ଇନ୍ଦ୍ରିୟବୋଧ, ଆବେଗ- ତାର ଅଭିବ୍ୟକ୍ତି । ଆବେଗ ଇନ୍ଦ୍ରିୟକୁ ସଞ୍ଚାଳିତକରେ ଓ ଇନ୍ଦ୍ରିୟକୁ ଅଭିବ୍ୟକ୍ତି ଖୋଜିବା ପାଇଁ ବାଧ୍ୟକରେ, କେବେକେବେ କିଛି ଲିଡ୍ ଲାଇନ୍ ବି ଦେଇଦିଏ । ଆବେଗ ସବାର୍ ହୋଇଥିଲାଯାଏଁ କବିର ହାତ ଚାଲେନାହିଁ, କବି ସ୍ଥାଣୁ ହୋଇଯାଏ । ଆବେଗ ଓଲ୍ଲାଇଗଲା ପରେ କୋଉ ଗୋଟେ ଜାଗାରେ ସଞ୍ଚିତ ହୋଇ ରହେ ଆବେଗର ଜ୍ୱାଳା, ମାଡ ବାଜିଥିବା ଜାଗାରେ ପରାସ ଭଳି । ସେହି କବିତା ଉପୁଯାଏ, ଏମିତି କବିତା ଯେଉଁଥିରେ ସେ ଆବେଗର ଇଙ୍ଗିତ ଟିକେ ଦାନା ବାନ୍ଧି ରହେ । ଆବେଗର କଞ୍ଚାପଣ ଆଉ ନଥାଏ, ଘା’ ଶୁଖିଯାଇଥାଏ, ଦରଜ ଥାଏ । ଏମିତି ବି ହୁଏ ବକଳା ଛାଡିଯାଏ, ଘା’ରୁ ରକ୍ତସ୍ରାବ ଆରମ୍ଭ ହୁଏ! ଆବେଗର ମୁହୂର୍ତ୍ତରେ କବିତାକୁ କିଏ ପଚାରେ? ସେତେବେଳେ କେବଳ ଇନ୍ଦ୍ରିୟାନୁଭୂତିର ତୀବ୍ରତାକୁ ଭୋଗିବା କଥା । ହଁ, କଞ୍ଚା ଆବେଗର କବିତା ମୁଁ ତ ଏଯାଏଁ ଓଡ଼ିଆରେ ପଢିନି! ତେ ଗୁଏଭେରାଙ୍କର କିଛି ରଚନା ଲେବାନନ୍ ଯୁଦ୍ଧକ୍ଷେତ୍ରରେ ବୁଲେଟ୍ ମାଡଖାଇ ଘୁସୁରୀ ଘୁସୁରୀ ରକ୍ତବୋଳା କାଗଜରେ ଦି ଚାରି ପଦ ଲେଖୁଥିବା ଆରବୀ କବିଙ୍କର କିଛି କବିତା ପଢିଛି । ରାମ୍ବୋଙ୍କର ଅଧିକାଂଶ କବିତା କଞ୍ଚା ଆବେଗର । କଞ୍ଚା ଆବେଗ ପ୍ରାଣଥରା କବିତା ବି ରଚିପାରେ, କିନ୍ତୁ ଆମର କାହିଁ ସେପରି କବିତା?

ମନୋରଂଜନକୁ କବିତା କ’ଣ ଉପେକ୍ଷା କରିବା ଉଚିତ୍‍? କବିତା କ’ଣ ଶୁଖିଲା, ରୁକ୍ଷ, ନାଲିଫିତା ବନ୍ଧା ଦସ୍ତାବିଜ୍‍ ହୋଇ ଥାକରେ ରହିବା ପାଇଁ ଗଢ଼ାଯାଏ?

ମାଇମେଟିକ୍ ମୋଡ୍ ର କବିତା ଗଭୀର ବିଷାଦକୁ ବି ସୃଜନ କଳ୍ପନାର ହର୍ଷରେ ବଦଳାଇ ଦେଇପାରେ। ତେଣୁ ମନୋରଞ୍ଜନ ହେଲା କି ନାହିଁ କିଏ କହିବ? ହଁ, କବିତା କାଳର ନାଲିଫିତା ବନ୍ଧା ଦସ୍ତାବିଜ୍ ହୋଇପାରେ ଗୋଟେ ବୃହତ୍ତର ଅର୍ଥରେ । ଲେଖା ହେବା ସମୟରେ ହୁଏତ କେହି ବୁଝିଲେ ନାହିଁ, କିନ୍ତୁ ଦିନେ ନା ଦିନେ କେହି ନା କେହି ୟାକୁ ବୁଝିବ, ମନେରଖିବ, ମନେପକାଇବ । ତାତ୍କାଳିକ ମନୋରଞ୍ଜନ ହେଲେ ଭଲ, ନହେଲେ ବି ଭଲ । ଓମର୍ ଖୟାମଙ୍କ କବିତା ମାଟିର ସୁରା ପାତ୍ରରୁ ଉଦ୍ଧାର କରି ଫିଜେରାଲ୍ଡ ଦୁନିଆକୁ ଜଣାଇଲେ ନିଜର ଇଂରାଜୀ ଅନୁବାଦ ମାଧ୍ୟମରେ । ହଁ, କବିତା କାହିଁକି ଗଢାଯାଏ ୟାର ଉତ୍ତର ଦେଇଚନ୍ତି ଜଣେ କବି ମାରିଆ ରିଲ୍କେ । କହିଲେ, “ସମୟର ବେଳାଭୂମିର ସ୍ତୂପୀକୃତ ବାଲୁକାରାଶି ମୋତେ ଅନନ୍ତର ଠିକଣା ଦେଇ କହନ୍ତି ଯା ଅନନ୍ତକୁ କହି ଆସିବୁ ଯାହା କହିବା କଥା । ମୁଁ ବାଲି ମୁଠା ମୁଠା କରି ପ୍ରାସାଦଟିଏ କରେ ଓ ତାକୁ ସମୁଦ୍ରର ଢେଉ ସାଙ୍ଗେ ସାଙ୍ଗେ ଆସି ଲିଭାଇଦିଏ । ମୁଁ ଭାବେ ଅନନ୍ତକୁ ମିଳିଗଲା ମୋ ଚିଠି । ସେଇ ମୋ କବିତା ।”

ଆପଣ ତ ଆଧୁନିକତାର ପରମ୍ପରା କଥା ଲେଖିଛନ୍ତି । ଯେଉଁ କବି ନିଜ ସମୟରେ ଯେତେ ଅଧିକ ମୁକ୍ତ, ତା’ର କବିତା ସେତିକି ଆଧୁନିକ । ଆମ ସମୟର କବି କ’ଣ ନିଜ ପାଖରେ ସତରେ ମୁକ୍ତ? କୌଣସି ସାମାଜିକ ବା ସଭ୍ୟତାଗତ ପ୍ରତିବନ୍ଧକକୁ ସେ ଭାଂଗିଦେବାର ଆସ୍ପର୍ଦ୍ଧା ରଖେ? ନା କଂଚା ମାଠିଆ ଭଳି ଛେଚାପିଟା ଖାଇଖାଇ ଗୋଟେ ମଧ୍ୟବର୍ତ୍ତୀ ମାର୍ଗରେ ନିଜକୁ ନେଇ ଠିଆକରେ?

ନିଜ ପାଖରେ ମୁକ୍ତ ହେବା ବଡ ମୁସ୍କିଲ୍ କାମ । ସମ୍ପୂର୍ଣ୍ଣ ନିର୍ମଳ ନହେଲେ ଅନ୍ତଃକରଣ ନିଜେ ପ୍ରତିବନ୍ଧକ ସୃଷ୍ଟି କରେ, ନିଜ ପାଖରେ ନିଜକୁ ପହଞ୍ଚାଇ ଦିଏନାହିଁ । କିନ୍ତୁ ନିର୍ମଳ ଅନ୍ତଃକରଣର ଅର୍ଥ କଣ? ଅନ୍ତଃକରଣକୁ ନିର୍ମଳ କରିବା କଣ ସମ୍ଭବ? ‘ନିର୍ମଳ’ର ଅର୍ଥ ଯଦି ହୁଏ ହିଂସା, ଦ୍ୱେଷ, ଈର୍ଷା, ଲୋଭ ଇତ୍ୟାଦିଙ୍କୁ ଦୂର କରିବା ତେବେ ଜଣେ ସାଧାରଣ ମଣିଷ କବିଠାରୁ ଏତେ ବଡ ‘ମହାନତା’ ବା ‘ସନ୍ଥତ୍ୱ’ ଆଶା କରିବା କାହିଁକି? କିନ୍ତୁ ‘ନିର୍ମଳ’ ଅର୍ଥ ଯଦି ହୁଏ ନିଜ ଆଗରେ ନିଜର ଦୋଷ ସ୍ୱୀକାର, ତେବେ ଅନ୍ତଃକରଣରୁ ଅମାନବୀୟତା ଲୋପ ପାଇବ । ସେତିକି ହେଲେ ନିଜ ପାଖରେ ମୁକ୍ତ ହେବା ସମ୍ଭବ ହେବ । କବି ଜଣେ ସଲ୍ଲଜ, ସପ୍ରତିଭ ଓ ବିବେକୀ ବ୍ୟକ୍ତି ବୋଲି କୁହାଯାଇଛି ଏଇଥିପାଇଁ । ଯାହାକୁ ତମେ ମଧ୍ୟବର୍ତ୍ତୀ ମାର୍ଗ କହୁଚ ସେଇଟା ସାଲିସର ମାର୍ଗ । ନିଜର ଅନ୍ତଃକରଣ ସହିତ ସାଲିସ୍ କରିନେଲେ କବିତ୍ୱ ରହିବ କେଉଁଠି? କବିତ୍ୱ ସେଠି ହୋଇଯିବ ଚାତୁର୍ଯ୍ୟ । ଚାତୁର୍ଯ୍ୟ ବେଶୀ ସମୟ ତିଷ୍ଠି  ନାହିଁ, ଡାହାଣୀ ଆଲୁଅ ଭଳି ତାର ଚମକ । ସଂସାରର ଅଧିକରୁ ଅଧିକ କବି ସାଲିସ୍ ପନ୍ଥୀ, ଶବ୍ଦ କର୍ମୀ! କବତ୍ୱ ଅଲାଗା ଧାତୁରେ ଗଢା । ଦୁର୍ଲଭ ସେ!

ଆପଣ ଥରେ ଭାରତ ମାଝୀଙ୍କ ଏକ କବିତାକୁ ଗୋଟେ ଖବରକାଗଜରେ ନିଜ ପ୍ରତିକ୍ରିୟା ସହ ଛପେଇ ଥିଲେ ଓ ବିତର୍କ ପାଇଁ ଆହ୍ୱାନ କରିଥିଲେ । ସେ ପ୍ରୟାସ କେବଳ ଭାରତ ମାଝୀଙ୍କ ପାଖରେ ଅଟକି ଗଲା କାହିଁକି? ଉଦ୍ୟମଟିକୁ ଆଗକୁ ନେବା ପାଇଁ ତରୁଣ ପିଢ଼ିରେ କ’ଣ ଅନ୍ୟ କେହି କବି ନଥିଲେ? ନା ଅନ୍ୟକିଛି କାରଣ ଥିଲା?

ଭାରତ ମାଝୀଙ୍କର ସେ କବିତାରେ ବ୍ଲକ ବାରଣ୍ଡାରେ ବସିଥିବା ଗୋଟିଏ ବୁଢାର କଥାଥିଲା । ଯେତେଦୂର ମନେପଡୁଚି ସେ କବିତା ବିକାଶର ରାଜନୀତି ଉପରେ ଗୋଟେ କଟାକ୍ଷ ଥିଲା । ମୁଁ ତାର ଗୋଟେ କାଉଣ୍ଟର କବିତା ଲେଖିଥିଲି ଏଇଥିପାଇଁ ଯେ ମୁଁ ଚାହୁଁଥିଲି ଗୋଟେ ବିମର୍ଶ ମାଧ୍ୟମରେ କବିତାକୁ ଗୋଟେ ନୂଆ ବିଷୟବସ୍ତୁ ଆସୁ । କବିତାର ବିଷୟବସ୍ତୁ ନଥାଏ ସତ କିନ୍ତୁ ବିଷୟର ପରିମଣ୍ଡଳ ତ କାବ୍ୟବସ୍ତୁ ନିର୍ମାଣ କରେ! ରାଜନୀତି, ବିକାଶ, ଗଣତନ୍ତ୍ର ବା ନିର୍ବାଚନ କାହିଁକି କବିତାର କାବ୍ୟବସ୍ତୁ ହୋଇପାରିବନାହିଁ? ଭାରତଙ୍କ କବିତା ସହିତ ମୋ କବିତା ସେତେବେଳେ ଛପା ହୋଇଥିଲା ‘ଅନୁପମ ଭାରତ’ରେ । ଆଶାଥିଲା ଅନ୍ୟ କବିମାନେ ପଡିଆକୁ ଡେଇଁ ପଡିବେ, ବିଶେଷତଃ ଯୁବକବି ଓ ତାପରେ କବିଙ୍କର ‘ଡିସ୍କୋର୍ସ ମେକିଂ’ ଚାଲିବ । କିଛି ହେଲାନାହିଁ । ବୋଧହୁଏ କବିଏ ଭାବିଲେ ଭାରତ ଓ ମୁଁ ଧସ୍ତା-ଧସ୍ତି ଲାଗିଚୁ । ସେ ଯାହା ହେଉ ଆଉ କେହି ମଇଦାନକୁ ଓଲ୍ଲେଇଲେ ନାହିଁ, ସୁଯୋଗ ହାତଛଡା ହୋଇଗଲା । ଏବେବି କବିଙ୍କ ଡିସ୍କୋର୍ସ ପାଇଁ ଦ୍ୱାର ଉନ୍ମୁକ୍ତ ଅଛି ।

ସତୁରୀ (ଜନ୍ମିତ) ପରବର୍ତ୍ତୀ କବି କହିଲେ ଯେଉଁ ସାତଜଣ ଯୁବକବିଙ୍କ ନାଁ ହଠାତ୍‍ ଆପଣଙ୍କ ସାମ୍ନାକୁ ଆସେ, ସେମାନେ କିଏ କିଏ? କାହିଁକି? ସ୍ପଷ୍ଟ ଭାବେ କହିବେ କି?

ଅଖିଳ ନାୟକ, ଭାରତ ମାଝୀ, ପବିତ୍ର ମୋହନ ଦାଶ, ସରୋଜ ବଳ, କେଦାର ମିଶ୍ର, ଦୁର୍ଗାପ୍ରସାଦ ପଣ୍ଡା ଓ ଶକ୍ତି ମହାନ୍ତି ।
ଏ ତାଲିକାରେ ନାରୀ ନାହାନ୍ତି, କାରଣ ନାରୀମାନଙ୍କ କ୍ଷେତ୍ରରେ ବୟସ ବିଚାର ଭଦ୍ରୋଚିତ ନୁହେଁ । ହଁ, କାହିଁକି ଏମାନେ ମୋର ଦୃଷ୍ଟି ଆକର୍ଷଣ କରନ୍ତି ତାହା ଏହିପରି:
ଅଖିଳ ନାୟକଙ୍କ କାବ୍ୟ ଭାଷାର ପରିପକ୍ୱତା
ଭାରତ ମାଝୀଙ୍କ ସତର୍କ ବେପରୁୱାପଣର ସୃଜନଶୀଳନତା
ପବିତ୍ର ମୋହନ ଦାଶଙ୍କ ବାକ୍ ଛନ୍ଦର ସଘନତା
ସରୋଜ ବଳଙ୍କ ଚଟୁଳ ଚିତ୍ରମୟତା
କେଦାର ମିଶ୍ରଙ୍କ ରୋମାଣ୍ଟିକ୍ ପ୍ରତ୍ୟାବର୍ତ୍ତନ
ଦୁର୍ଗାପ୍ରସାଦ ପଣ୍ଡାଙ୍କ ଚାତୁର୍ଯ୍ୟ
ଶକ୍ତି ମହାନ୍ତିଙ୍କ ଅନ୍ତରଙ୍ଗ ଛଳ
ହେଲା? କିନ୍ତୁ ୟାର ଅର୍ଥ ନୁହେଁ ଯେ ଏମାନେ ଏଇଥିରେ ବନ୍ଧା । ଯାହାର ଯାହା ଭଲଲାଗେ ଇଏ ତାର ବିବରଣୀ, ସମ୍ପୂର୍ଣ୍ଣ ବିଚାର ନୁହେଁ କି ଅନ୍ତିମ ନିଷ୍କର୍ଷ ନୁହେଁ ।

ତରୁଣ କବିଙ୍କ କୌଣସି କବିତା ପଢ଼ିବା ବେଳେ ଆପଣ ଜଣେ ପାଠକ ଭାବେ ପଢ଼ନ୍ତି ନା ଲେଖକ କିମ୍ବା ସମାଲୋଚକ? ଆପଣଙ୍କ ସମୟସାମୟିକ କବିମାନେ ତରୁଣମାନଙ୍କୁ ପ୍ରାୟତଃ ଅନଉନଥିବା ବେଳେ (କ’ବ’ଚ’ ଲେଖୁଥିବା ତରୁଣୀମାନଙ୍କ ଉପରେ ଅବଶ୍ୟ ସମସ୍ତଙ୍କର ନଜର ଥାଏ) ଆପଣ କେଉଁ ଉଦ୍ଦେଶ୍ୟରେ ଏମାନଙ୍କୁ ପଢ଼ନ୍ତି? କ’ଣ ଆଶା କରି? ପାଠକୀୟ ତୃଷା ମେଣ୍ଟାଇବାକୁ? ନା ଲେଖକୀୟ ପ୍ରତିଯୋଗିତା ପାଇଁ ସଚେତନ ରହିବାକୁ? ନା ଗୋଟେ ନିରୋଳା ଆନନ୍ଦ ପାଇବାକୁ, ଯାହା ସମକାଳୀନ ଓ ତାଜା!

ମୋର ସୃଜନ ସଂସାର ମୋ ପାଇଁ ଏକ ନିରୋଳା ଆନନ୍ଦଲୋକ। ମୁଁ ନିଜକୁ ଖୁସି କରିବାକୁ ବିବିଧ ଶୈଳୀରେ ଲେଖ, ବିଭିନ୍ନ କାବ୍ୟ ବସ୍ତୁରେ ରମେ ଓ ବିବିଧ ବୈଚିତ୍ରରେ ଯାଇ ଲାଖେ । ମୁଁ ସବୁ କବିଙ୍କ କବିତା ପଢିଲାବେଳେ ନିଜ ଲେଖା ଭାବି ପଢେ଼ (ମୁଁ ଲେଖିଛି କି?), ଯଦି ପ୍ରଥମ ନଜରରେ ଭଲ ନଲାଗିଲା, ତେବେ ଛାଡିଦିଏ । ଯଦି ମନ ପାଇଗଲା ତେବେ ସେ କବି ଓ କବିତା ସେହି ମୁହୂର୍ତ୍ତରେ ମୋର ପ୍ରିୟ ହୋଇଯାଅନ୍ତି । ତେଣିକି ତାଙ୍କ କବିତାରେ ସବୁବେଳେ ମୋ ଆଖି ପଡେ଼ । ସେ ଯଦି ପରବର୍ତ୍ତି କବିତା ଗୁଡିକରେ ମୋତେ ହତାସ କରି ଚାଲନ୍ତି, ତେବେ ମୁଁ ମର୍ମାହତ ହୁଏ । ବିଶେଷତଃ ନବୀନଙ୍କୁ ପଢିଲାବେଳେ ମୁଁ କବିର କଳାକୁ ଚାହେଁ । କବିତାର ଆନନ୍ଦ ମୋ ପାଇଁ ଜୀବନ ଧର୍ମ, ମୁଁ ପ୍ରତି ଭଲ କବିତାକୁ ମୋର ନିଜର ବୋଲି ଭାବେ ପଢିଲାବେଳେ ଓ ଲେଖିଲାବେଳେ ଭାବେ ମୋ କବିତା ମୁଁ ପଢିଥିବା ସବୁ କବିତାଠାରୁ ଅଲଗା ହେଉ । ହୁଏ କି ନହୁଏ କହି ପାରିବିନି । ମୋ ପାଇଁ କୌଣସି ଲେଖକକୀୟ ପ୍ରତିଯୋଗିତା ନାହିଁ, କ୍ଷେତ୍ର ପୁରା ମୁକୁଳା!

ଆପଣ କ’ଣ ଭାବୁଛନ୍ତି ଯେ ଆମମାନଙ୍କ ଭିତରୁ କେହି କେହି ଭବିଷ୍ୟତର ପ୍ରମୁଖ କବି ହେବାର ସମ୍ଭାବନା ରଖିଛନ୍ତି? (ଏଠାରେ ‘ପ୍ରମୁଖ’ର ଅର୍ଥ ଜ୍ଞାନପୀଠ ବା ସରସ୍ୱତୀ ପୁରସ୍କାରପ୍ରାପ୍ତ ନୁହେଁ, ବରଂ ଜନାଦୃତ ଓ ପ୍ରଭାବଶାଳୀ ବୁଝିବେ ।) କିଏ ସେମାନେ? କ’ଣସବୁ ରହିଛି ସେମାନଙ୍କ ସମ୍ଭାବନାର କାରଣ? ପ୍ରମୁଖ କବି ହେବା ପାଇଁ କେବଳ ପ୍ରତିଭା କ’ଣ ଯଥେଷ୍ଟ?

ଜନାଦୃତ ଓ ପ୍ରଭାବଶାଳୀ ଏକାଠି? ନୂଆକବିର ସେ ଭାଗ୍ୟ କାହିଁ? ଜନାଦୃତ ହେବାକୁ ହେଲେ ଜନତା ଜନାର୍ବ୍ଦନଙ୍କ ପାଇଁ ଲେଖିବାକୁ ହେବ । ସେମିତି ଲେଖିଲେ ଜନରୁଚି କଣ ସେକଥା ଭାବିବାକୁ ହେବ । ବସ୍ତୁତଃ କବିତା ସବୁବେଳେ ମୁଷ୍ଟିମେୟ  ପାଠକଙ୍କ ପାଇଁ । ସମୂହକୁ ଲକ୍ଷ୍ୟ କରି କବିତା ଆଉ ଲେଖାଯାଉନାହିଁ । ପ୍ରଭାବ ଗୋଟେ ଅଲାଗା କଥା । ଗୋଟିଏ କବିତାର ପ୍ରଭାବ କେତେ ତାହା କେବଳ ଜଣେ ସଚ୍ଚା ଓ ସୁହୃଦ୍ ପାଠକ ଜାଣିପାରେ । ପ୍ରଭାବଶାଳୀ କବିତା ଜନାଦୃତ ନହୋଇପାରେ । ଆଧୁନିକ ବା ନୂଆ କବିତାରେ ସ୍ମରଣୀୟତା କମିଯାଉଥିଲାବେଳେ ଏ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ । ପାବ୍ଲୋ ନେରୁଦା ତାଙ୍କର କବିତାକୁ ଫଳ ମାର୍କେଟ୍ ର ଢାବଲ ଉପରେ ଠିଆହୋଇ ପଢୁଥିଲେ ଚିଲୀର ନିରକ୍ଷର ଲୋକବି ନେରୁଦାଙ୍କ କବିତାକୁ ଜାଣେ । କାହିଁକି? କେମିତି? ଉତ୍ତର ଲମ୍ବା ହେବ, ତେଣୁ ଗୋଟିଏ ବାକ୍ୟରେ କହିଦିଏ ଯେ, ଚିତ୍ରମୟ ଭାଷାର ମୂଳ ଯଦି ଜାତୀୟ ସ୍ମୃତିରୁ ଆସିଥାଏ କବିତାର ପାଠନୀୟତା ଯଦି ନ୍ୟୁନତମ ଜୀବନ ସଂସ୍କାରକୁ ସ୍ପର୍ଶ କରୁଥାଏ ତେବେ ତାହା ଜନାଦୃତ ଓ ଶକ୍ତିଶାଳୀ ହେଇପାରେ । ଅନ୍ୟ ଭାବରେ କହିଲେ ଆମକୁ ଓଡ଼ିଆ ଆଧୁନିକତାର ପରମ୍ପରାକୁ ଖୋଜି ବାହାର କରିବାକୁ ହେବ । ଏଭଳି କବି ଅବଶ୍ୟ ସମ୍ଭବ ହେଲେ । ସମକାଳୀନ କବିଙ୍କ ଭିତରେ ଯେଉଁମାନେ ପ୍ରତିଭାଶାଳୀ ସେମାନେ ପରସ୍ପରର ପ୍ରଶଂସାରେ ନଷ୍ଟ ନହୁଅନ୍ତୁ! କେବଳ ପ୍ରତିଭାରେ ଓଡ଼ିଆ ସାହିତ୍ୟକୁ ନେତୃତ୍ୱ ଦେବା ସମ୍ଭବ ନୁହେଁ । ପ୍ରତିଭା ସହିତ ଲୋଡା (୧) ନବୋନ୍ମେଷୀ ଦୃଷ୍ଟି (୨) ଅଧ୍ୟବସାୟ (୩) ବିଶ୍ୱଦୃଷ୍ଟି (୪) ନିରନ୍ତର ପ୍ରବାହମାନତା (୫) ଶୁଭଦୃଷ୍ଟି । ନୂଆପଣ ଦେଖିବା ପାଇଁ ଆଖି ଥିବ, ପରିଶ୍ରମ କରିପାରୁଥିବ, ନିରନ୍ତର ରଚନା ବ୍ୟାପୃତ ଥିବ ଓ ଶେଷରେ ପରଶ୍ରୀକାତରତା, ଅସହିଷ୍ଣୁତା ପରିତ୍ୟାଗ କରି ସହକବିଙ୍କୁ କୋଳେଇ ନେବାର ଉଦାରତା ଥିବ, ତାହାହେଲେ ଯାଇ ହେବ!

ଆମ ସମୟ ଯେଉଁଭଳି ଭାବେ ଦ୍ରୁତଗତିରେ ଡିଜିଟାଇଜ୍‍ଡ ହେବାରେ ଲାଗିଛି ଓ କବିତାର ପ୍ରଭାବ ସଂକୁଚିତ ହେବାରେ ଲାଗିଛି – କିଛି ଆଶଙ୍କା ଆସୁଛି କି ଆପଣଙ୍କ ମନକୁ? ଓଡ଼ିଆ କବିତାର ପରମ୍ପରାରେ ଗୋଟିଏ ସମୟକୁ ସଂଭାଳିବାକୁ ସଂଖ୍ୟାରେ ଆମେ କମିଯାଉଛୁ ବୋଲି ଧାରଣା ହେଉଛି କି? ନା ଆମେ ଯେତିକି ଅଛୁ ଠିକ୍‍ ଅଛୁ ବୋଲି ଭାବୁଛନ୍ତି?

ସଂଖ୍ୟାରେ ଅଧିକ, କିନ୍ତୁ ଗୁଣାତ୍ମକ ମାନରେ କମ୍ । ଡିଜିଟାଇଜେସନ୍ କବିତାକୁ ନଷ୍ଟ କରିନାହିଁ, କବିମାନେ ତାତ୍କାଳିକ ପ୍ରଶସ୍ତି ପାଇଁ ଡିଜିଟାଲ୍ ମିଡିଆରେ ଛାଇ ଯାଉଚନ୍ତି । ଫେସବୁକ୍ ତ ଗୋଟେ ଅଦୃଶ୍ୟ ଅବିଶ୍ୱାସ୍ୟ ପୃଥିବୀର ରଚନା କରିଚି, ପ୍ରତୀୟମାନ ବାସ୍ତବତାରେ ବଂଚିବାର ସହଜତା ଓ ଉତ୍ତରଦାୟିତ୍ୱହୀନତା ବୋଧହୁଏ ଛିନ୍ନମୂଳ ବେପରୱା ଜେନେରସନ୍ କୁ ସୁହାଉଚି, କିନ୍ତୁ କୃତ୍ରିମ ୱାହ ୱାହ କ୍ଷଣସ୍ଥାୟୀ ହୋଇଥିବା ହେତୁ ମୂଳଦୁଆ ନିର୍ମାଣ ପାଇଁ ସଂପୂର୍ଣ୍ଣ ଅନୁପଯୁକ୍ତ । ୟା ବି ହୋଇପାରେ ଯେ ପରଂପରା କହିଲେ ସଭ୍ୟତାର ବିଂଶଶତାବ୍ଦୀ ପର୍ଯ୍ୟନ୍ତ, ତାପରେ ଏକ ସୁଦୀର୍ଘ ସିମ୍ଲେସ୍ ପ୍ରତୀୟମାନ ବର୍ତ୍ତମାନ । ଏଥିରେ ପ୍ରତିମା ନିର୍ମିତ ହେବ ଓ ଭାଂଗିବ । ହୁଏତ ସାହିତ୍ୟର ବା କବିତାର ଭବିଷ୍ୟତ ହେବ ଆଶୁକବିତାରେ । ହୁଏତ କବିତା କେବଳ ଏକ ଚିତ୍ରମୟ ଭାଷା ଭାବରେ ବଂଚିବ । ଏବର ସମୟ କୀର୍ତ୍ତିନିର୍ମାଣର ସମୟ, ଏଥିପାଇଁ ଅଧିକ କଳାପାଟବ, ଅଧିକ ପରିଶ୍ରମ ଓ ଅଧିକ ସଂପ୍ରେଷଣକ୍ଷମତା ଦରକାର ।

କେନ୍ଦ୍ରସାହିତ୍ୟ ଏକାଡେମୀ କିଛି ବର୍ଷ ତଳୁ ଆରମ୍ଭ କରିଛନ୍ତି ଯୁବ ସାହିତ୍ୟ ପୁରସ୍କାର । ଏହାର ବୟସ ସୀମା ରହିଛି ୩୫ । ଆପଣ ଭାବୁଛନ୍ତି କି ଏ ପୁରସ୍କାର କିଛି ନୂଆ କବିଙ୍କୁ ତିଆରି କରି ପାରିବ? କିଛି ବିପଦ ଲକ୍ଷ୍ୟ କରୁଛନ୍ତି କି? ଏ ସରକାରୀ ପୁରସ୍କାର ସପକ୍ଷରେ ବା ବିପକ୍ଷରେ କିଛି କହିବାର ଅଛି କି? ୩୫ ବର୍ଷ ବୟସ ସୀମା ଟିକେ କମି ଯାଉଛି କି, ନା ବେଶି ହେଇଯାଉଛି?

୩୫ ବର୍ଷର ସୀମାକୁ ୪୫ ଯାଏଁ ବଢେ଼ଇ ଦିଆଯାଇ ପାରେ । ଯୁବ ପୁରସ୍କାର ତା ଜାଗାରେ ଠିକ୍ । କିନ୍ତୁ କୌଣସି ପୁରସ୍କାର କବି ତିଆରି କରେ ନାହିଁ । ସବୁ ପୁରସ୍କାରରେ ଯାହା ବିପଦ ଏଥିରେ ବି ସେଇଆ । କିଛି ପୁରସ୍କୃତ କବି ଭାବିବେ ତାଙ୍କ ପ୍ରତିଭା ସ୍ୱୀକୃତ ହୋଇଗଲା, ସେମାନେ ଯାହା ଲେଖୁଚନ୍ତି ବଢ଼ିଆ, ଆଉ କେହିକେହି ପୁରସ୍କାର ନିଶାରେ ରହିବେ । କିନ୍ତୁ ଜଣେ ସତ୍ କବି ପାଇଁ ଏ ପୁରସ୍କାର କେବଳ ଗୋଟେ ସୁଯୋଗ, ନିଜ କଳାକୁ ଅଧିକ ଶାଣିତ କରିବା ପାଇଁ । ପୁରସ୍କାର ବିପକ୍ଷରେ କଣ କହିବି? ପୁରସ୍କାରକୁ ମର୍ଯାଦାହୀନ କରିପକାନ୍ତି ଲେଖକମାନେ । ଲେଖକମାନେ ନଚାହିଁଲେ ଲବି ତିଆରି ହୁଅନ୍ତା ନାହିଁ, ଅଯୋଗ୍ୟମାନେ ଅମୁକ ପୁରସ୍କାର ହାତେଇ ନେଲେ ବୋଲି କୋଳାହଳ ହୁଅନ୍ତା ନାହିଁ । ସୃଜନଶୀଳତା ଗୋଟେ ସୁନ୍ଦର ଅହଂ ତିଆରି କରେ, ବିବେକକୁ ଜାଗ୍ରତ କରେ କ୍ଷୁଦ୍ରମନା ହେବାର ବିପଦ ବିରୋଧରେ । ସେ କି ସୃଜନଶୀଳତା ଯାହା ଆଉ କାହାର ଅନୁଗ୍ରହକୁ ଆଶ୍ରୟ କରି ଉପରକୁ ଉଠେ? ବିବେଚକ ମାନେ ଯଦି ସ୍ୱୟଂ ପୁରସ୍କାର- କାଂଗାଳ ହୋଇଥିବେ ବିପଦ ଦ୍ୱିଗୁଣିତ ହେଲା ଜାଣ । ଅଯୋଗ୍ୟ ଲେଖକ ଓ ବିକଳୀ ବିବେଚକ ବଡ଼ ଭୟଙ୍କର ଘଣି । ଏମାନେ ପ୍ରତିଭା ଓ ସମ୍ମାନ ଦୁଇଟାଯାକୁ ନଷ୍ଟ କରିଦେବେ । ସରକାରୀ ପୁରସ୍କାର ମୋ ଦୃଷ୍ଟିରେ ଆମ ପୁରସ୍କାର, ଆମ ଦେଶର ପୁରସ୍କାର । ତେଣୁ ଅଧିକ ସମ୍ମାନର ଯୋଗ୍ୟ, ୟାକୁ ସ୍ୱଚ୍ଛ ରଖିବାର ଦାୟିତ୍ୱ ଆମର । ଦୋକାନୀ, ବ୍ୟବସାୟୀ ବା ଧନପତିଙ୍କ ଦ୍ୱାରା ସ୍ଥାପିତ ପୁରସ୍କାର ତାଙ୍କ ମର୍ଜିରେ ଚଳେ, ଯାହାକୁ ଚାହିଁବେ ତାକୁ ଦେବେ, ସେଥିରେ ଆମର ନାଗରିକ ଅଧିକାର କାହିଁ?

ଦୁଇ ପ୍ରକାର କବି ଅଛନ୍ତି; ଦଳେ ଭଦ୍ର କବି (ଯେଉଁମାନେ ସମାଜ ଓ ବ୍ୟବସ୍ଥା ସହିତ ସାଲିସ୍‍ କରି ସଂଭ୍ରମତାର ସହ କବିତା ଲେଖନ୍ତି) ଓ ଆର ଦଳକ ବେପରୁଆ କବି (ଯେଉଁମାନଙ୍କ ପାଇଁ କବିତା ଗୋଟେ ଚ୍ୟାଲେଂଜ୍‍ ନୁହେଁ, ବ୍ୟବସ୍ଥା ଗୋଟେ ପ୍ରତିବନ୍ଧକ ନୁହେଁ, ସମାଜ ଆଦୌ ଯଥେଷ୍ଟ ନୁହେଁ, ସଂପର୍କର ସୀମା ସରହଦ ନିର୍ଦ୍ଧାରିତ ନୁହେଁ, ପରମ୍ପରା ଅନ୍ଧବିଶ୍ୱାସସଂପନ୍ନ ନୁହେଁ, ଇତିହାସ ବିଶ୍ୱାସଯୋଗ୍ୟ ନୁହେଁ, ଭବିଷ୍ୟତ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବର୍ତ୍ତମାନ ସାଧାରଣ ନୁହେଁ) । ଏ ଦୁଇ ପ୍ରକାର କବି ବୋଧହୁଏ ସବୁକାଳେ ଥାଆନ୍ତି । ଏ ଦୁଇପ୍ରକାର କବିଙ୍କୁ ଆମ ସମୟଖଣ୍ଡରେ ଠିଆ ହେଇ ଆପଣ କେମିତି ସ୍ୱୀକାର କରିବେ? ସମକାଳୀନ କବିତାରୁ ବେପରୁଆପଣ କମିଯାଉଥିବା ଆପଣ ଲକ୍ଷ୍ୟ କରୁଛନ୍ତି କି?

ଆଃ, ପ୍ରକୃତ ବେପରୁୱା କବି କାହାନ୍ତି ସରୋଜ୍? ବିଂଶ ଶତାବ୍ଦୀର ଷଷ୍ଠ ଦଶକରେ ବାହାରିଥିଲେ ବିଟ୍ ବିଟ୍ନିକ୍, ବାହାରିଥିଲେ ଦଳେ ସ୍ଥିତିବାଦୀ । ବେପରୁୱା ଦେଖିଚି ମୁଁ ଆଲାନ୍ ଜିନସ୍ ବର୍ଗଙ୍କୁ, ପଢ଼ିଚି ଜାକ୍ କେରୁଆକ୍ ଙ୍କୁ । ବନ୍ଧୁନାହିଁ, ପରିବାର ନାହିଁ, ସମାଜ ନାହିଁ, ସଂସ୍କାର ନାହିଁ, ଜ୍ଞାନ ନାହିଁ, ଧନ ନାହିଁ, ଆଶା ନାହିଁ, ସ୍ୱପ୍ନ ନାହିଁ, ଭବିଷ୍ୟତ ନାହିଁ କି ଅତୀତ ନାହିଁ । କେବଳ ବର୍ତ୍ତମାନ ଗୋଟେ ସୀମାହୀନ ସଡ଼କ ଭଳି ପଡ଼ିଚି ଆଗରେ । ସେ ସଡ଼କରେ ଚାଲିଚି ଗୋଟେ ଲୋକ । ଦେହରେ ଫଟା ଜାମା, କାନ୍ଧରେ ଝୁଲାମୁଣି, ଆଖି ଗଂଜେଇ ନିଶାରେ ଲାଲ୍, ମଇଳା କୋଚଟ ଡାଇରୀରେ ପୃଷ୍ଠା ପୃଷ୍ଠା ଚିତ୍କାର, ଅସନ୍ତୋଷ, ଆକ୍ରୋଶ! କେରୁଆକ୍ ଙ୍କର ‘ଅନ୍ ଦି ରୋଡ୍’ ପଢ଼ିବ । ପଢ଼ିବ ଜନସ୍ ବର୍ଗଙ୍କ ‘ହାଉଲ୍’ । ତାଙ୍କୁ କୁହାଯାଏ ବେପରୁଆ! ସ୍ଥିତିବାଦୀ ଭିତରେ କ୍ୟାଂପସ୍ ହିରୋ କଲିନ୍ ୱିଲ୍ସନ୍, କାମୁ, କାଫ୍କା, ସାର୍ତ୍ରେ, ଏବଂ ପଞ୍ଝେ ବାଉଳା ଦାର୍ଶନିକ ନିତସେ, ଉନାମୁନୋ, କିର୍କେଗାଡ! ସପ୍ତମଦଶକ ବେଳକୁ ଏଇମାନଙ୍କ ନିଶାରେ ଚୂର ହୋଇ ମୁଁ ଓ ବନ୍ଧୁମାନେ ବାହାରିପାରିଥାନ୍ତୁ ଦଳେ ବେପରୁଆ କବିହୋଇ । ହେଲାନାହିଁ । ଜୀବନ ଆମକୁ ସାବାଡ୍ କରିଦେଲା । ଚାକିରୀ, ଘରଦ୍ୱାରା, ସ୍ତ୍ରୀପିଲା, ଧନସଂପଦ, ସୁଖସୁବିଧା, ଆରାମ ଅଏସ୍! ଏସବୁ ଗିଳିଦେଲେ ଆମର ସେ ବେପରୁଆ ଅତୀତକୁ ।

‘ଆଲୋକିତ ବନବାସ’ ଲେଖିବା ବେଳକୁ ଆପଣ ଓଡ଼ିଆ କବିତାର ଜଣେ ବେପରୁଆ, ରକ୍ତିମ, ତୁଷାର୍ତ୍ତ ନବ୍ୟଯୁବକ (ଯାହା ଆପଣଙ୍କ କବିତାରୁ ଅନୁମାନ କରାଯାଇପାରେ) । ଆପଣ ଯେତେବେଳେ (ସେତେବେଳେ) ଯୁବକବି ଥିଲେ, ସେ ବେଳ ସହିତ ଆମ ବେଳକୁ କେମିତି ତଉଲିବେ? କିଛି ସାମଂଜସ୍ୟ ମିଳିବ କି? ନା ପୂରା ଡିଫରେଣ୍ଟ ଥିଲା ସେ ସମୟ ଆମଠାରୁ?

ଗୋଟେ ନିଶାଣ ରହିଗଲା ‘ଆଲୋକିତ ବନବାସ’ରେ, ଅନେକ କବିତା ଚିରି ଉଡେ଼ଇ ଦେଲି ମୁଁ ଯୋବ୍ରା ଆନିକଟ ନିକଟରେ ଠିଆହୋଇ କେବଳ ଏତିକି ଦେଖିବା ପାଇଁ ଯେ ପବନରେ ଉଡୁଥିବା ବେଳେ କବିତାଲେଖା କାଗଜ ଓ ଯେକୌଣସି ଚିରାକାଗଜ ଭିତରେ କିଛି ଫରକ୍ ନାହିଁ । ଇଏ କି ବେପରୁଆପଣ ସେତେବେଳେ ମୁଁ ଜାଣିନଥିଲି । ଆଜି ଏତେ ଦୂର ଆସିଲା ପରେ ପଛକୁ ଚାହିଁ ସେ ତରୁଣ କବିର କ୍ରୋଧ, ବେସାଲିସୀ ଦମ୍ଭ, କବିତାରେ ପୃଥିବୀକୁ ବଦଳାଇ ଦେବାର ଦୁରାଶା ସବୁକୁ ଦେଖୁଚି ଓ ଭାବୁଚି କୁଆଡେ ଗଲେ ସେମାନେ? ମୋ’ରି ଭିତରେ ଗୋଟେ ଗୁପ୍ତ ଆଶ୍ରୟସ୍ଥଳି ଥିଲା ବୋଧେ । ତାହାରି ଭିତରେ ମୁଁ ଲୁଚାଇ ରଖିଚି ବିସ୍ଫୋରକ ଭଳି ସେ ସବୁଙ୍କୁ । ଏବେବି ସେମାନେ ବାହାରନ୍ତି, ମୋତେ ବ୍ୟତିବ୍ୟସ୍ତ କରନ୍ତି, ମୋତେ ଶୁଆଇ ଦିଅନ୍ତି ନାହିଁ, ଖୁଆଇ ଦିଅନ୍ତି ନାହିଁ, ସବାର୍ ହୋଇଯାନ୍ତି ମୋ ଉପରେ । କବିତା ଲେଖିଲା ବେଳେ ମୁଁ ବନିଯାଏ ପବନର ପ୍ରାସାଦରେ ଅନନ୍ତ ଉଡାଣର ବାଦଶାହା! କାହାରି ପ୍ରଶଂସା ବା ନିନ୍ଦାରେ ମୋର କିଛି ଯାଏଆସେ ନାହିଁ, ଗୋଟେ ଲମ୍ବା ରାସ୍ତାରେ କବିତାର ପଥଚଲା ଏବେବି ଚାଲିଚି । ଅଥଚ ବାହାରେ ଦିଶୁଚି ମୁଁ ସମାଜ ଓ ବ୍ୟବସ୍ଥା ସହିତ ସାଲିସ୍ କରିନେଇଚି ଜଣେ ନିପଟ ସଂସାରୀ ଭଳି । କହିଚିତ ସାମାଜିକତା କବିର ଆତ୍ମରକ୍ଷାର କବଚ! ବାହାରେ ବରଫ, ଭିତରେ ନିଆଁ! ଏ ଦ୍ୱୈତଭାବକୁ ବୁଝିବ କିଏ? ତମେ କବିଙ୍କୁ ବିଭାଗରେ ବାଣ୍ଟିଦେଲ । ଯାହା କଥା ମୁଁ କହୁଚି ସିଏ ରହିବ କୋଉଠି? ଏବର ଅନେକ କବିଙ୍କ ଭିତରେ ଏ ଦ୍ୱୈତଭାବ ଅଛି ନିଶ୍ଚୟ । ମୁଁ ମୋ କଥା କହିଦେଲି ସେମାନେ ତାଙ୍କ କଥା କହିବେ ସୁଯୋଗ ପାଇଲେ । ହଁ, ଏବର କବିତାରେ ଯାହା ଦିଶୁଚି ଉପରେ ବେପରୁଆ ପଣ ଭିତରେ ସାଲିସ୍ । ହୁଏତ ଠିକ୍ ଓଲଟା କଥା ଘଟୁଚି । ଘଟିବାର ଅନେକ କାରଣ ଅଛି, ସେ ବିଷୟରେ ଆଲୋଚନା କରିବା ପରେ କେବେ । ‘ଆଲୋକିତ ବନବାସ’ ସେତେବେଳେ ଯୁବକବିଙ୍କ ପାଇଁ ଗୋଟେ ସଂଗ୍ରହଣୀୟ ଓ ସ୍ମରଣୀୟ ବହି ହୋଇଯାଇଥିଲା । ବରିଷ୍ଠମାନେ ଗାଳିଗୁଲଜ କରିଥିଲେ, ଓଡିଆ କବିତାର ସୁକୁମାରପଣ ନଷ୍ଟ ହେଲାବୋଲି କହିଥିଲେ କେହି କେହି । ହାଡ଼ଭାଙ୍ଗିଲା ଭଳି କଡ଼ କଡ଼ ଡାକୁଥିବା ଗୋଟେ ରୋକଠୋକ୍ ଶୈଳୀରେ ଲେଖା ସେ କବିତାରେ ରୋମାଣ୍ଟିକ୍ ଭାବବିଳାସ ଟିକିଏ ନଥିଲା । ସେ ଆଣ୍ଟିରୋମାଣ୍ଟିକ୍ ଗଦ୍ୟମୟତାର ବିଚିତ୍ର ଅକବିତ୍ୱ ମୋଭିତରେ ରହିଗଲା ସବୁବେଳେ । ନାରୀ ପ୍ରେମରେ ମୁଁ କବିତା ଲେଖିନାହିଁ କେବେ । ବିରହରେ ମୁଁ ଚେଇଁ ନାହିଁ କେବେ, ମୁଁ ଚେଇଁଚି ମୋ ବେପରୁଆ କବିତ୍ୱକୁ ବଂଚେଇ ରଖିବାପାଇଁ ରାତିରାତି । ଦାମ୍ପତ୍ୟର ପ୍ରେମକବିତା ଲେଖିଛି ସଂସାର ସହିତ ଆଳାପ ପାଇଁ ମୋ ସ୍ତ୍ରୀକୁ ସାକ୍ଷୀରଖି ।

ତମେ ମୋର ‘ଅପାର୍ଥିବ ପ୍ରେମକବିତା’ ପଢ଼ିଛ? ଦେଖିବ ‘ଆଲୋକିତ ବନବାସ’ର ଅନ୍ତତଃ କୋଡ଼ିଏ ବର୍ଷପରେ ଲେଖାହୋଇଥିବା ଏ କବିତାରେ କିପରି ଲୁହା ନରମହେବାର ପ୍ରକ୍ରିୟା ଚାଲିଛି କମାର ଶାଳରେ, କିପରି ମୁଁ ବଦଳୁଛି ଗୋଟେ ସେଁ ପରେ, ନିସ୍ତୁକ୍ ହାତୁଡି ମାଡ଼ପରେ, ପୁଣି ଦାଉଦାଉ, ପୁଣି ସେଁ! ଲୁହା ହୋଇ ରହିଗଲି ସରୋଜ, ନିଜକୁ ଅସ୍ତ୍ରରେ ବଦଳାଇପାରିଲି ନାହିଁ । ସେଇ ଅନମନୀୟ ଅନ୍ତିମ ଲୁହା ଟିକକ ମୋର ଟାଣପଣ । ମୁଁ ମୋ କଥା କହୁଛି ଏଇଥିପାଇଁ ଯେ ବେପରୁଆପଣର ଗୋଷ୍ଠୀ ନାହିଁ କି ସମୟ ନାହିଁ । ସମୟ ଆମକୁ ଦେଇଥିଲା ବିଟ୍, ବିଟ୍ନିକ୍, ସ୍ମୃତିବାଦ, ଆମେ ତାକୁ କିଏ କେମିତି ନେଇ କୋଉ ବାଟରେ ଗଲୁ ସିଏ ଆପଣା ଆପଣା କାହାଣୀ । ବର୍ତ୍ତମାନ ସମୟରେ ସେତବେଳର ଉତ୍ତର- ଓøପନିବେଶିକ ଜାଗରଣ ନାହିଁ କି ଜୀବନ ମୂଲ୍ୟର ପରୀକ୍ଷାପାଇଁ ଦର୍ଶନ ନାହିଁ । ବର୍ତ୍ତମାନର ସମୟରେ ଗଣତନ୍ତ୍ର, ମାନବିକ ଅଧିକାର ଓ ପୃଥିବୀର ସୁରକ୍ଷା ମୁଖ୍ୟ ପ୍ରସଙ୍ଗ, ୟାର ଭାଷା ରାଜନୀତି । ରାଜନୀତିରେ ଭିତର ବାହାର ଦ୍ୱୈତ ପ୍ରକୃତରେ ଗୋଟିଏ ଏକକ । ତେଣୁ ଚ୍ୟାଲେଞ୍ଚ ନାହିଁ । ପଥ ବୃତ୍ତାକାର । ତେଣୁ ଆଗକୁ ଯିବା ଓ ପଛକୁ ଫେରିବା ଏକାକଥା । ବର୍ତ୍ତମାନ ବେପରୁଆ, ବେସାଲିସ୍ ହେବା ସମ୍ଭବ ନୁହେଁ । ବର୍ତ୍ତମାନ ସମୟର ଅନ୍ତଃକରଣରେ କବିତାର ସମସ୍ତ ଅସନ୍ତୋଷ ନେଇ ଏକ ଶୀତଳ ଆତଙ୍କ ହୋଇ ରହିବ ସମୟର କ୍ରୂରତା ବିରୋଧରେ କବିତାର ଶୀତଳ ଆତଙ୍କ । ଏଇଥିରୁ ବୁଝ ସମୟର ପାର୍ଥକ୍ୟ, କବି-କବି ଭିତରର ପାର୍ଥକ୍ୟ ।

ବଦଲେୟାର୍‍ଙ୍କଠାରୁ ରାମ୍ବୋଙ୍କ ଯାଏଁ ବିଶ୍ୱର ବହୁ କବି ସେମାନଙ୍କ ଯୁବାବସ୍ଥାରେ ହିଁ ପ୍ରମାଣିତ କରିଛନ୍ତି ଆପଣାର ସାମର୍ଥ୍ୟ । ଆମ ଓଡ଼ିଶାରେ ଯୁବକବିମାନଙ୍କୁ ଅଧିକାଂଶ ବରିଷ୍ଠ ଗୁରୁତ୍ୱ ଦିଅନ୍ତି ନାହିଁ । ଗୁରୁତ୍ୱ ନଦେଲେ ବି ଚଳନ୍ତା, ହେଲେ ସେମାନଙ୍କ ପାଇଁ ବାଟ ବନ୍ଦ କରିଦିଅନ୍ତି, କିଛି ଜଣାନାହିଁ ବୋଲି ତାଚ୍ଛଲ୍ୟ କରନ୍ତି । ଅବଶ୍ୟ ଆପଣ ଏଥିରୁ ବ୍ୟତିକ୍ରମ । କିନ୍ତୁ ଏପରି କାହିଁକି? ସତରେ ଯୁବକବିମାନଙ୍କ ଭିତରେ କିଛି ନାହିଁ ନା ବରିଷ୍ଠଙ୍କ ଭିତରେ ଚଉକି ଚାଲିଯିବାର ଭୟ ଅଛି?

ରାମ୍ବୋଙ୍କୁ କିଏ ଗୁରୁତ୍ୱ ଦେଇଥିଲା? ରାମ୍ବୋ, ବଦ୍ଲେଆର୍ ଓ ଭାର୍ଲେନ୍ ଉଠିଥିଲେ ରାସ୍ତା କଡ଼ର ନର୍ବ୍ଦମାରୁ, ଗଣିକା ବସ୍ତିରୁ । ଘୃଣା, ଅପମାନ, କ୍ଷୁଧା ଓ ରୋଗ ଭିତରୁ । ସେମାନେ ପରସ୍ପରକୁ ସମ୍ଭାଳିଥିଲେ କିଛି ସମୟ ପୁଣି ଅଲଗା ହୋଇ ଯାଇଥିଲେ । ରାମ୍ବୋ କବିତା ଛାଡି କୋଡିଏ ବର୍ଷ ବୟସରେ ଚାଲିଯାଇଥିଲେ ଆଫ୍ରିକା  । ବଦ୍ଲେଆର ମରିଥିଲେ ସିଫିଲିସରେ ଓ ଭାର୍ଲେନ୍ ରାମ୍ବୋଙ୍କ ବିନା ପାଲଟି ଯାଇଥିଲେ ନିଜର ପ୍ରେତଛାୟା । ଅଳ୍ପଦିନର ସାହଚର୍ଯ୍ୟ ଭିତରେ ଗଢ଼ିଉଠିଥିଲା ଏକ ନୂଆ କାବ୍ୟ ପରମ୍ପରା । ଟି.ଏସ୍. ଇଲିୟଟ୍ ଓ ଏଜ୍ରା ପାଉଣ୍ଡ ଏମାନଙ୍କୁ ନିଜ କାବ୍ୟାଲୋଚନାର ପରିସର ଭୁକ୍ତ ନକରିଥିଲେ, ତାଙ୍କର ପ୍ରଭାବ ସ୍ୱୀକାର କରିନଥିଲେ ଏମାନେ ବିଶ୍ୱବିଖ୍ୟାତ ହୋଇନଥାନ୍ତେ । ଫ୍ରାନ୍ସରେ ଏଭଳି ବହୁଗୋଷ୍ଠୀ ଆପେ ନଷ୍ଟ ହୋଇ ଯାଇଚନ୍ତି କିନ୍ତୁ ଏମାନେ ସାମ୍ରାଜ୍ୟବାଦର ଇଂରେଜୀରେ ପ୍ରବେଶକରି ଉପନିବେଶ ମାନଙ୍କର ଚୈତନ୍ୟରେ ପ୍ରବେଶ କରିଗଲେ ବୋଲି ଆମେ ଆଜି ତାଙ୍କକଥା କହୁଚେ । ଆମର ସ୍ଥିତି ତୁଳନୀୟ ନୁହେଁ । ପ୍ରଥମ କଥା ରାମ୍ବୋ, ବଦ୍ଲେୟାର, ଭାର୍ଲେନ୍ଙ୍କ ଭଳି ଗୋଷ୍ଠୀ  ଆମର କାହିଁ? ମୁଁ କେତେଜଣ କବିଙ୍କ ସହିତ ମିଶି ମେନିଫେଷ୍ଟୋଟିଏ ତିଆରିକରିଥିଲି ବୋଲି ଏପର୍ଯ୍ୟନ୍ତ ବିବାଦ ଛାଡ଼ିନାହିଁ । ମୋର ଉଦ୍ଦଦେଶ୍ୟ  ଥିଲା ୟୁରୋପୀୟ କବି ଗୋଷ୍ଠୀ ଭଳି ମେନିଫେଷ୍ଟୋର ଆଧାରରେ କିଛି ସାହାସୀ କବିଙ୍କୁ ଏକାଠି କରିବା । ହେଲା ନାହିଁ, କିନ୍ତୁ ମେନିଫେଷ୍ଟୋ ଯିବକୁଆଡେ? ବହୁ ବର୍ଷପରେ ସେଇ ମେନିଫେଷ୍ଟୋଟି ହୁଏତ ଖୋଜାହେବ ।

ହଁ ରାମ୍ବୋଙ୍କ ପ୍ରସଂଗରୁ ମନେପଡ଼ିଲା ମୁଁ ତମର ଗୋଟେ କବିତା ବହି ପଢ଼ି ଉଚ୍ଛସିତ ହୋଇ ତମକୁ ରାମ୍ବୋ ବୋଲି ଡାକିଥିଲି । ତମେ ନିଜେ କୁହ ତମର ଭିତରର ସେ ରାମ୍ବୋକୁ ତମେ କେମିତି ସମ୍ଭାଳିଛ ନା ସିଏ ନଷ୍ଟହେଲାଣି ଏ ଭିତରେ?

ବରିଷ୍ଠଙ୍କ ଆଶୀର୍ବାଦ ବିନା ଯେ ଜଣେ ବିଚକ୍ଷଣ କବି ଉଧେଇ ପାରିବ ନାହିଁ, ଏକଥା ଠିକ୍ ନୁହେଁ । ବରିଷ୍ଠମାନଙ୍କ ଚଉକି ମୁଁ ଦେଖିନାହିଁ । କବିତାରେ ଚଉକି ଅଛି ବୋଲି ମୁଁ ଭାବେନାହିଁ । ହଁ, ବରିଷ୍ଠ  ବା ପ୍ରତିଷ୍ଠିତଙ୍କ ମନ୍ଦ କବିତା ମଧ୍ୟ ଛପାହୁଏ ଯେତେବେଳେକି ଯୋଗ୍ୟତମ ତରୁଣ କବିର ଭଲ କବିତାବି ପ୍ରତ୍ୟାଖ୍ୟାତ ହୁଏ । ଏଥିରେ ବିସ୍ମିତ ହେବାର କିଛି ନାହିଁ । କାରଣ ‘ନବଲେଖନ’ପାଇଁ ଆମର ପତ୍ରିକା ନାହିଁ, ସାହିତ୍ୟ ସଂପାଦନା ପାଇଁ ଯୋଗ୍ୟ ସଂପାଦକ ନାହାନ୍ତି, ଯୁବକବିମାନେ ଏକାଠି ହେଲେ ସ୍ଥିତି ବଦଳି ପାରିବ, କିନ୍ତୁ ଯୁବକବିମାନେ ଏକାଠି କେମିତି ହେବେ ଯଦି ଯୌବନରେ ବି ବାର୍ଦ୍ଧକ୍ୟର ସଂକୀର୍ଣ୍ଣତା, ସ୍ୱାର୍ଥ ଓ ସ୍ଥିତିସ୍ଥାପକତା ତାଙ୍କ ହାତଗୋଡ ବାନ୍ଧି ପକାଏ?

ଯୁବକବି ମାନଙ୍କ ଭିତରେ କିଛି ନାହିଁ ବୋଲି ଯୁଗେ ଯୁଗେ ଅପବାଦ, କିନ୍ତୁ ସ୍ଫୁଲିଙ୍ଗ କଣ କାହାର ସ୍ୱୀକାର ପାଇଁ ବା ସମର୍ଥନ ପାଇଁ ଅପେକ୍ଷା କରେ? ଟିକିଏ ହାୱା ଦରକାର!

ଆମେ ହାୱା ବି କରିପାରିବା ନାହିଁ? ଦେବଦୂତମାନଙ୍କ ଡେଣା ହଲେଇବା ପାଇଁ ଅପେକ୍ଷା କରିବା?

ଯୁବପିଢ଼ିର ପାଠକଙ୍କ ସଂପର୍କରେ କ’ଣ ଧାରଣା ଆପଣଙ୍କର? ନିରୋଳା ପାଠକ କେହି ଅଛନ୍ତି କି? ନା ଯିଏ କବି ସିଏ ହିଁ ପାଠକ?

ମୋ ଜାଣିବାରେ ଯିଏ କବି ସିଏ ପାଠକ । କିନ୍ତୁ ବହୁ ଅଦୃଶ୍ୟ ରସିକ ଅଛନ୍ତି ଯେଉଁମାନେ ସବୁପଢ଼ନ୍ତି, ଯାହାଙ୍କୁ ଆମେ ଜାଣୁନା କିନ୍ତୁ ସେମାନେ ଅଛନ୍ତି।

ଆମ ସମୟର ଯୁବକବିଙ୍କ ଲେଖାଲେଖିକୁ ନେଇ ଆପଣ ସନ୍ତୁଷ୍ଟ କି? ଆମମାନଙ୍କ ହାତରେ କବିତାର ଡୋରି ଦେଇ ଆପଣ ନିଶ୍ଚିନ୍ତରେ ଚାଲିଯାଇ ପାରିବେ କି? ନା କିଛି ସଂଶୟ ଅଛି?

ମୋ ଭାଷାର କବିତାକୁ ନେଇ ମୁଁ ସନ୍ତୁଷ୍ଟ କାହିଁକି ହେବି? ମୁଁ ଚାହେଁ ପୃଥିବୀର ଶ୍ରେଷ୍ଠ କବିତା ଓଡ଼ିଆରେ ଲେଖା ହେଉ । ଓଡ଼ିଆ କବିତାର ଡୋରି ମୋ ହାତରେ ନାହିଁ । ତେବେ ଯାହା କିଛି କାଠିକୁଟା ଏକାଠି କରି ମୁଁ ସମ୍ପଦ ମଣି ଗଦେଇଚି, ସେତକ ମୁଁ ବିନାଯୁଦ୍ଧରେ ଦେବିନାହିଁ । ମୋତେ ପରାସ୍ତ କର ମୋର ସଂପଦ ଦୂର କର ।

କେବଳ ଓଡ଼ିଆ ନୁହଁନ୍ତି, ଅନ୍ୟ ବିଭିନ୍ନ ଭାଷାର ତରୁଣ କବିମାନଙ୍କୁ ବି ଆପଣ ପଢ଼ୁଥିବେ । ଆମ ଲେଖାର ଟ୍ରେଣ୍ଡ୍‍ ସେମାନଙ୍କଠାରୁ କେତେ ଅଲଗା? କେତେ ସମାନ?

ମାଲୟାଲମ୍, ମରାଠୀ, ପଞ୍ଚାବୀ ଓ ମଣିପୁରର ଯୁବପିଢ଼ି ଭଲ କବିତା ଲେଖୁଚନ୍ତି । ମୁଁ ଯାହା ଲକ୍ଷ୍ୟକରିଛି ସେମାନଙ୍କ କବିତାରେ ସମକାଳୀନ ପାଶ୍ଚାତ୍ୟ କବିତାର ପ୍ରଭାବ ପଡୁଚି ସେମାନେ ତାଙ୍କର ଦୃଷ୍ଟି ସମକାଳୀନ ଭାରତ ଓ ବିଶ୍ୱଉପରେ କେନ୍ଦ୍ରିତ କରିଚନ୍ତି ଓ ତା ସହିତ ନିଜ ପରଂପରାର ନବୀକରଣରେ ଲାଗିଚନ୍ତି । ଆମ ଓଡ଼ିଆ ଯୁବକବି ମାନେ ଖୁବ୍ ସଂକୀର୍ଣ୍ଣ କାବ୍ୟବସ୍ତୁକୁ ନେଇ କବିତା ଲେଖୁଚନ୍ତି । ଭାରତରେ ବର୍ତ୍ତମାନ ହିନ୍ଦୀଭାଷାର ନୂଆ ପିଢ଼ି ଖୁବ୍ ଦୁର୍ବଳ । କୋଡ଼ିଏ ବର୍ଷ ତଳେ ଆରମ୍ଭ ହୋଇଥିବା ହିନ୍ଦୀ କାବ୍ୟ ପ୍ରକରଣ ବର୍ତ୍ତମାନ ନଷ୍ଟ । ହିନ୍ଦୀ କବିତାରେ ନୂଆ ଇଡିଅମ୍ ଖୋଜା ଚାଲିଚି । ଏଭଳି ସମୟରେ କୋଡ଼ିଏ ବର୍ଷ ତଳର ଚତୁର ପଦରଚନାରେ ଆକର୍ଷକ ହିନ୍ଦୀ କବିତାରୁ ଚତୁରତା ଉଧାର ଆଣି କି ଲାଭ? ମାଲୟାଲମ୍, ମରାଠୀ, ପଂଜାବୀ ଓ ମଣିପୁରୀ କବିତାରୁ ଆମକୁ କିଛି ଶିଖିବାକୁ ହେବ । ଦୁଃଖର କଥା ସମକାଳୀନ ଓଡ଼ିଆ କବି ବିଷୟବସ୍ତୁ ଓ ଶୈଳୀକୁ ନେଇ ନୂଆ ପରୀକ୍ଷା ଆଦୌ କରୁନାହାନ୍ତି । ସାମାଜିକ ଦୃଷ୍ଟିକୋଣରୁ ଲିଖିତ ସମ୍ବେଦନାପୂର୍ଣ୍ଣ କବିତା ଗୁଡ଼ିକ ଏବେ ଅଚଳ ପ୍ରାୟ, ତଥାପି ପାରାଡାଇମ୍ ବଦଳୁନାହିଁ । କାହିଁକି?

ତମେ ପଚାରିନଥିଲେ ବି ଏ ପ୍ରଶ୍ନର ଉତ୍ତର ମୁଁ ଦେବାକୁ ଚାହିଁବି । ଉତ୍ତର ସ୍ପଷ୍ଟହେବ ଯଦି ମୁଁ କହେଁ କାହିଁକି ମାଲୟାଲମ୍ ମରାଠୀ, ପଂଜାବୀ ଓ ମଣିପୁରୀ ଭାଷାରେ ଭଲ କବିତା ଲେଖୁଚନ୍ତି ଯୁବପିଢ଼ି:

-ମାଲୟାଲମ୍ ଭାଷାର ସମସ୍ତ କବି ରାଜନୈତିକ ଦୃଷ୍ଟିରୁ ସଚେତନ । ସେଠି ଗୋଟେ ବାମପନ୍ଥୀ ବିଚାରଧାରାର ସ୍ରୋତ ଏବେ ବି ପ୍ରବାହିତ । ବିଚାରଧାରା ଓ ବୌଦ୍ଧିକ ସଂଷ୍ଳେଷଣର ଗୋଟେ ପରଂପରା ଅଛି ସେଠି । ସବୁ ଯୁବ କବି ଭାରତୀୟ ଭାଷା ସାହିତ୍ୟ ଓ ବିଶ୍ୱସାହିତ୍ୟର ବିଭିନ୍ନ ପରୀକ୍ଷାମୂଳକ ରଚନା ସହିତ ପରିଚିତ । ସେ ଭାଷାରେ ପ୍ରତି ସପ୍ତାହରେ ଖୁବ୍ ବିଚାରୋତ୍ତେଜକ ଗଦ୍ୟ ରଚନା ଛପାହୁଏ । ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ସିନେମା ପ୍ରଚୁର । ବାଦାନୁବାଦ, ଚିନ୍ତାଧାରାର ସଂଘର୍ଷ ଖୁବ୍ ହୁଏ । ସାଧାରଣ ଲୋକେ ଶିକ୍ଷିତ, ପତି୍ରକା କିଣନ୍ତି, ବର୍ଷାରେ ଭିଜିଭିଜି କବିତା ବି ଶୁଣନ୍ତି । ନୂଆ କବିତା ପାଇଁ ବାତାବରଣ ଅନୁକୂଳ ।

-ମରାଠୀରେ ସ୍ଥାନୀୟତା ଓ ବୈଦେଶିକତା, ପରଂପରା ଓ ଆଧୁନିକତା, ସହର ଓ ଗ୍ରାମ, ଶିଳ୍ପ ଓ ମାନବିକତା, କୃଷି ଓ ବ୍ୟବସାୟକୁ ନେଇ ବୈଦ୍ଧିକ ଧ୍ରୁବୀକରଣକୁ ମଂଚ ମିଳିଚି । ମୁମ୍ବାଇ ଭଳି ମହାନଗର ଅଛି, ନାଗପୁର ଭଳି ମରହଟ୍ଟୀ ପେଣ୍ଠ ଅଛି । ଲାବ୍‍ଣୀ ଓ ରକ୍ବ୍ୟାଣ୍ଡ, ବହୁଦେଶୀୟ କଂପାନି ଓ ସନ୍ଥପରଂପରା, ଏ ସବୁର ମିଶ୍ରଣ ମରାଠୀ ଯୁବପିଢ଼ିକୁ ବୌଦ୍ଧିକ ·ଲେଂଜ୍ ଦେଇ·ଲିଚି । ଅସଂଖ୍ୟ ପତି୍ରକା, ବହୁ ଯୋଗ୍ୟ ସଂପାଦକ । ସିନେମା, ବ୍ୟବସାୟ, ଅପାଂକ୍ତେୟତା ମୌଳବାଦ ଓ ବହୁଭାଷିକତା ବିଚିତ୍ର ପରିସ୍ଥିତିରେ ଯୁବମାନସକୁ ଶକ୍ତି ଯୋଗାଉଚି । ନୂଆ କବିତା ମୁଖ୍ୟତଃ ସହରୀ ।

-ପଂଜାବୀ ନୂଆ କବିତାର ମୂଳଦୁଆ ପଡ଼ିଥିଲା ଶିଖ ମୌଳବାଦୀ ଆତଙ୍କ ଓ ତାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା କାଉଣ୍ଟର ଟେରରିଜମ୍ ରେ । ବିଦ୍ରୋହ, ଅସନ୍ତୋଷ, ଅସ୍ମିତାହନନର ପ୍ରସଙ୍ଗ ପୂର୍ବପିଢ଼ି ତିଆରି କଲେ ଓ ଏବର ପିଢ଼ି ତହିଁରୁ ନୂଆ ବର୍ଣ୍ଣନା ଶୈଳୀ ପାଇଲା । ପଂଜାବୀ ନୂଆ କବିତାରେ ଫୋକ୍ ଇମେଜେରମ ବା ଗ୍ରାମ୍ୟ ଚିତ୍ରକଳ୍ପ ଅତି ଶକ୍ତିଶାଳୀ । ସ୍ୱର ମୁଖ୍ୟତଃ ମୃତ୍ତିକା ସ୍ତରର ।

-ମଣିପୁରୀଙ୍କ ସମସ୍ୟା ଅସ୍ତିତ୍ୱ ବାଚନ । ଅସ୍ତିତ୍ୱ ସଂକଟ ସହିତ ଲଢ଼ୁଥିବା ଯୁବପିଢ଼ି ଏକପ୍ରକାର ରକ୍ତରେ କବିତା ଲେଖେ । ବିଚ୍ଛିନ୍ନତା ବୋଧର ଭୟ ମଣିପୁରୀ କବିଙ୍କୁ ନୂଆ କାବ୍ୟ ଭାଷା ଦେଇଚି ଗତ ପନ୍ଦର ବର୍ଷ ଭିତରେ ।

ଆମର ନୂଆପିଢ଼ି ଆଗରେ ସଂକଟ ନାହିଁ, ସଂଘର୍ଷ ନାହିଁ, ରାଜନୈତିକ ଝଡ଼ଝଂଜା ନାହିଁ, ରାଜନୈତିକ ବିକ୍ଷୋଭ ନାହିଁ, ଆଦର୍ଶ ନାହିଁ, ଆଦର୍ଶର ହତ୍ୟା ନାହିଁ । କିଛି ବି ନାହିଁ! ତେଣୁ ନିସ୍ତରଙ୍ଗ ନାଗରିକ ଜୀବନ ସମକାଳୀନ ଓଡ଼ିଆ କବିତାକୁ ସ୍ଥାଣୁ, ପୁନରାବୃତ୍ତିମୟ, ଶୀତଳ ଓ ସ୍ପର୍ଦ୍ଧାହୀନ କରିଦେଇଚି ।

ଆଜିକାଲି ବହୁ ଯୁବକବି ଗପ ଓ ଉପନ୍ୟାସ ମଧ୍ୟ ଲେଖୁଛନ୍ତି । ଗଦ୍ୟ ବି । ଓଡ଼ିଆ ସାହିତ୍ୟରେ ଗୋଟେ ସମୟରେ ଏମିତି ଚଳଣି ଥିଲା- ଯିଏ ଯାହା ଲେଖିବ ସେ କେବଳ ସେୟା ହିଁ ଲେଖି ଚାଲିବ, ମାନେ କବିତା ଲେଖୁଚ ଯଦି ଆଜୀବନ କେବଳ କବିତା ହିଁ ଲେଖିବ; ସେ ସମୟ ଆଉ ନାହିଁ । ଆପଣ ଓଡ଼ିଆ ଯୁବକବିଙ୍କ ଗଦ୍ୟ ରଚନାରେ ଆଗ୍ରହ ରଖନ୍ତି କି? ଏବଂ ସେମାନଙ୍କ ପଦ୍ୟ ଓ ଗଦ୍ୟ ଭିତରେ କିଛି ବିଶେଷତା ରହୁଥିବା ଲକ୍ଷ୍ୟ କରୁଛନ୍ତି କି?

ବିଶ୍ୱର ସବୁ ସାହିତ୍ୟରେ କବିମାନେ କିଛି କିଛି ଗଦ୍ୟ ଲେଖନ୍ତି, ମୁଖ୍ୟତଃ କିଛି କାବ୍ୟ ସମାଲୋଚନା ବା ପ୍ରବନ୍ଧ । କେବେ କେମିତି କିଛି ଗଳ୍ପ ବା ଗୋଟେ ଅଧେ ଉପନ୍ୟାସ । କବିମାନେ ଗଳ୍ପ ଉପନ୍ୟାସରେ ଆଗ୍ରହୀ ହେବାର ଅର୍ଥ ସେମାନେ କବିତାର ସ୍ୱଳ୍ପକଥନରେ ସନ୍ତୁଷ୍ଟ ନୁହନ୍ତି । ଏଥିରେ ଗୋଟିଏ ବିପଦ ଏହି ଯେ କିଛି ଦିନ ପରେ ନା ଗଳ୍ପ ହେବ ନା କବିତା । କବିତା ଶରୀରର ସଂପୂର୍ଣ୍ଣ ରକ୍ତ ମାଗେ । କବିତା ଗାଳ୍ପିକର ନାରେଟିଭ୍ କୁ ଅସ୍ୱୀକାର କରେ । କବିତା ବିନ୍ଦୁ ଚାହେଁ, ବ୍ୟାପ୍ତି ନୁହେଁ । କବି କବି, କଥାକାର କଥାକାର । ବିଦ୍ୟା ଅଲଗା, ଗୁଣ ଅଲଗା, କଳା ଅଲଗା ।

ତରୁଣ ପିଢ଼ିର ଅଧିକାଂଶ କବି ଏବେ ଅନ୍ତର୍ଜାଲ ନାଗରିକ (ନେଟିଜେନ୍‍) । ସେମାନେ ପତ୍ରପତ୍ରିକା  ସହିତ ବିଭିନ୍ନ ସୋସ୍ୟଲ୍‍ ନେଟ୍‍ୱର୍କରେ ଅର୍ଥାତ୍‍ ଡିଜିଟାଲ୍‍ ମିଡିଅମରେ ମଧ୍ୟ କବିତାର ପ୍ରସାର ପାଇଁ ଆଗ୍ରହ ରଖୁଛନ୍ତି । ଯାହାକି ସହଜଲଭ୍ୟ ଓ ଦ୍ରୁତତର । କବିତା ଏବେ ଅକ୍ଷରରୁ ଓହ୍ଲେଇ ଶବ୍ଦ ଓ ଦୃଶ୍ୟରେ ରୂପାନ୍ତରିତ ହେଲାଣି । ଏ ବିବର୍ତ୍ତନକୁ ଆପଣ କେଉଁ ଦୃଷ୍ଟିରେ ଦେଖନ୍ତି? ଆପଣ ନିଜେ ନେଟ୍‍ ସେଭି କି?

ସହଜଲଭ୍ୟ, ଦ୍ରୁତତର, କିନ୍ତୁ ଆତ୍ମଘାତୀ । ଅଦୃଶ୍ୟ ପାଠକର ପ୍ରତୀୟମାନ ୱାଃ ୱାଃ କେତେ ସ୍ଥୂଳ କେତେ ଉପରଠାଉରିଆ– ତମେ କୁହ । ଫେସବୁକ୍ କବିତା ଆସ୍ୱାଦନ ଅସ୍ୱସ୍ତିକର । ଇ-ଜର୍ଣ୍ଣାଲ୍ ଚାଲୁ । ମୁଁ ଫେସବୁକ୍ କରେ ନାହିଁ, ସେ ମାଧ୍ୟମ ପାଇଁ ସମୟ ନାହିଁ । ମେଲ୍ ଦେଖେ । ପାଠ ପଢେ଼ ୱେବସାଇଟରୁ ଶଂକା  ମୋଚନ ପାଇଁ । କହିପାର ନେଟ୍ ସେଭି ।

ଶେଷତମ ପ୍ରଶ୍ନ ଆପଣ ହିଁ ସ୍ଥିର କରନ୍ତୁ । ଅର୍ଥାତ୍‍ ଯୁବଲେଖକଙ୍କୁ ନେଇ ଆପଣଙ୍କ ମନରେ କି ପ୍ରଶ୍ନ ଉଠେ? ଯାହାର ଉତ୍ତର ଆପଣ କେବେବି ପାଆନ୍ତି ନାହିଁ । (ସେ ପ୍ରଶ୍ନ ଆମ କବିତାର ଆକାଶରେ ଗୋଟେ ସପ୍ତର୍ଷିମଣ୍ଡଳ ହେଇ ଝୁଲିରହନ୍ତା ଚିରକାଳ!)

ଆମର ଏ ଯୁବକମାନେ ଯୌବନରେ ବୁଢ଼ା ହୋଇଗଲେ କାହିଁକି?

Leave A Reply

Your email address will not be published.