Latest Odisha News

BREAKING NEWS

ଏପ୍ରିଲ ୩ରେ ହିନ୍ଦୋଳ, ଅତାବିରା ଏନ୍‌ଏସି ନିର୍ବାଚନ

ଭୁବନେଶ୍ୱର: ହିନ୍ଦୋଳ ଓ ଅତାବିରା ଏନଏସି କାଉନସିଲର ଅଧ୍ୟକ୍ଷ ପାଇଁ ଏପ୍ରିଲ ୩ ତାରିଖରେ ମତଦାନ ହେବ। ଓଡ଼ିଶା ନିର୍ବାଚନ କମିସନର ଆଦିତ୍ୟ ପାଢ଼ୀ ଏହି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ଡିସେମ୍ବରରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିଛି। ଭାରତୀୟ ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରକାଶିତ ଭୋଟର ତାଲିକା ଆଧାରରେ ୨୦୨୩ ଜାନୁଆରୀରେ ଭୋଟର ତାଲିକା ସଂଶୋଧନ ଆରମ୍ଭ ହୋଇଥିଲା।

ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ମାର୍ଚ୍ଚ ୩ରେ ନୋଟିସ ଜାରି ହେବ। ନାମାଙ୍କନ ପତ୍ର ଦାଖଲ ଅବଧି ମାର୍ଚ୍ଚ ୯ରୁ ୧୫ ତାରିଖ ରହିଛି।
ପ୍ରାର୍ଥିପତ୍ର ଯାଞ୍ଚ ମାର୍ଚ୍ଚ ୧୭ ତାରିଖ ରହିଛି। ପ୍ରାର୍ଥିପତ୍ର ପ୍ରତ୍ୟାହାର ମାର୍ଚ୍ଚ ୨୦ ରହିଛି। ମତଦାନ ତାରିଖ ଏପ୍ରିଲ ୩। ଗଣତି ଓ ଫଳାଫଳ ଘୋଷଣା ଏପ୍ରିଲ ୫ରେ ହେବ।

ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇସାରିଛି। ଏହି ଦୁଇଟି ଏନଏସିରେ ୨୮ଟି ଓ୍ୱାର୍ଡ ଓ ୩୨ଟି ପୋଲିଂ ବୁଥ ରହିଛି। ଉଭୟ ଏନଏସିରେ ୨୩ ହଜାର ୩୯୭ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

ପ୍ରଥମ କରି ସମସ୍ତ ରାଜନୈତିକ ଦଳକୁ ପ୍ରାଥମିକ ଭୋଟର ତାଲିକାର କପି ଯୋଗାଇ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। କାଉନସିଲରଙ୍କ ସହ ସିଧାସଳଖ ଲୋକଙ୍କ ଦ୍ୱାରା ଅଧ୍ୟକ୍ଷ ନିର୍ବାଚିତ ହେବାକୁ ଯାଉଥିବାରୁ ପ୍ରତି ବୁଥରେ ଦୁଇଟି ଇଭିଏମ୍ ବ୍ୟବହାର କରାଯିବ। କାଉନସିଲରଙ୍କ ପାଇଁ ଗୋଲାପି ଓ ଚେୟାରମ୍ୟାନଙ୍କ ପାଇଁ ହଳଦିଆ ରଙ୍ଗର ଇଭିଏମ୍ ବିଭିନ୍ନ ରଙ୍ଗର କାଗଜରେ ଛପାଯିବ। ଇଭିଏମରେ ‘ନୋଟା’ ବିକଳ୍ପ ମଧ୍ୟ ରହିବ ନାହିଁ।

ଅନୁମତିପ୍ରାପ୍ତ ସର୍ବାଧିକ ଖର୍ଚ୍ଚ ବାବଦରେ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢ଼ୀ କହିଛନ୍ତି, ପ୍ରଚାରରେ କାଉନସିଲର ନୋମିନିଙ୍କ ପାଇଁ ଖର୍ଚ୍ଚ ସୀମା ୫୦ ହଜାର ଟଙ୍କା ରଖାଯାଇଛି, ସେହିପରି ଅଧ୍ୟକ୍ଷ ପ୍ରାର୍ଥୀ ସର୍ବାଧିକ ୨ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବ। କାଉନସିଲର ଆଶାୟୀ ଦୁଇଟି ଗାଡି ବ୍ୟବହାର କରିପାରିବେ ଏବଂ ଅଧ୍ୟକ୍ଷା ଆଶାୟୀ ନିଜର ପ୍ରଚାରରେ ଚାରୋଟି ଗାଡି ବ୍ୟବହାର କରିପାରିବେ।

ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ପୃଷ୍ଠଭୂମି ଏବଂ ସମ୍ପତ୍ତି ବିଷୟରେ ସତ୍ୟପାଠ ଦାଖଲ କରିବେ। ଏଥିସହିତ ଦୁଇ ସନ୍ତାନ ନିୟମକୁ ପାଳନ କରୁଥିବା ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ଅସମ୍ପୂର୍ଣ୍ଣ ସତ୍ୟପାଠକୁ ପ୍ରତ୍ୟାଖ୍ୟାନ କରାଯିବ ଏବଂ ମିଥ୍ୟା ସତ୍ୟପାଠକୁ ଫୌଜଦାରୀ ଅପରାଧ ଭାବେ ବିବେଚନା କରାଯିବ ବୋଲି ଶ୍ରୀଯୁକ୍ତ ପାଢ଼ୀ ସ୍ପଷ୍ଟ କରିଛନ୍ତି।

 

Leave A Reply

Your email address will not be published.