ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ASO ପରୀକ୍ଷା କେଳେଙ୍କାରୀ ମାମଲାରେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ଜାମିନ ଆବେଦନ ଖାରଜ। ଅନ୍ୟ ୧୨ ଜଣଙ୍କର ମଧ୍ୟ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ। ପୋଲିସ୍ SI ପରୀକ୍ଷା କେଳେଙ୍କାରୀରେ ମଧ୍ୟ ଶଙ୍କର ଓ ସୁରେଶ ଅଭିଯୁକ୍ତ ରହିଛନ୍ତି।
ହାଇକୋର୍ଟର(ଏଏସଓ-୨୦୨୪) ମୁଖ୍ୟ ଲିଖିତ ପରୀକ୍ଷା ୨୦୨୫ ଜୁଲାଇରେ ହୋଇଥିଲା । ଏହାର ପ୍ରଶ୍ନପତ୍ର ବା ମଡେଲ ଉତ୍ତର ପରୀକ୍ଷା ପୂର୍ବରୁ ଲିକ୍ ହୋଇଥିବା ଆଶଙ୍କା କରି ଜୁଲାଇ ମାସର ପରୀକ୍ଷାକୁ କର୍ତ୍ତୃପକ୍ଷ ରଦ୍ଦ କରିଦେଇଥିଲେ । ଏହି ଘଟଣାର ତଦନ୍ତ କରିବା ପାଇଁ ଲାଲ୍ବାଗ ଥାନାରେ ମାମଲା ରଜୁ ହୋଇଥିଲା । ପରୀକ୍ଷାର ପ୍ରଶ୍ନପତ୍ର ପ୍ରସ୍ତୁତ ଦାୟିତ୍ୱ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥା ସିଲିକନ ଟେକ ପ୍ରାଇଭେଟ୍ ଲିମିଟେଡ ନେଇଥିଲା । ଏହାର ମାଲିକାନା ସୁରେଶ ଚନ୍ଦ୍ର ନାୟକଙ୍କ ପାଖରେ ରହିଛି । କିନ୍ତୁ ଏହି ପ୍ରଶ୍ନପତ୍ରର ମଡେଲ୍ ଉତ୍ତର ପରିଚାଳନା ଦାୟିତ୍ୱ ପଞ୍ଚସଫ୍ଟ ପ୍ରାଇଭେଟ୍ ଲିମିଟେଡ୍ର ଶଙ୍କର ପୃଷ୍ଟି ପାଖରେ ଥିଲା । ପୂର୍ବରୁ ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ କ୍ରାଇମ୍ବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି।
ତେବେ ଏଏସ୍ଓ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ମଧ୍ୟ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ସଂସ୍ଥାର ସଂପୃକ୍ତି ସ୍ପଷ୍ଟ ହେବା ପରେ ଲାଲ୍ବାଗ ଥାନା ପୋଲିସ ଜଣଙ୍କ ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ପ୍ରଶ୍ନ ତଥା ମଡେଲ୍ ଉତ୍ତର ପାଇଁ ଜଣକା ୨୦ ଲକ୍ଷ ଟଙ୍କା ଦେବାକୁ ଡିଲ୍ ହେଉଥିଲା। ଆଶାୟୀଙ୍କୁ ଏକାଠି କରି ଟଙ୍କା ଆଦାୟ କରାଯାଉଥିଲା। ଏଭଳି ୧୪ ଜଣ ଦଲାଲ୍ଙ୍କୁ ପୋଲିସ ଗରିଫ କରିଛି। ଆଉ ସେହି ୧୪ ଜଣଙ୍କର ଜାମିନ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ।