Latest Odisha News

BREAKING NEWS

ମାଡି ଆସୁଛି ବାତ୍ୟା ‘ପେଥାଇ’: ବର୍ଷା ସହ ୪ଟି ଜିଲ୍ଲାକୁ ହଳଦିଆ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡ଼ର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏହା ତାମିଲନାଡୁର ଚେନ୍ନାଇଠାରୁ (୬୯୦ କିମି.) ଦୂର ଏବଂ ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମଠାରୁ (୮୯୦ କିମି.) ଦୂରରେ କେନ୍ଦ୍ରୀଭୂତ ହେଉଛି । ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ଓ କାକ୍କିନଡା ମଧ୍ୟରେ ଏହା ଡିସେମ୍ବର ୧୭ ତାରିଖ ସୁଦ୍ଧା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି।

ସୂଚନା ଅନୁଯାୟୀ ଏହି ବାତ୍ୟାର ନାମକୁ ଥାଇଲାଣ୍ଡର ପାଣିପାଗ ବିଶେଷଜ୍ଞମାନେ ‘ପେଥାଇ’ ନାମକରଣ କରିଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜି ରାଜ୍ୟର ୪ଟି ଜିଲ୍ଲା ପାଇଁ ହଳଦିଆ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆସନ୍ତା ୧୭ ତାରିଖ ବେଳକୁ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ, ନୂଆପଡା, ବରଗଡ, ବଲାଙ୍ଗୀର, ଝାରସୁଗୁଡା ଏବଂ ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଆହୁରି ମଧ୍ୟ ଡିସେମ୍ବର ୧୬ ତାରିଖ ସୁଦ୍ଧା ରାଜ୍ୟର ଗଜପତି, ଗଞ୍ଜାମ, ରାୟଗଡା ଏବଂ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଅପରପକ୍ଷେ ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.