Latest Odisha News

BREAKING NEWS

ପ୍ରତିଷ୍ଠା ହେବ ଶ୍ରୀଜିଉଙ୍କ ଭବ୍ୟ ମନ୍ଦିର, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ନୋଏଡ଼ା: ବସନ୍ତ ପଞ୍ଚମୀର ଶୁଭ ତିଥି ତଥା ଆସନ୍ତା ଫେବୃଆରୀ ୨ ତାରିଖ ୨୦୨୫ରେ ନୋଏଡ଼ା ସ୍ଥିତ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ନୋଏଡାର ସେକ୍ଟର ୧୨୧ ସ୍ଥିତ ମନ୍ଦିର ପରିସରରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମହା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଚତୁର୍ଦ୍ଧାମୂର୍ତ୍ତିଙ୍କର ପ୍ରାଣ ପ୍ରତିଷ୍ଠା ପାଇଁ ଆସନ୍ତା ଜାନୁୟାରୀ ୨୯ ତାରିଖରୁ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଶ୍ରୀ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ପୁରୀର ଗଜପତି ଦିବ୍ୟସିଂହ ଦେବ ଏଠାରେ ଆଦ୍ୟ ସେବକ ଭାବରେ ପ୍ରଥମେ ପୂଜାର୍ଚ୍ଚନା କରିବେ। ତେବେ ଏହି ମହାନ ଧାର୍ମିକ ମହୋତ୍ସବରେ ଭାରତ ବର୍ଷର ବିଭିନ୍ନ ଦେବସ୍ଥାନ ଯଥା ଅଯୋଧ୍ୟା, ହରିଦ୍ଵାର, ଋଷିକେଶ, ପୁରୀ ଓ ବାରାଣାସୀ ଆଦି କ୍ଷେତ୍ରରୁ ସାଧୁ, ସନ୍ଥ ଏବଂ ମହାତ୍ମାଙ୍କ ଭଳି ହିନ୍ଦୁଧର୍ମର ତୁଙ୍ଗ ନେତୃବର୍ଗମାନେ ଆସି ଯୋଗ ଦେବେ । ପୁରୀର ପୁରାତନ ମନ୍ଦିର ତୁଳନାରେ ନୋଏଡ଼ାର ସେକ୍ଟର ୧୨୧ ସ୍ଥିତ ଏ-୧ ର ବିସ୍ତୀର୍ଣ୍ଣ, ସୁନ୍ଦର, ସୁରମ୍ୟ ତଥା ସବୁଜିମାଘେରା ଜମି ଉପରେ ଦଣ୍ଡାୟମାନ ଏହି ବୃହତ ଏବଂ ବିଭୂଷିତ ମନ୍ଦିରଟି ଆଧୁନିକ ଢାଞ୍ଚାରେ ନିର୍ମାଣ କରାଯାଇଛି। ମନ୍ଦିରର ପ୍ରବେଶ ପଥରେ ବିଶାଳକାୟ ଓ ବୈଭବଶାଳୀ ସିଂହଦ୍ୱାର ଭକ୍ତମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବାକୁ ମହଜୁଦ ରହିଛି। ଏହାର ଭିତର ମହଲକୁ ପାରମ୍ପରିକ ଭାରତୀୟ ମନ୍ଦିରର ଆକୃତିକୁ ଆଧାର କରି ଖୁବ ନିଖୁଣ ଓ ପ୍ରାଞ୍ଜଳ ଭାବେ ପଥରଗୁଡ଼ିକୁ ଖୋଦାଇ କରାଯାଇ ବନାଯାଇଛି। ମନ୍ଦିରର ଗର୍ଭଗୃହରେ ଦିଅଁମାନଙ୍କ ଆସ୍ଥାନ ପାଇଁ ରତ୍ନ ସିଂହାସନ ଉପଲବ୍ଧ କରାଯାଇଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ୨୦୧୩ ମସିହାରେ ଏହି ମନ୍ଦିର ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରା ଯାଇଥିଲା । ନୋଏଡ଼ାଠାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଜାତୀୟ ରାଜଧାନୀ କ୍ଷେତ୍ରରେ ଦୃତ ବର୍ଦ୍ଧିଷ୍ଣୁ ଭକ୍ତମାନଙ୍କର ଆଧ୍ୟାତ୍ମିକ ସେବା ଓ ଧାର୍ମିକ କର୍ତ୍ତବ୍ୟର ଆବଶ୍ୟକତାକୁ ପୂରଣ କରିବା । ଏହି ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବାକୁ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗୌତମ ବୁଦ୍ଧ ନଗରର ସାଂସଦ ଡ. ମହେଶ ଶର୍ମା, ନୋଏଡ଼ାର ବିଧାୟକ ପଙ୍କଜ ସିଂହ ଏବଂ ଛତିଶଗଡ଼ର ବିଧାୟକ ପୁରନ୍ଦର ମିଶ୍ର ପ୍ରମୁଖ ମଧ୍ୟ ଯୋଗ ଦେବେ ।

Comments are closed.