Latest Odisha News

BREAKING NEWS

ନବଙ୍କ ମୃତ୍ୟୁ: ବ୍ୟକ୍ତିଗତ ରାଗ ନା ସୁପାରି କିଲର?

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ ଦାସଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ହେଲେ ଜଣେ ପୋଲିସ ଏଏସଆଇ ହଠାତ କାହିଁକି ଆସି ତାଙ୍କୁ ଗୁଳି କଲେ ସେ ନେଇ ଅନେକ ପ୍ରଶ୍ନ ଉଠିଛି। ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମଧ୍ୟ ହେଉଛି। ତେବେ ପୋଲିସ ଏଏସଆଇ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ କୌଣସି ରାଗ ରଖି ହତ୍ୟା କରିଛନ୍ତି ନା କାହା ପାଇଁ ସୁପାରି କିଲର ସାଜିଛନ୍ତି ଏ ନେଇ ତଦନ୍ତ ଚାଲିଛି।

ମିଳିଥିବା ସୂଚନା ଅନୁସାରେ ବ୍ରଜରାଜନଗର ଫାଣ୍ଡିରେ ଦୁଇ ବର୍ଷ ହେବ ଗୋପାଳ ଦାସ ନିୟୋଜିତ ଥିଲେ। ଏହାପୂର୍ବରୁ ବଡମାଲ ଥାନା, କୋଲାବିରା ଥାନା, ଝାରସୁଗୁଡା ଥାନା ଆଦିରେ ନିୟୋଜିତ ଥିଲେ। ଯଦିଓ ସେ ଜଣେ ମାନସିକ ରୋଗୀ ବୋଲି ତାଙ୍କ ପତ୍ନୀ କହିଛନ୍ତି ହେଲେ ତାଙ୍କର ବ୍ୟବହାର ଓ ପୂର୍ବଦିନର ଗତିବିଧି ଦେଖିଲା ପରେ କେହି କେବେ କହିବ ନାହିଁ ଯେ ଗୋପାଳ ଦାସ ଜଣେ ମାନସିକ ରୋଗୀ ଥିଲେ। ମନ୍ତ୍ରୀଙ୍କୁ ଗୁଳିମାରିବା ପୂର୍ବରୁ ଏଏସାଇ ଜଣଙ୍କ ଭିଡିଓ କଲିଂ କରି ଫୋନରେ ତାଙ୍କ ଝିଅ ସହ କଥା ହୋଇଥିଲେ ବୋଲି ଜଣାପଡିଛି। ଏହି ସମୟରେ ଏସଆଇ ଜଣଙ୍କ ସ୍ୱାଭାବିକ ଥିଲେ ବୋଲି ପରିବାର ଲୋକେ କହିଛନ୍ତି। ସେହିପରି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ମନ୍ତ୍ରୀ ପହଞ୍ଚିବା ପୂର୍ବରୁ ଗାଡି ଧରି ଆସି ଗୋପାଳ ଦାସ ଗାନ୍ଧୀଛକରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କର ବ୍ୟବହାର ମଧ୍ୟ ସ୍ବାଭାବିକ ଥିଲା। ହେଲେ ମନ୍ତ୍ରୀଙ୍କ କାର ପହଞ୍ଚିବା ମାତ୍ରେ ସେ ହଠାତ୍ କାର ନିକଟକୁ ଯାଇଥିଲେ।ଆଉ ଗୁଳି ନିକ୍ଷେପ କରିଥିଲେ। ଯାହାକି ପ୍ରତ୍ୟକ୍ଷଦର୍ଶୀଙ୍କୁ ହତବାକ କରିଛି। ସେହିପରି ଆଉ କିଛି ସ୍ଥାନୀୟ ଲୋକେ କହିଛନ୍ତି, ଗୋପାଳ ଦାସଙ୍କ ବ୍ୟବହାର ଅତ୍ୟନ୍ତ ସ୍ବାଭାବିକ ଥିଲା। ସେ ଶାନ୍ତ, ନମ୍ର ଆଚରଣର ବ୍ୟକ୍ତି ଥିଲେ। ଅନ୍ୟପଟେ ଏସଆଇ ଗୋପାଳ ଦାସ ପୂର୍ବରୁ ନବ ଦାସଙ୍କ ପିଏସଓ ଥିଲେ ବୋଲି ମଧ୍ୟ ସୂଚନା ରହିଛି। ତେଣୁ ଏହି ସମୟରେ କିଛି ରାଗ ଋଷା ହୋଇଥିଲା କି ତାହା ଏବେ ପ୍ରଶ୍ନବାଚୀ?

ନବ ଦାସ ରାଜନୀତିରେ ଜଣେ ସଫଳ ବ୍ୟକ୍ତିତ୍ୱ। ଦଳ ବଦଳ କରିବା ପରେ ମଧ୍ୟ ସେ ଲୋକପ୍ରିୟ ରହିଥିଲେ। ଯଦିଓ ରାଜନୀତିରେ ଅନେକ ଶତ୍ରୁ ଥିଲେ। ହେଲେ ସେମାନେ ସୁପାରି କିଲର ଜରିଆରେ ହତ୍ୟା କରିଛନ୍ତି କି ବୋଲି କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ। ରାଜନୈତିକ କ୍ୟାରିଅରରେ ନବ ଦାସଙ୍କର ସମ୍ବଲପୁରରୁ ଝାରସୁଗୁଡା ଶତ୍ରୁ ରହିଛନ୍ତି ବୋଲି କୁହାଯାଉଛି। ସେହିପରି ନବ ଦାସ ଶିଳ୍ପ ଓ ମାଇନ୍ସ କମ୍ପାନୀକୁ କଞ୍ଚାମାଲ ଯୋଗାଇ ଦେବା ବ୍ୟବସାୟରେ ଥିଲେ। ତେଣୁ ତାଙ୍କର ବ୍ୟବସାୟିକ ଶତ୍ରୁତା ମଧ୍ୟ ରହିଥିବା କୁହାଯାଉଛି। ହେଲେ ପୋଲିସ ଏଏସଆଇ କାହିଁକି ଗୁଳି କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯାହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।

 

Leave A Reply

Your email address will not be published.