Latest Odisha News

BREAKING NEWS

ଓଲିଉଡ ପୁରସ୍କାର ମହୋତ୍ସବ ପାଇଁ ଦୁବାଇରେ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ଦୁବାଇଠାରେ ଆୟୋଜିତ ହେବାକୁ ଯାଉଛି ଓଲିଉଡ ପୁରସ୍କାର ମହୋତ୍ସବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଦେଶ ବାହାରେ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏବଂ ୟୁଏଇ ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ ଚଳଚ୍ଚିତ୍ର ସମାରୋହ ଆୟୋଜିତ ହେବାକୁ ଯାଉଛି । ଫାଇଭ ଷ୍ଟାର ଫିଲ୍ମ ଆୱାର୍ଡସ୍ ୨୦୨୪ ଦୁବାଇ ଭାବରେ ନାମିତ ଏହି ରଙ୍ଗାରଙ୍ଗ ଉତ୍ସବରେ ଓଡ଼ିଶାର ଉତ୍କୃଷ୍ଟ କଳା, ସଂସ୍କୃତି ଏବଂ ଉଚ୍ଚକୋଟୀର ଚଳଚ୍ଚିତ୍ରର ଭବ୍ୟ ଓ ଦିବ୍ୟ ପ୍ରଦର୍ଶନ ଦେଖିବାକୁ ମିଳିବ ।

ଦୁବାଇର ଓଉଦ ମେଠାସ୍ଥିତ ଶେଖ୍ ରସିଦ ପ୍ରେକ୍ଷାଳୟଠାରେ ଆସନ୍ତା ଜାନୁଆରି ୧୩ ତାରିଖ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ ଏହି ପୁରସ୍କାର ମହୋତ୍ସବ । ଏହି କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ର ପ୍ରେମୀ , ଜନସାଧାରଣ ପ୍ରମୁଖ ଯୋଗ ଦେବେ । ଏଥିରେ ଭାଗ ନେବା ପାଇଁ ଭୁବନେଶ୍ୱରରୁ ପ୍ରାୟ ୧୦୫ଜଣ ଚଳଚ୍ଚିତ୍ର, ନୃତ୍ୟ ଓ ସଙ୍ଗୀତ ଜଗତର ପ୍ରତିଷ୍ଠିତ କଳାକାରମାନେ ଦୁବାଇ ଅଭିମୁଖେ ବିମାନଯୋଗେ ଯାତ୍ରା କରିବେ ବୋଲି ସୂଚନା ମିଳିଛି । ଏହି ପ୍ରଥମ ଆନ୍ତର୍ଜାତିକ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରବାଦ ପୁରୁଷ ଓ ସାଂସଦ ପ୍ରଶାନ୍ତ ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ । ଦୁବାଇ ସ୍ଥିତ ଭାରତୀୟ କନସଲ ଜେନେରାଲ ସତୀଶ ଶିବନ ଓ ଡାନ୍ୟୁବ ଗ୍ରୁପର ଅଧ୍ୟକ୍ଷ ରିଜୱାନ୍ ସାଜନ୍ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହିବେ ।

ବିଜେତାମାନଙ୍କୁ ବାଛିବା ପାଇଁ ଗଠିତ ଚୟନ କମିଟିର ସଦସ୍ୟ ଭାବରେ ଡ଼ଃ ରଜନୀ ରଞ୍ଜନ ଓ ପ୍ରଶାନ୍ତ ପାଢ଼ୀ ଅଛନ୍ତି । ପୁରସ୍କାର ଉତ୍ସବ ର ମୁଖ୍ୟ ଆୟୋଜକ ଏବଂ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନର ପ୍ରତିଷ୍ଠାତା ରମେଶ ବାରିକ ଗଣମାଧ୍ୟମ କୁ ସୁଚାଇଛନ୍ତି ଯେ, ଓଡ଼ିଆ ସିନେମା କଳାକାରମାନଙ୍କର ପ୍ରଚୁର ପ୍ରତିଭା ଏବଂ ଅପ୍ରତିଦ୍ୱନ୍ଦୀ ପାରଦର୍ଶିତା କୁ ଆନ୍ତର୍ଜାତିକ ଦରବାରରେ ପ୍ରଦର୍ଶନ କରିବା ଓ ଏହାକୁ ପ୍ରତିପାଦିତ କରିବା, ଏହି ମହୋତ୍ସବର ପ୍ରଧାନ ଉଦ୍ଦେଶ୍ୟ । ସମାରୋହର ସହଆୟୋଜକ ତଥା ୟୁ.ଏ .ଇ. ଓଡ଼ିଶା ସମାଜର ସଭାପତି ଅମୀୟ ମିଶ୍ର, ଓଡ଼ିଶାରେ କଳା, ସଂସ୍କୃତି, ପର୍ଯ୍ୟଟନ, ଚଳଚ୍ଚିତ୍ର, ହସ୍ତତନ୍ତ ଓ ହସ୍ତଶିଳ୍ପ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ନେଇ ରହିଥିବା ବ୍ୟାପକ ସୁଯୋଗ ସମ୍ପର୍କରେ ବିଦେଶରେ ଜନସଚେତନତା ସୃଷ୍ଟି କରିବା, ତାଙ୍କର ସଂଗଠନ ଓ ଏହି ଉତ୍ସବର ମୁଖ୍ୟ ଲକ୍ଷ ବୋଲି ଦର୍ଶାଇଛନ୍ତି । ମହୋତ୍ସବର ମୁଖ୍ୟ ଉପଦେଷ୍ଟା ଏବଂ ୱାଲର୍ଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଓଡ଼ିଆ ସିନେମା ଜଗତର ଗୁଣି ପ୍ରତିଭାମାନଙ୍କୁ ଆନ୍ତର୍ଜାତିକ ମଞ୍ଚରେ ସ୍ୱୀକୃତି ଦେବା ଓ ସମ୍ମାନୀତ କରିବା ପାଇଁ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ କର୍ତ୍ତୃପକ୍ଷ ଯେଉଁ ଅନନ୍ୟ ପୂଜ୍ୟପୂଜା ପରମ୍ପରାର ଶୁଭାରମ୍ଭ କରିଛନ୍ତି, ତାହା ଓଡ଼ିଆ ସିନେମାର ଅଭ୍ୟୁଦୟ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.