Latest Odisha News

BREAKING NEWS

ହେ ସ୍ୱାଧୀନତା ଦିବସ, ତୁମେ ଗଲା ପରେ…

ହେ ସ୍ୱାଧୀନତା ଦିବସ, ତୁମେ ଗଲା ପରେ…

ବିଚିତ୍ର ବିଶ୍ୱାଳ

ଓଡ଼ିଆରେ ଅକ୍ଷୟ ମହାନ୍ତିଙ୍କ ଗୋଟେ ଗୀତ ଥିଲା ‘ହେ ଫଗୁଣ ତୁମେ ଯିବା ପରେ ଅନେକ ଯାତନା ଏଠି’ । ଠିକ୍ ସେମିତି ସ୍ୱାଧୀନତା ଦିବସ ଯିବା ପରେପରେ ଦେଶର ଶାସକ ଓ ଜନସାଧାରଣଙ୍କ ସାମୟିକ ଦେଶଭକ୍ତିର ମୁଖା ତଳୁ ଉକୁଟି ଉଠେ ସ୍ୱ-ଭକ୍ତି ଓ ନିଜ ସ୍ୱାର୍ଥ ସାଧନର ଅସଲ ଚେହେରା । ସ୍ୱାଧୀନତା ରୂପକ ସ୍ୱପ୍ନର ଚିକ୍ମିକିଆ ଜରି ପୋଷାକଟା ଖସି ଯାଇ ଆଖି ଆଗରେ ଝଲସି ଉଠେ ଦୁର୍ଭାଗ୍ୟର ନଗ୍ନ ବାସ୍ତବତା । ଯେଉଁଥିରେ ଏତେ ଟିକେ ବି ସ୍ୱାଧୀନତାର ଚିହ୍ନ ନଥାଏ । ଅଗଷ୍ଟ ପନ୍ଦର ଦିନ ସକାଳେ ଯେଉଁ ସବୁ ପ୍ରତିଶ୍ରୁତିର ବନ୍ୟା ଆସେ ସଂଜ ହେଉ ହେଉ ତାହା ପ୍ରତାରଣାର ଶୁଖିଲା ଖଡଖଡ ଭୂଇଁରେ ପରିଣତ ହୋଇଯାଇଥାଏ । ତେଣୁ ଅକ୍ଷୟ ମହାନ୍ତିଙ୍କ ଗୀତ ଭଙ୍ଗୀରେ ଯଦି କୁହାଯାଏ, ହେ ସ୍ୱାଧୀନତା ଦିବସ ତୁମେ ଗଲା ପରେ ତୁମ ଅସ୍ତିତ୍ୱକୁ ନେଇ ଅନେକ ସନ୍ଦେହ ଏଠି, ତେବେ ଏଥିରେ ଟିକେ ବି ଭୁଲ ହେବ ନାହିଁ ।

ସତରେ କ’ଣ ସେ ସ୍ୱାଧୀନତାକୁ ଆମେ ଭୋଗ କରୁଛେ? ସ୍ୱାଧୀନତା ଦିବସ କହିଲେ କ’ଣ କେବଳ ପତାକା ଟାଣିବା କି ଭୋଟ୍ ଦେବା? ଯେଉଁ ସ୍ୱାଧୀନତାକୁ ହାସଲ କରିବା ପାଇଁ ଏତେ ତ୍ୟାଗ ଓ ବଳିଦାନ ଗଲା, ସେହି ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ସତରେ କ’ଣ ଆମ ଦେଶର ଶାସକମାନେ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି! ନା କଳେ ବଳେ କୌଶଳେ ଦେଶର ସଂପଦକୁ ବିଦେଶୀଙ୍କ ପାଖରେ ବନ୍ଧା ପକେଇବା କାମରେ ଲାଗିପଡ଼ିଛନ୍ତି! ଦେଶର ଜନସାଧାରଣଙ୍କ କଷ୍ଟକୁ କମ୍ କରିବା ପାଇଁ ପ୍ରୟାସ କରାଯାଉଛି ନା ଜନସାଧାରଣଙ୍କ ଦୁଃଖ କଷ୍ଟର ବିନିମୟରେ ମୁଷ୍ଟିମେୟ ଗୋଷ୍ଠୀ ନିଜ ଟ୍ରେଜେରୀ ଭରିବା କାମରେ ଲାଗିଛନ୍ତି! ଏହା ଆଜିର ସମୟରେ ଏକ ମସ୍ତବଡ଼ ପ୍ରଶ୍ନ ।

ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ଉପରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଲେ । ଦେଶର ବିକାଶ କଥା କହିଲେ, ଅର୍ଥନୈତିକ ପ୍ରଗତି କଥା କହିଲେ ଓ ଆସନ୍ତା ଦଶ ବର୍ଷରେ ଆମ ଦେଶ କେଉଁଠି ପହଂଚିବ ସେ ବିଷୟରେ ରଙ୍ଗୀନ ସ୍ୱପ୍ନ ଦେଖାଇଲେ । ଯେମିତି ପ୍ରତି ବର୍ଷ ଅଗଷ୍ଟ ପନ୍ଦର ଆସିବା ଏକ ଚିରାଚରିତ ଧାରା ସେମିତି ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ଉପରୁ ସ୍ୱାଧୀନତା ଦିବସ ଭାଷଣରେ ଦେଶର ବିକାଶ ଓ ଆଗାମୀ ସମୟ ପାଇଁ ରଙ୍ଗୀନ ସ୍ୱପ୍ନର ଗୀତ ଗାଇବା ବି ସେମିତି ଏକ ଚିରାଚରିତ ଧାରା ହୋଇଗଲାଣି । ପ୍ରଧାନମନ୍ତ୍ରୀ ଯାହା ବି କୁହନ୍ତୁ, କିନ୍ତୁ ଯଦି ସ୍ୱାଧୀନତାର ଅର୍ଥ ନିଜ ଦେଶର ସଂପଦ ଯଥା ପାହାଡ଼, ପର୍ବତ, ପାଣି, ଖଣି ଉପରେ ନିଜର ଅଧିକାର ବା ସେଠାକାର ଅଧିବାସୀଙ୍କ ଅଧିକାରକୁ ବୁଝାଯାଏ, ତେବେ ଆଜିର ସମୟରେ ଏସବୁ ସଂପଦକୁ ଆମେ ଦେଶବାସୀ ମାନେ ଛାତିରେ ହାତ ବାଡେ଼ଇ ଆମର କହିପାରିବା କି? କିମ୍ବା କହିପାରୁଛେ କି?

ଆମେ ଦେଖୁଛେ ଅର୍ଥନୈତିକ ବିକାଶ ନାଁ’ରେ ଆମ ଦେଶର ସଂପଦକୁ ମାଟି ଗୋଡ଼ି ମୂଲ୍ୟରେ ବିଦେଶୀ ମାନଙ୍କ ହାତକୁ ଟେକି ଦିଆଯାଉଛି । ସରକାରଙ୍କ ଚଳିତ ବର୍ଷର ବଜେଟ୍ ରେ ଯାହା ଚିତ୍ର ଦିଆଯାଇଛି, ସେଥିରୁ ସଂପୂର୍ଣ୍ଣ ରୁପେ ବୁଝାପଡ଼ୁଛି ଯେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଓହ୍ଲେଇ ଆମ ଦେଶର ଏକାଧୀକ ରାଷ୍ଟ୍ରାୟତ ଉଦ୍ୟୋଗରେ ବିଦେଶୀ ପୁଞ୍ଜି ଖଟେଇବାର ରାସ୍ତାକୁ ଆହୁରି ସୁଗମ କରିବାରେ ଲାଗିପଡ଼ିଛନ୍ତି ।

ବିଦେଶୀ ପୁଞ୍ଜି ଲଗାଣକୁ ଯଦି ଆଉ ଟିକେ ସ୍ପଷ୍ଟ ଭାଷାରେ କହିବା, ତେବେ ତାର ଅର୍ଥ ହେବ, ସରକାରୀ ଉଦ୍ୟୋଗକୁ ବିଦେଶୀ ମାନଙ୍କ ନିୟନ୍ତ୍ରଣକୁ ଦେଇଦେବା । ଯଦି ଏହା ବିକାଶ, ତେବେ ଆମେ ଇଷ୍ଟ ଇଣ୍ଡିଆ କଂପାନୀ ଓ ଇଂରେଜ ସରକାରକୁ ଏତେ କଷ୍ଟ କରି ଆମ ଦେଶରୁ ହଟେଇଥିଲେ କାହିଁକି? ଆଜି ରାଷ୍ଟ୍ରାୟତ ଉଦ୍ୟୋଗ ଭାରତ ସଂଚାର ନିଗମ ଲିମିଟେଡ଼୍ ତାର ଶେଷ ନିଶ୍ୱାସ ଗଣୁଛି ଓ ସରକାର ଖୋଦ୍ ତାର କଫିନ୍ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଇଣ୍ଡିଆନ୍ ଏୟାର୍ ଲାଇନ୍ସର ଅବସ୍ଥା ବି ତଦ୍ରୁପ । ରେଳ ଚଳାଚଳ କ୍ଷେତ୍ରରେ ବି ଘରୋଇ ଓ ବିଦେଶୀ ପୁଞ୍ଜି ଲଗାଣ ପାଇଁ ରାସ୍ତା ପରିଷ୍କାର ହେଲାଣି । ଯଦି ଆମ ଦେଶର ସରକାରଙ୍କ ନିଜର ପାରଙ୍ଗମତା ଉପରେ ଭରସା ନାହିଁ ଅର୍ଥାତ୍ ନିଜ ଅଧୀନରେ ଥିବା କଂପାନୀ ଗୁଡ଼ିକୁ ଘରୋଇ ବହୁଦେଶୀୟ କଂପାନୀଙ୍କ ହାତକୁ ଟେକି ଦେଉଛନ୍ତି, ତେବେ ଅଗଷ୍ଟ ପନ୍ଦରରେ ସେ ତ୍ରିରଙ୍ଗ ପତାକା ତଳେ ଯେଉଁ ଭାଷଣ ଦେଲେ ତାହା କ’ଣ ଥିଲା? ‘ଆମରି ଡଙ୍ଗାରେ ଆମେ ନାଉରୀ ଆମେ ଚଳାଉଛୁ ଦେଶ ଆମରି’ର କ’ଣ ଅର୍ଥ କେବଳ ଆମ ଦେଶର ଲୋକମାନେ ନେତା ମନ୍ତ୍ରୀ ହେବେ, ସରକାରରେ ରହିବେ କିନ୍ତୁ ଆମ ଦେଶର ଅର୍ଥନୀତି ବହୁଦେଶୀୟ କଂପାନୀଙ୍କ ନିୟନ୍ତ୍ରଣରେ ରହିବ!

କେବଳ ଶାସନର ଉପର ସ୍ତରରେ ନୁହେଁ ନିମ୍ନ ସ୍ତରରେ ବି ଯେଉଁମାନେ ପତାକା ଉତୋଳନ କରି ଆମକୁ ସ୍ୱାଧୀନ ହେବାର ଭରସା ଦେଉଛନ୍ତି, ସେମାନେ ବି ପ୍ରତି ମୁହୂର୍ତ୍ତରେ ଆମ ସ୍ୱାଧୀନତାକୁ ଲୁଣ୍ଠନ କରିବାରେ ଲାଗିଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀମାନେ ବି ପତାକା ଟାଣି ସ୍ୱାଧୀନତା ଦିବସ ଉପଲକ୍ଷେ ଭାଷଣ ଦେଲେ, ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗ, ବଳିଦାନ ଓ ଲୋକସେବାକୁ ଉଦାହରଣ ଭାବେ ପେଶ୍ କଲେ । କିନ୍ତୁ ପର ମୁହୂର୍ତ୍ତରେ ସେମାନେ ରାଜ୍ୟର ଖଣି, ପାଣି, ଓ ପାହାଡ ପର୍ବତକୁ ବିଦେଶୀ କଂପାନୀ ହାତକୁ ଟେକିଦେବା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର କରୁଛନ୍ତି । ଲୋକମାନେ ନିଜର ଭିଟାମାଟି ରକ୍ଷା କରିବା ପାଇଁ ଯଦି ସ୍ୱର ଉତ୍ତୋଳନ କରୁଛନ୍ତି, ତେବେ ଆମ ସ୍ୱାଧୀନ ଦେଶର ପୋଲିସ୍ ମାନେ ହିଁ ତାଙ୍କ ଉପରକୁ ଲାଠି ଓ ଗୁଳି ଚଳାଉଛନ୍ତି । ଯଦି ଆମ ମା’ ମାଟିକୁ ବି ରଖିବାର ଅଧିକାର ଆମର ନାହିଁ, ତାହେଲେ ଏ ସ୍ୱାଧୀନତା ଛଳନା ନୁହେଁ ତ ଆଉ କ’ଣ!

ସାଧାରଣ ସରପଂଚଟିଏ ପଂଚାୟତ ଅଫିସ୍ ରେ ପତାକା ଉତ୍ତୋଳନ କରି ଆମକୁ ଅତି ତୃଣମୂଳ ସ୍ତରରେ ବି ଆମେ ସ୍ୱାଧୀନ ହୋଇଥିବାର ବିଶ୍ୱାସ ଦେଲା । କିନ୍ତୁ ପର ଦିନ ସେହି ସରପଂଚ ଜଣେ ସାଧାରଣ ଲୋକଠାରୁ ଇନ୍ଦିରା ଆବାସ କରେଇ ଦେବା ପାଇଁ ପାଂଚ ହଜାର ଟଙ୍କା ଲାଂଚ ମାଗୁଛି । ଶାସକ ଓ ଜନସାଧାରଣ ଆମେ ସମସ୍ତେ ଏହି ସ୍ୱାଧୀନତାର ମୂଲ୍ୟକୁ ବେଶ୍ ଭଲ ଭାବରେ ବୁଝିଯାଇଛେ । ତାହେଲେ ଏ ଛଳନା କିଏ କାହା ସହିତ କରୁଛି? ସ୍ୱାଧୀନ ଭାରତର ଆମ ଶାସନ କଳରେ ଏହା ଅଲିଖିତ ନିୟମ ହୋଇଗଲାଣି ପ୍ରତ୍ୟେକ କାମ ପାଇଁ ଲୋକମାନଙ୍କୁ ପି.ସି. ଦେବାକୁ ପଡ଼ୁଛି । ନହେଲେ ଆମ ଗାଁ’ ରାସ୍ତା ଠାରୁ ଆରମ୍ଭ କରି ସ୍କୁଲ୍ ଯାଏ କିଛି ବି ହୋଇପାରିବ ନାହିଁ । ପ୍ରଶାସକ ମାନେ ହସି ହସି ଲୋକ ଓ ଠିକାଦାରଙ୍କଠାରୁ ପି.ସି ଆଦାୟ କରୁଛନ୍ତି । ଏସବୁ କାମ ଲୁଚାଚୋରାରେ ବି ଆଉ ହେଉନାହିଁ ।

ସ୍ୱାଧୀନତା ଦିବସ ପାଳନର ଠିକ୍ ପରେ ପରେ ଯଦି ଏପରି ସବୁ ହେବାର ଅଛି ବା ହେଉଛି, ତେବେ ବିଚରା ଅଗଷ୍ଟ ପନ୍ଦରଟି ପାଇଁ ଏତେ ଆଳି ଆଡ଼ମ୍ବର କାହିଁକି?

…………………
ଭିରଙ୍ଗ, ତିରଣ, ଜଗତ୍ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.