Latest Odisha News

BREAKING NEWS

୯ଟି ଜିଲ୍ଲାରେ ବୃଦ୍ଧି ପାଇବ ପ୍ରଚଣ୍ଡ ରୌଦ୍ରତାପ…

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ଗ୍ରୀଷ୍ମ ଲହରୀ ବୃଦ୍ଧି ପାଇଥିବା ବେଳେ ଶନିବାର ସନ୍ଧ୍ୟାରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ପଶ୍ଚିମ ଓଡ଼ିଶାର ୯ ଜିଲ୍ଲା ଲାଗି ସତର୍କତା ଜାରି କରାଯାଇଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନାନୁଯାୟୀ, ଆସନ୍ତା ମେ’ ୨୯ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ଗ୍ରୀଷ୍ମ ଲହରୀ କ୍ରମେ ବୃଦ୍ଧି ପାଇବାରେ ଲାଗିବ । ଯେଉଁସବୁ ଜିଲ୍ଲା ଗୁଡ଼ିକୁ ସତର୍କ କରାଯାଇଛି ସେହି ଜିଲ୍ଲା ଗୁଡ଼ିକ ହେଲା – ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲା ।

“ଆସନ୍ତା ଦୁଇ ତିନିଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିଛି,” ବୋଲି ଏହି ଜାରି ହୋଇଥିବା ସତର୍କ ସୂଚନାରେ ଦର୍ଶାଯାଇଛି ।

ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଏହି ସମୟରେ ସତର୍କ ରହିବା ସହିତ ପ୍ରତିଶେଧକମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।

ଶନିବାର ଦିନ ସମଗ୍ର ପଶ୍ଚିମ ଓଡ଼ିଶାରେ ପଚଣ୍ଡ ଗ୍ରୀଷ୍ମ ଲହରୀ ବୃଦ୍ଧି ପାଇଥିବା ଯୋଗୁଁ ଅଧିକାଂଶ ସହର ୪୦ ଡ଼ିଗ୍ରୀ ସେଲସିୟସ ଉପରେ ତାପମାତ୍ରା ରହିଥିଲା । ଯେଉଁ ୧୨ଟି ସ୍ଥାନଗୁଡ଼ିକରେ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରହିଥିଲା ସେହି ସହର ଗୁଡ଼ିକ ହେଲା – ଅନୁଗୁଳ (୪୪.୫), ଝାରସୁଗୁଡ଼ା (୪୫.୨), ସମ୍ବଲପୁର (୪୫.୨), ସୁନ୍ଦରଗଡ଼ (୪୩), ହିରାକୁଦ (୪୪.୫), ତାଳଚେର (୪୫.୭), ଭବାନୀପାଟଣା (୪୪.୩), ବଲାଙ୍ଗୀର (), ମାଲକାନଗିରି (୪୩), ସୋନପୁର (୪୪.୮), ଚାନ୍ଦବାଲି (୪୦.୨) ଏବଂ କଟକ (୪୦.୫) ଡ଼ିଗ୍ରୀ ସେଲସିୟସ ତାପମାତ୍ରା ।

ଏହା ବ୍ୟତୀତ ଯେଉଁସବୁ ସହରଗୁଡ଼ିକରେ ୪୦ ଡ଼ିଗ୍ରୀ ପାଖାପାଖି ତାପମାତ୍ରା ରହିଛି ସେହି ସ୍ଥାନଗୁଡ଼ିକ ହେଲା – ବାଲେଶ୍ୱର (୩୮), ଭୁବନେଶ୍ୱର (୩୯.୫), କେନ୍ଦୁଝର (୩୯.୭) ଏବଂ ଦାରିଙ୍ଗିବାଡ଼ି (୩୯) ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି ।

Leave A Reply

Your email address will not be published.