Latest Odisha News

ଆଜିବି ଜଳୁଛି ଦେବଦମ୍ପତିଙ୍କ ବିବାହ ବେଦୀର ଅଗ୍ନିକୁଣ୍ଡ, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ଦେବଭୂମି ଭାରତ । ଯାହାର ମାଟିରେ ଦେବାଦେବୀ ଜନ୍ମ ନେଇ ନିଜର ମାନବୀୟ ଲୀଳା ଖେଳା କରିବାର ପୁରାଣରେ ବର୍ଣ୍ଣିତ ରହିଛି । କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏଁ ଭାରତର କୋଣଅନୁକୋଣରେ ରହିଛି ଅନେକ ଧାର୍ମିକ ସ୍ଥାନ । ଆଉ ଏହି ଧାର୍ମିକ ସ୍ଥାନ ମାନଙ୍କ ସହ ଯୋଡି ହୋଇ ରହିଛି ଅନେକ ପୌରାଣିକ କାହାଣୀ । ଯାହା ଦେବଦେବୀଙ୍କ ଅଲୌକିକ ଲୀଲା ଖେଳାକୁ ବର୍ଣ୍ଣନା କରିଥାଏ ।

ସେହିଭଳି ଏକ ସ୍ଥାନ ଉତ୍ତରାଖଣ୍ଡର ରୁଦ୍ରପ୍ରୟୋଗ । ଯେଉଁଠି ରହିଛି ‘ତ୍ରିୟୁଗୀ ନାରାୟଣ’ଙ୍କ ଏକ ପବିତ୍ର ଧାର୍ମିକ ସ୍ଥଳୀ। ଶାସ୍ତ୍ର ଅନୁଯାୟୀ ସତ୍ୟଯୁଗରେ ଭଗବାନ ଶିବ ମା’ପାର୍ବତୀଙ୍କୁ ଏଠାରେ ବିବାହ କରିଥିଲେ।

ପ୍ରତିବର୍ଷ ବହୁ ଶ୍ରଦ୍ଧାଳୁ ଏଠାକୁ ଦର୍ଶନ ନିମନ୍ତେ ଆସି ଥାଆନ୍ତି। ଏହିଠାରେ ହର-ପାର୍ବତୀଙ୍କୁ ଦର୍ଶନ କଲେ ସନ୍ତାନ ପ୍ରାପ୍ତି ହେବାର ଲୋକ ବିଶ୍ୱାସ ରହିଛି।ପ୍ରତି ବର୍ଷ ସେପ୍ଟେମ୍ବର ମାସରେ ଏଠାରେ ମେଳା ହୋଇଥାଏ ଯେଉଁଥିରେ ବହୁ ଲୋକଙ୍କ ସମାଗମ ହୋଇଥାଏ ।

ମାନ୍ୟତା ରହିଛି ଯେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତ୍ରିୟୁଗୀ ମନ୍ଦିର ଠାରୁ କିଛି ଦୂରରେ ଗୌରୀ କୁଣ୍ଡ ନାମକ ସ୍ଥାନରେ ମା’ପାର୍ବତୀ ତପସ୍ୟା କରିଥିଲେ। ମାଆଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ପ୍ରଭୁ ଶିବଶଙ୍କର ଏହି ମନ୍ଦିରରେ ମା’ପାର୍ବତୀଙ୍କୁ ବିବାହ କରିଥିଲେ।

ବିବାହ ସମୟରେ ପ୍ରଜ୍ଜଳିତ ହୋଇଥିବା ଅଗ୍ନି କୁଣ୍ଡର ସେହି ଅଗ୍ନି ଆଜି ମଧ୍ୟ ଜଳୁଥିବା କୁହାଯାଏ ।

ସନ୍ତାନ ପ୍ରାପ୍ତି ନିମନ୍ତେ ଏହି ଅଗ୍ନିକୁ ଦର୍ଶନ କରିବା ପାଇଁ ବହୁ ଦୂର ଦୂରାନ୍ତରରୁ ଲୋକେ ଏଠାକୁ ଆସିଥାଆନ୍ତି। ପ୍ରଭୁ କେଦାରନାଥଙ୍କୁ ଦର୍ଶନ କରିବା ପୂର୍ବରୁ ଏଠାରେ ଦର୍ଶନ କଲେ ମନୋସ୍କାମନା ପୂରଣ ହେବା ସହ ବହୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

କେମିତି ଯିବେ:
ଗମନାଗମନ ଦୃଷ୍ଟିରୁ ସିଧାସଳଖ ଏହି ମନ୍ଦିରକୁ ବିମାନରେ ଯାଇ ହେବ ନାହିଁ। ଏହି ମନ୍ଦିରର ନିକଟତର ବିମାନ ବନ୍ଦର ହେଉଛି ଜୋଲି ଗ୍ରାଣ୍ଟ। ମୁମ୍ବାଇ ଓ ଚଣ୍ଡୀଗଡ଼ ଠାରୁ ଏହି ବିମାନରେ ଯାଇ ହେବ। ଅନ୍ୟ ବିମାନରେ ଯିବାକୁ ହେଲେ ପ୍ରଥମେ ଦିଲ୍ଲୀ ଓ ସେଠାରୁ ଦେହେରାଦୁନ୍‍ ଓ ସେଠାରୁ ଏହି ମନ୍ଦିରକୁ ଯାଇ ହେବ।

ଟ୍ରେନରେ ଗଲେ ନିକଟତର ଷ୍ଟେସନ ହେଉଛି ଦେହେରାଦୁନ୍‍ ରେଳଷ୍ଟେସନ। ସେଠାରୁ ଏହି ମନ୍ଦିରକୁ ଅଟୋ କିମ୍ବା ଟ୍ୟାକ୍ସିରେ ଆପଣ ଯାଇ ପାରିବେ ।

Leave A Reply

Your email address will not be published.