ଭୁବନେଶ୍ୱର: ରାଜ୍ୟରେ ବଢୁଛି ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ସଂଖ୍ୟା। ୨୦୨୧-୨୨ରେ ୨୩୪୧ ଏଚଆଇଭି ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୨-୨୩ରେ ୩୨୩୨ ଜଣ ଏବଂ ୨୦୨୩-୨୪ ବର୍ଷରେ ୩୪୩୬ଜଣ ଏଚଆଇଭି ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି।
ଡିସେମ୍ବର ୨୦୨୪ ସୁଦ୍ଧା ରାଜ୍ୟରେ ମୋଟ ୬୩,୭୪୨ ଏଚଆଇଭି ରୋଗୀ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ବିଗତ ତିନି ବର୍ଷରେ ୯ହଜାର ୯ଜଣ ଏଚଆଇଭି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସୋମବାର ବିଧାନସଭାରେ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏହି ତଥ୍ୟ ପ୍ରଦାନ କରିଛନ୍ତି।
ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ରାଜ୍ୟରେ ଏଚ୍ଆଇଭି ସଂକ୍ରମଣ ରୋକିବା ଲାଗି ମୋଟ ୧୬୭ଟି ସ୍ୱତନ୍ତ୍ର ପରାମର୍ଶ ଓ ପରୀକ୍ଷା କେନ୍ଦ୍ର, ୭ଟି ବେସରକାରୀ ସହଭାଗିତା କେନ୍ଦ୍ର ଓ ୧୨୩୨ଟି ସୁବିଧା ପରାମର୍ଶ ଓ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କରୁଛି। ସଂକ୍ରମିତ ରୋଗୀଙ୍କ ଚିକିତ୍ସା ତଥା ସଂକ୍ରମଣ ହାରକୁ ପ୍ରଶମିତ କରିବା ପାଇଁ ମୋଟ ୨୦ଟି ଆର୍ଟ କେନ୍ଦ୍ର, ୧୭ଟି ଲିଙ୍କ୍ ଆର୍ଟ ତଥା ୧୨ଟି ଗୋଷ୍ଠୀ ସେବା କେନ୍ଦ୍ର କାର୍ଯ୍ୟ କରୁଛି।
Comments are closed.