ମୁମ୍ବାଇ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଜଣେ ଦୁବୁର୍ତ୍ତ ଛୁରୀରେ ଆକ୍ରମଣ କରିଥିଲା। ଯାହା ପରେ ତାଙ୍କୁ ୫ ଦିନ ପାଇଁ ହସ୍ପିଟାଲରେ ରହିବାକୁ ପଡିଥିଲା। ବର୍ତ୍ତମାନ ସୈଫ୍ ଘରକୁ ଫେରିଥିବା ବେଳେ ବିଭିନ୍ନ ଘଟଣାକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି।
ନିବା ବୁପା ଦ୍ୱାରା ଚିକିତ୍ସା ବୀମାକୁ ଶୀଘ୍ର ମଞ୍ଜୁର ମିଳିବା ଖବର ଏବେ ବିବାଦର ବିଷୟ ପାଲଟିଛି। ସୈଫଙ୍କ ଇନସୁରାନ୍ସ କ୍ଲେମକୁ ନେଇ ମେଡିକାଲ ପ୍ରଫେସନାଲ୍ସ ସଂଗଠନ ପକ୍ଷରୁ ବୀମା ନିୟାମକ ଆଇଆରଡିଏଆଇକୁ ସେଲିବ୍ରିଟିମାନଙ୍କୁ ଦିଆଯାଉଥିବା ସୁବିଧା ଉପରେ ପ୍ରଶ୍ନ ଉଠାଇଛି।
ରିପୋର୍ଟ ଅନୁଯାୟୀ, ସୈଫ ଅଲ୍ଲୀ ଖାନଙ୍କ ମେଡିକ୍ଲେମ୍ ଅନୁମୋଦନର ଏକ ଡକ୍ୟୁମେଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଅଭିନେତାଙ୍କ ପାଞ୍ଚ ଦିନର ଚିକିତ୍ସା ପାଇଁ ପ୍ରାୟ ୩୬ ଲକ୍ଷ ଟଙ୍କାର କ୍ୟାସଲେସ ଅନୁରୋଧ କରାଯାଇଥିଲା। ପ୍ରାରମ୍ଭିକ ଅନୁମୋଦନରେ ବୀମା କମ୍ପାନୀ ୨୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ଏବଂ ନିବା ବୁପା ପ୍ରି ଅଥୋରାଇଜେସନ୍ ଅନୁରୋଧକୁ କନଫର୍ମ କରିଥିଲେ। ଏହାବ୍ୟତୀତ ଗାଇଡଲାଇନ ଅନୁସାରେ ପରବର୍ତ୍ତୀ ଦାବିଗୁଡ଼ିକ ପ୍ରକ୍ରିୟାକରଣ କରାଯିବ ବୋଲି ପ୍ରକାଶ କରିଥିଲେ।
ଏବେ ଏହି ପ୍ରସଙ୍ଗରେ ମୁମ୍ବାଇସ୍ଥିତ ମେଡିକାଲ୍ କନସଲଟେନ୍ସ ସଂଘ ସୈଫଙ୍କ ଚିକିତ୍ସା ପାଇଁ କ୍ୟାସଲେସ୍ କ୍ଲିୟରାନ୍ସ ସମ୍ପର୍କରେ ଆଇଆରଡିଏଆଇର ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଛନ୍ତି।
ଚିଠିରେ କୁହାଯାଇଛି ଯେ ‘ଏହି ଘଟଣା ଏକ ସମସ୍ୟାକୁ ଇଙ୍ଗିତ କରୁଛି। କାରଣ ହାଇ-ପ୍ରୋଫାଇଲ୍ ବ୍ୟକ୍ତି ଏବଂ କର୍ପୋରେଟ୍ ପଲିସି ଥିବା ରୋଗୀମାନେ ଉତ୍ତମ ସର୍ତ୍ତାବଳୀ ଏବଂ ଅଧିକ କ୍ୟାସଲେସ୍ ଚିକିତ୍ସା ସେବା ପାଉଛନ୍ତି। କିନ୍ତୁ ଅପରପକ୍ଷରେ ସାଧାରଣ ନାଗରିକମାନେ କମ୍ କଭରେଜ୍ ଏବଂ କମ୍ ରିମ୍ବର୍ସମେଣ୍ଟ ରେଟ୍ ସହ ହଇରାଣ ହୋଇଥାନ୍ତି।’
Comments are closed.