ଭୁବନେଶ୍ବର: ଗତକାଲି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ଓ ସେସନ୍ସ କୋର୍ଟକୁ ଇମେଲ୍ ଯୋଗେ ବୋମା ଧମକ ମିଳିଥିବାବେଳେ, ଆଜି ପୁଣି ରାଜ୍ୟର ଆଉ ଦୁଇଟି ଜିଲ୍ଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଅଜଣା ବ୍ୟକ୍ତିଙ୍କ ପକ୍ଷରୁ ଇ-ମେଲ୍ ଯୋଗେ ଧମକ ଦିଆଯାଇଛି ।
ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଘଟଣାର ସୂଚନା ମିଳିବା ପରେ ପୋଲିସ, ବୋମା ନିଷ୍କ୍ରିୟକରଣ ଦଳ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ କୋର୍ଟ ପରିସରରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । କୋର୍ଟ ପରିସରର ପ୍ରତ୍ୟେକ କୋଣକୁ ଯାଞ୍ଚ କରାଯାଉଥିବା ବେଳେ ସନ୍ଦିଗ୍ଧ ବସ୍ତୁ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।
ତେବେ ପ୍ରାରମ୍ଭିକ ଯାଞ୍ଚରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ । ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରହିଛି । ଧମକ ଦେଇଥିବା ବ୍ୟକ୍ତି କିଏ ଏବଂ ଏହା ପଛରେ କଣ ଉଦ୍ଦେଶ୍ୟ ରହିଛି, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି ।
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲା ବାର୍ ଆସୋସିଏଶନ ପକ୍ଷରୁ ସମସ୍ତ ଆଇନଜୀବୀ, କୋର୍ଟ କର୍ମଚାରୀ ଏବଂ ସାଧାରଣ ଜନତାଙ୍କୁ ତୁରନ୍ତ କୋର୍ଟ ପରିସର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଅନୁରୋଧ କରାଯାଇଛି ।
ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍ଙ୍କ ମିଳିଥିବା ସୂଚନା ଅନୁଯାୟୀ, ulaganathan.santhosh@atomicmail.io ନାମକ ଏକ ସନ୍ଦେହଜନକ ଇ-ମେଲ ଆଇଡିରୁ ଗତକାଲି ଏହି ଧମକପୂର୍ଣ୍ଣ ବାର୍ତ୍ତା ପଠାଯାଇଥିଲା । ଏହି ମେଲରେ ଅପରାହ୍ନ ୧ଟା ୧୫ ମିନିଟ୍ ସମୟରେ ବିଚାରପତିଙ୍କ କାର୍ଯ୍ୟାଳୟ, ଚାମ୍ବର ଏବଂ ରେ ସାଂଘାତିକ ଗ୍ୟାସ୍ ବୋମା ବିସ୍ଫୋରଣ କରାଯିବ ବୋଲି ଉଲ୍ଲେଖ ରହିଛି । ଏହାସହ ବାହାରକୁ ଯିବା ସମୟରେ ନାକ ଓ ମୁହଁ ଘୋଡ଼ାଇବା ପାଇଁ ମଧ୍ୟ ଏଥିରେ କୁହାଯାଇଛି । ତେବେ ଏହି ଇ-ମେଲରେ ଭାଷା ଓଡ଼ିଶା ବାହାରର କୌଣସି ସଂଗଠନ ଦ୍ୱାରା ଟ୍ରାନ୍ସଲେଟ କରାଯାଇଥିବା ଭଳି ପ୍ରତିତ ହେଉଛି ।