ଭୁବନେଶ୍ୱର: ସମଗ୍ର ବିଶ୍ବରେ ଦେଖାଦେଉଥିବା ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ଡିଜେଲ୍ ବଦଳରେ ଓଡ଼ିଶାର ଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଚାଲିବ ଇଭି ବୋଟ୍ । ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଏନେଇ ଟେଣ୍ଡର ଆହ୍ୱାନ କରିଛି ।
ଚିଲିକା, ତାମ୍ପରା, ଅଂଶୁପା, ସିଲ୍ଭର୍ ସିଟି ବୋଟ୍ କ୍ଲବ୍, ସାତକୋଶିଆ, ଡେବ୍ରିଗଡ଼, ହୀରାକୁଦ, ଭିତରକନିକାରେ ବୋଟିଂ ସୁବିଧା ଥିବାବେଳେ, ପ୍ରଥମ ପର୍ଯ୍ୟାୟରେ କୋଲାବ, ହୀରାକୁଦ, ଭିତରକନିକା ଓ ବରକୁଳରେ ଚାଲିବ ଏହି ବୋଟ୍ । ସୋଲାର ସହ ଇଭି ଓ ସିଏନଜି ସୁବିଧା ରହିବ । ଯେଉଁ ଏଜେନ୍ସି ଟେଣ୍ଡର ପାଇବ ସେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଲାଗି ୫ଟି ବିଳାସପୂର୍ଣ୍ଣ କାଟାମାରାନ୍, ସୋଲାର ତଥା ଇଭି ବୋଟ୍ ଚଲାଇବ ।
ଟେଣ୍ଡର ଅନୁସାରେ କୋରାପୁଟ ଜିଲ୍ଲାର କୋଲାବ ପାଇଁ ୩୦ ଆସନ ବିଶଷ୍ଟ ବୋଟ୍, ସମ୍ବଲପୁର ଜିଲ୍ଲାର ହୀରାକୁଦର ୨ଟି ସ୍ଥାନ ପାଇଁ, କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ପାଇଁ ୨୦ ଆସନ ବିଶିଷ୍ଟ ଏବଂ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବରକୁଳ ପାଇଁ ୮ ଆସନ ବିଶିଷ୍ଟ ବୋଟ୍ ବ୍ୟବସ୍ଥା ରହିଛି । ଖୁବ୍ ଶୀଘ୍ର ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ବିଭାଗୀୟ ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଛନ୍ତି ।