ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ବସକୁ ଅପେକ୍ଷା କରିଥିବା ଜଣେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜଣେ ଦୁର୍ବୃତ୍ତ ଲୁଟ ଉଦ୍ୟମ କରିଛି। ତେବେ ଜଣେ ସ୍ଥାନୀୟ ଯୁବକଙ୍କ ଉପସ୍ଥିତ ବୁଦ୍ଧି ଏବଂ ସାହସିକତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି।
ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଛି। ମହିଳା ଜଣକ ବରମୁଣ୍ଡାରେ ଏକ ବସ ଧରିବା ପାଇଁ ଅପେକ୍ଷା କରିଥିଲେ। ହଠାତ ଜଣେ ଯୁବକ ସେଠାରେ ପହଞ୍ଚି ମହିଳାଙ୍କ ମୁଣ୍ଡରେ ଏକ ବନ୍ଧୁକ ଲଗାଇ ଦେଇଥିଲା। ବନ୍ଧୁକ ଭୟ ଦେଖାଇ ଉକ୍ତ ଦୁର୍ବୃତ୍ତ ପ୍ରାୟ ୩୦ ମିନିଟ ଧରି ସେଠାରେ ଆତଙ୍କ ଖେଳାଇଥିଲା।
ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ସ୍ଥାନୀୟ ଯୁବକ ନିଜ ଜୀବନକୁ ଖାତିର ନକରି ଆଗକୁ ଆସିଥିଲେ। ଅତ୍ୟନ୍ତ ସାହସିକତାର ସହ ସେ ଉକ୍ତ ବନ୍ଧୁକଧାରୀ ଦୁର୍ବୃତ୍ତ ସହ ମୁକାବିଲା କରି ତାକୁ ଘଟଣାସ୍ଥଳରେ କାବୁ କରିନେଇଥିଲେ।
ଆଖପାଖ ଲୋକଙ୍କଠାରୁ ଖବର ପାଇ ଖଣ୍ଡଗିରି ଏବଂ ଭରତପୁର ଥାନା ପୁଲିସ ତୁରନ୍ତ ସେଠାରେ ପହଞ୍ଚିଥିଲା। ପୁଲିସ ଉକ୍ତ ଦୁର୍ବୃତ୍ତକୁ ନିଜ ହେପାଜତକୁ ନେଇ ଥାନାକୁ ଆଣିଛି। ରାଜଧାନୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରାତି ଅଧରେ ବନ୍ଧୁକ ଦେଖାଇ ଏଭଳି ଲୁଟ ଉଦ୍ୟମ ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ ପକ୍ଷରୁ ଅଭିଯୁକ୍ତକୁ ଅଧିକ ପଚରାଉଚରା କରାଯିବା ସହ ଘଟଣାର ତଦନ୍ତ ଜାରି ରହିଛି।