Latest Odisha News

ପେଗାସସ ମାମଲାରେ ଆଜି ତଦନ୍ତକାରୀ ଟିମର ରିପୋର୍ଟ ଉପରେ ଆସିପାରେ ରାୟ

ନୂଆଦିଲ୍ଲୀ: ପେଗାସସ ସ୍ପାଏଓ୍ୱୟାର ମାମଲାରେ ତିନି ଜଣିଆ କମିଟି ଦେଇଥିବା ମଧ୍ୟବର୍ତ୍ତୀକାଳୀନ ତଦନ୍ତ ରିପୋର୍ଟ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିପାରନ୍ତି। ଏହି କମିଟି ଚଳିତ ବର୍ଷ ଜାନୁଆରି ମାସରେ ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆର. ଭି. ରବିନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ଅନ୍ତରୀଣ ରିପୋର୍ଟ ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରିପାରନ୍ତି।

ସୂତ୍ର ଅନୁୟାୟୀ, ଅନ୍ତରୀଣ ରିପୋର୍ଟର କିଛି ଦିଗ ଏପୟାଏ ଅନୁଧ୍ୟାନ କରାଯାଇ ନାହିଁ। ଚୂଡ଼ାନ୍ତ ରିପୋର୍ଟ ଦେବାକୁ କମିଟିକୁ ଆହୁରି କିଛି ସମୟ ଲାଗିବ ବୋଲି ଜଣାପଡ଼ିଛି। ଏପ୍ରିଲ 18ରେ କମିଟି ସମସ୍ତ ରାଜ୍ୟ ପୁଲିସ ମୁଖ୍ୟଙ୍କୁ ଚିଠି ଲେଖି ପଚାରିଥିଲା ଯେ, ସେମାନେ ଇସ୍ରାଏଲର ଏହି ସଫ୍ଟଓ୍ୱୟାର ବ୍ୟବହାର କରି କାହା ଉପରେ ଗୁଇନ୍ଦାଗିରି କରିଛନ୍ତି କି?

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ବିରୋଧୀ ଦଳର ନେତା, ରାଜନୈତିକ ରଣନୀତିକାର, ସାମ୍ବାଦିକ, ବିଚାରପତି ଆଦିଙ୍କୁ ପେଗାସସ ସ୍ପାଏଓ୍ୱୟାର ଜରିଆରେ ସରକାରା ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ହାସଲ କରୁଥିବାର ଅଭିଯୋଗ ରହିଥିଲା। ଏହାକୁ ନେଇ ସରକାର ଏବଂ ବିରୋଧୀ ମଧ୍ୟରେ ବାକ ଯୁଦ୍ଧ ତେଜିଥିଲା।

ସୂଚନାଯୋଗ୍ୟ, ପେଗାସସ୍ ସ୍ପାଏଓ୍ୱୟାର ମାମଲାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ 12ଟି ପିଟିସନ୍ ଦାଖଲ ହୋଇଛି । ଆବେଦନକାରୀମାନେ ଏହି ଆବେଦନରେ ଗୁପ୍ତଚର ବୃତ୍ତି ସମ୍ପର୍କିତ କେତେକ ପ୍ରାରମ୍ଭିକ ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲେ, ଯାହା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ଗ୍ରହଣ କରି କହିଥିଲେ ଯେ ଏହି ମାମଲାର ତଦନ୍ତ କାହିଁକି କରାଯିବ ସେମାନଙ୍କ ପାଖରେ ଆବଶ୍ୟକ ଆଧାର ରହିଛି।

ଶୁଣାଣି ସମୟରେ କେନ୍ଦ୍ର ସରକାର ଏକ ସଂକ୍ଷିପ୍ତ ସତ୍ୟପାଠରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ। କହିଥିଲେ ଯେ ଏହି ମାମଲା ଜାତୀୟ ସୁରକ୍ଷା ସହ ଜଡ଼ିତ ହୋଇଥିବାରୁ ସେ ସାର୍ବଜନୀନ ସତ୍ୟପାଠରେ ମାମଲାର ସବିଶେଷ ତଥ୍ୟ ପ୍ରକାଶ କରି ଏହାକୁ ସାର୍ବଜନୀନ ବିତର୍କର ବିଷୟ କରିବାକୁ ଚାହୁଁନାହାନ୍ତି।

Leave A Reply

Your email address will not be published.