Latest Odisha News

BREAKING NEWS

Weather Update: ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ, ୨ ଦିନ ପରେ ବଦଳିବ ପାଗ, ଆଜି ପାଇଁ ଏହି ସବୁ ଜିଲ୍ଲାକୁ ଓ୍ବାର୍ଣ୍ଣିଂ..

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଥିବା କାଳବୈଶାଖୀ ବର୍ଷା କାରଣରୁ ତାତିରୁ ମିଳିଛି ଆଶ୍ବସ୍ତି । ଏହି ବର୍ଷା ଯୋଗୁଁ ପାରଦ ହଠାତ୍ ତଳକୁ ଖସିଆସିଛି । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୫ ରୁ ୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥିବା ରେକର୍ଡ ହୋଇଛି । ତେବେ ୨ ଦିନ ଗୁଳୁଗୁଳି ଜାରି ରହିବ । ବିଶେଷକରି ଉପକୂଳ ଜିଲ୍ଲାରେ ଗୁଳୁଗୁଳି ଅନୁଭୁତ ହେବ ।

ଗୁରୁବାର ସମ୍ବଲପୁର, ସୋନପୁର ବୌଦ୍ଧ ଓ ବଲାଙ୍ଗୀର ଜିଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି କଳାହାଣ୍ଡି, ନୂଆପଡା, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ଉଷ୍ମ ଓ ଆର୍ଦ୍ର ସ୍ଥିତି ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗୀର ଓ ସମ୍ବଲପୁରରେ ଉଷ୍ମ ରାତ୍ରି ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି । ସେହିପରି ସମ୍ବଲପୁର, ସୋନପୁର, ବୌଦ୍ଧ,ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡିକୁ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ଏବଂ ଝାରସୁଗୁଡ଼ାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ବୁଧବାର ୧୭ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ରହିଥିଲାବେଳେ ଟିଟଲାଗଡ଼ ୪୩.୫, ସୋନପୁର ୪୩.୧, ବଲାଙ୍ଗୀର ୪୩.୦, ଝାରସୁଗୁଡା ୪୨.୭, ବୌଦ୍ଧ ୪୨.୬, ହୀରାକୁଦ ୪୨.୫, ବରଗଡ଼ ୪୨.୫, ଭବାନୀପଟଣା ୪୨.୨, ନୂଆପଡ଼ା, ୪୨.୨, ଅନୁଗୋଳ ୪୨.୧, ସୁନ୍ଦରଗଡ଼ ୪୨.୦, ନୟାଗଡ଼ ୪୧.୫, ଫୁଲବାଣୀ ୪୦.୬, ତାଳଚେର, ମାଲକାନାଗିରି ଓ ଖୋର୍ଦ୍ଧାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ଼ ହୋଇଥିଲା ।

ଉପକୂଳର ୧୧ ଜିଲ୍ଲା ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି ।

କୃଷି ପାଣିପାଗ ବୈଜ୍ଞାନିକ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଚଳିତବର୍ଷ ମୌସୁମୀ ପ୍ରାୟତଃ ସ୍ୱାଭାବିକ ସମୟରେ କେରଳ ଉପକୂଳରେ ପ୍ରବେଶ କରିପାରେ । ଗତ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ପ୍ରବାହ ଅଧିକ ବ୍ୟାପକ ହୋଇଥିଲେ ମଧ୍ୟ ସେତେ ସଂଗଠିତ ହୋଇପାରି ନାହିଁ। ଫଳରେ ମୌସୁମୀ ଆଗମନର ସମ୍ଭାବ୍ୟ ସମୟ ସୀମା ବର୍ତ୍ତମାନ ମେ’ ୨୮ ରୁ ୩୧ ତାରିଖ ଆଡ଼କୁ ଘୁଞ୍ଚିଯାଇଛି ।

Leave A Reply

Your email address will not be published.