Latest Odisha News

ରାଜ୍ୟକୁ ଫେରିଲା ତାତି, ୪୦ ଉପରେ ୭ ସହର

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସାମାନ୍ୟ ବଢ଼ିଛି । କାଳବୈଶାଖୀ ପ୍ରଭାବ କମିବା ପରେ ରାଜ୍ୟରେ ବୃଦ୍ଧି ପାଇଛି ତାପମାତ୍ରା । ଆଜି ରାଜ୍ୟର ୭ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଅନୁଗୁଳରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ କରାଯାଇଛି ।

ବୌଦ୍ଧରେ ତାପମାତ୍ର ୪୧.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେରରେ ୪୧ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୮ ଡିଗ୍ରୀ, ସମ୍ବଲପୁରରେ ୪୦.୩ ଡିଗ୍ରୀ, ରାଉରକେଲା ଏବଂ ବଲାଙ୍ଗିରରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଆଜି ତାପମାତ୍ରା ସାମାନ୍ୟ ବଢ଼ିଥିବା ବେଳେ ଦିନ ତାପମାତ୍ରା ଧିରେ ଧିରେ ୨ରୁ ୪ ଡିଗ୍ରୀ ଯାଏ ଆସନ୍ତା ୩ ଦିନ ମଧ୍ୟରେ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ୮ ତାରିଖରେ ଘଡ଼ଘଡ଼ି ବର୍ଷା ନେଇ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଅନ୍ୟପଟେ ଶନିବାର ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସକ୍ରିୟ ରହିଛି । ପ୍ରଭାବରେ ଆସନ୍ତାକାଲି ୮ ତାରିଖ ସକାଳେ ସମାନ ଅଞ୍ଚଳରେ ଲଘୁଚାପରେ ପରିଣତ ହେବ ।

ପରେ ଏହା ୯ ତାରିଖ ବେଳକୁ ଅବପାତରେ ପରିଣତ ହୋଇ ଆହୁରି ଘନୀଭୂତ ହେବ । ବାତ୍ୟାରେ ପରିଣତ ହେବା ପରେ ଉତ୍ତରଦିଗକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ମୁହାଁଇବ । ଫଳରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ପାଣିପାଗ ବିଭାଗ । ତେବେ ବାତ୍ୟାର ତୀବ୍ରତା କେତେ ରହିବ, ଗତିପଥ କଣ ରହିବ ସେନେଇ ପାଣିପାଗ ବିଭାଗ କୌଣସି ଆକଳନ କରି ନାହିଁ ।

Leave A Reply

Your email address will not be published.