Latest Odisha News

BREAKING NEWS

ୟୁକ୍ରେନର ମାରିୟୁପୁଲରେ ହାହାକାର: ଖାଦ୍ୟ ଓ ପାଣି ପାଇଁ ଡହଳବିକଳ, ମିଳୁନି ଔଷଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦ ଦିନ ହେଲାଣି ରୁଷ-ୟୁକ୍ରେନ୍ ଭିତରେ ଭୟାବହ ଯୁଦ୍ଧ ଚାଲିଛି । ୟୁକ୍ରେନର ବିଭିନ୍ନ ସହରକୁ ଧ୍ୱସବିଧ୍ୱସ୍ତ କରି ଦେଲାଣି ପୁଟିନେ ସେନା । ଦକ୍ଷିଣରେ ଥିବା ମାରିୟୁପୁଲ ଯୁଦ୍ଧରେ ଛାରଖାର ହୋଇଯାଇଛି । ମାରିୟୁପୁଲ ଆକାଶରୁ ନିଆଁ ଓ ଧୂଆଁ ଲିଭୁନି । ଚାରିଆଡ଼େ ଅନ୍ଧାର । ବିଜୁଳି ନାହିଁ । ଘନ ଅନ୍ଧାର ଭିତରେ ଗର୍ଜୁଛି ଗୁଳିଗୋଳା । ବିସ୍ଫୋରଣର ଛାତି ଥରାଇ ଦେଉଛି ।

ମାରିୟୁପୁଲରେ ହାହାକାର । ଦୁର୍ଦ୍ଦଶା ସୀମା ଟପିଲାଣି । ଲୋକଙ୍କ ପାଖରେ ଖାଇବାକୁ କିଛି ନାହିଁ । ପିଇବାକୁ ପାଣି ନାହିଁ । ଜୀବନ ସହ ୨୦ ଦିନ ସଂଘର୍ଷ କରି ଲୋକ ଭୋକ ଉପାସରେ ଆଉଟୁ ପାଉଟୁ ହେଲେଣି । ଔଷଧ ବି ମିଳୁନି ।

ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । ଉଦବେଗ ପ୍ରକାଶ କରିଛି ଜାତିସଂଘ । ରେଡକ୍ରସ୍ ମାରିୟୁପୁଲ ବାସୀଙ୍କୁ ଉଦ୍ଧାର କରିବା ପାଇଁ ଅପିଲ୍ କରିଛି । ଏଯାଏ ଯୁଦ୍ଧରେ ମାରିୟୁପୁଲରେ ୨୫ ଶହ ସାଧାରଣ ଲୋକଙ୍କର ଜୀବନ ଗଲାଣି ।

ଆବାସିକ ସ୍ଥଳୀରେ ରୁଷ୍ ହମଲା କରୁଛି । ମାଟିରେ ମିଶିଲାଣି ବହୁ ବଡ଼ ବଡ଼ କୋଠା, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ । ଲୋକଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଓ ଖାଇବାକୁ କିଛି ନାହିଁ । ଏଯାଏ ୟୁକ୍ରେନରୁ ୨୫ ଲକ୍ଷରୁ ଅଧିକ ଲୋକ ଦେଶ ଛାଡି ପଲେଇଲେଣି । ମାରିୟୁପୁଲରେ ୪ ଲକ୍ଷ ଲୋକ ଫସି ରହିଛନ୍ତି ।

Comments are closed, but trackbacks and pingbacks are open.